ନୂଆଦିଲ୍ଲୀ: ଅବସରପ୍ରାପ୍ତ ଜିଲ୍ଲା ଜଜ୍ମାନଙ୍କୁ ପର୍ଯ୍ୟାପ୍ତ ପେନସନ ଦିଆଯାଉ ନାହିଁ ବୋଲି ସୋମବାର ସୁପ୍ରିମ୍କୋର୍ଟ କହିଛନ୍ତି। ଏହି ବିଚାରପତିମାନଙ୍କୁ ଏତେ ଲମ୍ବା ଚାକିରି ପରେ ୧୯,୦୦୦ରୁ ୨୦,୦୦୦ ଟଙ୍କା ପେନସନ ପ୍ରଦାନ କରାଯିବା ଯୁକ୍ତିଯୁକ୍ତ ନୁହେଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ଦର୍ଶାଇଛନ୍ତି। ନ୍ୟାୟିକ ଅଧିକାରୀଙ୍କ ପେନସନ ଯୋଜନା ମାମଲାର ଶୁଣାଣି କରି କୋର୍ଟ କେନ୍ଦ୍ର ସରକାରଙ୍କୁ ଏହାର ସମାଧାନ ବାହାର କରିବାକୁ ଅନୁରୋଧ କରିଛନ୍ତି। ପ୍ରଧାନ ବିଚାରପତି କହିଛନ୍ତି ଯେ, ଏହି ବିଚାରପତିମାନେ ନ୍ୟାୟ ପାଇଁ ଯଥେଷ୍ଟ ଅବଦାନ ଦେଇଛନ୍ତି ଏବଂ ୬୧-୬୨ ବର୍ଷ ପରେ ସେମାନେ ଆଇନ ବ୍ୟବସାୟ ପାଇଁ ନ୍ୟାୟାଳୟକୁ ଯାଇପାରିବେ ନାହିଁ। ଅବସରପ୍ରାପ୍ତ ନ୍ୟାୟିକ ଅଧିକାରୀଙ୍କ ପାଇଁ ନ୍ୟାୟଯୁକ୍ତ ସମାଧାନ ବାହାର କରିବାକୁ ସେ ସରକାରଙ୍କ ପ୍ରତିନିଧିତ୍ୱ କରୁଥିବା ଆଟର୍ଣ୍ଣି ଜେନେରାଲ (ଏଜି) ଆର୍ ଭେଙ୍କଟରମଣିଙ୍କୁ ଅନୁରୋଧ କରିଥିଲେ। ହାଇକୋର୍ଟର କିଛି ବିଚାରପତିଙ୍କୁ ଅବସର ପରେ ପେନସନ ଦିଆଯାଉ ନାହିଁ ବୋଲି ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ଼ ଦର୍ଶାଇଛନ୍ତି। କିଛି ହାଇକୋର୍ଟ ବିଚାରପତିଙ୍କୁ ଦରମା ମଧ୍ୟ ଦିଆଯାଉ ନାହିଁ। ଏଥିପ୍ରତି ଦୃଷ୍ଟି ଦେବାକୁ ପ୍ରଧାନ ବିଚାରପତି କହିଥିଲେ। ଏହାର ଜବାବରେ ଆଟର୍ଣ୍ଣି ଜେନେରାଲ କହିଛନ୍ତି, ମୁଁ ଏହା ଉପରେ ଅନୁଧ୍ୟାନ କରିବି, କିନ୍ତୁ ଏହା କିଛି ହାଇକୋର୍ଟ ବିଚାରପତିଙ୍କ କ୍ଷେତ୍ରରେ ହୋଇଥିବ, ସବୁ ବିଚାରପତିଙ୍କ କ୍ଷେତ୍ରରେ ନୁହେଁ।