ରାଜ୍ୟ ସ୍ପେଶାଲ ରିପୋର୍ଟ

ଅନ୍ଧାରି ମୁଲକ ତୁମୁଣିରୁ ଗ୍ରାଉଣ୍ଡ ରିପୋର୍ଟ: ଯୋଜନାକୁ ଅଟକାଇଛି ଜଙ୍ଗଲିଆ ପାହାଡ଼

ଯାଜପୁର,(ସଂଗ୍ରାମ କେଶରୀ ସିଂହ): ସରକାରୀ ଅବାସ ନାହିଁ, ପିଇବା ପାଣି ବ୍ୟବସ୍ଥା ନାହିଁ, ବିଦ୍ୟୁତ୍‌ ନାହିଁ, ପ୍ରାଥମିକ ଶିକ୍ଷା ନାହିଁ, ଚିକିତ୍ସା ସେବା ନାହିଁ, ଗାଁକୁ ରାସ୍ତା ନାହିଁ, ବଞ୍ଚିବା ପାଇଁ ରାହା ବି ନାହିଁ। ନାହିଁ ନାହିଁରେ ସନ୍ତୁଳି ହେଉଛନ୍ତି ଶତାଧିକ ତୁମୁଣିବାସୀ। ସେମାନେ ପ୍ରଶ୍ନ କରିଛନ୍ତି ପିଲାଛୁଆଙ୍କ ମୁହଁରେ ଗଣ୍ଡେ ଦାନା ଦେବାକୁ କୌଣସି କାମଧନ୍ଦା କରି ରୋଜଗାର କରିବାର ସୁବିଧା ନାହିଁ। ପୋଡୁଚାଷ ନକଲେ ଆମ ପିଲାଛୁଆ, ଆମେ ବର୍ଷତମାମ ଖାଇବୁ କଣ? କାମଧନ୍ଦା ଯୋଗାଇ ଦେଲେ ଆମେ ପିଲାଛୁଆଙ୍କୁ ନେଇ ଜଙ୍ଗଲରେ ବର୍ଷା, ଶୀତ, କାକର, ଖରାରେ ପଡି ରହିଥାନ୍ତୁ କାହିଁକି?

ଯାଜପୁର ଜିଲ୍ଲାର ସୁକିନ୍ଦା ବ୍ଲକ୍ ଚିଙ୍ଗୁଡ଼ିପାଳ ପଞ୍ଚାୟତର ୧ନମ୍ବର ୱାର୍ଡର ଚର୍ଚ୍ଚିତ ଗାଁ ନଗଡ଼ାକୁ ଲାଗିଥିବା ପାହାଡ଼ର ଆରପଟ ଗାଁ ତୁମୁଣିର ସଙ୍ଗିନ ସ୍ଥିତିର ଅନୁସନ୍ଧାନ ପାଇଁ ଆଜି ସମ୍ବାଦ ଅନୁସନ୍ଧାନ ଟିମ୍ ୪ କିମି ଦୁର୍ଗମ ଜଙ୍ଗଲିଆ ପାହାଡ଼କୁ ଅତିକ୍ରମ କରି ଆଦିମ ଅଧିବାସୀ ଜୁଆଙ୍ଗ ପରିବାର ନିକଟରେ ପହଞ୍ଚିଥିଲା। ସକାଳ ୧୦ ରେ ଗାଁ ଥିଲା ଶୂନଶାନ। ଜଣେ ଦୁଇଜଣ ବୁଢ଼ାବୁଢ଼ୀ ଓ କେତେକ ଛୋଟ ପିଲାଙ୍କ ବ୍ୟତୀତ ପୁରୁଷ, ମହିଳା, ପିଲାଛୁଆ କେହି ନଥିଲେ। ବୁଝିବାରୁ ଜଣାପଡ଼ିଲା, ସକାଳୁ ସ‌ମସ୍ତେ ‌ତଇଳା(ପୋଡ଼ୁଚାଷ କ୍ଷେତ)କୁ ଯାଇଛନ୍ତି। ମଧ୍ୟାହ୍ନ ହେବାରୁ ପାହାଡ଼ରୁ ସମସ୍ତ ଜଣକ ପରେ ଜଣେ ଓହ୍ଲାଇଲେ। ସକାଳୁ ପୋଡ଼ୁଚାଷ ପାଇଁ ବାହାରି ଯାଇଥିବା ପିଲାଛୁଆ, ବାପାମାମାନେ ଭୋକରେ ଆଉଟୁପାଉଟୁ ହେଉଥିବାର ସେହି ସ୍ଥିତି ଅତି ହୃଦୟବିଦାରକ ଥିଲା। ଚୁଆପାଣିରେ ବୁଡ଼ଟିଏ ମାରି ପଖାଳ ଭାତ ଓ କେବଳ ଲୁଣ ସେମାନଙ୍କର ନିତିଦିନିଆ ଖାଦ୍ୟ ଥିଲା। ଅତି ବେଶିରେ କାହାର ଲଙ୍କା ଅବା ଶାଗ ଯଥେଷ୍ଟ। ଏଭଳି ଦୟନୀୟ ଜୀବନ ବିତାଉଥିବା ତୁମୁଣିବାସୀଙ୍କ ସହିତ ଆମ ପ୍ରତିନିଧି ଖୋଲା ଆଲୋଚନା କରିବାବେଳେ ବହୁ ତଥ୍ୟ ନଜରକୁ ଆସିଛି। ସେମାନଙ୍କର ସବୁ ସୁବିଧାସୁଯୋଗକୁ ଯେପରି ଦୁର୍ଗମ ଜଙ୍ଗଲିଆ ପାହାଡ଼ ଅଟକାଇ ଦେଇଛି। ଏହି ଆଦିବ ଅଧିବାସୀ ଜୁଆଙ୍ଗ ପରିବାରକୁ ଜଙ୍ଗଲ ଜମିପଟ୍ଟା ମିଳିଛି। ଅଥଚ ସେମାନଙ୍କର ଜମି କେଉଁଠି ସେମାନେ ଜାଣିନାହାନ୍ତି। ସେମାନଙ୍କ ଜବ୍‌କାର୍ଡ଼ ଠିକାଦାର ନିକଟରେ ବର୍ଷ ବର୍ଷ ଧରି ବନ୍ଧା ପଡିଛି।

