ଭୁବନେଶ୍ବର : ଏନ୍ବିଏଫ୍ସିରେ ପଂଜୀକୃତ ହୋଇନଥିବା କିଛି ସଂସ୍ଥାର ଆପ୍ ବ୍ୟବହାର କରିବା ଲୋକଙ୍କୁ ମହଙ୍ଗା ପଡ଼ିଛି। ଋଣ ପାଇବା ଆଶାରେ ରାଜ୍ୟର ପ୍ରାୟ ଦେଢ଼ ଲକ୍ଷ ଲୋକ କୋଟି କୋଟି ଟଙ୍କା ହରାଇଛନ୍ତି। ଏନେଇ କ୍ରାଇମ୍ବ୍ରାଞ୍ଚ୍ର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ)ରେ ଅଭିଯୋଗ ହେବା ପରେ ଇଓଡବ୍ଲୁ ତଦନ୍ତ ଆରମ୍ଭ କରିଛି। ଲୋକଙ୍କ ଟଙ୍କା ହଡ଼ପ କରିଥିବା ଗୁରୁଗ୍ରାମର ମହାଗ୍ରାମ୍ ପେମେଣ୍ଟ ପ୍ରାଇଭେଟ୍ ଲିମିଟେଡ୍ର ପ୍ରାୟ ୬.୫୭କୋଟି ଟଙ୍କା ଅଚଳ କରିଦେଇଛି ଇଓଡବ୍ଲୁ। ଏହାସହ ଲୋକଙ୍କୁ ଋଣପ୍ରଦାନକାରୀ ଅଣପଂଜୀକୃତ ଆପ୍ ବ୍ୟବହାର ନ କରିବାକୁ ପରାମର୍ଶ ଦିଆଯାଇଛି।
ଖବର ଅନୁଯାୟୀ, ଋଣ କାରବାର ପାଇଁ କୋକୋ ଓ ଜୋଜୋ ନାଁରେ ୨ଟି ଆପ୍ ପ୍ଲେ-ଷ୍ଟୋର୍ରେ ରହିଛି। ଏହି ଦୁଇଟି ସଂସ୍ଥା ଏନ୍ବିଏଫ୍ସି ପଂଜୀକୃତ ନୁହେଁ କିମ୍ବା ଆର୍ବିଆଇ ଅଧୀନରେ ଆସୁନାହିଁ। ଏହି ଆପ୍ ଡାଉନଲୋଡ୍ କରିବା ପରେ ଆକାଉଣ୍ଟ୍କୁ ୩ହଜାର ରୁ ୫ହଜାର ପର୍ଯ୍ୟନ୍ତ ଟଙ୍କା ଆକାଉଣ୍ଟରେ କ୍ରେଡିଟ୍ ହେଉଥିଲା। ଟଙ୍କା କ୍ରେଡିଟ୍ ହେବାର ମାତ୍ର ସପ୍ତାହେ ମଧ୍ୟରେ ୫ଗୁଣ ସୁଧ ଓ ମୂଳ ସହିତ ଟଙ୍କା ଫେରସ୍ତ କରିବା ପାଇଁ ମେସେଜ୍ ଆସୁଥିଲା। ଟଙ୍କା ନିର୍ଧାରିତ ସମୟରେ ଫେରସ୍ତ କରା ନଗଲେ ହ୍ବାଟ୍ସଆପ୍ ଜରିଆରେ ଭିଡିଓ କଲ୍ କରାଯାଇ ଲୋକଙ୍କୁ ଧମକ ଦିଆଯାଉଥିଲା। ଏ ସଂପର୍କରେ ଠକେଇର ଶିକାର ସସ୍ମିତା ସାହୁ ଇଓଡବ୍ଲୁରେ ଅଭିଯୋଗ କରିବାରୁ ଗୁରୁଗ୍ରାମରେ ଚଢ଼ଉ ହୋଇଥିଲା। ମହାଗ୍ରାମ୍ ଲୋନ୍ ଆପ୍ ଓ ଏହାର କଷ୍ଟମର୍ କେୟାର୍ କାର୍ଯ୍ୟାଳୟ ଆଇଡବ୍ଲୁଟି ଇଣ୍ଡିଆରେ ଚଢ଼ଉ କରାଯାଇ ୬.୫୭କୋଟି ଅଚଳ କରାଯାଇଛି। ଏହା ସହିତ ଇଓଡବ୍ଲୁ ୩ଟି ସ୍ବତନ୍ତ୍ର ଟିମ୍ କରି ଉତ୍ତରପ୍ରଦେଶ ସମେତ ମହାରାଷ୍ଟ୍ର, ବିହାର ଓ ନୂଆଦିଲ୍ଲୀରେ ଚଢ଼ଉ କରିଛି।
