କଳା ଓ ସଂସ୍କୃତି ଦେଶ ବିଦେଶ ଧର୍ମ ରାଜ୍ୟ

ଆଜିଠାରୁ ସେବାୟତଙ୍କ ପରିବାର ପାଇଁ ଖୋଲିଲା ଶ୍ରୀମନ୍ଦିର

ପୁରୀ: ଆଜିଠାରୁ ସେବାୟତଙ୍କ ପରିବାର ପାଇଁ ଖୋଲିଛି ଶ୍ରୀମନ୍ଦିର। ଆଜି ସକାଳ ୫ଟା ୫୦ ମିନିଟ ସମୟରେ ଶ୍ରୀମନ୍ଦିରର ପହଡ଼ ଖୋଲିଥିଲା। ଏହାପରେ ଯଥା ସମୟରେ ମଙ୍ଗଳ ଆଳତି ନୀତି ଅନୁଷ୍ଠିତ ହୋଇଥିଲା। ଏହାପରେ ସେବାୟତଙ୍କ ପରିବାରବର୍ଗ ଶ୍ରୀଜୀଉଙ୍କର ଦର୍ଶନ କରିଛନ୍ତି। ସେବାୟତଙ୍କ ପରିବାର ସଦସ୍ୟ ନିଜର ପରିଚୟପତ୍ର ଦେଖାଇ ମନ୍ଦିରକୁ ପ୍ରବେଶ କରିଛନ୍ତି। ଆଜି ଓ ଆସନ୍ତାକାଲି ସେବାୟତଙ୍କ ପରିବାର ମହାପ୍ରଭୁଙ୍କର ଦର୍ଶନ କରିପାରିବେ।
ଅପରପକ୍ଷରେ ପ୍ରଥମ ଦୁଇଦିନ ଅର୍ଥାତ୍ ଅଗଷ୍ଟ ୧୨ ଓ ୧୩ ତାରିଖ ସେବାୟତ ପରିବାରଙ୍କୁ ଦର୍ଶନ ସୁଯୋଗ ମିଳିବ। ଶନିବାର ଓ ରବିବାର ସଟଡାଉନ୍ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବାପରେ ଅଗଷ୍ଟ ୧୬ରୁ ୨୦ ତାରିଖ ପୁରୀବାସୀ ମହାପ୍ରଭୁଙ୍କ ଦର୍ଶନ କରିବେ। ଅଗଷ୍ଟ ୨୩ରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ। ପ୍ରତିଦିନ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ୧୨ ଘଣ୍ଟା ଖୋଲା ରହିବ। ଅଗଷ୍ଟ ୩୦ ତାରିଖ ଜନ୍ମାଷ୍ଟମୀ ଓ ସେପ୍ଟେମ୍ବର ୧୦ ତାରିଖ ଗଣେଶ ପୂଜାରେ ଶ୍ରୀମନ୍ଦିର ବନ୍ଦ ରହିବ।
ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି ଏସ୍ଓପି ଅନୁଯାୟୀ, ସେବକ ପରିବାରଙ୍କ ଦର୍ଶନ ପାଇଁ ମଙ୍ଗଳ ଆଳତିଠାରୁ ରାତ୍ର ପହୁଡ଼ ପର୍ଯ୍ୟନ୍ତ ଶ୍ରୀମନ୍ଦିର ଖୋଲାରହିବ। ସେବାୟତ ପରିବାରର ପରିଚୟପତ୍ର ଭାବେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରଦତ୍ତ ସ୍ବାସ୍ଥ୍ୟ ବୀମାକାର୍ଡ ଅବା ଅନ୍ୟ ପରିଚୟପତ୍ର ସହ ଆଧାରକାର୍ଡ ଆଦି ଦେଖାଇବା ବାଧ୍ୟତାମୂଳକ କରାଯାଇଛି। କିନ୍ତୁ ପୁରୀ ସହରବାସୀ ହୁଅନ୍ତୁ କି ଜିଲ୍ଲା ଅବା ଜିଲ୍ଲା ବାହାର ଭକ୍ତ, ସମସ୍ତଙ୍କ ଦର୍ଶନ ପାଇଁ ସକାଳ ୭ରୁ ରାତି ୭ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିର