ରାଜ୍ୟ ସ୍ପେଶାଲ ରିପୋର୍ଟ

ଅଧାରେ ଝୁଲିଛି ମେଣ୍ଟ: ଚର୍ଚ୍ଚାରେ ପାଣ୍ଡିଆନଙ୍କ ଇନ୍‌ଷ୍ଟାଗ୍ରାମ୍‌ ପୋଷ୍ଟିଂ

ଭୁବନେଶ୍ବର: ବିଜେପି ସହିତ ମେଣ୍ଟ ନେଇ ଛକାପଞ୍ଝା ଭିତରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ମଧ୍ୟରେ ଗୋଟିଏ ୧୩ ସେକେଣ୍ଡର ବାର୍ତ୍ତାଳାପ ସାମ୍ନାକୁ ଆସିଛି। ଏହି ଭିଡିଓରେ ନା ମୁଖ୍ୟମନ୍ତ୍ରୀ କାହାର ନାଁ ନେଇଛନ୍ତି ନା ଶ୍ରୀ ପାଣ୍ଡିଆନ। କିନ୍ତୁ ରାଜନୈତିକ ମହଲ ଏଥିରୁ ଯେଉଁ ଗନ୍ଧ ବାରୁଛନ୍ତି, ତାହା ହେଲା- ମେଣ୍ଟ ଆଲୋଚନା ନେଇ ରାଜ୍ୟ ବିଜେପି ସଭାପତି ଏବଂ ରାଜ୍ୟ ବିଜେପି ନିର୍ବାଚନ ପ୍ରଭାରୀ ଯେଉଁ ମନ୍ତବ୍ୟ ଦେଇଛନ୍ତି ଏହି ଭିଡିଓ ସେମାନଙ୍କ ଉଦ୍ଦେଶ୍ୟରେ ହିଁ ଉଦ୍ଦିଷ୍ଟ। ଅର୍ଥାତ୍ ମେଣ୍ଟ ପ୍ରସଙ୍ଗରେ ଆଲୋଚନା ହୋଇନାହିଁ ବା ବିଜେପି ଏକାକୀ ଲଢ଼ିବ ବୋଲି ଯେଉଁ କଥା ବିଜେପି ନେତାମାନେ ଦାବି କରିଛନ୍ତି, ତାହା ଅସତ୍ୟ ବା ଗୁଜବ ବୋଲି ଉଭୟ ନେତା ଜଣାଇବାକୁ ବୋଧହୁଏ ଚାହିଁଛନ୍ତି। ରାଜନୈତିକ ମହଲ ଏହି କଥାରୁ ଆଉ ପାଦେ ଆଗକୁ ଯାଇ କହୁଛନ୍ତି ଯେ ବିଜେଡି-ବିଜେପି ମେଣ୍ଟ ନେଇ ଗତକାଲିର ସ୍ଥିତି ଯାହା ଥିଲା, ତାହା ଆଜି ବି ବଳବତ୍ତର ରହିଛି। ସୁତରାଂ ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀଙ୍କ ସ୍ତରରେ ହିଁ ମେଣ୍ଟର ଭାଗ୍ୟ ଝୁଲୁଛି।

