ଫୁଲବାଣୀ : କେବଳ କନ୍ଧମାଳ ହଳଦୀ କାହିଁକି କନ୍ଧମାଳ ଅଦାର ଚାହିଦା ଦେଶବିଦେଶରେ ଶୀର୍ଷରେ ରହିଛି। କନ୍ଧମାଳ ହଳଦୀ ପରେ ପରେ କନ୍ଧମାଳ ଅଦା ଚାଷ ବି ଏଠାକାର ଆଦିବାସୀଙ୍କୁ ଜୀବନଜୀବିକାର ମାର୍ଗ ଦେଖାଇଛି। ଦେଶବିଦେଶରେ କନ୍ଧମାଳର ‘ଜିଞ୍ଜର ସ୍ଲାଇସ୍’ର ଚାହିଦା ଆକାଶଛୁଆଁ ରହିଛି। କନ୍ଧମାଳ ଜିଲ୍ଲାର ମାଳଭୂମି ଅଦା ଚାଷ ପାଇଁ ସବୁଠୁ ଉତ୍କୃଷ୍ଟ ହୋଇଥିବାରୁ ଏଠାକାର ଆଦିବାସୀ ପାରମ୍ପରିକ ପଦ୍ଧତିରେ ଜୈବିକ ପ୍ରଣାଳୀରେ ଅଦା ଚାଷ କରି ବେଶ ଲାଭବାନ ହୋଇପାରୁଛନ୍ତି। କନ୍ଧମାଳ ଜିଲ୍ଲାର ଦାରିଂବାଡ଼ି, ବାଲିଗୁଡ଼ା, କୋଟଗଡ଼ ଓ ତୁମୁଡ଼ିବନ୍ଧ ବ୍ଲକ୍ ଏହି ଚାଷ ପାଇଁ ପ୍ରସିଦ୍ଧିଲାଭ କରିଛି। ଏଠାକାର ଆଦିବାସୀମାନେ ଅଦା ଚାଷକୁ ମୁଖ୍ୟ ଜୀବିକା କରି ବଞ୍ଚିଥାନ୍ତି।
ଚଳିତ ୨୦୨୨-୨୩ ବର୍ଷରେ କନ୍ଧମାଳ ଜିଲ୍ଲାରେ ୧୮୫୦ ହେକ୍ଟର ଜମିରେ ଅଦା ଚାଷ କରାଯାଇଛି। ପ୍ରାୟ ୩୦୦୦ ମେଟ୍ରିକ୍ ଟନ୍ ଅଦା ଅମଳ କରାଯିବାର ଲକ୍ଷ୍ୟ ରହିଛି। ବର୍ଷର ଏପ୍ରିଲ-ମେ ମାସ ବେଳକୁ ଅଦା ରୋପଣ କରାଯାଇଥାଏ ଡିସେମ୍ବର-ଜାନୁଆରି ମାସରେ ଏହାର ଅମଳ ହୋଇଥାଏ। ଚଳିତ ବର୍ଷ ଅଦା ଅମଳର ଋତୁ ଆରମ୍ଭ ହୋଇଗଲାଣି। ଦାରିଂବାଡ଼ି ବ୍ଲକ୍ ଅନ୍ତର୍ଗତ ପାଙ୍ଗାଲି ଗ୍ରାମର ଆଦିବାସୀ ଚାଷୀ ରମେଶ ମଲିକ ଏବର୍ଷ ପ୍ରାୟ ସାଢ଼େ ୩ ଏକର ଜମିରେ ଅଦା ଚାଷ କରିଛନ୍ତି। ସେହିଭଳି ଡଙ୍ଗାମାଳ ଗ୍ରାମର ପେଟେଡ଼ା ମୁଠାମାଝି ବି ୪ ଏକର ଜମିରେ ଅଦା ଚାଷ କରିଛନ୍ତି। ଗତବର୍ଷ ଏ ଦୁଇ ଚାଷୀ ବମ୍ପର ଅଦା ଉତ୍ପାଦନ କରିଥିଲେ। ମାତ୍ର ଚଳିତବର୍ଷ ଅଧିକ ଲଗାଣ ବର୍ଷା କାରଣରୁ ଚାଷ ପ୍ରଭାବିତ ହୋଇଛି ବୋଲି ପେଟେଡ଼ା ମୁଠାମାଝି କହିଛନ୍ତି। ସେହିଭଳି ଦାରିଂବାଡ଼ି ବ୍ଲକର କଣ୍ଡପା ଗ୍ରାମର ରଘୁନାଥ ମୁଠାମାଝି ବି ୩ ଏକର ଜମିରେ ଅଦା ଚାଷ କରିଛନ୍ତି। ତେବେ ଚଳିତବର୍ଷ ପ୍ରତିକୂଳ ପାଣିପାଗ ଯୋଗୁଁ ଅଦାଚାଷ ଭଲ ହୋଇନି ବୋଲି ରଘୁନାଥ କହିଛନ୍ତି।