‘ସମ୍ବାଦରେ ଖବର ପ୍ରକାଶ ପରେ ଗାଁ ମୁଖିଆ ମିଟୁ ପ୍ରଧାନ ପାଖରେ ଅଛି ବୋଲି ଅଙ୍ଗନବାଡ଼ି କର୍ମୀ ଚେମ ପ୍ରଧାନଙ୍କ ସ୍ବାମୀ ମଧୁସୂଦନ ପ୍ରଧାନ କହିଛନ୍ତି।
ସେହିପରି ପ୍ରାଥମିକ ଶିକ୍ଷା ପାଇଁ ଏକ ଘର ଅଛି, ମାତ୍ର ଶିକ୍ଷକ ଆସୁନାହାନ୍ତି। ଅଙ୍ଗନବାଡ଼ିରେ ସରକାରୀ ତଥ୍ୟ ମୁତାବକ ୧୪ଜଣ ପିଲାଙ୍କୁ ରନ୍ଧାଖାଦ୍ୟ ଖାଇବାକୁ ଦିଆଯାଉଛି। ୧୬ଜଣଙ୍କୁ ଛତୁଆ ଦିଆଯାଉଛି, ଯାହାକି ସମୁଦ୍ରକୁ ଶଙ୍ଖେ। କାହାରି ଘରେ ଆଜି ଛତୁଆ ନଥିଲା। ଏକ ଲିଟର ରନ୍ଧା ତେଲରେ ମାସେ ଅଙ୍ଗନବାଡ଼ିର ୧୪ଜଣ ପିଲାଙ୍କୁ ରୋଷେଇ କରି ଦେଉଛନ୍ତି। ଏହା କେତେ ଖାଦ୍ୟ ଉପଯୋଗୀ ତାହା ବିଚାର ଯୋଗ୍ୟ। ୨୮ଟି ପରିବାରର ୨୮୦ଜଣଙ୍କ ଜୀବନଜୀବିକାକୁ ନେଇ ସାମାଜିକ କର୍ମୀ ମଣ୍ଟୁ ଦାସ ଜନସ୍ବାର୍ଥ ମାମଲା ରୁଜୁ କରିଛନ୍ତି। ଜିଲ୍ଲାପାଳ ନିଜେ ଗାଁକୁ ଗସ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ମାନ୍ୟବର ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଠାରେ ପ୍ରଶ୍ନ ଉଠୁଛି ଜିଲ୍ଲାପାଳ ଏହି ଦୁର୍ଗମ ସ୍ଥାନରେ ପହଞ୍ଚି ପାରିବେ ତ? ଜିଲ୍ଲାପାଳ ଏଠାର ପହଞ୍ଚିବା ଦୂର କଥା, ବ୍ଲକ୍ ଅଧିକାରୀକଣ କର୍ମଚାରୀମାନେ ମଧ୍ୟ ପହଞ୍ଚି ନାହାନ୍ତି।

ଏଠାର ସୂଚନାଯୋଗ୍ୟ, ୭ ବର୍ଷ ପୂର୍ବେ ଏହି ୱାର୍ଡର ନଗଡ଼ା ଗାଁର ଶିଶୁ ମଡ଼କ ସ୍ଥିତି ‘ସମ୍ବାଦ ଲୋକଲୋଚନକୁ ଆଣିବା ପରେ ରାଜ୍ୟ ଓ କେନ୍ଦ୍ର ସରକାର ଏକାଧିକ ବିଭାଗୀୟ ଅଧିକାରୀଙ୍କର ଏଠାକୁ ସୁଅ ଛୁଟିଥିଲା। ଅଥଚ ପଡ଼ୋଶୀ ତୁମୁଣି ଗାଁ ଉପରେ ଆଜି ପର୍ଯ୍ୟନ୍ତ କାହାରି ନଜର ପଡ଼ିଲା ନାହିଁ। ଏବେ ଗଣମାଧ୍ୟମରେ ଏହି ଖବର ପ୍ରକାଶ ପରେ ପ୍ରଶାସନ କିପରି ତତ୍ପରତା ପ୍ରକାଶ କରୁଛି? ତା ଉପରେ ସମସ୍ତଙ୍କର ନଜର।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।