ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଜଳେଶ୍ୱର (ସତ୍ୟବ୍ରତ ପ୍ରଧାନ): ଉତ୍କଳର ବରପୁତ୍ର ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ପୁରୀ ଜିଲ୍ଲାର ସୁଆଣ୍ଡୋକୁ ମୁଖ୍ୟମନ୍ତ୍ରୀ ନୂଆ ପରିଚୟ ଦେଇଛନ୍ତି। ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି, ସ୍ମାରକୀ ସଂଗ୍ରହାଳୟ, ପାର୍କ, ଷଠିଘର ତଥା ପର୍ଯ୍ୟଟକଙ୍କ ସୁବିଧା ପାଇଁ ମୋଟ ୨୫.୮୦ କୋଟି ଟଙ୍କାର ଉନ୍ନୟନ କାର୍ଯ୍ୟର ଲୋକାର୍ପଣ କରିଛନ୍ତି। ହେଲେ ରୀତିଯୁଗର କବି ରସକଲ୍ଲୋଳ, ରସବିନୋଦ ଓ ଆର୍ତ୍ତତ୍ରାଣ ଚଉତିଶା ପରି ଅନେକ ବିରଳ ସାରସ୍ୱତ ସୃଷ୍ଟିର ରଚୟିତା ଭକ୍ତକବି ଦୀନକୃଷ୍ଣଙ୍କ ଜନ୍ମପୀଠ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ୍ର ମୁଣତୁଣିଆ କବିଡ଼ିହ ଅବହେଳିତ ହୋଇ ରହିଛି।
ମଧ୍ୟ ଯୁଗୀୟ ସାହିତ୍ୟର ସ୍ରଷ୍ଟା ହେଉଛନ୍ତି ଭକ୍ତକବି ଦୀନକୃଷ୍ଣ। ଦୀନକୃଷ୍ଣ ବିଖ୍ୟାତ ସାହିତ୍ୟ ସ୍ରଷ୍ଟା କବି ଜୟଦେବ ଓ ବିଶ୍ବବିଖ୍ୟାତ ଇଟାଲୀୟ କବି ଦାନ୍ତେଙ୍କ ସହ ସମକକ୍ଷ। ତାଙ୍କର ପଦଲାଳିତ୍ୟ, ସଙ୍ଗୀତ, ଧର୍ମଚିନ୍ତା କେବଳ ଭାରତୀୟ ସାହିତ୍ୟ କାହିଁକି; ବିଶ୍ୱ ସାହିତ୍ୟରେ ମଧ୍ୟ ଅନନ୍ୟ ଓ ବିରଳ। ଉତ୍କଟ ଦାରିଦ୍ର୍ୟର କଷାଘାତ ମଧ୍ୟରେ ଦୀନକୃଷ୍ଣଙ୍କ ପୂରା ଜୀବନ କଟିଛି। ସୁବର୍ଣ୍ଣରେଖା ତଟଦେଶର ଜଳେଶ୍ୱର ପ୍ରଗଣା ମୁଣତୁଣିଆ ବ୍ରାହ୍ମଣ ଶାସନ ଗ୍ରାମରେ କବିଙ୍କ ଜନ୍ମ। ତାଙ୍କ ରଚନା ମଧ୍ୟରୁ ରସବିନୋଦ ଓ ରସକଲ୍ଲୋଳ; ଦୁଇ ଗ୍ରନ୍ଥ ସାହିତ୍ୟ ଜଗତ ପାଇଁ ଦୁଇଟି ଅନବଦ୍ୟ ସୃଷ୍ଟି। ଏହି ମହାନ କବିଙ୍କ ଜନ୍ମସ୍ଥଳୀ ମୁଣତୁଣିଆ ଗାଁ’ରେ ୧୯୮୦ ଦଶକରେ ମିଳିତ ସରକାରୀ ଓ ବେସରକାରୀ ଉଦ୍ୟମରେ ପ୍ରତିଷ୍ଠା ହୋଇଥିଲା ଦୀନକୃଷ୍ଣ ସ୍ମୃତିପୀଠ। ଏହା ସମ୍ମୁଖରେ କବିଙ୍କ ଏକ ପ୍ରତିମୂର୍ତ୍ତି ରହିଛି। ସେହିପରି ଦୀନକୃଷ୍ଣଙ୍କ ଜୟନ୍ତୀ ତଥା ଅନ୍ୟାନ୍ୟ କାର୍ଯ୍ୟକ୍ରମ ପାଇଁ ଏକ ସଭାସ୍ଥଳୀ ମଧ୍ୟ ରହିଛି।

