ରାଜ୍ୟ

ଅଲିଭ୍‌ ରିଡ୍‌ଲେଙ୍କୁ ଜଳବାୟୁ ବିପଦ: ଅଣ୍ଡାଦାନ ବିଳମ୍ବିତ

ବ୍ରହ୍ମପୁର: ଜୀବଜଗତ ଉପରେ ଜଳବାୟୁ ପରିବର୍ତ୍ତନର କୁପ୍ରଭାବ ସ୍ପଷ୍ଟ ବାରି ହୋଇ ପଡ଼ୁଛି ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ଗଣଅଣ୍ଡାଦାନ ପ୍ରକ୍ରିୟାରେ ଦେଖା ଦେଇଥିବା ପ୍ରତିକୂଳ ସ୍ଥିତି। ପରିବେଶ ସନ୍ତୁଳନ ବିଗିଡ଼ିବା ଫଳରେ ଏଥିରେ ପ୍ରଭାବିତ ହୋଇଛନ୍ତି ପ୍ରକୃତିର ବିରଳ ପ୍ରାଣୀ ଅଭିଲ୍‌ ରିଡ୍‌ଲେ। ପ୍ରତିବର୍ଷ ଗଞ୍ଜାମ ଜିଲ୍ଲା ଋଷିକୁଲ୍ୟା ମୁହାଣ ବାଲୁକା ଶଯ୍ୟାରେ ଅଲିଭ୍‌ ରିଡ୍‌ଲେଙ୍କ ଗଣଅଣ୍ଡାଦାନ ହୋଇଥାଏ। ବିଗତ ବର୍ଷରେ ଫେବ୍ରୁଆରି ୧୫ତାରିଖ ପରେ ଓ ଶେଷ ସପ୍ତାହ ମଧ୍ୟରେ ଏହି ପ୍ରକ୍ରିୟା ସମାପ୍ତ ହେଉଥିଲା। ଲକ୍ଷାଧିକ କଇଁଛ ଋଷିକୁଲ୍ୟା ମୁହାଣ ବାଲୁକା ଶଯ୍ୟାରେ ଗଣଅଣ୍ଡାଦାନ କରିଥାନ୍ତି। କିନ୍ତୁ ଜଳବାୟୁରେ ପରିବର୍ତ୍ତନ ଯୋଗୁଁ କଇଁଛଙ୍କ ପାଇଁ ଅଣ୍ଡାଦାନ ନିମନ୍ତେ ଅନୁକୂଳ ପାଗ ଉପଲବ୍ଧ ହୋଇପାରୁ ନାହିଁ। ଫଳରେ ଚଳିତ ବର୍ଷ ଅଣ୍ଡାଦାନ ପ୍ରକ୍ରିୟାରେ ପାଖାପାଖି ଏକ ମାସ ବିଳମ୍ବ ହେବ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି। ଆସନ୍ତା ମାର୍ଚ୍ଚ ଦ୍ବିତୀୟ ସପ୍ତାହ ବେଳକୁ ଗଣଅଣ୍ଡାଦାନ ହେବା ନେଇ ଆଶା କରାଯାଉଥିବା ବ୍ରହ୍ମପୁର ଡିଏଫ୍ଓ ସନି ଖୋଖର୍‌ କହିଛନ୍ତି। ଅଣ୍ଡାଦାନ ବିଳମ୍ବ ହେବାର ସେଭଳି କିଛି ନିର୍ଦ୍ଦିଷ୍ଟ କାରଣ କହିବା କଷ୍ଟକର। ଏହା ଏକ ପ୍ରାକୃତିକ ପ୍ରକ୍ରିୟା ବୋଲି ସେ କହିଛନ୍ତି।

