ନୂଆଦିଲ୍ଲୀ: ଅନ୍ୟ ଧର୍ମର ଝିଅକୁ ପ୍ରେମ କରୁଥିବା ଜଣେ ୨୦ ବର୍ଷିୟ ଯୁବକଙ୍କୁ ସେ ଝିଅଘର ଲୋକେ ଛୁରି ଭୁସି ଅତି ନୃଶଂସ ଭାବେ ହତ୍ୟା କରିଥିବା କଥା ଦିଲ୍ଲୀ ପୁଲିସ କହିଛି।
ରାଜ କୁମାର ନାମକ ସେ ଯୁବକଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। କିନ୍ତୁ, ‘ସିସିଟିଭି ଫୁଟେଜ୍’ ଯାଞ୍ଚ କରି ଉତ୍ତର ଦିଲ୍ଲୀର କାଖିରାରୁ ଅଶ୍ଫକ୍ ଓ ମେରାଜ୍ଙ୍କୁ ନ ଧରିବା ପର୍ଯ୍ୟନ୍ତ ଏହି ହତ୍ୟାକାଣ୍ଡ ପୁଲିସ ପାଇଁ ରହସ୍ୟମୟ ଥିଲା। ତଦନ୍ତ କରି ପୁଲିସ ଜାଣିଲା ଯେ, ଉଭୟଙ୍କ ପ୍ରେମ ସମ୍ପର୍କରେ ଝିଅଘର ଲୋକେ ସନ୍ତୁଷ୍ଟ ନ ଥିଲେ। ମାମଲାର ସମାଧାନ କରିବା ବାହାନାରେ ଦୁହେଁ ଜୁଲାଇ ୨ ତାରିଖ ଦିନ ରାଜ କୁମାରଙ୍କୁ ଡକାଇ ହତ୍ୟା କରିଥିଲେ।
ଉତ୍ତର ଦିଲ୍ଲୀର ଇନ୍ଦ୍ରଲୋକ ଅଞ୍ଚଳର ଗୋଟାଏ ପାର୍କ ନିକଟରେ ଜଣେ ବ୍ୟକ୍ତିଙ୍କ ଶବ ପଡ଼ିଥିବା କଥା ଜୁଲାଇ ୩ ତାରିଖ ଦିନ ଦିଲ୍ଲୀ ପୁଲିସ ଖବର ପାଇଥିଲା। ଏହି ହତ୍ୟାକାଣ୍ଡ ସଂକ୍ରାନ୍ତରେ ମାମଲା ରୁଜୁ କରାଯାଇ ଏହାର ରହସ୍ୟ ଉଦ୍ଘାଟ କରିବା ନିମନ୍ତେ ଦୁଇଟି ପୃଥକ୍ ଟିମ୍ ଗଠନ କରାଯାଇଥିଲା। ଗୋଟିଏ ଟିମ୍କୁ ମୃତ ବ୍ୟକ୍ତିଙ୍କୁ ଚିହ୍ନଟ କରିବା ଦାୟିତ୍ବ ଓ ଅନ୍ୟ ଗୋଟିଏ ଟିମ୍କୁ ଅପରାଧୀଙ୍କ ସନ୍ଧାନ ନେବା ଦାୟିତ୍ବ ଦିଆଯାଇଥିଲା।

ଘଟଣାସ୍ଥଳ ଆଖପାଖରେ କୌଣସି ‘ସିସିଟିଭି’ ଲାଗି ନ ଥିବାରୁ ପୁଲିସ ପାଇଁ ଉଭୟ ଦାୟିତ୍ବ ଥିଲା ଗୋଟିଏ ଗୋଟିଏ ଚାଲେଞ୍ଜ୍। ତେଣୁ, ଘଟଣାସ୍ଥଳର ଚତୁଃପାର୍ଶ୍ବରେ ଥିବା ପ୍ରବେଶ ଓ ପ୍ରସ୍ଥାନ ପଥଗୁଡ଼ିକରେ ଲାଗିଥିବା ସମସ୍ତ ‘ସିସିଟିଭି ଫୁଟେଜ୍’କୁ ତନ୍ନତନ୍ନ କରି ଯାଞ୍ଚ କରାଗଲା।
ଏଥିରୁ ପ୍ରଥମେ ପୁଲିସ ମୃତ ରାଜ କୁମାରଙ୍କୁ ଚିହ୍ନଟ କରିବାରେ ସମର୍ଥ ହୋଇଥିଲା। ରାଜ କୁମାର ଥିଲେ ବିହାରର ଅରାରିଆ ବାସୀ ଏବଂ ସେ ଉତ୍ତର ଦିଲ୍ଲୀରେ ରହୁଥିଲେ। ସେହିପରି, ‘ସିସିଟିଭି ଫୁଟେଜ୍’ର ‘ସ୍କ୍ରିନ୍ଗ୍ରାବ୍’ କରି ସନ୍ଦିଗ୍ଧ ମନେକରୁଥିବା ଦୁଇଜଣଙ୍କୁ ପୁଲିସ ଖୋଜୁଥିଲା। ଶେଷରେ ଜଣେ ‘ଇନ୍ଫର୍ମର୍’ ଆସି ପୁଲିସକୁ ଦୁହିଁଙ୍କର ପରିଚୟ ଦେଇଥିଲେ।
ପଚରାଉଚରା କରିବାରୁ ଅଭିଯୁକ୍ତଦ୍ବୟ ସ୍ବୀକାର କରିଥିଲେ ଯେ, ଅଶ୍ଫକ୍ଙ୍କର ଜଣେ ଆତ୍ମୀୟଙ୍କ ସହିତ ରାଜ କୁମାରଙ୍କର ପ୍ରେମ ସମ୍ପର୍କ ଥିଲା। ଏଥିରେ କ୍ରୋଧିତ ହୋଇ ସେମାନେ ରାଜ କୁମାରଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିଲେ।
ହତ୍ୟାକାଣ୍ଡରେ ବ୍ୟବହୃତ ୨ଟି ଛୁରି ଓ ଅଭିଯୁକ୍ତଙ୍କର ରକ୍ତାକ୍ତ ପୋଷାକପତ୍ର ବି ପୁଲିସ ଜବତ କରିଛି।