ଖେଳ ଦେଶ ବିଦେଶ

ଅଷ୍ଟ୍ରେଲିଆ ପଲା ଆଂଶିକ ଭାରୀ: ପୁଣି ରହିପାରିଲେନି ରୋହିତ, ବର୍ଷା ଧୋଇ ନେଲା ତୃତୀୟ ଅଧି‌ବେଶନ

ବ୍ରିସବେନ୍: ବର୍ଷା ବିଭ୍ରାଟ ପାଇଁ ଦ୍ବିତୀୟ ଦିବସ ଖେଳର ତୃତୀୟ ଅଧିବେଶନ ଧୋଇଯିବା ପରେ ବ୍ରିସବେନ୍ ଟେଷ୍ଟ୍ ରହସ୍ୟମୟ ମୋଡ଼ରେ ରହିଛି। ଅନଭିଜ୍ଞ ବୋଲିଂ ଆକ୍ରମଣ ସତ୍ତ୍ବେ ଅଷ୍ଟ୍ରେଲିଆକୁ ଶନିବାର ମଧ୍ୟାହ୍ନ ଭୋଜନ ସୁଦ୍ଧା ୩୬୯ ରନ୍‌ରେ ଅଲଆଉଟ୍ କରିଦେଇଥିବା ଭାରତ ଖେଳବନ୍ଦ ବେଳକୁ ୨ ୱିକେଟ୍ ହରାଇ ୬୨ ରନ୍ ସଂଗ୍ରହ କରିଛି। ଫଳରେ ହାତରେ ଆଉ ୮ ୱିକେଟ୍ ଥାଇ ୩୦୭ ରନ୍‌ରେ ପଛୁଆ ରହିଛି ଭାରତ।

ସିଡ୍‌ନିରେ ଐତିହାସିକ ଡ୍ର’ ପାଇଥିବା ଆତ୍ମବିଶ୍ବାସୀ ଭାରତ ପକ୍ଷରୁ ଆଜି ପ୍ରତିଭାବାନ ଯୁବ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଶୁବମନ ଗିଲ୍ ମାତ୍ର ୭ ରନ୍‌ରେ ଆଉଟ୍ ହେବା ଦଳକୁ ନିରାଶ କରିଥିଲା। ହେଲେ ଉପଅଧିନାୟକ ରୋହିତ ଶର୍ମା (୪୪)ଙ୍କ ୱିକେଟ୍ ପାଇଁ ହିଁ ଦ୍ବିତୀୟ ଦିନର ଷ୍ଟମ୍ପ୍ସ ବେଳକୁ ଘରୋଇ ଅଷ୍ଟ୍ରେଲିଆର ପଲା ଆଂଶିକ ଭାରୀ ହୋଇଯାଇଥିଲା। ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ପ୍ୟାଭିଲିୟନ ଫେରି ଯାଇଥିବାରୁ ରବିବାର ନିର୍ଭରଯୋଗ୍ୟ ଚେତେଶ୍ବର ପୂଜାରା (୮*) ଓ ଅଧିନାୟକ ଅଜିଙ୍କ୍ୟ ରହାଣେ (୨*) ଖେଳ ଆରମ୍ଭ କରିବେ।

ଶନିବାରର ଖେଳରେ ଗାବା ପିଚ୍ ଗତି ଓ ଉଚ୍ଛାଳ ପ୍ରଦାନ କରିଥିଲା। ହେ‌ଲେ ସିମ୍ ମୁଭମେଣ୍ଟ୍‌ର କୌଣସି ସଙ୍କେତ ଦେଖିବାକୁ ମିଳିନଥିଲା। ତଥାପି ଆସନ୍ତାକାଲିର ପ୍ରଥମ ଏକ ଘଣ୍ଟାର ଖେଳରେ ଭାରତୀୟ ବ୍ୟାଟ୍ସମ୍ୟାନ୍ କିଭଳି ପ୍ରଦର୍ଶନ କରୁଛନ୍ତି, ତାହା ସମ୍ଭବତଃ ଏହି ଶୃଙ୍ଖଳା ନିର୍ଣ୍ଣାୟକ ତଥା ମହତ୍ବପୂର୍ଣ୍ଣ ମୁକାବିଲା‌ର ଭାଗ୍ୟ ନିର୍ଦ୍ଧାରଣ କରିବ। ଅବଶ୍ୟ ଆଜିର ପ୍ରଥମ ୬ ଓଭର ଖେଳରେ ରୋହିତ ଓ ଶୁବମନ କୌଣସି ଅସୁବିଧାର ସମ୍ମୁଖୀନ ହୋଇନଥିଲେ। ତେବେ ଏହାର ଠିକ୍ ପରେ ପରେ ପ୍ୟାଟ୍ କମିନ୍ସଙ୍କ ସପ୍ତମ ଓଭରର ଦ୍ବିତୀୟ ବଲ୍‌ ଗିଲ୍‌ଙ୍କୁ ଚକ୍‌ମା ଦେବା ପରେ ଦଳୀୟ ସ୍କୋର ୧୧ ରନ୍‌ରେ ଥିଲା ବେଳେ ଭାରତ ପ୍ରଥମ ୱିକେଟ୍ ହରାଇଥିଲା।

