ଭୁବନେଶ୍ୱର: ଘର ପ୍ଲାନ୍ ପାଇଁ ଆବେଦନ ବ୍ୟବସ୍ଥା କେବଳ ଅନ୍ଲାଇନ୍ରେ ହେବା ପରେ ଏହି ବ୍ୟବସ୍ଥାକୁ ବିବାଦ ପିଛା ଛାଡ଼ୁନି। ୨୦୧୪ ମସିହାରୁ ଏହି ପ୍ଲାନିଂ ମଞ୍ଜୁରୀ ବ୍ୟବସ୍ଥା ବିଡିଏ ଠାରୁ ବିଏମ୍ସି ହାତକୁ ଆସିବା ପରେ ନିୟମିତ ଭାବରେ ସମସ୍ୟା ଲାଗି ରହିଛି। ୨୦୨୨ ଜାନୁଆରି ମାସରୁ ‘ସୁଯୋଗ’ ପୋର୍ଟାଲ୍ ଜରିଆରେ ଆବେଦନ ହେଉଛି। ମରାମତି ନାଁରେ ଏହି ସୁଯୋଗ ୫ ଥର ବନ୍ଦ ହୋଇଥିବା ବେଳେ ଏଥିରେ ତଥାପି ତ୍ରୁଟି ରହିଛି। ଗତ ପ୍ରାୟ ୧୫ ଦିନ ହେବ ଏହି ପୋର୍ଟାଲ କାମ କରୁନଥିବାରୁ ବିଏମ୍ସିରେ ପ୍ଲାନ୍ ଆପ୍ରୁଭାଲ୍ ମିଳି ପାରୁନାହିଁ। ଫଳରେ ଶହ ଶହ ଆବେଦନକାରୀ ହତାଶ ହୋଇଛନ୍ତି।
ପ୍ରଥମେ ସଫ୍ଟଟେକ୍ ନାମକ ଏକ ସଂସ୍ଥା ଏହି ଅନ୍ଲାଇନ୍ ବ୍ୟବସ୍ଥା ପ୍ରସ୍ତୁତ କରିଥିଲା। ଏଥିରେ ପ୍ଲାନ୍ ଆବେଦନ ଓ ସଂଶୋଧନ ପାଇଁ ଆବେଦନ କରି ହେଉଥିଲା। କିନ୍ତୁ ଏଥିରେ ଯାବତୀୟ ତ୍ରୁଟି ରହିବାରୁ ଏହା ଦୀର୍ଘସ୍ଥାୟୀ ହେଲାନାହିଁ। ଚାଲିବାର ବର୍ଷେ ପରେ ଏହା ଠପ୍ ହୋଇଗଲା। ଏହା ପରେ ୨୦୧୫ ମସିହାରୁ ଭିଏଫ୍ଏସ୍ ନାମକ ସଂସ୍ଥା ଏହି ଅନ୍ଲାଇନ୍ ବ୍ୟବସ୍ଥାର ପରିଚାଳନା କଲା। ଏଥିରେ ମଧ୍ୟ ତ୍ରୁଟି ରହିବାରୁ ଏହାକୁ ୨ ବର୍ଷ ପରେ, ଅର୍ଥାତ୍ ୨୦୧୭ ମସିହାରେ ବନ୍ଦ କରିଦିଆଗଲା। ୨୦୧୭ ମସିହାରୁ ଏହା ଅନ୍ଲାଇନ୍ ପରିବର୍ତ୍ତେ ପୂର୍ବବତ୍ ମାନୁଆଲ୍ ଚାଲିଲା। ୨୦୧୯ରେ ପୁଣି ଥରେ ଅନ୍ଲାଇନ୍ କଥା ମନେ ପଡ଼ିଲା। ‘ବି-ପାସ୍’ ସଫ୍ଟୱେର ବ୍ୟବସ୍ଥା ହେଲା। ଏହି ସଫ୍ଟୱେର ଜରିଆରେ ସାଧାରଣ ଲୋକ ଘର ନିର୍ମାଣ ପ୍ଲାନ୍ ମଞ୍ଜୁରି ପାଇଁ ଆବେଦନ କଲେ। ଏହା ମଧ୍ୟ ୩ ବର୍ଷ ଚାଲିବା ପରେ ବନ୍ଦ ହୋଇଗଲା। ତା’ପରେ ୨୦୨୨ରୁ ‘ସୁଯୋଗ’ ପୋର୍ଟାଲ୍ ଜରିଆରେ ଆବେଦନ ହେଉଛି। ଏଥିରେ ୩ ପ୍ରକାରର ‘ଆଇଡି’ ବ୍ୟବସ୍ଥା ରହିଛି। ସିଟିଜେନ୍ ଆଇଡି କେବଳ ସାଧାରଣ ଲୋକଙ୍କ ପାଇଁ ରହିଥିବା ବେଳେ ଆର୍କିଟେକ୍ଟ ଆଇଡି ଆର୍କିଟେକ୍ଟଙ୍କ ପାଇଁ ଓ ଅଫିସର୍ସ ଆଇଡି ବିଏମ୍ସିର ପ୍ଲାନିଂ ବିଭାଗ ଅଧିକାରୀଙ୍କ ପାଇଁ ସମର୍ପିତ। ଏବେ କେବଳ ସିଟିଜେନ୍ ଆଇଡି ଖୋଲି ପାରୁଥିବା ବେଳେ ବାକି ୨ଟି ଆଇଡି ଖୋଲିବାରେ ୧୫ ଦିନ ହେବ ସମସ୍ୟା ରହିଛି। ପୁଣି ଅଫିସର୍ସ ଆଇଡି ଦିନରେ ବେଳେବେଳେ ମାତ୍ର କେଇ ମିନିଟ୍ ପାଇଁ ଖୋଲୁଛି। ଆର୍କିଟେକ୍ଟ ଆଇଡିର ସ୍ଥିତି ମଧ୍ୟ ସମାନ। ୩ଟି ଆଇଡି ସମାନ୍ତରାଳ ଭାବରେ ନିୟମିତ ଖୋଲୁନଥିବାରୁ ପ୍ଲାନ୍ ଅନୁମୋଦନ ସମସ୍ୟା ହେଉଛି। ଜଣେ ଆବେଦନକାରୀଙ୍କ ଅଭିଯୋଗ ହେଉଛି, ଏଭଳି ବାରମ୍ବାର ହେବା ଫଳରେ ଉଚିତ୍ ସମୟରେ ପ୍ଲାନ୍ ମିଳୁନାହିଁ। ପୂର୍ବରୁ ପ୍ଲାନ୍ ପାଇଁ ହଜାର ହଜାର ଟଙ୍କା ହାତଗୁଞ୍ଜା ଦେବାକୁ ପଡ଼ୁଥିଲା, ଅନ୍ଲାଇନ୍ ହେବା ପରେ ଏହାର ପରିମାଣ କମିଛି। କିନ୍ତୁ ଏବେ ନିୟମିତ ଖରାପ ରହୁଛି। ଏଭଳି ଜାଣି ଜାଣି ଖରାପ କରି ଅଧିକାରୀମାନେ ହାତଗୁଞ୍ଜା ନେବା ପାଇଁ ଯୋଜନା କରିଥିବା ସେ ଅଭିଯୋଗ କରିଛନ୍ତି।
ଏଠାରେ ସୂଚାଇ ଦିଆଯାଇ ପାରେ, ଚଳିତ ବର୍ଷ ଏପ୍ରିଲ ୩୦ ତାରିଖରେ ଲିଙ୍ଗରାଜ ପ୍ରସାଦ ପଟ୍ଟନାୟକ ଅବସର ନେବା ପରେ ‘ସିଟି ପ୍ଲାନର’ ପଦ ଖାଲି ପଡ଼ିଥିଲା। ଏବେ ବିପୁଲ ନାୟକଙ୍କୁ ଏହି ଦାୟିତ୍ବ ଦିଆଯାଇଛି। ପ୍ଲାନ୍ ଅନୁମୋଦନରେ ବିଳମ୍ବ ହେଉଥିବାରୁ ବାରଣ୍ଡାରେ ଫାଇଲ୍ ଗଦା ହେଇ ରହୁଛି। କର୍ମଚାରୀ ନଥିବାରୁ ସମସ୍ୟା ଉପୁଜୁଥିବା ଅନୁଭବ କରି ପ୍ଲାନିଂ ଆଣ୍ଡ ଡେଭଲପ୍ମେଣ୍ଟ ଷ୍ଟାଣ୍ଡିଂ କମିଟି ଉଦ୍ବେଗ ପ୍ରକାଶ କରିଥିଲା। ତେବେ ଏ ନେଇ ବିଏମ୍ସି କହିଛି, ପୋର୍ଟାଲରେ ସମସ୍ୟା ନାହିଁ। ନେଟ୍ୱର୍କ ସମସ୍ୟା ଯୋଗୁ ବେଳେ ବେଳେ କ୍ରାସ୍ କରିଯାଉଛି। ତେବେ କର୍ମଚାରୀ ସମସ୍ୟା କିଛିଟା ଦୂର ହୋଇଛି। ନିକଟ ଅତୀତରେ ଠିକା ସଂସ୍ଥା ଜରିଆରେ ୪ ଜଣ ଯୋଜନା ସହକାରୀ, ଜଣେ ଅମିନ, ଜଣେ କ୍ଷେତ୍ର ନିରୀକ୍ଷକ ଏଭଳି ୬ ଜଣ ନିଯୁକ୍ତି ପାଇଛନ୍ତି। ପୂର୍ବରୁ ଯାହା ସମସ୍ୟା ଥିଲା ତାହା ଏବେ ନାହିଁ, ସବୁ ଠିକ୍ ଚାଲିଛି!