ରାଜ୍ୟ ସ୍ପେଶାଲ ରିପୋର୍ଟ

ଅନ୍ତଃରାଜ୍ୟ ଲୁଟେରାଙ୍କ ନିଶାଣରେ ରାଜଧାନୀ: ଏରାଗୋଲାରୁ ଇରାନି ଗ୍ୟାଙ୍ଗ୍‌

ଭୁବନେଶ୍ବର: ଭୁବନେଶ୍ବରର ଜନସଂଖ୍ୟା ବୃଦ୍ଧି ସହିତ ତାଳ ଦେଇ ଅପରାଧ ସାମ୍ରାଜ୍ୟ ବଢ଼ିଚାଲିଛି। ଅନ୍ତଃରାଜ୍ୟ ଅପରାଧୀ ଗ୍ୟାଙ୍ଗ୍‌ଗୁଡ଼ିକର ନିଶାଣରେ ରହିଛି ରାଜଧାନୀ। ଚୋରି, ଛିନ୍‌ତାଇ, ରାହାଜାନୀ, ଡକାୟତି ଗ୍ୟାଙ୍ଗ୍‌ ସବୁ ଭୁବନେଶ୍ବରରେ ଡେରା ପକାଇଛନ୍ତି। ପଶ୍ଚିମବଙ୍ଗ, ବିହାର, ଝାରଖଣ୍ଡ, ତାମିଲନାଡ଼ୁ ଓ ଆନ୍ଧ୍ରପ୍ର‌ଦେଶରୁ ଏଭଳି ଗ୍ୟାଙ୍ଗ୍‌ ରାଜଧାନୀରେ ସାମ୍ରାଜ୍ୟ ବିସ୍ତାର କରିଚାଲିଛନ୍ତି। ଏରାଗୋଲା ଗ୍ୟାଙ୍ଗ୍‌ରୁ ଇରାନି ଗ୍ୟାଙ୍ଗ୍‌ ପର୍ଯ୍ୟନ୍ତ ବିଭିନ୍ନ ଅନ୍ତଃରାଜ୍ୟ ଗ୍ୟାଙ୍ଗ୍‌ ଏବେ ଭୁବନେଶ୍ବରରେ ଆଡ଼ା ଜମାଇ ବସିଛନ୍ତି। କିଏ ଭିକ୍ଷା ବୃତ୍ତି ଆଳରେ ଘରେ ପଶି ଲୁଟୁଛି ତ କିଏ ମୁକ, ବଧିର, ଅନ୍ଧ ଆଦିର ଅଭିନୟ କରି ଘରେ କଳାକନା ବୁଲାଉଛି। ସେମିତି କେଉଁ ଗ୍ୟାଙ୍ଗ୍‌ ବାଇକ୍‌ରେ ବୁଲିବୁଲି ମହିଳାଙ୍କ ବେକରୁ ଗହଣା ଝାମ୍ପି ନେଉଛନ୍ତି ତ କେଉଁ ଗ୍ୟାଙ୍ଗ୍‌ ସୁନା ଗହଣା ସଫା କରିବା ଆଳରେ ଅସଲି ଗହଣା ଲୁଟି ପଳାଉଛନ୍ତି। ଏମିତିକି କିଛି ହିଂସ୍ର ଗ୍ୟାଙ୍ଗ୍‌ ରାସ୍ତାରେ ହଣାକଟା କରି ଲୁଟପାଟ୍‌ କରୁଛନ୍ତି। କେବଳ ସେତିକି ନୁହେଁ, ମହିଳା ଗ୍ୟାଙ୍ଗ୍‌ ଦୋକାନ, ମଲ୍‌ରେ ଗହଳି ସୁଯୋଗ ନେଇ ଲୁଟୁଛନ୍ତି। ରାଜଧାନୀରେ ଏଭଳି ୧୦ରୁ ଊର୍ଧ୍ବ ଅନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ୍‌ ସକ୍ରିୟ ଥିବା କମିସନରେଟ୍‌ ପୁଲିସର ତଥ୍ୟରୁ ଜଣାପଡ଼ିଛି। କମିସନରେଟ୍‌ ପୁଲିସ ଏଭଳି ଗୋଟିଏ ପରେ ‌ଗୋଟିଏ ଗ୍ୟାଙ୍ଗ୍‌କୁ ଠାବ କରିବା ପରେ ନୂଆ ଗ୍ୟାଙ୍ଗ୍‌ର ଗୁମର ପଦାକୁ ଆସୁଛି। ଏହା ଏବେ କମିସନରେଟ୍‌ ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ୍‌ ସୃଷ୍ଟି ‌କରିଛି।

