କଳା ଓ ସଂସ୍କୃତି ରାଜ୍ୟ

ଆଇନାରେ ୨୦୨୧: ଚର୍ଚ୍ଚାରେ ରତ୍ନଭଣ୍ଡାର ରହସ୍ୟ

ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ୨୦୧୮ ଏପ୍ରିଲ ୪ତାରିଖରେ ଶେଷଥର ରତ୍ନଭଣ୍ଡାର ଖୋଲିବାକୁ ଉଦ୍ୟମ କରାଯାଇଥିଲା। କିନ୍ତୁ ନାଟକ ରଚିଥିଲେ ରତ୍ନଭଣ୍ଡାର ଖୋଲିବା ପାଇଁ ଗଠିତ ୧୭ଜଣିଆ ପ୍ରତିନିଧି ଦଳ। ଚଳିତବର୍ଷ ସୂଚନା ଅଧିକାର ବଳରେ ଏ ସମ୍ପର୍କିତ ସବିଶେଷ ତଥ୍ୟ ମିଳିବା ପରେ ରାଜ୍ୟସ୍ତରରେ ଏହାକୁ ନେଇ ହୁଲସ୍ତୁଲ ହୋଇଥିଲା। ବିଧାନସଭାରେ ବି ଏହି ପ୍ରସଙ୍ଗ ଉଠିଥିଲା। ସୂଚନା ଅଧିକାର ବଳରେ ମିଳିଥିବା ତଥ୍ୟରୁ ଜଣାପଡ଼ିଥିଲା ଯେ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଅସୁରକ୍ଷିତ ଅବସ୍ଥାରେ ପଡ଼ିରହିଛି। ବିଭିନ୍ନ ସ୍ଥାନରୁ ପାଣି ଗଳୁଛି। ଛାତ, କାନ୍ଥ ସବୁରେ ଲମ୍ବା ଲମ୍ବା ଫାଟ ସୃଷ୍ଟି ହୋଇଛି। ପ୍ରବେଶ ଦ୍ବାରର ସପୋର୍ଟିଂ ବି ଖସି ପଡ଼ିଛି। ଏ ସମ୍ପର୍କରେ ପ୍ରତ୍ନତତ୍ତ୍ବ ବିଭାଗ ବି ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖି ସାରିଛି। ଏହାସତ୍ତ୍ବେ ରତ୍ନଭଣ୍ଡାର ମରାମତି ନ କଥା ନାଁ ଧରୁନାହାନ୍ତି ସରକାର। ସେପଟେ ରତ୍ନଭଣ୍ଡାର ଚାବି ହଜିବା ସମ୍ପର୍କରେ କେତେକ ରହସ୍ୟ ସୂଚନା ଅଧିକାର ବଳରେ ପଦାକୁ ଆସିଛି। ଜିଲ୍ଲା କୋଷାଗାର ଅଧିକାରୀ ସ୍ପଷ୍ଟ କରିଥିଲେ ଯେ ସେମାନଙ୍କଠାରେ ୧୯୬୦ ମସିହାରୁ ଚାବି ଜମା ହୋଇନି କିମ୍ବା କେବେ ଚାବି ଖୋଲାଯାଇନି। ସେପଟେ ଜିଲ୍ଲା ରେକର୍ଡ ରୁମ ଅଧିକାରୀ ବି ସେମାନଙ୍କଠାରୁ କେବେ ରତ୍ନଭଣ୍ଡାର ଚାବି ନିଆଯାଇନି କି ଜମା ଦିଆଯାଇନି ବୋଲି କହିଥିଲେ। କିନ୍ତୁ ତତ୍କାଳୀନ ଜିଲ୍ଲାପାଳ କହିଥିଲେ ଯେ ଏହି ଚାବି ସେ ଜିଲ୍ଲା ରେକର୍ଡ ରୁମରୁ ପାଇଥିଲେ। ଯାହା ଦ୍ବନ୍ଦ୍ବାତ୍ମକ ପରିସ୍ଥିତି ସୃଷ୍ଟି କରିଛି। ସତରେ ଚାବି ଅଛି ନା ନାଟକ କରାଯାଉଛି, ଭକ୍ତ ମହଲ ପ୍ରଶ୍ନ ଉଠାଇଛନ୍ତି। ରତ୍ନଭଣ୍ଡାରରେ ସତରେ ରତ୍ନଅଳଙ୍କାର ଅଛି ନା ଚୋରି ହୋଇଯାଇଛି ବୋଲି ଭକ୍ତ ମହଲ ପ୍ରଶ୍ନ କରିଛନ୍ତି।