ପ୍ରତିବର୍ଷ ଏହି ଚାଷୀଙ୍କଠାରୁ ‘କନ୍ଧମାଳ ଆପେକ୍ସ ସ୍ପାଇସେସ୍ ଆସୋସିଏସନ ଫର୍ ମାର୍କେଟିଂ’ (କସମ) ଅଦା କ୍ରୟ କରି ଏହାର ମୂଲ୍ୟଯୁକ୍ତ (ଭାଲ୍ୟୁ ଆଡିସନ) କରାଇ ଦେଶବିଦେଶରେ ବିକ୍ରି କରିଥାଏ। ଚାଷୀଙ୍କଠାରୁ ସଂଗ୍ରହ କରାଯାଇଥିବା ଅଦାକୁ ଆଣି କସମର ବନ୍ଧଗଡ଼ ଓ ଦାରିଂବାଡ଼ିଠାରେ ଥିବା ପ୍ରୋସୋସିଂ ୟୁନିଟ୍ରେ ସ୍ଲାଇସିଂ କରାଯାଏ। ଆଉ କନ୍ଧମାଳ ‘ଜିଞ୍ଜର ସ୍ଲାଇସ୍’ର ଦେଶବିଦେଶରେ ବହୁତ ଚାହିଦା ରହିଛି ବୋଲି କହନ୍ତି ‘କସମ’ର ସମ୍ପାଦକ ସଞ୍ଜିତ ପଟ୍ଟନାୟକ କହିଛନ୍ତି। କନ୍ଧମାଳରୁ ପ୍ରତିବର୍ଷ ଶହଶହ ଟନ୍ ‘ଜିଞ୍ଜର ସ୍ଲାଇସ୍’ ଦେଶବିଦେଶକୁ ରପ୍ତାନୀ ହୋଇଥାଏ। ‘ଜିଞ୍ଜର ସ୍ଲାଇସ’ କିଣିବାକୁ ‘କସମ’ ସହ କୋଲାକାତାର କମ୍ପାନି ‘କୋଲ୍କେଟାଲ, ମିରାକ୍ଲି ଟି, ଲକ୍ଷ୍ନୌର କମ୍ପାନି ‘ଅର୍ଗାନିକ ଇଣ୍ଡିଆ’, ରାଜସ୍ଥାନର ‘ଆଗ୍ରୋନିକ’ ଭଳି ପ୍ରତିଷ୍ଠିତ କମ୍ପାନି ଚୁକ୍ତିବଦ୍ଧ ହୋଇଛନ୍ତି। ଏହି କମ୍ପାନିମାନେ ‘କସମ’ଠାରୁ ‘ଜିଞ୍ଜର ସ୍ଲାଇସ୍’ କିଣି ନେଇ ରୁଷିଆ, ଆମେରିକା, ଇଂଲଣ୍ଡ, ସୁଇଜରଲ୍ୟାଣ୍ଡ, ଇଟାଲି ପ୍ରଭୃତି ଦେଶକୁ ପଠାଇଥାନ୍ତି। କନ୍ଧମାଳ ‘ଜିଞ୍ଜର ସ୍ଲାଇସ’ରେ ଔଷଧୀୟ ଗୁଣ ସହ ଏହାର ଉଚ୍ଚମାନର ଜୈବିକ ଗୁଣ ଯୋଗୁଁ ଦେଶବିଦେଶରେ ଏହାର ଚାହିଦା ଅଧିକ ରହିଛି ବୋଲି ‘କସମ’ର ସମ୍ପାଦକ ଶ୍ରୀ ପଟ୍ଟନାୟକ କହିଛନ୍ତି। କନ୍ଧମାଳ ଅଦାକୁ ବିଭିନ୍ନ ଔଷଧ କମ୍ପାନିମାନେ ମଧ୍ୟ କ୍ରୟ କରୁଛନ୍ତି। କନ୍ଧମାଳ ‘ଜିଞ୍ଜର ସ୍ଲାଇସ୍’ ବିଭିନ୍ନ ଔଷଧ ପ୍ରସ୍ତୁତିରେ ବ୍ୟବହାର ହେବା ସାଙ୍ଗକୁ ମୂଲ୍ୟଯୁକ୍ତ ଚା’, ଚକୋଲେଟ୍, ଏନର୍ଜି ଡ୍ରିଙ୍କ୍ସ, ଆଣ୍ଟି ଅକ୍ସିଡାଣ୍ଟ୍, ହର୍ବାଲ୍ ଡ୍ରିଙ୍କ୍ସ ଆଦିରେ ବ୍ୟବହାର କରାଯାଉଛି। କନ୍ଧମାଳ ଅଦାରେ ତୈଳ ପରିମାଣ ଅଧିକ ରହୁଥିବାରୁ ଏହାର ସର୍ବଭାରତୀୟ ଚାହିଦା ରହିଛି। କନ୍ଧମାଳ ଅଦାରେ ୨ ପ୍ରତିଶତରୁ ଅଧିକ ତୈଳ ମାତ୍ରା ରହୁଥିବାରୁ ଏହା ଉତ୍ତମ ମାନର ଅଦା ବୋଲି ବିଚାର କରାଯାଇଥାଏ।