ଅପରପକ୍ଷେ ଏନେଇ ଇଓଡବ୍ଲୁ ମାର୍ଗଦର୍ଶିକା ଜାରି କରି ସୂଚନା ଦେଇଛି, ମୋବାଇଲ ପ୍ଲେ-ଷ୍ଟୋର୍ରୁ ଋଣପ୍ରଦାନକାରୀ ଅଣପଂଜୀକୃତ ଆପ୍ ବ୍ୟବହାର କରନ୍ତୁ ନାହିଁ। ଆପ୍ଗୁଡ଼ିକ ହେଲା ଆଇଏନଏସ୍ ଲୋନ, ବିଲୋନ୍ ଆପ୍, ଫ୍ଲିପକ୍ୟାସ୍, ଗୋ କ୍ୟାସ୍, ଲୋନ୍ ଇଣ୍ଡିଆ, ଲୋନ୍ ଇଣ୍ଡିଆ, ଲୋନ୍ ଲୋନ୍, ପାମ୍ ଟ୍ରି, କ୍ୟାସ୍ କୋଲା, କ୍ରେଡିଟବି, ଆସାନ୍ ଲୋନ୍, ରୁପି ଵାଲେଟ୍, ଫାଷ୍ଟ୍ ରୁପି, ଇଜି କ୍ରେଡିଟ୍ ଲୋନ୍ ଆପ୍, ସନସାଇନ୍ ଲୋନ୍, ରୁପିକିଙ୍ଗ୍ ଲୋନ୍ ଭଳି ମୋଟ ୧୩୭ଟି ଆପ୍ ରହିଛି। ଏହି ଆପ୍ଗୁଡ଼ିକ ଏବେ ଆର୍ବିଆଇ ସ୍କାନର୍ରେ ରହିଛି।
ଏହି ଅଣପଂଜୀକୃତ ଆପ୍ ମୋବାଇଲରେ ଡାଉନଲୋଡ୍ କରିବା ମାତ୍ରେ ମୋବାଇଲ୍ରେ ଥିବା ବ୍ୟକ୍ତିଗତ ତଥ୍ୟ, ଫଟୋ ସମେତ ସମସ୍ତ କଣ୍ଟାକ୍ଟ ନମ୍ବର ଆଦି ହ୍ୟାକ୍ ହେବାର ଆଶଙ୍କା ରହିଥାଏ। ଅପରପକ୍ଷେ ସପ୍ତାହେ ମଧ୍ୟରେ ମୂଳ ଟଙ୍କା ଫେରସ୍ତ କରିବା ସହିତ ୫ଗୁଣା ଅଧିକ ସୁଧ ନ ଦେଲେ ନାନା ଉପାୟରେ ହଇରାଣ କରାଯାଉଛି। ଋଣଗ୍ରହିତାର ଫଟୋକୁ ‘ଦେବାଳିଆ’ ବୋଲି ଉଲ୍ଲେଖ କରି ପରିବାର ଲୋକ, ସାଙ୍ଗ ଓ ସଂପର୍କୀୟଙ୍କୁ ମେସେଜ୍ କରାଯାଏ। ଏପରିକି ଫଟୋ ଏଡିଟ୍ କରି ବ୍ଲାକମେଲ୍ ମଧ୍ୟ କରାଯାଉଛି। ଏଥିପାଇଁ ମାର୍ଗଦର୍ଶିକା ଜାରି କରିବା ସହିତ ଆପ୍ ବ୍ୟବହାର ନକରିବାକୁ ପରାମର୍ଶ ଦେଇଛି। ଅପରପକ୍ଷରେ ଯେଉଁମାନେ ଆପ୍ ଦ୍ବାରା ଟଙ୍କା ନେଇଛନ୍ତି, ସେମାନେ ଉକ୍ତ ଆପ୍କୁ ଟଙ୍କା ନ ଦେବାକୁ କୁହାଯାଇଛି। ଅନେକ ସମୟରେ ଲୋକଙ୍କୁ ଟଙ୍କା ପାଇଁ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେବାକୁ ବାଧ୍ୟ କରାଯାଉଛି। ତେଣୁ ଏ ସଂକ୍ରାନ୍ତରେ ଥାନାରେ ଅଭିଯୋଗ କରିବାକୁ କୁହାଯାଇଛି।