ଖୋଲାରହିବ। ପୁରୀ ସହରବାସୀ ପରିଚୟପତ୍ର ଭାବେ ଆଧାରକାର୍ଡ ଅବା ଅନ୍ୟ ପ୍ରମାଣପତ୍ର ଦେଖାଇ ଦର୍ଶନ କରିପାରିବେ। ପରିବାର ପିଛା ଯେତେ ଜଣ ଦର୍ଶନ ପାଇଁ ଯିବେ, ସମସ୍ତଙ୍କୁ ପରିଚୟପତ୍ର ଦେଖାଇବାକୁ ପଡ଼ିବ। କୋଭିଡ୍ ନେଗେଟିଭ୍ ରିପୋର୍ଟ ଅବା କୋଭିଡ୍ ଡବଲ୍ ଡୋଜ୍ର ପ୍ରମାଣପତ୍ର ଦେଖାଇବାକୁ ପଡ଼ିବନି।
ଅଗଷ୍ଟ ୨୩ରୁ ସର୍ବସାଧାରଣ ଦର୍ଶନ ପାଇଁ ନିୟମ ପରିବର୍ତ୍ତନ କରାଯାଇଛି। ପୁରୀବାସୀ ହୁଅନ୍ତୁ କି ଜିଲ୍ଲା ବାହାର ଭକ୍ତ, ଏହିଦିନଠାରୁ ସମସ୍ତଙ୍କୁ ଆଧାରକାର୍ଡ ଭଳି ପରିଚୟପତ୍ର ସାଙ୍ଗକୁ ୯୬ ଘଣ୍ଟାର କୋଭିଡ୍ ନେଗେଟିଭ୍ ପ୍ରମାଣପତ୍ର କିମ୍ବା କୋଭିଡ୍ ଡବଲ୍ ଡୋଜ୍ ଟିକା ନେଇଥିବାର ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ। ବିନା ପରିଚୟପତ୍ର ଓ ପ୍ରମାଣପତ୍ରରେ ଶ୍ରୀମନ୍ଦିର ପ୍ରବେଶ ନିଷେଧ କରାଯାଇଛି। ଅରୁଣ ସ୍ତମ୍ଭ, ଗରୁଡ଼ ସ୍ତମ୍ଭ ସହ ଶ୍ରୀମନ୍ଦିର ଭିତରେ ଦେବାଦେବୀଙ୍କ ପ୍ରତିମୂର୍ତ୍ତି ସ୍ପର୍ଶରେ କଟକଣା ଲଗାଯାଇଛି। ଶ୍ରୀମନ୍ଦିରକୁ ଦୀପ, ଧୂପ, ଫୁଲ, ଭୋଗ ଆଦି ନେବା ସହ ଦୀପ ଲଗାଇବାରେ କଟକଣା ଜାରି କରାଯାଇଛି। ଆନନ୍ଦ ବଜାର ହେଉ କି ଶ୍ରୀମନ୍ଦିର ବେଢ଼ା, ଭକ୍ତମାନେ ମହାପ୍ରସାଦ ସେବନ କରିପାରିବେନି।
ଭକ୍ତମାନେ କେବଳ ମହାପ୍ରସାଦ କିଣିପାରିବେ। ଶ୍ରୀମନ୍ଦିର ଭିତରେ ପାନ, ଗୁଟ୍ଖା ସେବନ ଉପରେ କଟକଣା ଜାରି ହୋଇଛି। ଅମାନିଆଙ୍କୁ ୫ ଶହ ଟଙ୍କା ଜରିମାନା ନିର୍ଦ୍ଦେଶ ଦିଆଯାଇଛି। ପଲିଥିନ୍ ବ୍ୟବହାର ନିଷେଧ କରାଯାଇଛି। ଯଦି କେହି ପଲିଥିନ୍ ନେଇ ଧରାପଡ଼ନ୍ତି, ଶହେ ଟଙ୍କା ଜରିମାନା କରାଯିବ। ଭିନ୍ନକ୍ଷମଙ୍କ ପାଇଁ ସ୍ବତନ୍ତ୍ର ଧାଡ଼ି ବ୍ୟବସ୍ଥା କରାଯାଇଛି। ଭକ୍ତଙ୍କ ପାଇଁ ଜଗନ୍ନାଥ ବଲ୍ଲଭ ସହ ଅନ୍ୟାନ୍ୟ ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଛି। ୬୫ ବର୍ଷରୁ ଊର୍ଦ୍ଧ୍ବ, ୧୦ ବର୍ଷରୁ କମ୍ ବର୍ଷର ଶିଶୁ, ଗର୍ଭବତୀ ଆଦିଙ୍କୁ ଶ୍ରୀମନ୍ଦିର ନ ଆସିବାକୁ ମନ୍ଦିର ପ୍ରଶାସନ ନିବେଦନ କରିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