ଏହା ପରେ ରୋହିତ-ପୂଜାରାଙ୍କ ମଧ୍ୟରେ ୪୯ ରନ୍‌ର ଭାଗୀଦାରି କଙ୍ଗାରୁ ବୋଲରଙ୍କୁ ଚିନ୍ତାରେ ପକାଇଥିଲା। ସଂଘର୍ଷପୂର୍ଣ୍ଣ ୪୪ ରନ୍ ପରେ ଶତକୀୟ ଟେଷ୍ଟ୍ ଖେଳୁଥିବା ନାଥନ ଲାୟନଙ୍କୁ ଏକ ସାଧାରଣ, ଦାୟିତ୍ବହୀନ ସଟ୍ ଖେଳି ରୋହିତ ନିଜ ୱିକେଟ୍ ଅଷ୍ଟ୍ରେଲିଆକୁ ଉପହାର ଦେଇଥିଲେ। ଲାୟନ ତାଙ୍କୁ ଷଷ୍ଠ ଥର ପାଇଁ ଆଉଟ୍ କରିଥିଲେ। ଫଳରେ ଭାରତର ଅଡ଼ୁଆ ବଢ଼ିଥିଲା। ସେ ମଧ୍ୟ ପୁଣି ଥରେ ଏକ ଭଲ ଆରମ୍ଭକୁ ବଡ଼ ସ୍କୋରରେ ରୂପାନ୍ତର କରିପାରିନଥିଲେ। ରୋହିତଙ୍କ ସଟ୍ ଚୟନକୁ ବହୁ ପୂର୍ବତନ ଖେଳାଳି ତୀବ୍ର ସମାଲୋଚନା କରିଥିଲେ। ତେବେ ଏହି ସଟ୍ ଖେଳିବା ନେଇ ତାଙ୍କ ମନରେ କୌଣସି ପଶ୍ଚାତାପ ନାହିଁ ବୋଲି ରୋହିତ ଖେଳ ଶେଷ ପରେ ଦେଇଥିବା ସାକ୍ଷାତକାରରେ କହିଥିଲେ। ତେବେ ତାଙ୍କର ଏହି ସଟ୍ ପ୍ରଶଂସକଙ୍କୁ ଢେର ନିରାଶ କରିଥିଲା।

