ମୁମ୍ଵାଇ ୨୪।୧୦: ଦକ୍ଷିଣ ଭାରତୀୟ ସିନେମା ଜଗତର ଲୋକପ୍ରିୟ ଅଭିନେତ୍ରୀ ରଶ୍ମିକା ମନ୍ଦାନା। ‘ଗୁଡବାୟ’ ଜରିଆରେ ବଲିଉଡ୍ ଡେବ୍ୟୁ କରିଛନ୍ତି । ଏହି ଫିଲ୍ମରେ ସେ ଅମିତାଭ ବଚ୍ଚନ ଏବଂ ନୀନା ଗୁପ୍ତାଙ୍କ ଭଳି ଭେଟେରାନ୍ କଳାକାରଙ୍କ ସହିତ ସ୍କ୍ରିନ୍ ସେୟାର କରିବାର ସୁଯୋଗ ପାଇଛନ୍ତି । ଆଗକୁ ତାଙ୍କୁ ‘ଆନିମଲ୍’ ଓ ‘ମିସନ୍ ମଜ୍ନୁ’ ଭଳି ଫିଲ୍ମରେ ଦେଖିବାକୁ ମିଳିବ । ଏହି ପରିପ୍ରେକ୍ଷୀରେ ନିକଟରେ ଏକ ସାକ୍ଷାତକାରରେ ରଶ୍ମିକା ନିଜର ସ୍ୱପ୍ନର ଭୂମିକା ସଂପର୍କରେ ଆଲୋଚନା କରିଛନ୍ତି ।
ସେ କହିଛନ୍ତି, ଏପର୍ଯ୍ୟନ୍ତ ମୁଁ କୌଣସି ବାୟୋପିକ୍ରେ କାମ କରିନାହିଁ । କୌଣସି ଐତିହାସିକ ପ୍ରୋଜେକ୍ଟର ଅଂଶବିଶେଷ ବି ହୋଇନାହିଁ । ମୋ’ ବାପା ଭାବନ୍ତି ଯେ ମୋ’ ଆଖି ଐତିହାସିକ ଚରିତ୍ରରେ ବେଶ୍ ଭଲ ଲାଗିବ । ବିଶେଷ କରି କୌଣସି ରାଣୀଙ୍କ ଭୂମିକାରେ । ତେବେ ମୁଁ ଅଭିନୟ କ୍ଷେତ୍ରରେ ଆହୁରି ପରିପକ୍ୱ ହେବାର ଆବଶ୍ୟକତା ଥିବା ଅନୁଭବ କରୁଥିବାରୁ କୌଣସି ମହାନ୍ ଚରିତ୍ରଙ୍କ ବାୟୋପିକ୍ରେ ନିଜକୁ ଦେଖିବାକୁ ଚିନ୍ତା କରିପାରୁନାହିଁ ।
ତଥାପି ଯଦି ମୋତେ ସୁଯୋଗ ମିଳେ ତା’ ହେଲେ ତେଲଗୁ ଓ କନ୍ନଡ଼ ଚଳଚ୍ଚିତ୍ର ଜଗତର ପ୍ରସିଦ୍ଧ ଅଭିନେତ୍ରୀ ସୌନ୍ଦର୍ଯ୍ୟା ମ୍ୟାଡାମ୍ଙ୍କ ବାୟୋପିକ୍ରେ ଅଭିନୟ କରିବାକୁ ଚାହିଁବି । ତାଙ୍କର ଜୀବନ ଅତି ସରଳ ଥିଲା । ଯେଉଁ ଲୋକମାନେ ତାଙ୍କ ସହିତ କାମ କରିଛନ୍ତି ସେମାନେ ସବୁବେଳେ ତାଙ୍କ ଅଭିନୟର ପ୍ରଶଂସା କରିଥାନ୍ତି । ତେଣୁ ତାଙ୍କର ଚରିତ୍ରରେ ମୁଁ ବଡ଼ ପରଦାରେ ଅଭିନୟ କରିବାକୁ ଚାହିଁବି । ସୂଚନାଥାଉକି, ‘ଆନିମଲ୍’ରେ ତାଙ୍କ ସହିତ ରଣବୀର କପୁର ନଜର ଆସିବେ । ସେହିପରି ‘ମିସନ୍ ମଜନୁ’ରେ ସିଦ୍ଧାର୍ଥ ମଲହୋତ୍ରା ତାଙ୍କ ବିପକ୍ଷରେ ସ୍କ୍ରିନ୍ ଶେୟାର କରିବେ