ଏରାଗୋଲା ବା ତେଲ୍‌ଗୁ ଗ୍ୟାଙ୍ଗ୍‌

ଏହି ଗ୍ୟାଙ୍ଗ୍‌ ବେଶ୍ ପୁରୁଣା। ଏମାନେ ଯାଯାବର ଭଳି ଗୋଟିଏ ସହରରୁ ଡକାୟତି କରିବା ପରେ ଅନ୍ୟ ସହରକୁ ପଳାନ୍ତି। ଏବେ କିନ୍ତୁ ଏମାନେ ଅତ୍ୟାଧୁନିକ ଅପରେସନ୍‌ କରୁଛନ୍ତି। ବିଶେଷକରି ବ୍ୟାଙ୍କ୍‌ରୁ ଟଙ୍କା ଉଠାଇ ଫେରୁଥିବା ଗ୍ରାହକଙ୍କୁ ରାସ୍ତାରେ ଲୁଟ୍‌ କରୁଛନ୍ତି। ଏମାନଙ୍କ ଭିତରୁ ଜଣେ ଦି’ଜଣ ବ୍ୟାଙ୍କ ଭିତରେ ରହି ଟଙ୍କା ଉଠାଉଥିବା ବ୍ୟକ୍ତିଙ୍କ ଉପରେ ନଜର ରଖନ୍ତି ଏବଂ ବାହାରେ ଅପେକ୍ଷା କରିଥିବା ଗ୍ୟାଙ୍ଗ୍‌ର ଅନ୍ୟମାନଙ୍କୁ ଟିକିନିଖି ଖବର ଜଣାନ୍ତି। ବାହାରେ ଥିବା ଲୁଟେରାମାନେ ଉକ୍ତ ବ୍ୟକ୍ତିଙ୍କୁ ପିଛା କରି ରାସ୍ତାରେ ଛିନ୍‌ତାଇ କରନ୍ତି। ଆବଶ୍ୟକ ପଡ଼ିଲେ, ସେମାନେ ଛୁରି, ଖଣ୍ଡା, କାତି, ଭୁଜାଲି, ବନ୍ଧୁକ ଭଳି ମାରଣାସ୍ତ୍ର ବ୍ୟବହାର କରିବାକୁ ପଛାନ୍ତି ନାହିଁ। ୨୦୨୧ ଜୁଲାଇ ୬ରେ ଏମିତି ଏକ ୧୧ ଜଣିଆ ଏରାଗୋଲା ଗ୍ୟାଙ୍ଗ୍‌ରୁ ୩ ଜଣ ଆନ୍ଧ୍ରପ୍ରଦେଶକୁ ଚମ୍ପଟ ମାରିବାରେ ସକ୍ଷମ ହୋଇଥିବା ବେଳେ କମିସନରେଟ୍‌ ପୁଲିସ ୮ ଜଣଙ୍କୁ ଗିରଫ କରିଥିଲା। ସେମାନେ ହେଲେ ଆନ୍ଧ୍ରପ୍ରଦେଶ ନେଲୋର ଅଞ୍ଚଳର ପେଟ୍‌ଲା ନବୀନ, ଗୁଗୁଲା ରାଜା, ଏକୁଲା ଡାନିଏଲ୍‌, ପି. ଦେଭା, କୁଞ୍ଚାଲୁ ଚନ୍ନା, ବାଇଗ୍‌ ଇବ୍ରାଜିମା, ବନାଲା ପୌଲୁ ଓ ଗୋଗୁଲା ସଲ୍‌ମାନ। ସେମାନଙ୍କଠାରୁ ନଗଦ ଦେଢ଼ ଲକ୍ଷ ଟଙ୍କା, ୨ଲକ୍ଷ ଟଙ୍କା ମୂଲ୍ୟର ଏକ ହୀରା ହାର, ଦୁଇଟି ବାଇକ୍‌, ୧୨ଟି ମୋବାଇଲ୍‌, ମାରଣାସ୍ତ୍ର ଓ କେତେକ ଜାଲ୍‌ ପରିଚୟପତ୍ର ଜବତ କରାଯାଇଥିଲା।

