ଶ୍ରୀନଗର , ୦୪|୦୬: ପୁଣି ଥରେ ଜମ୍ମୁ କାଶ୍ମୀରରେ ଆତଙ୍କବାଦୀମାନେ ପ୍ରବାସୀ ଶ୍ରମିକଙ୍କୁ ଟାର୍ଗେଟ କରିଛନ୍ତି । ଆତଙ୍କବାଦୀମାନେ ଶୋପିଆନରେ ପ୍ରବାସୀ ଶ୍ରମିକମାନଙ୍କ ଉପରକୁ ଗ୍ରେନେଡ ମାଡ଼ କରିଛନ୍ତି । ଏହି ଗ୍ରେନେଡ ମାଡ଼ରେ ୨ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ଲଗତାର କିଛି ଦିନ ହେଲା କାଶ୍ମୀର ଘାଟିରେ ଆତଙ୍କବାଦୀ ଗତିବିଧି ବଢିବାରେ ଲାଗିଛି । ଗୁରୁବାର ବଡ଼ଗାମରେ ଇଟାଭାଟିରେ କାମ କରୁଥିବା ପ୍ରବାସୀ ଶ୍ରମିକଙ୍କ ଉପରେ ଆକ୍ରମଣ ହୋଇଥିଲା । ଏହି ଆକ୍ରମଣରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା । ଅନ୍ୟ ଜଣେ ଗୁରୁତର ହୋଇଥିଲେ । ସମାନ ଦିନ ଜଣେ ହିନ୍ଦୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଆତଙ୍କବାଦୀମାନେ ବ୍ୟାଙ୍କ୍ ଭିତରେ ଗୁଳି କରି ହତ୍ୟା କରିଥିଲେ ।
ସରକାରୀ କର୍ମଚାରୀଙ୍କୁ ଟାର୍ଗେଟ କରୁଛନ୍ତି ଆତଙ୍କବାଦୀ
ଘାଟିରେ ଆତଙ୍କବାଦୀମାନେ ଲଗାତର ଭାବେ ସରକାରୀ କର୍ମଚାରୀଙ୍କୁ ଟାର୍ଗେଟ୍ କରୁଛନ୍ତି । ନିକଟରେ ବଡଗାମରେ ଜଣେ କାଶ୍ମୀର ପଣ୍ଡିତ ରାହୁଲ ଭଟ୍ଟଙ୍କୁ ହତ୍ୟା କରିଥିଲେ । ଏହାସହ ଜଣେ ଶିକ୍ଷୟତ୍ରୀଙ୍କୁ ମଧ୍ୟ ହତ୍ୟା କରିଥିଲେ । ଯାହାକୁ ନେଇ ଖୁବ୍ ବିରୋଧ ପ୍ରଦର୍ଶନ ହୋଇଥିଲା ।
ସୂଚନାଯୋଗ୍ୟ, କାଶ୍ମୀର ପଣ୍ଡିତଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ବଢିବା ପରେ ଜମ୍ମୁ-କାଶ୍ମୀର ପ୍ରଶାସନ ସମସ୍ତ କର୍ମଚାରୀଙ୍କ ବଦଳି କରିବା ନେଇ ନିର୍ଦ୍ଦେଶ ଜାରି କରିଥିଲା । ସମସ୍ତଙ୍କୁ ଜୁନ ୬ ସୁଦ୍ଧା ସୁରକ୍ଷିତ ସ୍ଥାନକୁ ପଠାଯିବା ପ୍ରକ୍ରିୟା ଶେଷ ହୋବ ବୋଲି ପ୍ରଶାସନ ତରଫରୁ କୁହାଯାଇଥିଲା ।