ନୂଆଦିଲ୍ଲୀ ୧୬।୦୩: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି) ବୁଧବାର ସଦ୍ୟତମ ଟେଷ୍ଟ ମାନ୍ୟତା ଜାରି କରିଛି। ଏଥିରେ ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ ବୁମରା ଉପରକୁ ଉଠି ଶୀର୍ଷ ୫ରେ ପ୍ରବେଶ କରିଛନ୍ତି। ସେ ଛଅଟି ସ୍ଥାନ ଉନ୍ନତି ଘଟାଇ ୮୩୦ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ପହଞ୍ଚିଛନ୍ତି। ଏହା ପୂର୍ବରୁ ସେ ଦଶମ ସ୍ଥାନରେ ଥିଲେ। ଅନ୍ୟପଟେ ବ୍ୟାଟିଂ ମାନ୍ୟତାରେ ବିରାଟ କୋହଲିଙ୍କ ଅବନ୍ନତି ଘଟିଛି। ସେ ୪ଟି ସ୍ଥାନ ତଳକୁ ଖସି ନବମରେ ପହଞ୍ଚିଥିବା ବେଳେ ଅଲରାଉଣ୍ଡର ରାଙ୍କିଙ୍ଗରେ ରବୀନ୍ଦ୍ର ଜାଡେଜା ଦ୍ଵିତୀୟକୁ ଖସିଛନ୍ତି।
ଶ୍ରୀଲଙ୍କା ବିପକ୍ଷ ବେଙ୍ଗାଲୁରୁ ଟେଷ୍ଟରେ ବୁମରା ଘରୋଇ ମାଟିରେ ପ୍ରଥମ ଥର ୫ ଓ୍ଵିକେଟ୍ ହାସଲ କରି ମୋଟ୍ ୮ ଓ୍ଵିକେଟ୍ ନେଇଥିଲେ। ସେ ପାକିସ୍ତାନର ଶାହିନ ଆଫ୍ରିଦି, କାଇଲ୍ ଜେମିସନ, ଟିମ୍ ସାଉଦି, ଜେମ୍ସ ଆଣ୍ଡରସନ, ନିଲ ଓ୍ଵାଗନର ଏବଂ ଜୋସ୍ ହେଜେଲଉଡଙ୍କୁ ପଛରେ ପକାଇ ଚତୁର୍ଥ ସ୍ଥାନରେ ପହଞ୍ଚିଛନ୍ତି।
ଅନ୍ୟପଟେ ବ୍ୟାଟସମ୍ୟାନ ମାନ୍ୟତାରେ ଶ୍ରୀଲଙ୍କାର ଅଧିନାୟକ ଦିମୁଥ କରୁଣାରତ୍ନେ ତିନୋଟି ସ୍ଥାନ ଉପରକୁ ଉଠି ଟପ୍ ୫ରେ ପହଞ୍ଚିଛନ୍ତି। କରୁଣାରତ୍ନେ ଭାରତ ବିପକ୍ଷ ବେଙ୍ଗାଲୁରୁ ଟେଷ୍ଟର ଦ୍ଵିତୀୟ ଇନିଂସରେ ଶତକ ହାସଲ କରିଥିଲେ। ମାତ୍ର ଦଳକୁ ପରାଜୟରୁ ରକ୍ଷା କରି ପାରିନଥିଲେ। ଏହା କରୁଣାରତ୍ନେଙ୍କ କ୍ୟାରିୟରର ସର୍ବଶ୍ରେଷ୍ଠ ରାଙ୍କିଙ୍ଗ୍। ସେ ବର୍ତ୍ତମାନ ମାର୍ନସ ଲାବୁସେନ, ଜୋ ରୁଟ୍, ଷ୍ଟିଭ୍ ସ୍ମିଥ ଏବଂ କେନ ଓ୍ଵିଲିୟମସନଙ୍କ ସହିତ ଶୀର୍ଷ ୫ରେ ଅଛନ୍ତି।
ଓ୍ଵେଷ୍ଟଇଣ୍ଡିଜର ନକ୍ରମା ବୋନର ଏବଂ ଭାରତର ଶ୍ରେୟସ ଆୟର ବଡ ଲମ୍ଫ ମାରି କ୍ରମଶଃ ୨୨ ଏବଂ ୪୦ଟି ସ୍ଥାନ ଉପରକୁ ଉଠି ୨୨ତମ ଏବଂ ୩୭ତମ ସ୍ଥାନରେ ପହଞ୍ଚିଛନ୍ତି। ଆୟର ଶ୍ରୀଲଙ୍କା ବିପକ୍ଷ ଟେଷ୍ଟରେ ୯୨ ଏବଂ ୬୭ ରନର ଇନିଂସ ଖେଳିଥିଲେ। ତାଙ୍କୁ ଏହି ଇନିଂସର ଫାଇଦା ମିଳିଛି। ଅନ୍ୟପଟେ ବିରାଟ କୋହଲିଙ୍କ ଖରାପ ଫର୍ମ ଜାରି ରହିଛି। ସେ ବେଙ୍ଗାଲୁରୁ ଟେଷ୍ଟର ଉଭୟ ଇନିଂସରେ ୨୩ ଏବଂ ୧୩ ରନ କରିଥିଲେ। ଫଳରେ ତାଙ୍କୁ ୪ଟି ସ୍ଥାନ ହରାଇବାକୁ ପଡିଛି।
ସେହି ପରି ଅଲରାଉଣ୍ଡର ମାନ୍ୟତାରେ ଜାସନ ହୋଲଡର ରବୀନ୍ଦ୍ର ଜାଡେଜାଙ୍କୁ ପଛରେ ପକାଇ ପୁଣି ଥରେ ପ୍ରଥମ ସ୍ଥାନକୁ ଉଠିଛନ୍ତି। ହୋଲଡର ଇଂଲଣ୍ଡ ବିପକ୍ଷରେ ପ୍ରଥମ ଟେଷ୍ଟରେ ୮୨ ରନ କରିବା ସହିତ ୩ଟି ଓ୍ଵିକେଟ୍ ହାସଲ କରିଥିଲେ।