୩୬୯ରେ ଅଟକିଗଲା କଙ୍ଗାରୁ ରଥ
ଅଷ୍ଟ୍ରେଲିଆ ତା’ର ପୂର୍ବଦିନ ସ୍କୋର ୨୭୪/୫ରୁ ଶନିବାରର ଖେଳ ଆରମ୍ଭ କରିଥିଲା। ଦୁଇ ଅପରାଜିତ ବ୍ୟାଟ୍ସମ୍ୟାନ୍ କ୍ୟାମେରନ୍ ଗ୍ରିନ୍ ଓ ଅଧିନାୟକ ଟିମ୍ ପେନ୍ ଷଷ୍ଠ ୱିକେଟ୍ ଭାଗୀଦାରିକୁ ୬୧ରୁ ୯୮କୁ ବଢ଼ାଇଥିଲେ। ତେବେ ଏହି ଭାଗୀଦାରି ଶତକ ଛୁଇଁବା ପୂର୍ବରୁ ଦିନର ପ୍ରଥମ ୱିକେଟ୍ ଭାବେ ସାର୍ଦୁଲ ଠାକୁର ପେନ୍‌ଙ୍କୁ ରୋହିତ ଶର୍ମାଙ୍କ ହାତରେ କ୍ୟାଚ୍ କରାଇ ଯୋଡ଼ି ଭାଙ୍ଗିଥିଲେ। ୨ ରନ୍ ପରେ ଗ୍ରିନ୍‌ ମଧ୍ୟ ୱାସିଂଟନ୍ ସୁନ୍ଦରଙ୍କ ସ୍ପିନ୍‌କୁ ବୁଝି ନପାରି କ୍ଲିନ୍ ବୋଲ୍ଡ ହୋଇ ଯାଇଥିଲେ। ପର ଓଭରରେ ପ୍ୟାଟ୍ କମିନ୍ସଙ୍କୁ ସାର୍ଦୁଲ ଲେଗ୍ ବିଫୋର ଆଉଟ୍ କରିବା ପରେ ଅଷ୍ଟ୍ରେଲିଆ ୪ ରନ୍‌ରେ ୩ ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା। ହେଲେ ଭାରତୀୟ ବୋଲର ନିଜ ଅନଭିଜ୍ଞତାର ପରିଚୟ ଦେଇ ଶେଷ ୨ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ ୫୪ ରନ୍ କରିନେବାର ସୁଯୋଗ ଦେଇଥିଲେ। ନାଥନ ଲାୟନ ଏବଂ ମି‌ଚେଲ ଷ୍ଟାର୍କ ନବମ ୱିକେଟ୍‌ରେ ମାତ୍ର ୪୦ ବଲ୍‌ରୁ ୩୯ ରନ୍ ବାହାର କରିଥିଲେ। ଏପରିକି ଏକାଦଶ ସ୍ଥାନ ବ୍ୟା‌ଟର୍‌ ଜୋସ୍ ହାଜେଲଉଡ୍ ଦୁଇଟି ସୁନ୍ଦର ଚୌକା ମାରିବା ପରେ ଶେଷ‌ରେ ଟି ନଟରାଜନ ତାଙ୍କୁ ବୋଲ୍ଡ କରି କଙ୍ଗାରୁ ପାଳିରେ ପୂର୍ଣ୍ଣଛେଦ ଟାଣିଥିଲେ। ଦୁଇ ପଦାର୍ପଣକାରୀ ୱାସିଂଟନ୍ ସୁନ୍ଦର ଓ ନଟରାଜନଙ୍କ ସହ ସାର୍ଦୁଲ ଠାକୁର ତିନିଟି ଲେଖାଏଁ ୱିକେଟ୍ କରାୟତ୍ତ କରିଥିଲେ। ମହମ୍ମଦ ସିରାଜଙ୍କୁ ଗୋଟିଏ ୱିକେଟ୍ ମିଳିଥିଲା।

ଦ୍ବିତୀୟ ଦିନରେ କେବଳ ୫୪.୨ ଓଭର
ପାଣିପାଗ ବିଭାଗର ଭବିଷ୍ୟବାଣୀ ସତ ହେବା ପରେ ବ୍ରିସବେନ୍ ଟେଷ୍ଟ୍‌ର ଦ୍ବିତୀୟ ଦିନରେ ମାତ୍ର ୫୪.୨ ଓଭର (ଅଷ୍ଟ୍ରେଲିଆ ୨୮.୨, ଭାରତ ୨୬) ଖେଳ ସମ୍ଭବ ହୋଇଥିଲା। ପ୍ରଥମ ଦୁଇ ଅଧିବେଶନରେ ୭ ୱିକେଟ୍‌ର ପତନ ହେବା ପରେ ତୃତୀୟ ଅଧିବେଶନ ପୂରା ଧୋଇ ଯାଇଥିଲା। ସ୍ଥାନୀୟ ସମୟ ଅପରାହ୍ନ ୨ଟା ୪୧ରେ ଚା’ ପାନ ବିରତି ହେବା ପରେ ପାଗ ହଠାତ୍ ବଦଳି ଯାଇଥିଲା। କିଛି ସମୟ ଖୁବଜୋରରେ ପବନ ବହିବା ପରେ ବର୍ଷା ବି ଆରମ୍ଭ ହୋଇ ଯାଇଥିଲା। ୩ଟାରୁ ୩ଟା ୪୦ ପର୍ଯ୍ୟନ୍ତ ବର୍ଷା ଲାଗି ରହିଥିଲା। ୩ଟା ୫୦ରେ ପଡ଼ିଆ ଉପରୁ କଭର ହଟାଇ ଦିଆଯାଇଥିଲା। ତେବେ ଆଉଟ୍ ଫିଲ୍ଡ ପୂରା ଓଦା ହୋଇ ଯାଇଥିଲା। ଫଳରେ ୪ଟା ୪୫ରେ ଅମ୍ପାୟାର ଦ୍ବିତୀୟବାର ପଡ଼ିଆ ନିରୀକ୍ଷଣ କରି ଖେଳ ଆଉ ହୋଇପାରିବନାହିଁ ବୋଲି ସଙ୍କେତ ଦେଇଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