ଟୋକିଓ: ଭାରତର ଟୋକିଓ ପାରାଲିମ୍ପିକ୍ସ ଅଭିଯାନ ଐତିହାସିକ ସଫଳତାରେ ଶେଷ ହୋଇଛି। ରବିବାର ଶେଷ ଦିନରେ ଗୋଟିଏ ଲେଖାଏଁ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ଜିତିବା ସହ ଭାରତ ଏଠାରେ ନିଜ ପାରାଲିମ୍ପିକ୍ସ ଇତିହାସର ସର୍ବାଧିକ ୧୯ ପଦକ ଜିତି ନେଇଛି। ଚାରି ବର୍ଷ ତଳେ ଅର୍ଥାତ୍ ୨୦୧୬ ରିଓ ପାରାଲିମ୍ପିକ୍ସରେ ମାତ୍ର ଚାରିଟି ପଦକ ଜିତି ୪୩ତମ ସ୍ଥାନରେ ଥିବା ଭାରତ ଏଥର ସଂଯୋଗବଶତଃ ସେହି (ପଦକ ସଂଖ୍ୟା) ୧୯ ସ୍ଥାନ ଉପରକୁ ଲମ୍ଫ ମାରି ୨୪ତମ ସ୍ଥାନରେ ରହିଛି। ଅଭୂତପୂର୍ବ ଅଭ୍ୟୁଦୟ ସହ ଅବିସ୍ମରଣୀୟ ମାଇଲଖୁଣ୍ଟ ଛୁଇଁ ଏଥରର ଗୋଟିଏ ସଂସ୍କରଣରେ ପୂର୍ବର ସବୁ ସଂସ୍କରଣକୁ ମିଶାଇ ଜିତିଥିବା ପଦକକୁ ଟପିଯାଇଛି ଭାରତ। ୧୯୬୮ରୁ ୨୦୧୬ ମସିହା ମଧ୍ୟରେ ଖେଳିଥିବା ୧୧ଟି ସଂସ୍କରଣରେ ଭାରତୀୟ ଦଳ ମୋଟ ଉପରେ ୧୨ ପଦକ ଜିତିଥିଲା। କେବଳ ଟୋକିଓରେ କିନ୍ତୁ ତା’ଠାରୁ ୭ଟି ପଦକ ଅଧିକ ଜିତିବାର ଅନନ୍ୟ ଓ ଅସାଧାରଣ କମାଲ କରିଛି ଭାରତ। ଅନେକ ନୂଆ ଖେଳରୁ ପଦକ ଜିତିବା ଭାରତ ପାଇଁ ଆଉ ଏକ ଖୁସି ଖବର ହୋଇଛି। ଟୋକିଓ ପାରାଲିମ୍ପିକ୍ସର ପରାକ୍ରମୀ ଅଭିଯାନରେ ଭାରତ ଜିତିଥିବା ପଦକଗୁଡ଼ିକ ମଧ୍ୟରେ ରହିଛି ୫ ସ୍ବର୍ଣ୍ଣ, ୮ ରୌପ୍ୟ ଓ ୬ କାଂସ୍ୟ।
ଭାରତର ଏଥରର ପ୍ରଦର୍ଶନରେ ଅନେକ ପ୍ରଥମର ବଳିଷ୍ଠ ସଂଯୋଗ ଓ ସମାହାର ରହିଛି। ପାରାଲିମ୍ପିକ୍ସରେ ବ୍ୟାଡମିଣ୍ଟନ୍ ଭଳି ଖେଳ ଟୋକିଓରେ ପଦାର୍ପଣ କରିଥିଲା ବେଳେ ଓଡ଼ିଆ ପୁଅ ପ୍ରମୋଦ ଭଗତଙ୍କ ସହ ଏଥିରୁ ୪ ପଦକ ଜିତିନେଇଛନ୍ତି ଭାରତୀୟ ଖେଳାଳିମାନେ। ଦୁଇଜଣ ଆଥଲେଟ୍ ଅବନୀ ଲେଖରା ଓ ସିଙ୍ଗରାଜ ଅଦାନା ନିଜ ନିଜର ପ୍ରଥମ ପାରାଲିମ୍ପିକ୍ସରେ ଦୁଇ ଥର ଲେଖାଏଁ ପୋଡିୟମକୁ ଚଢ଼ିବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ତୀରଜାନ୍ଦୀରୁ ହରବିନ୍ଦର ସିଂହ ଦେଶକୁ ପ୍ରଥମ ପଦକ ଉପହାର ଦେଇଛନ୍ତି। ଟେୁବଲ ଟେନିସରୁ ଭାବିନାବେନ୍ ପଟେଲ ବି ଭାରତ ପାଇଁ ପ୍ରଥମ ପଦକ ଜିତି ନେଇଛନ୍ତି। ମାତ୍ର ୧୮ ବର୍ଷ ବୟସରେ ଉଚ୍ଚଡିଆଁରୁ ରୌପ୍ୟ ପଦକ ଜିତି ପ୍ରବୀଣ କୁମାର ଦେଶର ସର୍ବକନିଷ୍ଠ ପାରାଲିମ୍ପିକ୍ସ ପଦକ ବିଜେତା ହୋଇଛନ୍ତି।
ଟୋକିଓରେ ୫୪ ଜଣିଆ ଭାରତୀୟ ଦଳ ଅଂଶଗ୍ରହଣ କରିଥିଲା। ସେଥିମଧ୍ୟରୁ ୧୭ ଖେଳାଳି ପଦକ ବିଜେତା ହୋଇ ସମଗ୍ର ଦେଶକୁ ଗର୍ବିତ କରିଛନ୍ତି। ସେଥିପାଇଁ ଭାରତୀୟ ଖେଳାଳିଙ୍କ ଏଥରର ପ୍ରଦର୍ଶନକୁ ଅସାଧାରଣ ସଫଳତାର ମାନ୍ୟତା ଦେଇଛନ୍ତି କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର। ‘‘ଭାରତୀୟ ପାରାଲିମ୍ପିକ୍ସର ଅସାଧାରଣ ଅଭ୍ୟୁଦୟ! ଏକ ନୂଆ ଯୁଗର ଶୁଭାରମ୍ଭ ହେଲା’’ ବୋଲି ଟ୍ବିଟ୍ କରି ନିଜ ମନର ଭାବନାକୁ ପ୍ରକାଶ କରିଛନ୍ତି। ତେବେ ଆହୁରି ଅନେକ ବାଟ ଯିବାର ଅଛି ବୋଲି ସେ ପରୋକ୍ଷ ସଙ୍କେତ ଦେଇଛନ୍ତି।
ଟୋକିଓ ପାରାଲିମ୍ପିକ୍ସର ଅନ୍ତିମ ଦିନରେ ଭାରତକୁ ପଞ୍ଚମ ସ୍ବର୍ଣ୍ଣ ଉପହାର ଦେଇଥିଲେ ବ୍ୟାଡମିଣ୍ଟନ୍ ତାରକା କୃଷ୍ଣ ନାଗର। ଏସ୍ଏଚ୍୬ ବର୍ଗର ଫାଇନାଲ୍ରେ ହଂକଂର ଚୁ ମାନ୍ କାଇଙ୍କୁ ୨୧-୧୭, ୧୬-୨୧, ୨୧-୧୭ରେ ପରାସ୍ତ କରିଥିଲେ ସେ। ସ୍ଥାନୀୟ ୟୋୟୋଗି ଷ୍ଟାଡିୟମ୍ରେ ଖେଳାଯାଇଥିବା ଏହି ମ୍ୟାଚ୍ ଜିତିବାକୁ ମାତ୍ର ୪୩ ମିନିଟ୍ ସମୟ ନେଇଥିଲେ କୃଷ୍ଣା। ପ୍ରଥମ ସେଟ୍କୁ ୧୪ ମିନିଟ୍ରେ ଜିତିନେଇଥିଲେ କୃଷ୍ଣ। ତେବେ ଅଣସିଡେଡ୍ କାଇ ଦ୍ବିତୀୟ ସେଟ୍କୁ ଜିତି ସ୍ଥିତି ୧-୧ କରି ନେଇଥିଲେ। ନିର୍ଣ୍ଣାୟକ ତୃତୀୟ ସେଟ୍ରେ ବି କଡ଼ା ଟକ୍କର ଦେଇଥିଲେ। ତେବେ ଏହାକୁ ୪ ପଏଣ୍ଟ ବ୍ୟବଧାନରେ ଜିତି ନେଇ କୃଷ୍ଣ ନିଜ ପ୍ରଥମ ପାରାଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ଜିତି ନେଇଥିଲେ। ସେହିଭଳି ପ୍ରଥମ ଥର ପାରାଲିମ୍ପିକ୍ସରେ ସାମିଲ ହୋଇଥିବା ବ୍ୟାଡମିଣ୍ଟନ୍ରୁ ଭାରତର ଏହା ତୃତୀୟ ପଦକ ଥିଲା।