ଲେଡି ଲୁଟେରା ଗ୍ୟାଙ୍ଗ

ଦିନରେ ଶ୍ରମିକ ଭାବେ କାମ କରୁଥିବା ଏହି ଗ୍ୟାଙ୍ଗ୍‌ର ସଦସ୍ୟମାନେ ଦୋକାନ, ମଲ୍‌କୁ ଯାଇ ଗହଳିରେ ମେଳି କରି ଜିନିଷ କିଣିବା ଆଳରେ ଜିନିଷପତ୍ର ଲୁଚାଇ ନେଇଯାଆନ୍ତି। ମନ୍ଦିର, ଧର୍ମାନୁଷ୍ଠାନରେ ଗହଳି ବେଳେ ମହିଳା ଓ ଯୁବତୀଙ୍କଠାରୁ ଗହଣା, ପର୍ସ ଆଦି ଛଡ଼ାଇନିଅନ୍ତି। ଏମିତି ଏକ ଲେଡି ଲୁଟେରା ଗ୍ୟାଙ୍ଗ୍‌କୁ ମାର୍ଚ୍ଚ ୩୧ରେ କମିସନରେଟ୍‌ ପୁଲିସ ଠାବ କରିଥିଲା। ପଶ୍ଚିମବଙ୍ଗର ପୁନମ୍‌ ସେନ୍‌ଗୁପ୍ତା, ଯମୁନା ମୁଦୁଲିଆ, ଅଞ୍ଜି ସ୍ବାମ୍‌ ଓ ଉମା ମାଳିକୁ ଗିରଫ କରାଯାଇଥିଲା ଏବଂ ସେମାନଙ୍କଠାରୁ ସୁନାଗହଣା ଓ ଟଙ୍କା ଜବତ କରିଥିଲା।

ଅଣଓଡ଼ିଆ ଗ୍ୟାଙ୍ଗ୍‌ ପାଇଁ ସୁରକ୍ଷିତ ସ୍ଥାନ

ଅନ୍ତଃରାଜ୍ୟ ଲୁଟେରାଙ୍କ ପାଇଁ ଓଡ଼ିଶା ସୁରକ୍ଷିତ ସ୍ଥାନ ପାଲଟିଛି। ସେମାନେ ନିଜ ରାଜ୍ୟରେ ଅପରାଧ ଘଟାଇବା ପରେ ଗିରଫଦାରୀ ବା ଏନ୍‌କାଉଣ୍ଟର୍‌ରୁ ବର୍ତ୍ତିବା ପାଇଁ ଓଡ଼ିଶାକୁ ଚାଲିଆସୁଛନ୍ତି। ଏଠାରେ ପରିଚୟ ବଦଳାଇ ରହୁଛନ୍ତି। ବିଭିନ୍ନ ବସ୍ତିରେ ରହି ପ୍ରଥମେ ଶ୍ରମିକଭାବେ ବା ବ୍ୟବସାୟ କରୁଛନ୍ତି। ଏହାପରେ ଆରମ୍ଭ କରୁଛନ୍ତି ଲୁଟ୍‌ପାଟ। କମିସନରେଟ୍‌ ପୁଲିସକୁ ଚକ୍‌ମା ଦେବା ପାଇଁ ବାରମ୍ବାର ସ୍ଥାନ ବଦଳାଉଛନ୍ତି।

ଇରାନି ଗ୍ୟାଙ୍ଗ୍‌

ଇରାନି ଗ୍ୟାଙ୍ଗର ପୂର୍ବପୁରୁଷମାନେ ଘୋଡ଼ା ବେପାର ସହ ତାଲା, ଚାବି ଆଦି ବିକ୍ରି କରୁଥିଲେ। ଏବେ କିନ୍ତୁ ଏମାନେ ଡକାୟତି କରୁଛନ୍ତି। ପ୍ରଥମେ ଏମାନେ ପଶ୍ଚିମ ଓଡ଼ିଶାରେ ଝାରସୁଗୁଡ଼ା, ବଲାଙ୍ଗୀର, ନୂଆପଡ଼ା ଆଦି ଜିଲ୍ଲାରେ ସକ୍ରିୟ ଥିଲେ। ପରେ ଉପକୂଳ ଓଡ଼ିଶା ମୁହାଁ ହୋଇଥିଲେ। ବୁଲିବୁଲି ଗ୍ରହପଥର ବେପାର କରିବା ବାହାନାରେ ଲୁଟ୍‌ପାଟ କରୁଥିଲେ। ଗତ କିଛି ବର୍ଷ ହେଲା ଏମାନେ ରାଜଧାନୀରେ ଡେରା ପକାଇଥିଲେ। ଚଳିତ ବର୍ଷ ଜାନୁଆରି ୭ରେ କମିସନରେଟ୍‌ ପୁଲିସ ପଞ୍ଝାରେ ପଡ଼ିଥିଲା ଏହି ଗ୍ୟାଙ୍ଗ୍‌। ଜାହିର ହୁସେନ୍‌ ଓରଫ୍‌ ଆବୁ ତାଲିବ୍‌, ସନୋଜ କୁମ୍ଭାର, କିସ୍ମତ୍‌ ଅଲ୍ଲୀ ଏବଂ ସିକନ୍ଦର ଅଲ୍ଲୀକୁ ପୁଲିସ ଗିରଫ କରିବା ସହ ସେମାନଙ୍କଠରୁ ୨୫ଟି ସୁନା‌ ଚେନ୍‌, ୫ଟି ସ୍ପିଡ୍‌ ବାଇକ୍‌, ୩ଟି ମୋବାଇଲ୍‌ ଫୋନ୍‌ ଓ ବିପୁଳ ଗ୍ରହପଥର ଜବତ କରାଯାଇଥିଲା। ଏହି ଗ୍ୟାଙ୍ଗ ଝାରଖଣ୍ଡ, ଛତିଶିଗଡ଼ ଓ ପଶ୍ଚିମବଙ୍ଗରେ ବି ଡକାୟତି କରିଥିଲେ ଏବଂ ପରେ ଓଡ଼ିଶା ଚାଲିଆସିଥିଲେ। ଏହି ଗ୍ୟାଙ୍ଗ୍‌ର ମାତ୍ର ୪ ଜଣ ଧରାପଡ଼ିଥିବା ବେଳେ ଅନେକ ସଦସ୍ୟ ଫେରାର୍‌ ଅଛନ୍ତି।