ଋଷିକୁଲ୍ୟା ନଦୀ ମୁହାଣ ସଂଲଗ୍ନ ନୀଳ ସମୁଦ୍ରରେ ଅଲିଭ୍‌ ରିଡ୍‌ଲେଙ୍କ ମିଳନ ପର୍ବ ପ୍ରାୟ ଏକ ସପ୍ତାହ ପୂର୍ବରୁ ଶେଷ ହୋଇସାରିଛି। ଏବେ ବେଳାଭୂମିରୁ ପ୍ରାୟ ୧ରୁ ଦେଢ଼ କିମି ଗଭୀର ସମୁଦ୍ର ଜଳରାଶିରେ ଲକ୍ଷାଧିକ କଇଁଛ ଭାସମାନ ଅବସ୍ଥାରେ ରହିଛନ୍ତି। ସାଧାରଣତଃ ନଭେମ୍ବରରୁ ଜାନୁଆରି ମାସ ପର୍ଯ୍ୟନ୍ତ ଅଲିଭ୍‌ ରିଡ୍‌ଳେଙ୍କ ମିଳନ ଋତୁ ବୋଲି ଧରାଯାଏ। ପୂର୍ବରୁ ଫେବ୍ରୁଆରିରେ ଅଣ୍ଡାଦାନ ହେଉଥିଲା। ଜଳବାୟୁ ପରିବର୍ତ୍ତନ ଯୋଗୁଁ ଏହି ପ୍ରକ୍ରିୟାରେ ପ୍ରତିବର୍ଷ‌ ବିଳମ୍ବ ଦେଖା ଦେଇଥିବା ଋଷିକୁଲ୍ୟା ସମୁଦ୍ର କଇଁଛ ସୁରକ୍ଷା ସମିତିର ସମ୍ପାଦକ ରବୀନ୍ଦ୍ରନାଥ ସାହୁ ସୂଚନା ଦେଇଛନ୍ତି। ଏହା ସହିତ ଠିକ୍‌ ଭାବେ ଦକ୍ଷିଣାପବନ ପ୍ରବାହିତ ହେଉ ନଥିବାରୁ କଇଁଛ ବେଳାଭୂମିକୁ ଆସିପାରୁ ନଥିବା ସେ କହିଛନ୍ତି। ଅଲିଭ୍‌ ରିଡ୍‌ଲେ କଇଁଛ ସମୁଦ୍ର ଭିତରେ ଭାସମାନ ଅବସ୍ଥାରେ ରହିଛନ୍ତି। ଅଣ୍ଡାଦାନ ପାଇଁ ବାଲୁକାଶଯ୍ୟା ଓ ଶରୀରକୁ ଆବଶ୍ୟକ ତାପମାତ୍ରା ମିଳିବା ପରେ ସେମାନେ ବେଳାଭୂମିମୁହାଁ ହୋଇ ଅଣ୍ଡାଦାନ କରିଥାନ୍ତି ବୋଲି ଶ୍ରୀ ସାହୁ ସୂଚନା ଦେଇଛନ୍ତି।