ପଦକ ଜିତିବାରେ ସୁହାସ ପ୍ରଥମ ଆଇଏଏସ୍
ଏସଏଲ୍-୪ ବ୍ୟାଡମିଣ୍ଟନ୍ରେ ସୁହାସ ଲାଲିନାକେରେ ୟଥୀରାଜ ଜିତିଥିବା ରୌପ୍ୟ ପଦକ ଥିଲା ଟୋକିଓ ପାରାଲିମ୍ପିକ୍ସରୁ ଭାରତର ଶେଷ ତଥା ଚତୁର୍ଥ ପଦକ। ରବିବାର ଫାଇନାଲ୍ରେ ସେ ଦୁର୍ଭାଗ୍ୟଜନକ ଭାବେ ଫ୍ରାନ୍ସର ଲୁକାସ ମାଜୁରଙ୍କଠାରୁ ୨୧-୧୫, ୧୭-୨୧, ୧୫-୨୧ରେ ପରାଜିତ ହୋଇଥିଲେ। ତଥାପି ଦ୍ବିତୀୟ ସ୍ଥାନରେ ରହି ରୌପ୍ୟ ପଦକ କରାୟତ କରି ନେଇଥିଲେ। ୩୮ ବର୍ଷୀୟ ସୁହାସ ସଂପ୍ରତି ନୋଏଡାର ଗୌତମ ବୁଦ୍ଧ ନଗରର ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ୍ ଅଛନ୍ତି। ଏହି ଐତିହାସିକ ସଫଳତା ସହ ପାରାଲିମ୍ପିକ୍ସରେ ପଦକ ଜିତିବାରେ ସେ ପ୍ରଥମ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ଅଧିକାରୀ ହୋଇଛନ୍ତି।
କମ୍ପ୍ୟୁଟର ଇଞ୍ଜିନିୟରିଂ କରିଥିବା ସୁହାସ ସଫଳତାର ସହ ଆଇଏଏସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ୨୦୨୦ରୁ ଏହି ପଦରେ ଅବସ୍ଥାପିତ ଅଛନ୍ତି। ଏହା ପୂର୍ବରୁ ସେମିଫାଇନାଲ୍ରେ ଇଣ୍ଡୋନେସିଆର ଫ୍ରେଡି ସେତିୟାଁଙ୍କୁ ୨୧-୯, ୨୧-୧୫ରେ ପରାସ୍ତ କରି ଫାଇନାଲ୍ରେ ପ୍ରବେଶ କରିଥିଲେ ସୁହାସ। କୋଭିଡ୍-୧୯ ବିରୋଧୀ ଯୁଦ୍ଧରେ ନିର୍ଣ୍ଣାୟକ ଭୂମିକା ନେଇ ଉଚ୍ଚ ପ୍ରଶଂସିତ ହୋଇଥିଲେ ସେ। ପୂର୍ବରୁ ୨୦୧୭ ମସିହାରେ ତୁର୍କିସ୍ ପାରାବ୍ୟାଡମିଣ୍ଟନ୍ ପ୍ରତିଯୋଗିତାର ଉଭୟ ଏକକ ଏବଂ ଯୁଗଳ ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଥିଲେ ସୁହାସ। ସେ ମଧ୍ୟ ୨୦୧୬ ଏସିଆନ୍ ଚାମ୍ପିଅନସିପ୍ରେ ସ୍ବର୍ଣ୍ଣ ପଦକ ସହ ୨୦୧୮ ଏସୀୟ ପାରାକ୍ରୀଡ଼ାରେ କାଂସ୍ୟ ପଦକ ହାସଲ କରିଥିଲେ।