ରୁପା ଛାଉଣୀ ହେଲା ଶ୍ରୀମନ୍ଦିର ୭ ଦ୍ବାର
ଚଳିତବର୍ଷ ଶ୍ରୀମନ୍ଦିରର ପ୍ରସ୍ତାବିତ ୮ଟି ଦ୍ବାରରୁ ୭ଟି ଦ୍ବାର ରୁପା ଛାଉଣୀ କରାଯାଇଛି। ଯେଉଁଥିରେ ଶ୍ରୀମନ୍ଦିର ବେହେରଣ ଦ୍ବାର, ଜୟ-ବିଜୟ ଦ୍ବାର, ଭୋଗମଣ୍ଡପ ପଶ୍ଚିମପାର୍ଶ୍ବ ଦ୍ବାର, ସାତପାହାଚ ଦ୍ବାର, ଆଦି ନୃସିଂହ ମନ୍ଦିର, ମା’ ବିମଳା ମନ୍ଦିର ଓ ମହାଲକ୍ଷ୍ମୀ ମନ୍ଦିର ଦ୍ବାର ଅନ୍ତର୍ଭୁକ୍ତ ରହିଛି। ବର୍ମା ଟିକ୍‌ରେ ଏହିସବୁ ଦ୍ବାର ନିର୍ମାଣ ପରେ ଏଥିରେ ରୁପା ଚାଦର ଆଚ୍ଛାଦିତ କରାଯାଇଛି। କିନ୍ତୁ ସମୟ ଅଭାବ ଓ ଦୈନନ୍ଦନ ନୀତିକାନ୍ତି ପ୍ରଭାବିତ ହେବା ଆଶଙ୍କା ରହିଥିବାରୁ ଶ୍ରୀମନ୍ଦିର କଳାହାଟ ଦ୍ବାରରେ ରୁପା ଚାଦର ଆଚ୍ଛାଦିତ କରାଯାଇପାରିନି। ଶ୍ରୀଗୁଣ୍ଡିଚା ଯାତ୍ରା ସମୟରେ ଶ୍ରୀମନ୍ଦିର ଖାଲି ପଡ଼ୁଥିବାରୁ ଏହି ସମୟରେ କଳାହାଟ ଦ୍ବାରରେ ରୁପା ଆଚ୍ଛାଦିତ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ନୂଆ କବାଟ ବି ତିଆରି ସରିଛି। ଏହି ରୁପା ଚାଦର ରଖିବା ପାଇଁ ନୀଳାଦ୍ରି ଭକ୍ତ ନିବାସ ପରିସରରେ ଅସ୍ଥାୟୀ ଷ୍ଟ୍ରଙ୍ଗରୁମ ତିଆରି କରାଯାଇଥିଲା। ପର୍ଯ୍ୟାୟକ୍ରମେ ପ୍ରସ୍ତାବିତ ୭ ଦ୍ବାରରେ ରୁପା ଚାଦର ଲାଗିବା ପରେ କଳାହାଟ ଦ୍ବାର କାମ ବିଳମ୍ବରେ କରିବାକୁ ସ୍ଥିର ହେବାରୁ କଡ଼ା ସୁରକ୍ଷା ଭିତରେ ଏହି ଦ୍ବାରର ସମସ୍ତ ରୁପା ଜିଲ୍ଲା ଟ୍ରେଜେରିର ଷ୍ଟ୍ରଙ୍ଗରୁମକୁ ସ୍ଥାନାନ୍ତର କରାଯାଇଛି। ପ୍ରାୟ ୫ଶହ କେଜିର ଏହି ରୁପା ୧୧ଟି ବାକ୍ସରେ ଭର୍ତ୍ତି ହୋଇ ଜଉମୁଦ ଦେଇ ଜିଲ୍ଲା ଟ୍ରେଜେରିରେ ରଖାଯାଇଛି। ଏଥିପାଇଁ ଆଲୋଚନା ଜାରି ରହିଛି। ସୂଚନାଯୋଗ୍ୟ, ଶ୍ରୀମନ୍ଦିର ୮ଟି ଦ୍ବାର ପାଇଁ ମୁମ୍ବାଇର ଜଣେ ଭକ୍ତ ପ୍ରାୟ ୨୩୫୦ କେଜିର ରୁପା ଓ ନୂଆ ଦ୍ବାର ନିର୍ମାଣ ପାଇଁ ଆବଶ୍ୟକ ବର୍ମା ଟିକ୍‌ ଯୋଗାଇ ଦେଇଥିଲେ। କାମ ପାଇଁ ସ୍ବତନ୍ତ୍ର କାରିଗର ବି ଯୋଗାଇ ଦେଇଥିଲେ।


