ନୂଆଦିଲ୍ଲୀ: ସମାନ ନାଗରିକ ସଂହିତା ବା ୟୁନିଫର୍ମ ସିଭିଲ କୋଡ୍(ୟୁସିସି) ଭାରତ ଓ ତାହାର ଜାତୀୟତାବାଦକୁ ଅଧିକ ସୁଦୃଢ଼ କରି ଏକତା ସୂତ୍ରରେ ବାନ୍ଧିବ। ଏହାକୁ ଲାଗୁ କରିବାରେ ଅଧିକ ବିଳମ୍ବ ହେଲେ ଏହା ଆମ ମୂଲ୍ୟବୋଧକୁ କ୍ଷତିଗ୍ରସ୍ତ କରିବ । ଆଜି ଗୁଆହାଟୀ ଆଇଆଇଟିର ୨୫ତମ ସମାବର୍ତ୍ତନ ଉତ୍ସବରେ ଉଦ୍ବୋଧନ ଦେଇ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଏହା କହିଛନ୍ତି। ଦେଶ ଶାସନରେ ରାଷ୍ଟ୍ରଶାସନ ସଂକ୍ରାନ୍ତ ନିର୍ଦ୍ଦେଶାବଳି(ଡିପିଏସ୍ପି)ର ମୌଳିକ ଭୂମିକା ରହିଛି । ତଦନୁସାରେ ଆଇନ ଓ ନିୟମ ପ୍ରଣୟନ କରିବା ରାଷ୍ଟ୍ରର କର୍ତ୍ତବ୍ୟ । ଏହି ଡିପିଏସ୍ପି ଅଧୀନରେ ପଞ୍ଚାୟତ, ସମବାୟ, ଶିକ୍ଷାଧିକାର ଭଳି କେତେକ ନୀତି ଆଇନର ରୂପ ନେଇଛି । ତେଣୁ ସମ୍ବିଧାନର ଧାରା-୪୪ର କାର୍ଯ୍ୟକାରିତା ପାଇଁ ବର୍ତ୍ତମାନ ସମୟ ଆସିଯାଇଛି ବୋଲି ଉପରାଷ୍ଟ୍ରପତି କହିଛନ୍ତି।
ଭାରତର ଭାବମୂର୍ତ୍ତିକୁ କ୍ଷୂଣ୍ଣ କରିବା ଭଳି ଅପଚେଷ୍ଟା ଓ ବାରମ୍ବାର ଦେଶ ବିରୋଧୀ କାହାଣୀର ଅବତାରଣାକୁ ସେ ନିନ୍ଦା କରିବା ସହ ଏଭଳି କାର୍ଯ୍ୟରେ ଲିପ୍ତ ତତ୍ତ୍ବଙ୍କୁ ସତର୍କ କରାଇ ଦେଇଛନ୍ତି । ସେ କହିଛନ୍ତି ଯେ ଏବେ ଭାରତ ବିରୋଧୀ କାହାଣୀ କହୁଥିବା ତତ୍ତ୍ବମାନଙ୍କୁ ଠିକଣା ଜବାବ ଦେବାର ସମୟ ଆସିଛି।
ଉପରାଷ୍ଟ୍ରପତି କହିଛନ୍ତି ଯେ ଛାତ୍ରଛାତ୍ରୀମାନେ ଅଧିକରୁ ଅଧିକ ସହନଶୀଳ ହେବା ଆବଶ୍ୟକ। ସେମାନେ ଅନ୍ୟମାନଙ୍କର ଦୃଷ୍ଟିକୋଣକୁ ଅଧିକ ବିଚାର କରି ଦେଖିବା ଉଚିତ।
ଏହା ପୂର୍ବରୁ ଉପରାଷ୍ଟ୍ରପତି ଶ୍ରୀ ଧନଖଡ଼ ଡକ୍ଟର ସୁଦେଶ ଧନଖଡ଼ଙ୍କ ସହିତ ଗୁଆହାଟୀର ପ୍ରଖ୍ୟାତ କାମାଖ୍ୟା ମନ୍ଦିରକୁ ଯାଇ ମା’ କାମାଖ୍ୟା ଦେବୀଙ୍କ ନିକଟରେ ପ୍ରାର୍ଥନା କରିଥିଲେ।
ଆସାମ ରାଜ୍ୟପାଳ ଗୁଲାବ ଚାନ୍ଦ କଟାରିଆ, ମୁଖ୍ୟମନ୍ତ୍ରୀ ଡକ୍ଟର ହିମନ୍ତ ବିଶ୍ୱଶର୍ମା, ଗୁଆହାଟି ଆଇଆଇଟିର ପରିଚାଳନା ମଣ୍ଡଳର ସଦସ୍ୟଗଣ,ନିର୍ଦ୍ଦେଶକ ଡକ୍ଟର ରାଜୀବ ମୋଦୀ, ବରିଷ୍ଠ ପ୍ରଫେସର ପରମେଶ୍ୱର ଆୟାର ପ୍ରମୁଖ ଉପସ୍ଥିତ ଥିଲେ।