ରାଜ୍ୟ

ଆଁ କଲାଣି ଜମି, ଭାତହାଣ୍ଡିକୁ ମାଡ଼

ଭୁବନେଶ୍ବର/ରାୟଗଡ଼ା : ଜମି ଶୁଖି ଆଁ କଲାଣି। ଜୁଲାଇ ଆରମ୍ଭ ବେଳକୁ ବୁଣା ସରିଯିବା କଥା। ମାତ୍ର ବର୍ତ୍ତମାନ ଅଧିକାଂଶ ସ୍ଥାନରେ ପାଣି ନଥିବାରୁ ଚାଷ କାର୍ଯ୍ୟ ଗଭୀର ଭାବେ ପ୍ରଭାବିତ ହୋଇଛି। କେବଳ କିଛି ଚାଷୀ ଟ୍ରାକ୍ଟରରେ ହଳ କରି ଦେଇ ବର୍ଷାକୁ ଅପେକ୍ଷା କରିଛନ୍ତି। ଅନ୍ୟ କୌଣସି କାର୍ଯ୍ୟ ଆଗେଇ ପାରୁନି। ଏଥିରେ କେବଳ ଧାନ ନୁହେଁ ଅଣଧାନ ମଧ୍ୟ ପ୍ରଭାବିତ ହେବା ଆଶଙ୍କା ଦେଖାଗଲାଣି।

ଜୁଲାଇ ୧୫ ସୁଦ୍ଧା ଭଲ ବର୍ଷା ନ ହେଲେ ସ୍ଥିତି ସାଂଘାତିକ ହେବ ବୋଲି ଚାଷୀମାନେ କହିଛନ୍ତି। ଯଦି ଏହି ସମୟ ସୁଦ୍ଧା ବର୍ଷା ହୁଏ,ତେବେ ତଳି ପକାଯାଇ ଅଗଷ୍ଟ ୧୫ ତାରିଖ ସୁଦ୍ଧା ରୋପଣ କାର୍ଯ୍ୟ ହୋଇଯାଆନ୍ତା। ସେପଟେ ଭଲ ବର୍ଷା ଅର୍ଥ ନୁହେଁ ଯେ ଦିନ ଦିନ ଧରି ବର୍ଷା ହେବ ନାହିଁ ଏବଂ ଗୋଟିଏ ଦିନ ମାତ୍ରାଧିକ ବର୍ଷା ହେବ। ଏହା ଚାଷୀଙ୍କ ପାଇଁ ଆଉ ଏକ ବିପତ୍ତି ଆଣିବ ବୋଲି କହିଛନ୍ତି ଓୟୁଏଟି ବିଶେଷଜ୍ଞ ଏସ.ଆର ଦାସ। ବର୍ତ୍ତମାନ ସ୍ଥିତି ଚାଷକୁ କେତେ ପ୍ରଭାବିତ କରୁଛି ଏହାକୁ ନେଇ କୃଷି ବିଭାଗ ପକ୍ଷରୁ ଆକଳନ ଆରମ୍ଭ କରାଯାଇ ନାହିଁ। ଆଉ କିଛି ଦିନ ପରେ ଜଣାପଡ଼ିବ ବୋଲି ବିଭାଗୀୟ ଅଧିକାରୀ ମତ ଦେଇଛନ୍ତି।

ପରାମର୍ଶ ଜାରି କଲା ଓୟୁଏଟି
କଳାହାଣ୍ଡି, ରାୟଗଡ଼ା, କନ୍ଧମାଳ ସ୍ଥିତି ଜଟିଳ
ଜୁଲାଇ ୧୫ ସୁଦ୍ଧା ଭଲ ବର୍ଷା ହେଲେ ମରୁଡ଼ି ମୁକାବିଲା ସମ୍ଭବ: କୃଷି ବିଶେଷଜ୍ଞ

UBINIG

ସୂଚନା ଅନୁଯାୟୀ, ଜୁନ ଏବଂ ଜୁଲାଇ ମାସ ୬ ତାରିଖ ସୁଦ୍ଧା ରାଜ୍ୟରେ ୧୯୧.୧ ମିଲିମିଟର ବର୍ଷା ହେବା କଥା। କିନ୍ତୁ ବର୍ତ୍ତମାନ ସୁଦ୍ଧା ରାଜ୍ୟର ହାରାହାରି ବର୍ଷାର ପରିମାଣ ୨୮ ପ୍ରତିଶତ କମ ରେକର୍ଡ ହୋଇଛି। ଏଥିରୁ ୨୦ଟି ଜିଲ୍ଲାର ୭୧ଟି ବ୍ଲକରେ ନିଅଣ୍ଟିଆ ବର୍ଷା ସାଂଘାତିକ ସମସ୍ୟା ସୃଷ୍ଟି କରିଛି। ଏଭଳି ସ୍ଥିତିରେ ଖରିଫ ସମେତ ଅନ୍ୟାନ୍ୟ ଫସଲ ସାମୟିକ ପ୍ରଭାବିତ ହେବ। ଏହାକୁ ଦୃଷ୍ଟିରେ ରଖି ଓୟୁଏଟିର ସମ୍ପ୍ରସାରଣ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ଚାଷର ପରିଚାଳନା ନେଇ ଚାଷୀଙ୍କୁ ବିଭିନ୍ନ ପ୍ରକାର ପରାମର୍ଶ ଦିଆଯାଇଛି।