କଟକଣାଯୁକ୍ତ ରଥଯାତ୍ରା, ଦର୍ଶନ
ପୂର୍ବବର୍ଷରୁ ଅନେକ ଶିକ୍ଷା ନେଇଥିବା ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ଚଳିତବର୍ଷ ବି କଟକଣାଯୁକ୍ତ ରଥଯାତ୍ରାର ଆୟୋଜନ କରିଥିଲା। ବିନା ଭକ୍ତରେ ମହାପ୍ରଭୁ ଶ୍ରୀମନ୍ଦିରରୁ ବାହାରି ରଥାରୁଢ଼ ହେବା ପରେ ଶ୍ରୀଗୁଣ୍ଡିଚା ମନ୍ଦିର ଯାତ୍ରା କରିଥିଲେ। କେବଳ ସେବାୟତମାନେ ରଥ ଟାଣିଥିଲେ। ପୁରୀ ସହର ଓ ବଡ଼ଦାଣ୍ଡରେ ୧୪୪ ଧାରା ଜାରି କରାଯାଇଥିଲା। ରଥଯାତ୍ରା ପରେ କୋଭିଡ୍ ପ୍ରକୋପ କମିବା ପରେ ୯ ମାସ ଧରି ବନ୍ଦ ରହିଥିବା ଶ୍ରୀମନ୍ଦିର ଦର୍ଶନ ବି ଆରମ୍ଭ ହୋଇଥିଲା। ପ୍ରଥମେ ପୁରୀ ସହରବାସୀଙ୍କୁ ଓ ପରେ ରାଜ୍ୟ ତଥା ରାଜ୍ୟ ବାହାର ଭକ୍ତଙ୍କୁ ଦର୍ଶନ ଅନୁମତି ମିଳିଥିଲା। କୋଭିଡ୍ ନେଗେଟିଭ୍‌ ରିପୋର୍ଟ ଓ ଡବଲଡୋଜ୍‌ ପ୍ରମାଣପତ୍ର ଦେଖାଇ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା। ବର୍ତ୍ତମାନ ବି ଏହି କଟକଣା ଜାରି ରହିଛି।


୨୦୨୧ରେ ମହାପ୍ରଭୁଙ୍କୁ ସର୍ବାଧିକ ଦାନ
ଚଳିତବର୍ଷ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ମନଖୋଲି ଦାନ ଦେଇଛନ୍ତି। କିଏ ଟଙ୍କା ତ କିଏ ସୁନା ଓ ପୁଣି କିଏ ରୁପା ଦାନ ଦେଇ ଭକ୍ତିଭାବର ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି। ଚଳିତବର୍ଷ ପବିତ୍ର ବସନ୍ତ ପଞ୍ଚମୀରେ ବଡ଼ଠାକୁର ବଳଭଦ୍ର, ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା’ ସୁଭଦ୍ରାଙ୍କୁ ପ୍ରାୟ ୫ କେଜିର ସୁନା ଓ ପ୍ରାୟ ୩ କେଜିର ରୁପା ଅଳଙ୍କାର ଦାନ କରିଥିଲେ ମୁମ୍ବାଇର ଜଣେ ଭକ୍ତ। ଯେଉଁଥିରେ ଶ୍ରୀଜିଉଙ୍କ ବିଭିନ୍ନ ବେଶରେ ଲାଗି ପାଇଁ ୯୩ଟି ଶ୍ରୀମୁଖ ପଦ୍ମ, ୬ଟି ଝୋବା, ୨ଟି ତଡ଼କି ରହିଥିଲା। ସୁବର୍ଣ୍ଣ ଅଳଙ୍କାର ମଧ୍ୟରେ ବଡ଼ଠାକୁର ବଳଭଦ୍ରଙ୍କ ୪୦ଟି ଶ୍ରୀମୁଖ ପଦ୍ମ ଓ ୨ଟି ଝୋବା, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୫୩ଟି ଶ୍ରୀମୁଖ ପଦ୍ମ ଓ ୨ଟି ଝୋବା, ମା’ ସୁଭଦ୍ରାଙ୍କ ୨ଟି ତଡ଼କି ଓ ୨ଟି ଝୋବା ରହିଥିଲା। ଏସବୁ ଅଳଙ୍କାରରେ ୪ କେଜି ୮୫୮ ଗ୍ରାମ ସୁନା ଓ ୩ କେଜି ୮୭୬ ଗ୍ରାମ ରୁପା ବ୍ୟବହାର କରାଯାଇଥିଲା।


