ହାଇଦ୍ରାବାଦ ୨୦/୦୨ : ତେଲୁଗୁ ଫିଲ୍ମ ଅଭିନେତା ମୋହନ ବାବୁଙ୍କ ଉପରେ GHMC ର ଏନଫୋର୍ସମେଣ୍ଟ ଭିଜିଲାନ୍ସ ଏବଂ ବିପର୍ଯ୍ୟୟ ପରିଚାଳନା ନିର୍ଦ୍ଦେଶାଳୟ୧ ଲକ୍ଷ ଟଙ୍କା ଜରିମାନା ଲଗାଇଛନ୍ତି। ଚଳଚ୍ଚିତ୍ର ନଗର ସ୍ଥିତ ନିଜ ବାସଭବନ କାନ୍ଥରେ ଚଳଚ୍ଚିତ୍ର ବିଜ୍ଞାପନ ପୋଷ୍ଟର ଲଗାଇବା ଅଭିଯୋଗରେ ତାଙ୍କ ଉପରେ ଜରିମାନା ଲଗାଯାଇଛି। ସୋସିଆଲ ମିଡ଼ିଆରେ ଭାଇରାଲ ହେବାପରେ GHMC ଙ୍କୁ ଏ ସମ୍ପର୍କରେ ସୂଚନା ମିଳିଥିଲା।
ଅଭିନେତାଙ୍କ ଘର ବାହାରେ ୪ଟି ଫିଲ୍ମର ପୋଷ୍ଟର ଲାଗିଥିଲା। ସହରର ଦୁର୍ନୀତି ନିବାରଣ କାର୍ଯ୍ୟକର୍ତ୍ତା ବିଜୟ ଗୋପାଳଙ୍କୁ @Triveni_pervar ନାମକ ଜଣେ ଟ୍ୱିଟର ୟୁଜର ଟ୍ୟାଗ କରିଥିଲେ। ଏହାପରେ ମାମଲା ସାମ୍ନାକୁ ଆସିଥିଲା । GHMC ଆକ୍ଟ ୧୯୫୫ ଅନୁସାରେ ସର୍ବସାଧାରଣ ସ୍ଥାନରେ ବ୍ୟବସାୟିକ ଦୋକାନଗୁଡିକ ଅନୁମତିପ୍ରାପ୍ତ ଆକାର ଏବଂ ଫର୍ମାଟ୍ ବାହାରେ ବିଜ୍ଞାପନ ବୋର୍ଡ ଏବଂ ହୋର୍ଡିଂ ଲଗାଇପାରିବେ ନାହିଁ।
GHMC ଏକ ନୋଟିସ ପଠାଇଥିଲେ ଯେ ଗ୍ରାଉଣ୍ଡ ସ୍ଥରରୁ ୧୫ ଫୁଟ୍ ଉଚ୍ଚରେ ଅନଧିକୃତ ବିଜ୍ଞାପନ ପୋଷ୍ଟର ଲଗାଇବା ଆକ୍ଟର ଉଲଙ୍ଘନ। ବିଲଡିଂର ସମ୍ମୁଖରେ ୧୫ ପ୍ରତିଶତରୁ ଅଧିକ, ଫ୍ଲାସ୍ ଲାଇଟ୍ ବ୍ୟବହାର କରିବା, ପରିବର୍ତ୍ତନଶୀଳ ବିଜ୍ଞାପନ ହୋର୍ଡ଼ିଂ ଲଗାଇବା, ବୈଧ ଗଠନମୂଳକ ସ୍ଥିରତା ପ୍ରମାଣପତ୍ର ବିନା ବିଜ୍ଞାପନ ଚଲାଇବା ଅପରାଧ ବୋଲି ନୋଟିସରେ କୁହାଯାଇଛି।
ଚଳିତ ସପ୍ତାହରେ GHMC ଚରମିନରର ପିସ୍ତା ହାଉସ ବ୍ୟାକେରୀକୁ ୫୦ ହଜାର ଟଙ୍କା ଜରିମାନା ଲଗାଇଥିଲେ। ଫ୍ଲାସ୍ ଲାଇଟ୍ ବ୍ୟବହାର କରିବା ଅଭିଯୋଗରେ ବ୍ୟାକେରୀକୁ ୫୦ ହଜାର ଟଙ୍କା ଜରିମାନା ପଡିଥିଲା।
ଏହା ପୂର୍ବରୁ EV&DM ହାଇଦ୍ରାବାଦର ନବ ନିର୍ବାଚିତ ମେୟର ଜି ବିଜୟଲକ୍ଷ୍ମୀଙ୍କୁ ୪ ଲକ୍ଷ ୩୫ ହଜାର ଟଙ୍କା ଜରିମାନା ଲଗାଇଥିଲେ। ବେଆଇନ ହୋର୍ଡିଂ ଏବଂ ବିଜ୍ଞାପନ ଲଗାଇବା ଅଭିଯୋଗରେ ଏହି ଜୋରିମାନା ଲଗାଇଥିଲେ ।