କୃଷି ବିଭାଗର ସୂଚନା ଅନୁସାରେ, ଚଳିତ ବର୍ଷ ରାଜ୍ୟରେ ସମୁଦାୟ ୬୧ ଲକ୍ଷ ୮୦ ହଜାର ୨୪୬ ହେକ୍ଟର ଜମିରେ ଚାଷ କାର୍ଯ୍ୟ ହୋଇଛି। କିନ୍ତୁ ପ୍ରମୁଖ ଚାଉଳ ଉତ୍ପାଦନ ଜିଲ୍ଲା କଳାହାଣ୍ଡିରେ ୬୬ ପ୍ରତିଶତ କମ ବର୍ଷା ହୋଇଥିବାରୁ ଭାତହାଣ୍ଡିକୁ ଶକ୍ତ ଧକ୍କା ଲାଗିବ ବୋଲି ଆଶଙ୍କା ରହିଛି। ଏଠାରେ ସମୁଦାୟ ୧ ଲକ୍ଷ ୮୬ ହଜାର ହେକ୍ଟର ଧାନ ଏବଂ ୨ ହଜାର ହେକ୍ଟର ଜମିରେ ଅଣଧାନ ଚାଷ ହୁଏ। ଜିଲ୍ଲାରୁ ୮ ଲକ୍ଷ ୪୩ ହଜାର ୯୭୨ ହେକ୍ଟର ଧାନ ଉତ୍ପାଦନ ହେବା ନେଇ ଆକଳନ କରାଯାଉଛି। ମାତ୍ର ବର୍ତ୍ତମାନ ସୁଦ୍ଧା ଜିଲ୍ଲାର କୌଣସି ସ୍ଥାନରେ ବୁଣା ଆରମ୍ଭ ହୋଇ ପାରିନଥିବା ଜିଲ୍ଲା କୃଷି ଅଧିକାରୀ କହିଛନ୍ତି। ସେଥିରେ ପୁଣି ରକ୍ଷଣାବେକ୍ଷଣ କାର୍ଯ୍ୟ ଯୋଗୁଁ ଇନ୍ଦ୍ରାବତୀ ଜଳଭଣ୍ଡାରରୁ ଜଳଯୋଗାଣ ବନ୍ଦ ରହିଛି। ତେଣୁ ଚାଷୀଙ୍କ ପାଇଁ କେବଳ ପ୍ରକୃତି ହିଁ ଭରସା।

ସୁବର୍ଣ୍ଣପୁର ଜିଲ୍ଲାର ଜନମୁରା ଗାଁର ସ୍ଥିତି

ରାୟଗଡ଼ା ଜିଲ୍ଲାରେ ଅବସ୍ଥା ଆହୁରି ଜଟିଳ। ବର୍ଷା ଅଭାବ ଯୋଗୁଁ ଜମି ହଳ ହେବା ପରେ ମଧ୍ୟ ବିହନ ବୁଣା, ରୁଆ, ଘାସ ବଛା ଆଦି ଅନେକ କାର୍ଯ୍ୟ ଆଗେଇ ପାରୁନି। ଜିଲ୍ଲାରେ ଜୁନ ମାସରେ ୨୫ପ୍ରତିଶତ କମ ଏବଂ ଜୁଲାଇ ମାସର ପ୍ରଥମ ସପ୍ତାହରେ ହାରାହାରି ୨୦ମିମି ବର୍ଷା ହୋଇଛି। ଯଦି ଜୁଲାଇରେ ଆବଶ୍ୟକ ବର୍ଷା ନହୁଏ ମରୁଡ଼ି ନିଶ୍ଚିତ ବୋଲି ଜିଲ୍ଲା କୃଷି ଉପନିର୍ଦ୍ଦେଶକ ମନୋଜ ପ୍ରଧାନ କହିଛନ୍ତି। କୃଷି ବିଭାଗ ଅନୁସାରେ, ଜିଲ୍ଲାରେ ମୋଟ ୧ଲକ୍ଷ ୮୨ହଜାର ୬୦୪ହେକ୍ଟର ଜମିରେ ଚାଷ ହେଉଛି। ୪୭ହଜାର ହେକ୍ଟର ଜମିରେ ଧାନ ଓ ୪୮ହଜାର ହେକ୍ଟର ଜମିରେ କପା ଚାଷ, ୨୦ହଜାର ହେକ୍ଟର ଜମିରେ ମାଣ୍ଡିଆ, ୧୫ହଜାର ହେକ୍ଟରରେ ମକା ଓ ବାକି ଜମିରେ ଡାଲି ଏବଂ ପନିପରିବା ଚାଷ ହେଉଛି। ଜିଲ୍ଲାର ୭୦ହଜାର ହେକ୍ଟର ଜମି ଜଳସେଚିତ। ବାକି ୧ଲକ୍ଷ ୧୨ହଜାର ୬୦୦ହେକ୍ଟର ଜମି ଅଣଜଳସେଚିତ। ବର୍ଷା ପରିମାଣ କମୁଥିବାରୁ ଧାନ ଚାଷକୁ ପ୍ରଭାବିତ କରିବ। ଏଭଳି ସ୍ଥିତି ଲାଗିରହିଲେ ଚାଷୀ କ୍ଷତି ସହିବେ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି। ଜୁନ୍‌ ମାସରେ ଚାଷୀ ତଳି ପକାଇଥିବା ବେଳେ ବର୍ଷା ନଥିବାରୁ ରୁଆ କାମ ଆଗେଇ ପାରୁନି। ଏବେ ଯେଉଁମାନେ ତଳି ପକାଇଛନ୍ତି ସେମାନେ ବର୍ଷାକୁ ଅନାଇ ରହିଛନ୍ତି। ସ୍ଥିତି ବର୍ତ୍ତମାନ ସମ୍ପୂର୍ଣ୍ଣ ବଦଳି ଯାଇଥିବାରୁ ଅନେକ ଚାଷୀ ଚାଷ ଛାଡ଼ି ଦାଦନ ଖଟିବାକୁ ବାହାର ରାଜ୍ୟକୁ ଚାଲି ଯାଉଥିବା ଅଭିଯୋଗ ହେଉଛି।

