ଅପରାଧ ରାଜ୍ୟ

ଅନ୍ଧବିଶ୍ବାସର କୁପରିଣତି: ୧୪ ମାସ ଧରି ୩ ପରିବାର ଗାଁରୁ ବାସନ୍ଦ

ବୌଦ୍ଧ: ଅନ୍ଧବିଶ୍ବାସର ପରିଣତି କେତେ ଯେ ଭୟଙ୍କର ଏହାର ସଦ୍ୟତମ ଉଦାହରଣ ହେଉଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ଅନ୍ତର୍ଗତ ଫକୀରପୁର ଗାଁର ଏକ ଘଟଣା। ଅନ୍ଧବିଶ୍ବାସକୁ ନେଇ କଙ୍ଗାରୁ କୋର୍ଟର ନିଷ୍ପତ୍ତି ଅନୁସାରେ ଜରିମାନା ନ ଦେବାରୁ ଫକିରପୁର ଗାଁରୁ ୩ଟି ପରିବାରକୁ ବର୍ଷାଧିକ କାଳ ହେଲା ବାସନ୍ଦ ହୋଇଛନ୍ତି।

ସୂଚନା ଅନୁସାରେ ଆଜିକୁ ପ୍ରାୟ ୧୪ ମାସ ତଳେ ଗାଁର ସୁକାନ୍ତ ଭୋକ୍ତା ତାଙ୍କ ଘରୁ ଦୁଇଟି ସୁନାହାର ଚୋରି ହୋଇଥିବା ସମ୍ପର୍କରେ ଗାଁ କମିଟି ସଭାପତି ଏକାଦଶୀ ମାଝୀଙ୍କ ନିକଟରେ ଅଭିଯୋଗ କରିଥିଲେ। ଶ୍ରୀ ମାଝୀ ତାଙ୍କୁ ପୁଲିସର ସହାୟତା ନେବାକୁ କହିଥିଲେ। ତେବେ ତାପରେ ଗାଁରେ ବସିଥିବା କଙ୍ଗାରୁ କୋର୍ଟରେ ଗ୍ରାମବାସୀ ନେଇଥିଲେ ଏକ ଅଜବ ନିଷ୍ପତ୍ତି। ଅନ୍ଧବିଶ୍ବାସ ବଶବର୍ତ୍ତୀ ହୋଇ ସେମାନେ ଚୋର ଧରିବାକୁ ଗାଁରେ ‘ଖଟଦେବତା’ଙ୍କୁ ବୁଲାଇବା ନିଷ୍ପତ୍ତି ନେଇଥିଲେ। ତଦନୁଯାୟୀ ନୟାଗଡ଼ ଜିଲ୍ଲା ମଧ୍ୟଖଣ୍ଡ ଅଞ୍ଚଳରୁ ଗୁଣିଆ ଡକାହୋଇ ଆସିଲେ। ‘ଖଟଦେବତା’ ଯାହାକୁ ଚୋର ଭାବରେ ଚିହ୍ନଟ କରିବେ, ସେ ସୁନାଗହଣା ଫେରାଇବା ସହ ଗୁଣିଆର ଖର୍ଚ୍ଚ ଓ ଗାଁ ପାଣ୍ଠିକୁ ଜରିମାନା ଦେବ ବୋଲି କଙ୍ଗାରୁ କୋର୍ଟରେ ନିଷ୍ପତ୍ତି ହୋଇଥିଲା। ରାତିରେ ଗାଁରେ ‘ଖଟଦେବତା’ ବୁଲିବା ବେଳେ ତାହା ନାରାୟଣ ବାରିକ ଓ ବିଜୟ ପ୍ରଧାନଙ୍କ ଦେହରେ ବାଜିଥିଲା। ନିଷ୍ପତ୍ତି ଅନୁସାରେ ସେମାନଙ୍କୁ ଏକ ଲକ୍ଷ ଟଙ୍କା ଲେଖାଏ ଜରିମାନା ଦେବାକୁ କୁହାଯାଇ ଥିଲା। ହେଲେ ସେମାନେ ଚୋରି କରି ନ ଥିବା କହି ଗୁଣିଆ ସହ ଝଗଡ଼ା କରିଥିଲେ। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବାଦେଖି ଗୁଣିଆ ସେଠାରୁ ପଳାଇଥିଲା।

ଏପଟେ କଙ୍ଗାରୁ କୋର୍ଟ ନିଷ୍ପତ୍ତିର ଅବ​ମାନନା ଅଭିଯୋଗରେ ନାରାୟଣ ବାରିକ, ବିଜୟ ପ୍ରଧାନଙ୍କ ପରିବାର ଓ ସେମାନଙ୍କୁ ସହଯୋଗ କରୁଥିବା ଅଭିଯୋଗରେ ଗାଁ କମିଟି ସଭାପତି ଏକାଦଶୀ ମାଝୀଙ୍କ ପରିବାରକୁ ମଧ୍ୟ ନିଆଁପାଣି ବାସନ୍ଦ କରାଯାଇ ଥିଲା। ଏପରିକି ସମ୍ପୃକ୍ତ ୩ ପରିବାରର ପ୍ରାୟ ୩୦ ଜଣ ସଦସ୍ୟଙ୍କ ସହ କେହି କଥାବାର୍ତ୍ତା ହେଲେ ମଧ୍ୟ ସମ୍ପୃକ୍ତ ବ୍ୟକ୍ତିଙ୍କୁ ୨୦ ହଜାର ଟଙ୍କା ଜରିମାନା ବାଧ୍ୟତାମୂଳକ କରାଗଲା। ପରେ ଶ୍ରୀ ମାଝୀଙ୍କ ଅମଳ ହୋଇଥିବା ଧାନ ମଧ୍ୟ ପୋଡ଼ି ଦିଆଯାଇଥିବା ଭଳି ସଂଗିନ ଅଭିଯୋଗ ଥାନାରେ ହୋଇଥିଲା। ସେହିଦିନଠାରୁ ୧୪ ମାସ ହେଲା ତିନି ପରିବାର ବାସନ୍ଦ ଜୀବନ ବିତାଉଛନ୍ତି। ବୌଦ୍ଧ ଥାନା ପୁଲିସ ମଧ୍ୟସ୍ଥତାରେ ହୋଇଥିବା ମୀମାଂସା ଉଦ୍ୟମ ମଧ୍ୟ ବିଫଳ ହୋଇଛି। ଏପରିକି ସମ୍ପୃକ୍ତ ୩ ପରିବାର ଜିଲ୍ଲାପାଳ ଓ ଏସପିଙ୍କୁ ଭେଟି ହସ୍ତକ୍ଷେପ କରିବାକୁ ଗୁହାରି କରିଥିଲେ। ତଥାପି ସମାଧାନର ବାଟ ବାହାରି ପାରିନାହିଁ। ଇତି ମଧ୍ୟରେ ଏସ୍‌ପି ଓ ଜିଲ୍ଲାପାଳ ବଦଳି ଥିବାବେଳେ ସୋମବାର ପୁଣିଥରେ ଶ୍ରୀ ମାଝୀ ସପରିବାର ନୂଆ ଜିଲ୍ଲାପାଳଙ୍କୁ ଲିଖିତ ଭାବରେ ଜଣାଇଛନ୍ତି। ଏବେ ଜିଲ୍ଲା ପ୍ରଶାସନର ପଦକ୍ଷେପ ଉପରେ ଏହି ତିନି ପରିବାରର ଭବି​ଷ୍ୟତ ନିର୍ଭର କରୁଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।