ନୂଆଦିଲ୍ଲୀ,୨୯/୦୪: ଆଇପିଏଲ୍ର ୨୪ତମ ଲିଗ୍ ମ୍ୟାଚ୍ରେ ମୁହାଁମୁହିଁ ହେବେ ଡିଫେଣ୍ଡିଂ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ଓ ରାଜସ୍ଥାନ ରୟାଲ୍ସ । ଇତି ମଧ୍ୟରେ ଉଭୟ ଦଳ ପ୍ରସ୍ତୁତି ପର୍ବ ଶେଷ କରିଛନ୍ତି । ଉଭୟ ଦଳ ପାଇଁ ଏହି ମ୍ୟାଚ୍ ଗୁରୁତ୍ୱପୂର୍ଣ୍ଣ ଥିବାରୁ ଆଜିର ମ୍ୟାଚ୍ ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ ।
୫ଟି ମ୍ୟାଚ୍ ଖେଳି ସାରିଥିବା ମୁମ୍ବାଇ ଇଣ୍ଡିଆନ୍ସ ଇତି ମଧ୍ୟରେ ୩ଟି ମ୍ୟାଚ୍ରେ ପରାଜିତ ହୋଇଛି । ଦିଲ୍ଲୀ କ୍ୟାପିଟାଲ୍ସ ଓ ପଞ୍ଜାବ କିଙ୍ଗ୍ସଠାରୁ ପରାଜିତ ହେବା ପରେ ଡିଫେଣ୍ଡିଂ ଚାମ୍ପିଅନ୍ ଦଳ ଏବେ ବିଜୟ ଧାରାକୁ ଫେରିବା ପାଇଁ ବ୍ୟାକୁଳ । ରାଜସ୍ଥାନ ରୟାଲ୍ସ ମଧ୍ୟ ୫ଟି ମ୍ୟାଚ୍ ଖେଳି ୨ଟି ବିଜୟ ହାସଲ କରିଛି। ପଏଣ୍ଟ ତାଲିକାରେ ମୁମ୍ବାଇ ଚତୁର୍ଥ ସ୍ଥାନରେ ଓ ରାଜସ୍ଥାନ ସପ୍ତମ ସ୍ଥାନରେ ରହିଛନ୍ତି । ପୂର୍ବ ରେକର୍ଡକୁ ଗଣନା କଲେ ରାଜସ୍ଥାନ ରୟାଲ୍ସ ଦଳର ପଲା ଭାରି ରହିବ। ଶେଷ ୫ଟି ମ୍ୟାଚ୍ ମଧ୍ୟରୁ ରୟାଲ୍ସ ଦଳ ୪ଟିରେ ବିଜୟୀ ହୋଇଛି । ଗତ ସିଜନରେ ମୁମ୍ବାଇ ଇଣ୍ଡିଆନ୍ସ ଗୋଟିଏ ମ୍ୟାଚ ଜିତିବାରେ ସଫଳ ହୋଇଥିଲା।
ଗୁରୁବାରର ମ୍ୟାଚ୍ରେ ସଞ୍ଜୁ ସାମସନଙ୍କ ପାଇଁ ମୁମ୍ବାଇ ଇଣ୍ଡିଆନ୍ସର ଦୁଇ ପେସ୍ ବୋଲର ଜଶପ୍ରୀତ ବୁମରା ଓ ଟ୍ରେଣ୍ଟ ବୋଲ୍ଟ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛନ୍ତି । ବୁମରାଙ୍କ ବିପକ୍ଷରେ ସାମସନ ୪୩ଟି ବଲ୍ର ସାମ୍ନା କରି ୪୬ ରନ୍ ସଂଗ୍ରହ କରିଛନ୍ତି । ସେହିପରି ବୋଲ୍ଟଙ୍କ ବିପକ୍ଷରେ ୧୬ ବଲ୍ରୁ ୧୬ ରନ୍ କରିଛନ୍ତି । ଅବଶ୍ୟ ଉଭୟ ବୋଲର ସାମସନଙ୍କୁ ୨ଥର ଲେଖାଏଁ ଆଉଟ୍ କରିଛନ୍ତି ।
ଲେଗ ସ୍ପିନର ଶ୍ରେୟାସ ଗୋପାଳଙ୍କ ଏକାଦଶରେ ସ୍ଥାନ ଦେବାକୁ ରାଜସ୍ଥାନ ରୟାଲ୍ସ ଯୋଜନା କରିବ । କାରଣ ମୁମ୍ବାଇ ଇଣ୍ଡିଆନ୍ସର ଉଭୟ ଓପନରଙ୍କ ବିପକ୍ଷରେ ଗୋପାଳଙ୍କ ପ୍ରଦର୍ଶନ ଭଲ ରହିଛି । ସେ ରୋହିତଙ୍କ ୧୩ଟି ବଲ୍ ପକାଇ ୧୫ ରନ୍ ପ୍ରଦାନ କରିଥିବାବେଳେ ୨ଥର ଆଉଟ କରିଛନ୍ତି । ସେହିପରି ଡି କକ୍ଙ୍କୁ ଗୋପାଳ ୨୮ଟି ବଲ୍ ପକାଇ ୧୮ ରନ୍ ପ୍ରଦାନ କରିଛନ୍ତି ଓ ଥରେ ଆଉଟ୍ କରିଛନ୍ତି ।
ଗୁରୁବାର ଟସ୍ ବିଜୟୀ ଦଳ ପ୍ରଥମେ ଫିଲ୍ଡିଂ କରିବା ସମ୍ଭାବନା ରହିଛି । କାରଣ ୨୦୧୯ ସିଜନରେ କୋଟଲା ଗ୍ରାଉଣ୍ଡ୍ରେ ଅନୁଷ୍ଠିତ ମୋଟ୍ ୭ଟି ମ୍ୟାଚ୍ରୁ ଦ୍ୱିତୀୟରେ ବ୍ୟାଟିଂ କରିଥିବା ଦଳ ୫ଟି ମ୍ୟାଚ୍ ଜିତିଥିଲା ।
ରାଜସ୍ଥାନ ରୟାଲ୍ସ ଓପନର ଜୋସ ବଟଲରଙ୍କ ଉପରେ ନଜର ରହିବ । ସମ୍ପ୍ରତି ଉନ୍ନତ ଫର୍ମରେ ନଥିଲେ ମଧ୍ୟ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବଟଲର ସର୍ବଦା ସଫଳ ହୋଇଛନ୍ତି । ସେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୪ଟି ମ୍ୟାଚ ଖେଳି ୮୬.୩୩ ହାରରେ ୨୫୯ ରନ୍ ସଂଗ୍ରହ କରିଛନ୍ତି ।