ରାଜ୍ୟ ସ୍ପେଶାଲ ରିପୋର୍ଟ

ଅନୁଗୁଳ ପୌରପାଳିକାର ଅନ୍ଧାରୀ କାରସାଦି: ରାତିଅଧିଆ ନଅ ମୂର୍ତ୍ତି ଗାଏବ

ଅନୁଗୁଳ : ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଗାନ୍ଧୀବାଦୀ ନେତା ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତି ବିକୃତି ଘଟଣାକୁ ନେଇ ଚାରିଆଡ଼େ ପ୍ରତିକ୍ରିୟା ପରେ ଅନୁଗୁଳ ପୌରପାଳିକା ନବବାବୁ ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ପବିତ୍ର ପ୍ରଧାନଙ୍କର ପ୍ରତିମୂର୍ତ୍ତିକୁ ଉଠାଇ ନେଇଥିଲା। ମାଳତୀ ଦେବୀଙ୍କ ସହିତ ଅନ୍ୟ ୯ଜଣ ସ୍ବାଧୀନତା ସଂଗ୍ରାମୀଙ୍କର ପ୍ରତିମୂର୍ତ୍ତି ଗୋପବନ୍ଧୁ ପାର୍କରେ ସ୍ଥାନିତ କରିଥିଲେ। ହେଲେ, ରାତାରାତି ସେହି ନଅଜଣ ସ୍ବାଧୀନତା ସଂଗ୍ରାମୀଙ୍କର ପ୍ରତିମୂର୍ତ୍ତିକୁ ଗାଏବ କରି ଦିଆଯାଇଛି। ଅନୁଗୁଳ ପୌରପାଳିକାର ଏ ପ୍ରକାର ଅନ୍ଧାରୀ କାରସାଦି ସହରସାରା ଚର୍ଚ୍ଚାର ବିଷୟ ହୋଇଛି।

ସୂଚନା ମୁତାବକ, ଗଲା ଉତ୍କଳ ଦିବସରେ ଅନୁଗୁଳ ପୌରପାଳିକା ଗୋପବନ୍ଧୁ ପାର୍କରେ ଅନୁଗୁଳ ମାଟି ସହିତ ଜଡ଼ିତ ୧୧ଜଣ ସ୍ବାଧୀନତା ସଂଗ୍ରାମୀଙ୍କର ପ୍ରତିମୂର୍ତ୍ତି ଠିଆ କରିଥିଲା। ତନ୍ମଧ୍ୟରେ ଥିଲେ, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବବାବୁ, ଉପ ମୁଖ୍ୟମନ୍ତ୍ରୀ ପବିତ୍ର ପ୍ରଧାନ, ସ୍ବାଧୀନତା ସଂଗ୍ରାମୀ ମାଳତୀ ଚୌଧୁରୀ, ହୃ୍ଷୀକେଶ ପ୍ରଧାନ, ହୃଷୀକେଶ ତ୍ରିପାଠୀ, ଦିବାକର ପ୍ରଧାନ, ବିଚ୍ଛନ୍ଦ ପ୍ରଧାନ, ଗୌତମ ପ୍ରଧାନ, କୃତ୍ତିବାସ ରଥ, ବ୍ରଜସୁନ୍ଦର ଦାସଙ୍କ ସମେତ ମୋଟ୍ ୧୧ଜଣ ପୂଜ୍ୟପୂଜ୍ୟାଙ୍କୁ ପାର୍କରେ ସ୍ଥାନିତ କରାଯାଇଥିଲା। ପ୍ରତିମୂର୍ତ୍ତିରେ ଫୁଲମାଳ ପଡ଼ିବା କ୍ଷଣି ଆରମ୍ଭ ହୋଇଥିଲା ବାଦ ପ୍ରତିବାଦ। ସାରାଓଡ଼ିଶା ବେଶି କ୍ଷୁବ୍ଧ ହୋଇଥିଲା ନବବାବୁଙ୍କ ପ୍ରତିମୂର୍ତ୍ତିକୁ ନେଇ।

ନବବାବୁ ଥିଲେ ଗାନ୍ଧୀବାଦୀ, ଋଷି ପ୍ରତୀମ ବ୍ୟକ୍ତିତ୍ବ। ସାଦା ଜୀବନ ଓ ଉଚ୍ଚ ବିଚାରକୁ ସାରା ଜୀବନ ନିଜର ଆଦର୍ଶ କରି ନେଇଥିଲେ। ସେହିଭଳି ବଞ୍ଚିଥିଲେ। କିନ୍ତୁ, ପାଠପଢ଼ି ଶିକ୍ଷିତ ଅଫିସର ବୋଲାଉଥିବା ଅନୁଗୁଳ ପୌରାଧିକାରୀ ଏ ଗାନ୍ଧୀବାଦୀ ନେତାଙ୍କୁ ସଜାଇ ଦେଇଥିଲେ ବିଲାତି ବାବୁ। ନବବାବୁଙ୍କୁ ବେକଚିପା ଫୁଲ୍‌ ସାର୍ଟ ସହିତ ଫୁଲ୍‌ ପ୍ୟାଣ୍ଟ୍‌, ବୁଟ୍‌ ପିନ୍ଧାଇ ଦେଇ ପାର୍କ ଭିତରେ ଠିଆ କରାଇ ଦେଇଥିଲେ। ପୌରାଧିକାରୀଙ୍କର ଏ ପ୍ରକାର ଭୁଲ୍‌ ପାଇଁ ଜିଲ୍ଲା ପ୍ରଶାସନଠାରୁ ଆରମ୍ଭ କରି ସରକାର ଯାଏ ସମସ୍ତେ ସମାଲୋଚିତ ହେଲେ। ତା’ ପରଠାରୁ ନବବାବୁ ଏବଂ ପବିତ୍ର ପ୍ରଧାନଙ୍କର ମୂର୍ତ୍ତିକୁ ପାର୍କରୁ ହଟାଇ ଦିଆଗଲା। କିନ୍ତୁ, ଅନ୍ୟ ନଅ ଜଣଙ୍କର ମୂର୍ତ୍ତି ପାର୍କରେ ସ୍ଥାନିତ ହୋଇଥିଲା। ଅନୁଗୁଳ ପୌରପାଳିକା ସମସ୍ତ ନଅ ମୂର୍ତ୍ତିକୁ କଳା ଜରିପାଲରେ ଘୋଡ଼ାଇ ରଖିଥିଲା। ଶେଷରେ, ପୌର ପ୍ରଶାସନ ରାତିଅଧିଆ ଗୋପବନ୍ଧୁ ପାର୍କରୁ ସବୁ ମୂର୍ତ୍ତିକୁ କାଟି ନେଇଛି। ପାର୍କରେ ପେଣ୍ଡାଲ୍ ସବୁ ଅଛି, କିନ୍ତୁ ମୂର୍ତ୍ତି ଗାଏବ ହୋଇଯାଇଛି।

ଏ ସମ୍ପର୍କରେ ଅନୁଗୁଳ‌ ପୌର ପ୍ରଶାସନ ଆଦୌ ମୁହଁ ଖୋଲୁ ନଥିବା ବେଳେ ପୂରା ଘଟଣା ଏବେ ରହସ୍ୟମୟ ହୋଇଉଠିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।