ଆଜି ସନ୍ଧ୍ୟାରେ ସୋସିଆଲ୍ ମିଡିଆ ଇନ୍‌ଷ୍ଟ୍ରାଗ୍ରାମ୍‌ ପେଜ୍‌ରେ ଏକ ଭିଡିଓ ପୋଷ୍ଟ କରିଛନ୍ତି ଶ୍ରୀ ପାଣ୍ଡିଆନ। ଏହି ଭିଡିଓରେ ଶ୍ରୀ ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କୁ ପଚାରିଛନ୍ତି ଯେ ରାଜନୀତିରେ ସବୁଠୁ ଖରାପ ଜିନିଷ କ’ଣ?ଏହାର ଉତ୍ତରରେ ମୁଖ୍ୟମନ୍ତ୍ରୀ କହୁଛନ୍ତି, ରାଜନୀତିରେ ସବୁଠୁ ଖରାପ ହେଉଛି ଗୁଜବ ଓ ମିଛକଥା। ହଠାତ୍ ଏଭଳି ଗୋଟିଏ ଭିଡିଓ ରାଜ୍ୟ ରାଜନୀତିରେ ରୋଚକ ସ୍ଥିତି ସୃଷ୍ଟି କରିଛି। ଏଇଥିପାଇଁ ଯେ ଶୁକ୍ରବାର ନୂଆଦିଲ୍ଲୀରୁ ଫେରି ବିଜେପି ସଭାପତି ମନମୋହନ ସାମଲ ମେଣ୍ଟ ଆଲୋଚନାକୁ ରୋକ୍‌ଠୋକ୍ ପ୍ରତ୍ୟାଖ୍ୟାନ କରିଥିଲେ। ଏପରିକି ଏହି ପ୍ରସଙ୍ଗରେ ଆଲୋଚନା ହୋଇନାହିଁ ବୋଲି କହିଥିଲେ। ଆଜି ରାଜ୍ୟ ବିଜେପି ନିର୍ବାଚନ ପ୍ରଭାରୀ ବିଜୟପାଲ୍‌ ସିଂ ତୋମାର ମଧ୍ୟ କହିଛନ୍ତି, ମେଣ୍ଟ ନେଇ କୌଣସି ଆଲୋଚନା ହୋଇନାହିଁ। ଆମେ ଓଡ଼ିଶାର ସବୁ ସିଟ୍‌ରେ ଲଢ଼ିବାକୁ ପ୍ରସ୍ତୁତି ଜାରି ରଖିଛୁ। ବିଧାନସଭାରେ ୮୦ରୁ ଅଧିକ ସିଟ୍‌ ପାଇ ସରକାର ଗଢ଼ିବୁ ଏବଂ ଲୋକସଭାରେ ୧୬ରୁ ଅଧିକ ସିଟ୍‌ରେ ବିଜୟୀ ହେବୁ।

ଚର୍ଚ୍ଚାରେ ପାଣ୍ଡିଆନଙ୍କ ଇନ୍‌ଷ୍ଟାଗ୍ରାମ୍‌ ପୋଷ୍ଟିଂ
ରାଜନୀତିରେ ମିଛ ଓ ଗୁଜବ ସବୁଠୁ ଖରାପ: ନବୀନ
ବିଜେପିକୁ ଇଙ୍ଗିତ କରି ତୀର ମାରିଲେ
ମନମୋହନଙ୍କ କଥା ଦୋହରାଇଲେ ତୋମାର

