ରାଜ୍ୟ

ଆକାଶରୁ ନିଆଁବର୍ଷା: ଭୁବନେଶ୍ବରରେ ୪୩.୫ଂ

ଭୁବନେଶ୍ୱର: ସକାଳ ସାଢ଼େ ୮ଟା ବେଳକୁ ଟାଇଁ ଟାଇଁ ଖରା। ଶରୀରରୁ ଗମ୍‌ଗମ୍‌ ହୋଇ ଝାଳ ବୋହି ଯାଉଥାଏ। ବାହାରକୁ ବାହାରିବା ତ ଦୂରେ ଥାଉ‌; ଘର ଭିତରେ ଥାଇ ମଧ୍ୟ ଅସ୍ତବ୍ୟସ୍ତ ହୋଇପଡ଼ୁଥାନ୍ତି ସହରବାସୀ। ସମୟ ଯେତିକି ଗଡ଼ୁଥାଏ ତାତି ସେହି ଅନୁଯାୟୀ ବଢ଼ୁଥାଏ। ପୂର୍ବାହ୍ନ ସାଢ଼େ ୧୧ଟା ବେଳକୁ ପାରଦ ୩୯ ଡିଗ୍ରି ପାର୍‌ ହୋଇଯାଇଥିଲା। ଚାହୁଁ ଚାହୁଁ ୪୦ ଡିଗ୍ରି ଟପିଗଲା। ଅପରାହ୍ଣ ସାଢ଼େ ୨ଟା ବେଳକୁ ପାରଦ ଚଳିତବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା। ଭୁବନେଶ୍ବର ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ପାଲଟିବା ସହ ଆଜିର ଦିନରେ ଦେଶର ଦ୍ବିତୀୟ ଉତ୍ତପ୍ତ ସହରରେ ପରିଣତ ହୋଇଗଲା। ଆନ୍ଧ୍ରପ୍ରଦେଶର ନାନ୍ଦ୍ୟାଲରେ ଦେଶର ସର୍ବୋଚ୍ଚ ତାପମାତ୍ରା ୪୩.୭ ଡିଗ୍ରି ରେକର୍ଡ ହୋଇଛି।

ଏହା ତଳକୁ ଭୁବନେଶ୍ବର ସମେତ କୁରନୁଲ୍‌ରେ ୪୩.୫ ଡିଗ୍ରି ରହିଥିଲା। ‘ଓଜିମେଟ୍‌’ ତଥ୍ୟ ଅନୁଯାୟୀ ଆଜି ଦିନରେ ଏସିଆ ମହାଦେଶର ୬ଷ୍ଠ ଉତ୍ତପ୍ତ ସହର ପାଲଟିଛି ଭୁବନେଶ୍ବର। ମ୍ୟାମାରର ଚୌକରେ ସର୍ବୋଚ୍ଚ ତାପମାତ୍ରା ୪୫.୭ ଡିଗ୍ରି ରହିଥିବା ବେଳେ ମାଗୱେରେ ୪୪.୩, ନ୍ୟାୟଙ୍ଗ-ୟୁରେ ୪୪.୨, ଭାରତର ନାନ୍ଦ୍ୟାଲରେ ୪୩.୭, ମ୍ୟାମାରର ମିନ୍‌ବୁରେ ୪୩.୬ ଡିଗ୍ରି ରେକର୍ଡ କରାଯାଇଛି। ଏହାତଳକୁ ଓଡ଼ିଶାର ଭୁବନେଶ୍ବର ୬ଷ୍ଠ ସ୍ଥାନରେ ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ବୈଜ୍ଞାନିକ ଉମାଶଙ୍କର ଦାସ ‘ଏକ୍ସ’ ମାଧ୍ୟମରେ ଏଭଳି ସୂଚନା ଦେଇଛନ୍ତି। ଚଳିତ ସିଜିନ୍‌ରେ ପ୍ରଥମ ଥର ରାଜ୍ୟରେ ପାରଦ ୪୩ ଡିଗ୍ରି ଡେଇଁବା ସହ ଭୁବନେଶ୍ବରରେ ୪୩.୫ ଡିଗ୍ରି ହୋଇଥିଲା। ପାରଦ ୪୩ ଡିଗ୍ରି ରହିଥିଲେ ମଧ୍ୟ ଗୁଳୁଗୁଳି ଅଧିକ ହେଉଥିବାରୁ ସାଧାରଣ ଲୋକଙ୍କୁ ୫୦ରୁ ୬୦ ଡିଗ୍ରି ମଧ୍ୟରେ ରହିବା ଭଳି ଅନୁଭୂତ ହେଉଥିଲା। କେବଳ ଭୁବନେଶ୍ବରରେ ଯେ ଏଭଳି ସ୍ଥିତି ଥିଲା ତାହା ନୁହେଁ। ସମ୍ବଲପୁର ଓ ଚାନ୍ଦବାଲି ସହରରେ ମଧ୍ୟ ତାପମାତ୍ରା ୪୨ ଡିଗ୍ରି ରହିଥିଲା। ସେଠାରେ ମଧ୍ୟ ଲୋକଙ୍କୁ ୫୦ରୁ ୬୦ ଡିଗ୍ରିରେ ଚଳପ୍ରଚଳ‌ ହେବା ଭଳି ଲାଗୁଥିଲା। ପଶ୍ଚିମ, ଉପକୂଳ ଓ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ଯେତିକି ରହିଥିଲା ତାହାଠାରୁ ୫ରୁ ୭ ଡିଗ୍ରି ପର୍ଯ୍ୟନ୍ତ ଅନୁଭୁତ ହୋଇଛି। ରାଜ୍ୟର ୨୫ଟି ସହରର ତାପମାତ୍ରା ୪୦ ଡିଗ୍ରି କିମ୍ବା ତା’ଠାରୁ ଅଧିକ ରହିଥିଲା। ୧୦ଟି ସହରର ତାପମାତ୍ରା ୪୨ ଡିଗ୍ରି କିମ୍ୱା ତା’ଠାରୁ ଅଧିକ ରେକର୍ଡ କରାଯାଇଛି।