ତାମିଲ୍‌ ଗ୍ୟାଙ୍ଗ

ତାମିଲ୍‌ ଗ୍ୟାଙ୍ଗ୍‌ର ଲୁଟ୍‌ ତରିକା ଅଲଗା। ଏହି ଗ୍ୟାଙ୍ଗ୍‌ର କିଛି ସଦସ୍ୟ ନିଜକୁ ମୂକ, ବଧିର ସଜାଇ ଭିକ ବା ସାହାଯ୍ୟ ମାଗିବା ଆଳରେ ଘରଘର ବୁଲନ୍ତି। ବି‌ଶେଷକରି ସକାଳୁ ସକାଳୁ ଏମାନେ ମଉକା ଦେଖି ଘରେ ପଶି ମୋବାଇଲ୍‌, ଲାପଟପ୍‌ ଭଳି ଦାମୀ ଜିନିଷ ଧରି ପାର୍‌ ହୋଇଯାଆନ୍ତି। ଏମାନେ ମେସ୍‌, ହଷ୍ଟେଲ୍‌କୁ ବେଶି ନଜରରେ ରଖନ୍ତି। ଯଦି ଏମାନେ ଧରାପଡ଼ିଯାଆନ୍ତି, ପାଖରେ ରଖିଥିବା ମୂକ, ବଧିର ସାର୍ଟିଫିକେଟ୍‌ ଦେଖାଇ ଲୋକଙ୍କୁ ଚକ୍‌ମା ଦେଇ ଚମ୍ପଟ ମାରିବାକୁ ଚେଷ୍ଟା କରନ୍ତି। ଏଭଳି ଏକ ଗ୍ୟାଙ୍ଗ୍‌କୁ କମିସନରେଟ୍‌ ଚଳିତ ବର୍ଷ ମାର୍ଚ୍ଚ ୨୩ ତାରିଖରେ ଠାବ କରିଥିଲା। ତାମିଲନାଡ଼ୁର କେ. ବାଲାଜୀ ଓରଫ୍‌ ବାଲା, ଏନ୍‌. ମୁରଗାନ୍‌ ଏବଂ ଡି. ଗୋବିନ୍ଦନ୍‌ ଏମିତି ୩ଜଣଙ୍କୁ ପୁଲିସ ଗିରଫ କରିଥିଲା। ସେମାନଙ୍କଠାରୁ ୪ଟି ଲ୍ୟାପଟପ୍‌, ୭ ମୋବାଇଲ୍‌ ସମେତ ବହୁ ଚୋରି ଜିନିଷ ଜବତ କରିଥିଲା। ଏହି ଗ୍ୟାଙ୍ଗ୍‌ର ୫ଜଣ ଏବେ ବି ଫେରାର୍‌ ଅଛନ୍ତି।

ବଙ୍ଗୀୟ ବାଇକ୍‌ ଲୁଟେରା ଗ୍ୟାଙ୍ଗ୍‌

ଏହି ଗ୍ୟାଙ୍ଗ୍‌ ଭୁବନେଶ୍ବରରୁ ବାଇକ୍‌ ଚୋରି କରିବା ପରେ ତା’ର ପାର୍ଟସ୍‌ ସବୁକୁ ଅଲଗା ଅଲଗା କରିଦେଉଥିଲେ। ପରେ ଅଲଗା ଅଲଗା ବାଇକ୍‌ର ପାର୍ଟସ୍‌ ମିଶାଇ ଆଉ ଏକ ବାଇକ୍‌ ପ୍ରସ୍ତୁତ କରୁଥିଲେ ଏବଂ ତାହାକୁ ପଶ୍ଚିମବଙ୍ଗ ପଠାଇ ଦେଉଥିଲେ। କିଛି ବାଇକ୍‌ ଇଞ୍ଜିନ୍‌ଗୁଡ଼ିକୁ ବୋଟ୍‌ ଇଞ୍ଜିନ ପାଇଁ ବିକ୍ରି କରୁଥିଲେ। ସେହିଭଳି କିଛି ଚୋରି ବାଇକ୍‌କୁ ଡକାୟତିରେ ବ୍ୟବହାର କରୁଥିଲେ। ଏମିତି ଏକ ଗ୍ୟାଙ୍ଗ୍‌କୁ କମିସନରେଟ୍‌ ପୁଲିସ ଗତ ଏପ୍ରିଲ୍‌ ୩୦ ତାରିଖରେ ଠାବ କରିଥିଲା। ପଶ୍ଚିମବଙ୍ଗର ସୌମିତ୍ର ଦାସ, ଗୁନଧର ମିର୍ଦା, ସେମାନାଥ ଦାସ ଏବଂ ସାମନ୍ତରାପୁର ଅଞ୍ଚଳର ଏସ୍‌ ସୁକାନ୍ତ ରେଡ୍ଡୀଙ୍କୁ ମିଶାଇ ଗ୍ୟାଙ୍ଗ୍‌ର ୪ଜଣଙ୍କୁ ଗିରଫ କରାଯାଇଥିଲା ଏବଂ ସେମାନଙ୍କଠାରୁ ୧୭ଟି ବାଇକ୍‌ ଏବଂ ୩୦ରୁ ଊର୍ଧ୍ବ ବାଇକ୍‌ର ପାଟର୍ସ ଜବତ କରାଯାଇଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।