ଚଳିତ ବର୍ଷ ଗଣଅଣ୍ଡାଦାନ ପ୍ରକ୍ରିୟାକୁ ସୁରକ୍ଷିତ କରିବା ପାଇଁ ବ୍ରହ୍ମପୁର ଡିଏଫ୍‌ଓ ଖୋଖର୍‌ଙ୍କ ତତ୍ତ୍ବାବଧାନରେ ବନ ବିଭାଗ ତରଫରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଅଣ୍ଡାଦାନ ଅଞ୍ଚଳକୁ ବାଡ଼ ଦେଇ ସୁରକ୍ଷିତ କରାଯାଇଛି। କଇଁଛଙ୍କ ଅଣ୍ଡାଦାନ ପାଇଁ ଦୁଇଟି ବାଲୁକା ଶଯ୍ୟା ସୃଷ୍ଟି ହୋଇଛି। ମୁହାଣର ଦକ୍ଷିଣ ଓ ଉତ୍ତର ପାର୍ଶ୍ବରେ ଏହି ଦୁଇଟି ବାଲୁକା ଶଯ୍ୟା ରହିଛି। ବର୍ତ୍ତମାନ ମୁହାଣ ପୋଡ଼ମପେଟା ନିକଟରେ ରହିଛି। ପୋଡ଼ମପେଟାରୁ ଅଁଳେଶ୍ବର ଓ ପୋଡ଼ମପେଟାରୁ ପୁରୁଣାବନ୍ଧ ମଧ୍ୟରେ ସୃଷ୍ଟି ହୋଇଥିବା ବାଲୁକା ଶଯ୍ୟାରେ ଅଣ୍ଡାଦାନ ଅଧିକ ସଂଖ୍ୟାରେ ହେବା ନେଇ ଅନୁମାନ କରାଯାଉଛି। ସମୁଦ୍ର ଭିତରେ ପୁରୁଣାବନ୍ଧରୁ ଅଁଳେଶ୍ବର ପର୍ଯ୍ୟନ୍ତ କଇଁଛ ଭର୍ତ୍ତି ହୋଇ ରହିଛନ୍ତି। ତେବେ ପାଗ ଅନୁକୂଳ ହେବା ପରେ ସେମାନେ ବେଳାଭୂମିକୁ ଆସି ଅଣ୍ଡାଦାନ କରି‌ବେ।

ଗତବର୍ଷ(୨୦୨୨-୨୩)ରେ ରେକର୍ଡ଼ ସଂଖ୍ୟକ ୬ଲକ୍ଷ ୩୭ହଜାର କଇଁଛ ଗଣଅଣ୍ଡାଦାନ କରିଥିବା ବେଳେ ୨୦୨୧-୨୨ରେ ସାଢ଼େ ୫ଲକ୍ଷ କଇଁଛ ଗଣଅଣ୍ଡାଦାନ କରିଥିଲେ। ମାଇ କଇଁଛ ସମୁଦ୍ର କୂଳକୁ ଆସି ନିଜର ସୁରକ୍ଷିତ ସ୍ଥାନ ବାଛି ଅଣ୍ଡା ଦେଇଥାନ୍ତି। ଗୋଟିଏ ମାଇ ଅଲିଭ୍‌ ରିଡ୍‌ଲେ ୮୦ରୁ ୧୬୦ଟି ଅଣ୍ଡା ଦେଇଥାନ୍ତି। ଗୋଟିଏ ବସା(ନେଷ୍ଟ୍‌)ର ଆକାର ୧ ଫୁଟ୍‌ ଗୋଲେଇ ଓ ଦେଢ଼ ଫୁଟ୍‌ ଗଭୀର ହୋଇଥାଏ। ଗଣଅଣ୍ଡାଦାନ ସରିବାର ପ୍ରାୟ ୫୦ଦିନ ପରେ ଅଣ୍ଡା ଫୁଟି ଛୁଆ ବାହାରିଥାନ୍ତି। ଏଥିପାଇଁ ବିଭିନ୍ନ ଅଞ୍ଚଳର ୬ଟି ଏସ୍‌ଏଚ୍‌ଜିର ସଦସ୍ୟାଙ୍କୁ ନେଇ ଗୋଖରକୁଦା ବେଳାଭୂମି ସଫେଇ କରାଯାଇଛି। ଟାଟା ଷ୍ଟିଲ୍‌ ଫାଉଣ୍ଡେସନ୍‌ର ସହଯୋଗରେ ଏହା ସମ୍ପାଦନ କରାଯାଇଛି। ସେଭଳି ଗୋଖରକୁଦା, ପୁରୁଣାବନ୍ଧା, ପୋଡ଼ମପେଟା ଓ କଣ୍ଟିଆଗଡ଼ର ପ୍ରାୟ ୨୪୦ ଲୋକଙ୍କୁ ନେଇ ବେଳାଭୂମି ସଫେଇ କାର୍ଯ୍ୟକ୍ରମ ମଧ୍ୟ ହାତକୁ ନିଆଯାଉଥିବା ଶ୍ରୀ ସାହୁ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।