ଅଦା କନ୍ଧମାଳର ଆଦିବାସୀଙ୍କୁ ବଞ୍ଚିବାର ରାହା ଦେଖାଇଛି। ଅଦା ବିକ୍ରି କରି ନିଜର ପରିବାର ପୋଷଣ କରିଥାନ୍ତି ବୋଲି କହନ୍ତି ଦାରିଂବାଡ଼ିର ଆଉ ଜଣେ ଅଦା ଚାଷୀ ପରମେ ପ୍ରଧାନ। କନ୍ଧମାଳ ଜିଲ୍ଲା କୃଷି ବିଭାଗ ଓ ଉଦ୍ୟାନ କୃଷି ବିଭାଗର ରିପୋର୍ଟ ଅନୁସାରେ, ଚାଷୀଙ୍କଠାରୁ ‘କସମ’ ସଂସ୍ଥା ଅଦା କିଣିଥାଏ। ମାତ୍ର ଏହା ସମୁଦ୍ରକୁ ଶଙ୍ଖେ ଭଳି। ଅଧିକାଂଶ ଆନ୍ଧ୍ର ବେପାରୀ ଓ କୁମୁଟି ବେପାରୀମାନେ କନ୍ଧମାଳର ଗାଁକୁ ଗାଁ ବୁଲି ଚାଷୀଙ୍କଠାରୁ କମ୍ ଦରରେ ଅଦା କିଣି ନେଉଛନ୍ତି। ଫଳରେ ଅଧିକାଂଶ ଚାଷୀ ଉପଯୁକ୍ତ ମୂଲ୍ୟ ପାଉ ନାହାନ୍ତି। ‘କସମ’ ଚାଷୀଙ୍କଠାରୁ ଅଦା କିଲୋ ୩୦ ଟଙ୍କାରେ କିଣୁଛି। କିନ୍ତୁ ମାର୍କେଟ୍ରେ ଅଦା କିଲୋ ୧୦୦ ଟଙ୍କାରେ ବିକ୍ରି ହେଉଛି। କିନ୍ତୁ ଆନ୍ଧ୍ରା ବେପାରୀମାନେ ଚାଷୀଙ୍କଠାରୁ କିଲୋ ପିଛା ୨୦ ଟଙ୍କାରେ କିଣି ନେଇ ଯାଉଛନ୍ତି ବୋଲି କେତେକ ଚାଷୀ କହିଛନ୍ତି। ଅଦାର ଉପଯୁକ୍ତ ମାର୍କେଟ୍ ନଥିବାରୁ ଯେଉଁଭଳି ଭାବେ ଚାଷୀର ଅର୍ଥନୀତି ବୃଦ୍ଧି ଘଟିବା କଥା ତାହା ସମ୍ଭବପର ହୋଇପାରୁନାହିଁ। କେବଳ ‘କସମ’କୁ ଭରସା କରି କିଛି ଚାଷୀ ଲାଭବାନ ହେଉଥିବାବେଳେ ଅନେକ ଚାଷୀ ଦାରିଦ୍ର୍ୟ କାରଣରୁ ଆନ୍ଧ୍ରା ବେପାରୀଙ୍କୁ ବିକ୍ରି କରି କ୍ଷତି ସହୁଛନ୍ତି। ପ୍ରଶାସନ ଏ ନେଇ ଏକ ମାଷ୍ଟରପ୍ଲାନ୍ ପ୍ରସ୍ତୁତ କରିବାକୁ ଦାବି ହୋଇଛି। ଅଦାର ସର୍ବନିମ୍ନ ସହାୟକ ମୂଲ୍ୟ ସ୍ଥିର କରିବାକୁ ଚାଷୀ ମହଲରେ ଦାବି ହୋଇଛି। ଅନ୍ୟପକ୍ଷରେ କନ୍ଧମାଳ ଜିଲ୍ଲାରେ ଅଦା ଚାଷକୁ ପ୍ରୋତ୍ସାହନ ଯୋଗେଇ ଦେବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କେତେକ ଯୋଜନା ହାତକୁ ନିଆଯାଇଛି ବୋଲି ଜିଲ୍ଲାପାଳ ଆଶିଷ ଈଶ୍ବର ପାଟିଲ କହିଛନ୍ତି। ବିଶେଷକରି ଚାଷୀଙ୍କୁ ଉତ୍ତମ ମାନର ଅଦା ବିହନ ଯୋଗେଇ ଦେବା ସହ ସେମାନଙ୍କୁ ଅଦା ଚାଷ ସମ୍ପର୍କିତ ଜ୍ଞାନକୌଶଳ ଯୋଗେଇ ଦେବା ଏବଂ ଅଦାର ବଜାର ପ୍ରସ୍ତୁତି ପାଇଁ ପ୍ରଶାସନ ପକ୍ଷରୁ ବିଶେଷ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ଜିଲ୍ଲାପାଳ କହିଛନ୍ତି।