ଭୁବନେଶ୍ବରରେ ୪୩.୫ଂ
ଏସିଆର ୬ଷ୍ଠ, ଦେଶର ଦ୍ବିତୀୟ ଉତ୍ତପ୍ତ ସହର
୨୫ ସହର ୪୦ଂ ପାର୍‌, ୪୨ଂ ଉପରେ ୧୦ ସହର
ଆଜି ବି ତାତିବ ଓଡ଼ିଶା

ଭୁବନେଶ୍ୱର ସହର ପାଇଁ ଏପ୍ରିଲ ମାସର ସର୍ବୋଚ୍ଚ ଦିନ ତାପମାତ୍ରାର ସର୍ବକାଳୀନ ରେକର୍ଡ ୨୦୧୬ ଏପ୍ରିଲ ୧୧ରେ ରହିଛି। ଏହି ଦିନ ଭୁବନେଶ୍ବର ତାପମାତ୍ରା ୪୫.୮ ଡିଗ୍ରି ରହିଥିଲା। ଆଜି ସମସ୍ତ ସହରର ସର୍ବୋଚ୍ଚ ତାପମାତ୍ରା ସ୍ବାଭାବିକଠାରୁ ୨ରୁ ୫ ଡିଗ୍ରି ଅଧିକ ରେକର୍ଡ କରାଯାଇଛି। ଭୁବନେଶ୍ବରରେ ସ୍ବାଭାବିକ ତାପମାତ୍ରା ଆଜିର ଦିନରେ ୩୬.୫ ଡିଗ୍ରି ରହିବା କଥା। ମାତ୍ର ତା’ଠାରୁ ୭ ଡିଗ୍ରି ଅଧିକ ରହିଥିଲା। ବାଲେଶ୍ବର ଓ ଚାନ୍ଦବାଲିରେ ସର୍ବୋଚ୍ଚ ତାପମାତ୍ରା ସ୍ବାଭାବିକଠାରୁ ୪.୫ ଡିଗ୍ରି ଅଧିକ ରହିଥିବା ବେଳେ କଟକରେ ୪.୬, କେନ୍ଦୁଝରଗଡ଼ରେ ୪.୮, ଅନୁଗୁଳରେ ୩.୮, ବାରିପଦାରେ ୩.୭, ଝାରସୁଗୁଡ଼ାରେ ୩.୪, ସମ୍ବଲପୁରରେ ୩.୨, କୋରାପୁଟରେ ୩.୧ ଅଧିକ ରହିଥିଲା।

ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ୬ ତାରିଖରେ ମଧ୍ୟ ଉଷ୍ଣ-ଆର୍ଦ୍ର ପାଣିପାଗ, ଗ୍ରୀଷ୍ମ ପ୍ରବାହ ତଥା ଉଷ୍ଣ ରାତି ପରିସ୍ଥିତିର ସମ୍ଭାବନା ରହିଛି। ଉତ୍ତର ପଶ୍ଚିମ ଓ ପଶ୍ଚିମ ଦିଗରୁ ରାଜ୍ୟକୁ ପ୍ରବେଶ କରୁଥିବା ଶୁଷ୍କ ଗରମ ବାୟୁ ପ୍ରବାହ ଦ୍ବାରା ରାଜ୍ୟର ବିଭିନ୍ନ ସହରର ତାପମାତ୍ରା ୨ରୁ ୩ ଡିଗ୍ରି ବୃଦ୍ଧି ପାଇବାର ସମ୍ଭାବନା ରହିଛି। ୬ ତାରିଖରେ ଖୋର୍ଦ୍ଧା, କଟକ, କେନ୍ଦୁଝର, ବୌଦ୍ଧ, ମାଲକାନଗିରି, ନୟାଗଡ଼, ଅନୁଗୁଳ, ବଲାଙ୍ଗୀର, କନ୍ଧମାଳ, ବ‌ାଲେଶ୍ବର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ ଓ ଝାରସୁଗୁଡ଼ାରେ ଗ୍ରୀଷ୍ମ ପ୍ରବାହ ଲାଗି ରହିବ। ୭ ଓ ୮ ତାରିଖରେ ଏକ ଟ୍ରଫ୍‌ ଲାଇନ୍‌ ସୃଷ୍ଟି ହେବ। ଏଥିସହ ବଙ୍ଗୋପସାଗରରୁ ଜଳୀୟ ବାଷ୍ପ ବାୟୁ ବଙ୍ଗୋପସାଗରରୁ ଓଡ଼ିଶାକୁ ଆସିବାକୁ ଥିବାରୁ କାଳବୈଶାଖୀ ହୋଇପାରେ। ୭ ତାରିଖରେ ଉପକୂଳ ଓ ଅଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ୪୦ରୁ ୫୦ କିମି ବେଗରେ ପବନ ସହ ବିଜୁଳି ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି। ‌କିଛି ସ୍ଥାନରେ କୁଆପଥର ସହ ପ୍ରବଳ ବର୍ଷା ହେବ। ୮ରେ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକ କାଳବୈଶାଖୀ ଦ୍ବାରା ପ୍ରଭାବିତ ହେବାର ସମ୍ଭାବନା ରହିଛି। ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରପାଥ ପଶୁପାଳକ କହିଛନ୍ତି ଯେ ଶନିବାର ମଧ୍ୟ ରାଜ୍ୟରେ ଗରମ ଜାରି ରହିବ। ଭୁବନେଶ୍ବର, କଟକ, ପାରାଦୀପ, ନୟାଗଡ଼, ଖୋର୍ଦ୍ଧା ଓ ପୁରୀରେ ସର୍ବାଧିକ ତାପମାତ୍ରା ବଢ଼ିବ କିମ୍ବା ଅପରିବର୍ତ୍ତିତ ରହିବ। ତେବେ ୭ ତାରିଖରୁ ଅଭ୍ୟନ୍ତରୀଣ ଓ ଉପକୂଳରେ ପାଗରେ ପରିବର୍ତ୍ତନ ଆସିବ। ବଙ୍ଗୋପସାଗରରେ ଲେଉଟାଣି ବାତ୍ୟା ଦ୍ବାରା ଦକ୍ଷିଣା ପବନ ମଧ୍ୟ ଉପର ବାୟୁମଣ୍ଡଳରେ ମେଘୁଆ ପାଗ ହେବ। ଆର୍ଦ୍ର ଓ ଶୁଷ୍କ ବାୟୁର ମିଶ୍ରଣ ଯୋଗୁଁ ଉପର ବାୟୁମଣ୍ଡଳରେ ଅସ୍ଥିରତା ଦେଖାଯିବ। ଫଳ‌ରେ କାଳବୈଶାଖୀ ବର୍ଷାର ସମ୍ଭାବନା ରହିଛି। ୭ ଓ ୮, ୧୦ ଓ ୧୧ ଏବଂ ୧୩ ଓ ୧୪ ତାରିଖରେ ତିନୋଟି ପର୍ଯ୍ୟାୟରେ କାଳବୈଶାଖୀ ବର୍ଷା ହେବାକୁ ଥିବାରୁ ତାପମାତ୍ରା ୪୦ ଡିଗ୍ରି ତଳେ ରହିବ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।