ସେହିଭଳି ଭୁବନେଶ୍ବରର ଭକ୍ତ ଶିବପ୍ରସାଦ ପଣ୍ଡା ମହାପ୍ରଭୁଙ୍କ ନୂତନ ପ୍ରଭା ତିଆରି ପାଇଁ ୨୧ କେଜି ରୁପା ଦାନ କରିଥିଲେ। ସେହିଭଳି ଭୁବନେଶ୍ବରର ଭକ୍ତ ପଦ୍ମଚରଣ ପାତ୍ର ତିନି ଠାକୁରଙ୍କ ପାଇଁ ସୁନାର ଚନ୍ଦ୍ର-ସୂର୍ଯ୍ୟ ଦାନ କରିଥିଲେ। ଯେଉଁଥିରେ ୩୧୯ ଗ୍ରାମ ସୁନା ଓ ୮୨୨ ଗ୍ରାମ ରୁପା ବ୍ୟବହାର କରାଯାଇଥିଲା। ସେହିଭଳି ପବିତ୍ର ଅଁଳା ନବମୀରେ ଶ୍ରୀମନ୍ଦିର ହୁଣ୍ଡିରୁ ପ୍ରାୟ ୨୮ ଲକ୍ଷର ଦାନ ଟଙ୍କା ମିଳିଥିଲା। ଯାହା ସର୍ବକାଳୀନ ରେକର୍ଡ ବୋଲି କୁହାଯାଉଛି। ସେହିଭଳି ଅବସରପ୍ରାପ୍ତ ଶିକ୍ଷକ ନିଜ ଜୀବନର ସଞ୍ଚିତ ଧନ ଓ ଅବସର ଟଙ୍କାକୁ ମିଶାଇ ମହାପ୍ରଭୁଙ୍କୁ ୨୦ ଲକ୍ଷ ଟଙ୍କା ଦାନ ଦେଇଛନ୍ତି। ପୁରୀର ଜଣେ ଭକ୍ତ ବି ୩ଟି ରୁପା ଥାଳି ମହାପ୍ରଭୁଙ୍କୁ ଦାନ କରିଛନ୍ତି।


୭ କୋଟିରେ ସ୍ବର୍ଗଦ୍ବାର ଉନ୍ନତୀକରଣ
ଐତିହ୍ୟ କରିଡର ନିର୍ମାଣ ନେଇ ଘୋଷଣା ହେବା ପରେ ପୁରୀ ସ୍ବର୍ଗଦ୍ବାରର ଉନ୍ନତୀକରଣ ପାଇଁ ସ୍ବର ଉଠିଥିଲା। ଫଳସ୍ବରୂପ ସ୍ବର୍ଗଦ୍ବାରର ଉନ୍ନତୀକରଣ ପାଇଁ ସରକାର ୫ କୋଟି ଟଙ୍କା ଘୋଷଣା କରିଥିଲେ। ୨୦୨୧ ଫେବ୍ରୁଆରି ସୁଦ୍ଧା କାମ ସାରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ପରବର୍ତ୍ତୀ ସମୟରେ ବଜେଟ୍‌ ୭କୋଟିକୁ ବୃଦ୍ଧି କରାଯାଇଥିଲା। ଏଥିରେ ଶବଦାହ ପାଇଁ ୨୮ଟି ନୂଆ ପିଣ୍ଡି ନିର୍ମାଣ ହୋଇଥିବା ବେଳେ ନୂଆ ପ୍ରଶାସନିକ କାର୍ଯ୍ୟାଳୟ ଏବଂ ସୌନ୍ଦର୍ଯ୍ୟୀକରଣ କାମ ଆରମ୍ଭ ହୋଇଥିଲା। ଗତ ଫେବ୍ରୁଆରି ମାସରେ ପରୀକ୍ଷାମୂଳକ ଭାବେ ଏଠାରେ ଶବଦାହ ଆରମ୍ଭ ହୋଇଥିଲା। ଏବେ ବି ଉନ୍ନତୀକରଣ କାମ ଚାଲୁ ରହିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,