ରାଜ୍ୟ

ଅରାଜକତା: ବନ୍ଦ କରିଦେଲେ ମହାପ୍ରଭୁଙ୍କ ବନକଲାଗି

ପୁରୀ : ଶ୍ରୀବିଗ୍ରହଙ୍କ ବନକଲାଗିକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ଓ ଦତ୍ତ ମହାପାତ୍ର ବିବାଦ ଉଗ୍ରରୂପ ନେଇଛି। ଏହି ବିବାଦ କାରଣରୁ ନୀଳାଦ୍ରି ବିଜେଠାରୁ ମହାପ୍ରଭୁଙ୍କ ବନକଲାଗି ଅଟକି ରହିଛି। ଶ୍ରୀମନ୍ଦିର ପ୍ରଶାସନ ବୁଧବାର ବନକଲାଗି କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଦତ୍ତ ମହାପାତ୍ର ସେବକମାନେ ଏହାକୁ ବିରୋଧ କରିଥିଲେ। ଏହି ଅସହଯୋଗ ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦତ୍ତ ମହାପାତ୍ର ନିଯୋଗକୁ କାରଣଦର୍ଶାଅ ନୋଟିସ୍‌ ଜାରି କରାଯାଇଛି। ଦୁଇ ଦିନ ଭିତରେ ଚିଠିର ଜବାବ ରଖିବାକୁ କୁହାଯାଇଛି।

୨୦୧୮ ମସିହାରେ ଶ୍ରୀମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ପରେ ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି ସଂପନ୍ନ ହୋଇ ଆସୁଛି। କିନ୍ତୁ ଗୁରୁବାରରେ ବନକଲାଗି କରିବାକୁ ଦତ୍ତ ମହାପାତ୍ର ସେବକମାନେ ଜିଦ୍‌ ଧରିଛନ୍ତି। ଏ ନେଇ ଦୁଇଦିନ ତଳେ ବନକଲାଗି ନୀତି ସମ୍ପୃକ୍ତ ସେବକଙ୍କୁ ନେଇ ବୈଠକ କରାଯାଇଥିଲା। ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ କୁମାର ଦାସ ବୁଧବାର ବନକଲାଗି ହେବାକୁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ହୋଇଥିବା ଗଣମାଧ୍ୟମକୁ କହିଥିଲେ। ଗୁରୁବାର ଏକାନ୍ତ ମାଜଣା ନୀତି ଥିବାରୁ ଏହି ଦିନ ବନକଲାଗି କଲେ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହେବେ ଓ ଅଯଥା ନୀତି ବିଳମ୍ବ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ଦର୍ଶାଇଥିଲା। ଏହା ପରେ ବି ଦତ୍ତ ମହାପାତ୍ର ସେବକମାନେ ଗୁରୁବାର ବନକଲାଗି କରିବାକୁ ଜିଦ୍‌ରେ ଅଟଳ ରହିଛନ୍ତି। ସ୍ବତ୍ବଲିପିରେ ଗୁରୁବାର ବନକଲାଗି କରିବାକୁ ଉଲ୍ଲେଖ ଥିବା ମତ ଦେଇଛନ୍ତି। ଏହି ବାଦବିବାଦ ଭିତରେ ଗତ ବୁଧବାର ଯେଉଁ ବନକଲାଗି ହେବାକୁ ଥିଲା, ତାହା ହୋଇପାରିନି। ଦତ୍ତ ମହାପାତ୍ର ସେବକମାନେ ଅସହଯୋଗ ପ୍ରଦର୍ଶନ କରିଛନ୍ତି। ଏଭଳି ସ୍ଥିତିରେ ମହାପ୍ରଭୁଙ୍କ ବନକଲାଗିକୁ ନେଇ ଅନିଶ୍ଚିତତା ଦେଖାଦେଇଛି।

ଆଜି ଶ୍ରୀମନ୍ଦିର ପ୍ରଶାସନ ଦତ୍ତ ମହାପାତ୍ର ନିଯୋଗକୁ ଶ୍ରୀମନ୍ଦିର ଆଇନ ୨୦ ଓ ୩୦ ଧାରାରେ କାରଣଦର୍ଶାଅ ନୋଟିସ ଜାରି କରିଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଶ୍ରୀମନ୍ଦିର କମାଣ୍ଡର, ନୀତି ପ୍ରଶାସକ ଓ ପରିଚାଳନା କମିଟି ସଦସ୍ୟଙ୍କ ସହ ଆଲୋଚନା ପରେ କାର୍ଯ୍ୟରେ ଅବହେଳା ପାଇଁ ଦତ୍ତ ମହାପାତ୍ର ନିଯୋଗକୁ ଏଭଳି ନୋଟିସ କରାଯାଇଛି। ନିଯୋଗର ଜବାବ ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ସମର୍ଥ ବର୍ମା କହିଛନ୍ତି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀ ଦାସ ଆଜି ବି ଗଣମାଧ୍ୟମ ଆଗରେ କହିଛନ୍ତି, ବୁଧବାର ବନକଲାଗି କରିବାକୁ ନିଷ୍ପତ୍ତି ହୋଇଥିଲା, ବୁଧବାର ହିଁ ବନକଲାଗି ହେବ। ଅନ୍ୟପଟେ ଦତ୍ତ ମହାପାତ୍ର ସେବକ ସଂଜୟ ଦତ୍ତ ମହାପାତ୍ର କହିଛନ୍ତି, ଦୁଇଦିନ ମଧ୍ୟରେ ନୋଟିସର ଜବାବ ଦିଆଯିବ। ଆମେ ପ୍ରଶାସନ ନିର୍ଦ୍ଦେଶ ଅନୁସାରେ ବନକଲାଗି କରିବାକୁ ପ୍ରସ୍ତୁତ ଥିଲୁ। ହେଲେ ପ୍ରଶାସନ ଅସହଯୋଗ କଲା। ତଥାପି ସ୍ବତ୍ବଲିପି ଆଧାରରେ ବନକଲାଗି କରାଯିବା ଦରକାର ବୋଲି ସେ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।