ଟେଷ୍ଟ୍ ଶୃଙ୍ଖଳାରେ ଖେଳିବାକୁ ଆଶାୟୀ କାମେରନ୍ ଗ୍ରିନ୍ଙ୍କ ମୁଣ୍ଡରେ ବଲ୍ ବାଜିବାରୁ ଅଷ୍ଟ୍ରେଲିଆର ୪ ମ୍ୟାଚ୍ ଶୃଙ୍ଖଳା ପ୍ରସ୍ତତିକୁ ପୁଣି ଏକ ଝଟ୍କା ଲାଗିଛି। ୨୧ ବର୍ଷୀୟ ଗ୍ରିନ୍ ଯଶପ୍ରୀତ୍ ବୁମରାଙ୍କୁ ବୋଲିଂ କରୁ୍ଥିବା ବେଳେ ଡ୍ରାଇଭ୍ ସଟ୍ରୁ ଆସି ବଲ୍ ତାଙ୍କ ମୁଣ୍ଡର ଡାହାଣପଟେ ବାଜିଥିଲା। ଡାକ୍ତରୀ ଦଳ ତାଙ୍କୁ ଚିକିତ୍ସା କରିବା ପରେ ସେ ପଡିଆରୁ ଚାଲିଚାଲି ଆସିପାରିଥିଲେ। ତାଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ନଜର ରଖାଯାଇଛି। କିନ୍ତୁ ଚଳିତ ମ୍ୟାଚ୍ରେ ସେ ଆଉ ଖେଳିବେ ନାହିଁ ବୋଲି ସଂଧ୍ୟାରେ ସ୍ପଷ୍ଟ କରିଦିଆଯାଇଛି। ତାଙ୍କ ବଦଳରେ ମସ୍ତିଷ୍କାଘାତ ବଦଳ ଖେଳାଳି ଭାବେ ପ୍ୟାଟ୍ରିକ୍ ରୋୱେଙ୍କୁ ସାମିଲ କରାଯାଇଛି। ଅଷ୍ଟ୍ରେଲିଆ ଟେଷ୍ଟ୍ ଦଳର ଦ୍ବିତୀୟ ସଦସ୍ୟ ଭାବେ ଗ୍ରିନ୍ ମସ୍ତିଷ୍କାଘାତ ସମସ୍ୟାରେ ପଡ଼ିଛନ୍ତି। ପ୍ରଥମ ଅଭ୍ୟାସ ମ୍ୟାଚ୍ ବେଳେ ଯୁବ ପ୍ରାରମ୍ଭିକ ବ୍ୟାଟସମ୍ୟାନ୍ ୱିଲ୍ ପୁକୋସ୍କିଙ୍କ ମୁଣ୍ଡରେ ବାଉଁସର୍ ବାଜିବାରୁ ସେ ମଧ୍ୟ ଚିକିତ୍ସାଧୀନ ରହିଛନ୍ତି।
ଖେଳୁଆଡ ଭାବନା ପାଇଁ ହୃଦୟ ଜିତିଲେ ସିରାଜ
ପ୍ରଥମ ଥର ଭାରତୀୟ ଦଳରେ ସାମିଲ ଥିବା ମହମ୍ମଦ ସିରାଜ ଶୁକ୍ରବାର ନିଜ ଖେଳ ଓ ଖେଳୁଆଡ ଭାବନା ପାଇଁ ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି। ଯଶପ୍ରୀତ୍ ବୁମରାଙ୍କ ସହ ୭୧ ରନ୍ ଭାଗୀଦାରି କରିବା ଅବସରରେ ସେ ଦେଖାଇଥିବା ଏକ ଆଚରଣ ହିଁ ତାଙ୍କୁ ଏଭଳି ସୁଯୋଗ ଦେଇଛି। ଗ୍ରିନ୍ ନିଜ ଦ୍ବିତୀୟ ସ୍ପେଲ୍ ବୋଲିଂ କରୁଥିବା ବେଳେ ବୁମରାଙ୍କ ଷ୍ଟ୍ରେଟ୍ ଡ୍ରାଇଭ୍ ତାଙ୍କ ମୁଣ୍ଡରେ ବାଜିଥିଲା। ଦଳୀୟ ଡାକ୍ତର ତାଙ୍କ ନିକଟରେ ପହଞ୍ଚିବା ପୂର୍ବରୁ ନନ୍ଷ୍ଟ୍ରାଇକର୍ ପାର୍ଶ୍ବରେ ଥିବା ସିରାଜ ତୁରନ୍ତ ବ୍ୟାଟ୍ ଫିଙ୍ଗି ଗ୍ରିନ୍ଙ୍କ ପାଖରେ ପହଞ୍ଚି ଯତ୍ନ ନେଇଥିଲେ। ଦଳୀୟ ଡାକ୍ତର ଗୋଟିଏ ମିନିଟ୍ ଚିକିତ୍ସା କରିବା ପରେ ତାଙ୍କୁ ଡ୍ରେସିଂ ରୁମ୍ ନେଇଯାଇଥିଲେ।