କନ୍ଧମାଳରେ ୬୬ ପ୍ରତିଶତ କମ ବର୍ଷା ହୋଇଛି। ଏଠାରେ ୩୬ ହଜାର ୬୯୧ ହେକ୍ଟର ଜମିରେ ଧାନ ଚାଷ ହୁଏ। ଅନ୍ୟ ଜିଲ୍ଲା ଠାରୁ ଏହା କମ ହେଲେ ମଧ୍ୟ ଅଣଧାନ ଚାଷୀଙ୍କ ପାଇଁ ମଧ୍ୟ ନିଅଣ୍ଟିଆ ବର୍ଷା ବିପଦର କାରଣ ହୋଇଛି। ରାୟଗଡ଼ା ଏବଂ ନବରଙ୍ଗପୁରରେ ୫୪ ପ୍ରତିଶତ କମ ବର୍ଷା ହୋଇଛି।

Skymet Weather

ନବରଙ୍ଗପୁରରେ ୧ ଲକ୍ଷ ୧ ହଜାର ହେକ୍ଟର ଚାଷ ଜମିରୁ କେବଳ ୨୦ ପ୍ରତିଶତ ଅଞ୍ଚଳରେ ଚାଷ ଆରମ୍ଭ ହୋଇଛି। ଜୁନ ମାସରେ ବର୍ଷା ହୋଇନଥିବାରୁ ସେତକ ମଧ୍ୟ ବିଳମ୍ବିତ ହୋଇଛି। ଜୁନ ଶେଷ ସପ୍ତାହ ଏବଂ ଜୁଲାଇ ମାସ ବର୍ଷାରେ ଚାଷ ଆରମ୍ଭ ହୋଇଛି। ଧାନ ଉତ୍ପାଦନକାରୀ ସୁବର୍ଣ୍ଣପୁର ଜିଲ୍ଲାରେ ମଧ୍ୟ ୪୩ ପ୍ରତିଶତ କମ ବର୍ଷା ହୋଇଛି। ଏଠାରେ ୧ ଲକ୍ଷ ୨୮ ହଜାର ହେକ୍ଟର ଚାଷରୁ ୭୦ ହଜାର ୫୦୦ ହେକ୍ଟରରେ ଧାନ ଚାଷ, ୧୨୦୦ ହେକ୍ଟର ଶସ୍ୟ, ୧୫,୮୦୦ ହେକ୍ଟରରେ ଡାଲି ସମେତ ଅନ୍ୟାନ୍ୟ ଚାଷ ହୁଏ। ବର୍ତ୍ତମାନ ସୁଦ୍ଧା ମାତ୍ର ୧୦ ପ୍ରତିଶତ ଅଞ୍ଚଳରେ ଚାଷ ଆରମ୍ଭ ହୋଇଥିବାରୁ ଚାଉଳ ଉତ୍ପାଦନ ବାଧାପ୍ରାପ୍ତ ହେବା ନେଇ ଆଶଙ୍କା ରହିଛି।

ପାଣିପାଗ କାର୍ଯ୍ୟାଳୟ ଅନୁସାରେ ମୟୂରଭଞ୍ଜରେ ୫୪%, ଗଞ୍ଜାମରେ ୪୭%, ବାଲେଶ୍ବରରେ ୪୫%, ବଲାଙ୍ଗୀରରେ ୪୩ %, ପୁରୀରେ ୪୨%, ଖୋର୍ଧାରେ ୩୯ %, ଜଗତସିଂହପୁରରେ ୩୮%, କଟକରେ ୩୮% କମ ବର୍ଷା ହୋଇଛି। ଏହି ସବୁ ଅଞ୍ଚଳରେ ମରୁଡ଼ି ଆସନ୍ନ ପ୍ରାୟ ହୋଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।