ରାଜ୍ୟ ସ୍ପେଶାଲ ରିପୋର୍ଟ

ଅନ୍ତିମ ଶଯ୍ୟାରେ ଭେଡ଼େନ ନଦୀ: ୨୦ବର୍ଷରେ ନଦୀର ପ୍ରସ୍ଥ ୫୦ମିଟରରେ ପହଞ୍ଚିଲାଣି

ଝାରସୁଗୁଡ଼ା: ଗୋଟିଏପଟେ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ମହାନଦୀକୁ ନେଇ ରାଜନୀତି ସରଗରମ ହୋଇଥିବା ବେଳେ ଅନ୍ୟପଟେ ପଶ୍ଚିମ ଓଡ଼ିଶାରେ ସ୍ବାଧୀନତା ସଂଗ୍ରାମର ଅନ୍ୟତମ ମୂକସାକ୍ଷୀ କୁହାଯାଉଥିବା ଭେଡ଼େନ ନଦୀ ଏବେ ଅନ୍ତିମ ନିଶ୍ବାସ ଗଣୁଛି। ଭେଡ଼େନ ନଦୀ ଐତିହାସିକ ସ୍ଥାନ ବଣାଇରୁ ବାହାରି ଝାରସୁଗୁଡ଼ା ଜିଲ୍ଲା ଖେରୁଆଲ୍‌ରେ ଇବ୍‌ ନଦୀ ସହିତ ମିଶିଛି। କିନ୍ତୁ, ଏହି ସଙ୍ଗମସ୍ଥଳ ପୂର୍ବରୁ ହିଁ ନଦୀକୁ ପୋତିଦେବାର ଅଭିଯାନ ଆରମ୍ଭ ହୋଇଛି। ବିଗତ ୨୦ ବର୍ଷରେ ଖେରୁଆଳରେ ନଦୀର ପ୍ରସ୍ଥ ୨ଶହ ମିଟରରୁ ହ୍ରାସ ପାଇ ଏବେ ୫୦ ମିଟରରେ ପହଞ୍ଚିଗଲାଣି। ଏହି ପ୍ରସଙ୍ଗରେ ପରିବେଶବିତ୍‌ମାନେ ହାଇକୋର୍ଟରୁ ନେଇ ଜାତୀୟ ଗ୍ରିନ୍‌ ଟ୍ରିବ୍ୟୁନାଲଙ୍କ ଦ୍ବାରସ୍ଥ ବି ହୋଇଛନ୍ତି। କିନ୍ତୁ, ନଦୀ ସୁରକ୍ଷା ଦିଗରେ ସରକାର କାଣିଚାଏ ବି ଆଗ୍ରହ ଦେଖାଉନଥିବାରୁ ଇବ୍‌ ନଦୀର ଏହି ଉପନଦୀ ଏବେ ନିଜର ଅସ୍ତିତ୍ବ ହରାଇବାକୁ ବସିଲାଣି।