ସ୍ମୃତିପୀଠକୁ ଲାଗି ପାଠାଗାର ଥିବା ବେଳେ ବିରାଟ ପୁଷ୍କରିଣୀ ଓ ମା’ ଚଣ୍ଡୀଙ୍କ ମନ୍ଦିର ଅଛି। ସ୍ମୃତିପୀଠଟି ରକ୍ଷଣାବେକ୍ଷଣ ଅଭାବରୁ ଏବେ ପରିତ୍ୟକ୍ତ ଅବସ୍ଥାରେ ପଡ଼ିଛି। କେବଳ ଦୀନକୃଷ୍ଣଙ୍କ ଜନ୍ମଦିନକୁ ଛାଡ଼ିଦେଲେ ଏହା ଅନ୍ୟ ସମୟରେ ସମ୍ପୂର୍ଣ୍ଣ ଅବହେଳିତ। ଦୀନକୃଷ୍ଣଙ୍କ ସାରସ୍ୱତ ସୃଷ୍ଟି କୁହାଯାଉଥିବା ତାଳପତ୍ର ପୋଥି ତଥା ଅନ୍ୟ ସବୁ ସାମଗ୍ରୀକୁ ସଂଗ୍ରହ କରି ଏକ ମ୍ୟୁଜିୟମ୍ ପ୍ରତିଷ୍ଠା ପାଇଁ ଦୀର୍ଘ ବର୍ଷରୁ ଦାବି ହେଉଥିଲେ ମଧ୍ୟ ତାହା ସମ୍ଭବ ହୋଇ ନାହିଁ। ସେହିପରି ସ୍ମୃତିପୀଠକୁ କବିଗ୍ରାମ ଭାବେ ଘୋଷଣା କରିବା, ସେଠାରେ ଦୀନକୃଷ୍ଣଙ୍କ ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ପ୍ରତିଷ୍ଠା କରିବା ଏବଂ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ପାଇଁ ଗମନାଗମନ ତଥା ଅନ୍ୟ ଭିତ୍ତିଭୂମିର ବିକାଶମୂଳକ କାମ ପାଇଁ ଦଶନ୍ଧି ଦଶନ୍ଧି ଧରି ଦାବି ହୋଇ ଆସୁଛି। ହେଲେ ପୂରଣ ହେଉନି। ଯେଉଁ ସବୁ କାର୍ଯ୍ୟ ହୋଇଛି, ତାହା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିପାରୁନି। ସବୁଠାରୁ ବଡ଼କଥା ହେଉଛି; ଜଳେଶ୍ୱରରୁ ବିଧାୟକ ଭାବେ ପ୍ରତିନିଧିତ୍ୱ କରୁଥିବା ଅଶ୍ବିନୀ କୁମାର ପାତ୍ର ରାଜ୍ୟ ସରକାରଙ୍କ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିବାରୁ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଏହି ସ୍ମୃତିପୀଠ ପାଇଁ ସୁଆଣ୍ଡୋସ୍ଥିତ ଗୋପବନ୍ଧୁଙ୍କ ଜନ୍ମପୀଠ ଅଥବା ଭୋଗରାଇର ଶଙ୍ଖାରୀସ୍ଥିତ ମନୋଜ-ମନ୍ମଥ ନାଥ ଦାସଙ୍କ ସ୍ମୃତିପୀଠ ପାଇଁ ଯେଉଁ ଭଳି ସ୍ବତନ୍ତ୍ର ପ୍ୟାକେଜ୍ ଘୋଷଣା କରାଯାଇଛି, ତାହା କରାଯିବ ବୋଲି ଅଞ୍ଚଳବାସୀ ମନରେ ଆଶା ବାନ୍ଧିଛନ୍ତି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l