ଏଭଳିସ୍ଥଳେ ପ୍ରଶ୍ନ ଉଠିବା ସ୍ବାଭାବିକ ଯେ ବିଜେଡି-ବିଜେପି ମେଣ୍ଟ ହେବା ପାଇଁ ଅସଲରେ କିଏ ଆଗ୍ରହୀ? ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ୍ ମେଣ୍ଟ ଆଲୋଚନା ଚାଲିଥିବା ସଂକ୍ରାନ୍ତରେ ସଙ୍କେତ ଦେଇଥିଲେ। ଏବେ ବିଜେପିର ଆଉ ଦୁଇଜଣ ନେତା ଏହାକୁ ଫାଙ୍କି ଉଡ଼ାଇ ଦେବା ପଛରେ କି ରହସ୍ୟ ରହିଛି, ତାହା ବୁଝା଼ପଡୁନାହିଁ। ବିଜେପି ବିଜେଡି ସହିତ ମୂଲଚାଲ ବଢ଼ାଇବା ପାଇଁ ଚାପ କୌଶଳ ପ୍ରୟୋଗ କରିଥାଇପାରେ ବୋଲି ଗୋଟିଏ ମହଲ ମତ ରଖୁଛନ୍ତି। ଅନ୍ୟ ଗୋଟିଏ ମହଲ କହୁଛନ୍ତି ଯେ ମେଣ୍ଟ ଆଲୋଚନାଟି ଅତି ଶୀର୍ଷସ୍ତରରେ ଚାଲିଛି। ସ୍ଥାନୀୟ ନେତାଙ୍କ ମତ ନିଆଯାଇଛି ସତ, ହେଲେ ଅସଲ ଆଲୋଚନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ରମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ସଭାପତି ଜେ ପି ନଡ୍ଡା ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ହିଁ ଚାଲିଛି। ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଶ୍ରୀ ପାଣ୍ଡିଆନ ଓ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଆଲୋଚନା କରି ଫେରିଛନ୍ତି। ହେଲେ ସେମାନେ କଣ ଆଲୋଚନା କରିଛନ୍ତି ତାହା ସାମ୍ନାକୁ ଆସିନାହିଁ। ଏହି ମହଲ ଆହୁରି ଦାବି କରୁଛନ୍ତି ଯେ ବିଜେଡି ରାଜ୍ୟ ନେତାମାନଙ୍କ ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୈଠକ କରିସାରିଛନ୍ତି। ଏଯାଏ ରାଜ୍ୟ ବିଜେଡି ପକ୍ଷରୁ ମେଣ୍ଟ ସମ୍ଭାବନାକୁ ଅଗ୍ରାହ୍ୟ କରାଯାଇନାହିଁ କିମ୍ବା ଏ ସଂକ୍ରାନ୍ତରେ ଦଳ ସ୍ପଷ୍ଟୀକରଣ ଦେଇନାହିଁ। ଅତଏବ ମୂଲଚାଲ ହିଁ ମେଣ୍ଟ ନିଷ୍ପତ୍ତିର ବିଳମ୍ବର କାରଣ ଏବଂ ଏହା ସ୍ବାଭାବିକ ବୋଲି କୁହାଯାଉଛି।

ଇତିମଧ୍ୟରେ ବିଜେଡି ନେତା ଡ. ନୃସିଂହ ସାହୁ କହିଛନ୍ତି ଯେ ମେଣ୍ଟ ସଂପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚୂଡ଼ାନ୍ତ ନିଷ୍ପତ୍ତି ନେବେ। ଓଡ଼ିଶାର ସ୍ବାର୍ଥ ପାଇଁ ବିଜେଡି ମେଣ୍ଟ କରିବାକୁ ରାଜି ହୋଇଛି। କେନ୍ଦ୍ର ସହିତ ଭଲ ସଂପର୍କ ରହିଲେ ବିଭିନ୍ନ ସୁବିଧା ମିଳିବ। ଏସଂପର୍କରେ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା ଚାଲିଛି। ମେଣ୍ଟ ହେଲେ କିଛି ଲୋକଙ୍କ ଟିକଟ କଟିବ। କିନ୍ତୁ କେହି ବିଦ୍ରୋହୀ ହେବେନି ବୋଲି ‌ସେ କହିଛନ୍ତି। ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଲା, ଇତିମଧ୍ୟରେ ଟିଡିପି ଓ ବିଜେପି ମଧ୍ୟରେ ବିବାଦ ତୁଟିଛି ଏବଂ ମନ ମିଶିଛି। ବର୍ଷେ କି ଦୁଇବର୍ଷ ନୁହେଁ; ୬ବର୍ଷ ପରେ ଏନ୍‌ଡିଏକୁ ଫେରିଲା ଟିଡିପି। ଉଭୟଙ୍କ ମେଣ୍ଟ ଘୋଷଣା ପରେ ପୂରା ଦେଶର ନଜର ଏବେ ବିଜେଡି-ବିଜେପି ଉପରେ ନିବଦ୍ଧ ରହିଛି। ବିଜେଡିର ଶୀର୍ଷସ୍ତରରୁ ମିଳୁଥିବା ଖବର ଅନୁଯାୟୀ ଆସନ୍ତା ଦୁଇଦିନ ମଧ୍ୟରେ ମେଣ୍ଟ ସଂକ୍ରାନ୍ତରେ କିଛି ବିଶେଷ ଖବର ମିଳିପାରେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।