ସ୍ବାଧୀନତା ସଂଗ୍ରାମର ଇତିହାସ ଦେ‌ଖିଲେ ସିପାହୀ ବିଦ୍ରୋହ ସମୟରେ ବି ଏହି ଭେଡ଼େନ ନଦୀ ଅନେକ ଗୁରୁତ୍ବପୂର୍ଣ୍ଣ ବିଦ୍ରୋହ ତଥା ଯୁଦ୍ଧ ଦେଖିଛି। କୁଦୋପାଲି ଯୁଦ୍ଧରେ ଛବିଳ ସାଏ ନିହତ ହେବାପରେ ସଂଗ୍ରାମ ପାଇଁ ସୈନ୍ୟ ଯୋଗାଡ଼ିବାର ଦାୟିତ୍ବ ନେଇଥିବା ସେତେବେଳର କୋଲାବିରା ଜମିଦାର କରୁଣାକର ସିଂହ ନାଏକଙ୍କ ଘର ଓ ବସ୍ତି ପୋଡ଼ି ଦେଇଥିଲେ ଇଂରେଜ ସୈନ୍ୟ। ଏହିସମୟରେ ଏବେର କୋଲାବିରା ବ୍ଲକ୍‌ ଭୋଗରାପାଲି ନିକଟସ୍ଥ ଭେଡ଼େନ ନଦୀର ରକତଝରିଆଠାରେ କରୁଣାକର ସିଂହ ନାଏକ ଓ ଇଂରେଜ ସୈନ୍ୟ ମୁହାଁମୁହିଁ ହୋଇଥିଲେ। ଯେଉଁଥିରେ ନଦୀତଟ ରକ୍ତରଞ୍ଜିତ ହୋଇଥିଲା ଓ କରୁଣାକରଙ୍କୁ ବନ୍ଦୀ କରିନେଇଥିଲେ ଇଂରେଜ। କେବଳ ସେତିକି ନୁହେଁ, ବରଂ ଏହାର ଯଥେଷ୍ଟ ପୂର୍ବରୁ ୧୫୫୦ରୁ ୧୬୦୦ ଖ୍ରୀଷ୍ଟାବ୍ଦ ମଧ୍ୟରେ ଏହି ଭେଡ଼େନ ନଦୀକୂଳରେ ଭୋଗରାଗଡ଼ ନାମରେ ଏକ ରାଜ୍ୟ ବି ରହିଥିଲା। ଆଜି ବି ପ୍ରତ୍ନତତ୍ତ୍ବବିତ୍‌ଙ୍କ ଖନନ ସମୟରେ ଏହି ଅଞ୍ଚଳରୁ ସେଇ ସମୟର ରାଜମହଲର ପ୍ରମାଣ ମିଳେ।

ଇତିହାସ ପୃଷ୍ଠାକୁ ଦେଖିଲେ ଏହି ନଦୀର ଆୟତନ ଯଥେଷ୍ଟ ଅଧିକ ରହିଥିଲା। ଏପରିକି ନଦୀର ବଣାଇରୁ ନେଇ ଖେରୁଆଲ୍‌ ମଧ୍ୟରେ ୩୦ରୁ ଅଧିକ ସ୍ଥାନରେ ଫେରିଡଙ୍ଗାରେ ଯାତ୍ରୀଙ୍କୁ ନେବା ଆଣିବା କରାଯାଉଥିଲା। ପୁରୁଣା ପୁସ୍ତକ ଓ ଲୋକକଥା ଅନୁସାରେ, ଖେରୁଆଲ ନଦୀର ଗଭୀରତା ୪୦ ଫୁଟ୍‌ରୁ ଅଧିକ ରହିଥିଲା। କିନ୍ତୁ, ୧୯୯୦ ମସିହା ପରଠାରୁ ଲଗାତାର ଭାବେ ଏହି ନଦୀକୁ ସଂକୁଚିତ କରିବା ପାଇଁ ଉଦ୍ୟମ ଜାରି ରହିଛି। ପରିବେଶବିତ୍‌ଙ୍କ ମତରେ, ଶିଳ୍ପାନୁଷ୍ଠାନଗୁଡ଼ିକରୁ ବଡ଼ ବଡ଼ ପାଇପ୍‌ ଯୋଗେ ଅର୍ଦ୍ଧତରଳ ପାଉଁଶ ସ୍ଲରି ସିଧାସଳଖ ଭେଡ଼େନ ନଦୀକୁ ଛାଡ଼ି ଦିଆଯାଉଛି। ଫଳରେ, ସଙ୍ଗମସ୍ଥଳରୁ ଅଳ୍ପଦୂରରେ ନଦୀ ସଙ୍କୀର୍ଣ୍ଣ ହୋଇଯାଇଛି।’ ଏହି ନଦୀପୋତା ଅଭିଯାନରେ ରୋକ୍‌ ନଲାଗିଲେ ଏହାର ଅପମୃତ୍ୟୁ ନିଶ୍ଚିତ ବୋଲି ପରିବେଶ୍‌ବିତମାନେ ଆଶଙ୍କା ପ୍ରକାଶ କରିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।