ରାଜ୍ୟ

ଅଙ୍ଗନବାଡ଼ି କେନ୍ଦ୍ର ଉପରେ ମହଙ୍ଗା ମାଡ଼: ଅପପୁଷ୍ଟିର ମୁକାବିଲା ହେବ କେମିତି?

ଭୁବନେଶ୍ବର: ରାଜ୍ୟରେ ୬ ମାସରୁ ଊର୍ଧ୍ବ ୬୪% ଶିଶୁ ରକ୍ତହୀନତାର ଶିକାର ଅଛନ୍ତି। ୩୧% ଶିଶୁଙ୍କ ଉଚ୍ଚତା କମିବାରେ ଲାଗିଛି। ୧୮.୧% ଶିଶୁ ଅତି ପୁଷ୍ଟିହୀନତାର ଆକ୍ରାନ୍ତ। ପ୍ରତି ଏକ ହଜାରରେ ୬୬.୨ ଜଣ ଆଦିବାସୀ ଶିଶୁଙ୍କ ଆୟୁଷ ପାଞ୍ଚ ବର୍ଷ ମଧ୍ୟ ଟପୁ ନାହିଁ। ରାଜ୍ୟରେ ଶିଶୁ ଅପପୁଷ୍ଟିର ଆହୁରି ଦୁଃଖଦ ଚିତ୍ର ରହିଛି। ଏହାର ମୁକାବିଲା ପାଇଁ ଅଙ୍ଗନବାଡ଼ି କେନ୍ଦ୍ରରେ ପିଲାଙ୍କୁ ସବୁଜ ପରିବା, ଡାଲି ଏବଂ ଅଣ୍ଡା ଭଳି ପୋଷଣଯୁକ୍ତ ଖାଦ୍ୟ ଦିଆଯାଏ। ବର୍ତ୍ତମାନ ଯେଉଁ ଭଳି ଡାଲି, ପରିବା ଏବଂ ଅଣ୍ଡା ଦର ଆକାଶଛୁଆଁ ହେଲାଣି, ସେହି ଅନୁଯାୟୀ ଅଙ୍ଗନବାଡ଼ି କେନ୍ଦ୍ରକୁ ସରକାରୀ ଅନୁଦାନ ବଢ଼ିନାହିଁ। ବରଂ କିଛି ମାସ ହେଲା ସରକାରଙ୍କ ପକ୍ଷରୁ ଅଙ୍ଗନବାଡ଼ି କେନ୍ଦ୍ରକୁ ଗ୍ୟାସ ସିଲିଣ୍ଡର ଦିଆଯାଉଥିବାରୁ ଖାଦ୍ୟ ଅନୁଦାନ ହ୍ରାସ କରି ଦିଆଯାଇଛି। ଏଭଳି ସ୍ଥିତିରେ ଅଙ୍ଗନବାଡ଼ି କେନ୍ଦ୍ରରେ ଶିଶୁଙ୍କୁ କେତେ ପୋଷଣଯୁକ୍ତ ଖାଦ୍ୟ ଦିଆଯାଇପାରୁଛି, ତାକୁ ନେଇ ଆକଳନ ଆରମ୍ଭ ହୋଇଛି।

ସୂଚନା ଅନୁଯାୟୀ, ସରକାରଙ୍କ ପକ୍ଷରୁ ପ୍ରତି କେନ୍ଦ୍ରକୁ ମାଗଣାରେ ଚାଉଳ ଦିଆଯାଉଛି। ତରକାରି ପାଇଁ ଟଙ୍କା ମିଳୁଛି। ଜଣେ ଶିଶୁ ପିଛା ସୋମବାର ୨୫ ଗ୍ରାମ ଡାଲି ଏବଂ ଆଳୁ ସହିତ ୭୦ ଗ୍ରାମ ପରିବା ମିଶାଇ ପ୍ରସ୍ତୁତ ଡାଲମା ପାଇଁ ୪ ଟଙ୍କା, ମଙ୍ଗଳବାର, ବୁଧବାର, ଶନିବାର ଆଳୁ ଏବଂ ଅଣ୍ଡା ତରକାରି ପାଇଁ ୬ ଟଙ୍କା, ମଙ୍ଗଳବାର, ଗୁରୁବାର ପରିବା ତରକାରି ଏବଂ ସିଝା ଅଣ୍ଡା ପାଇଁ ୭ ଟଙ୍କା ଦିଆଯାଉଛି। ଅଙ୍ଗନବାଡ଼ି କର୍ମୀଙ୍କ ଅନୁସାରେ ଏବେ କେବଳ ଗୋଟିଏ ଅଣ୍ଡା ପିଛା ଦର ୭ ଟଙ୍କା ରହିଛି। କିନ୍ତୁ ସପ୍ତାହରେ ଅନ୍ୟ ଖାଦ୍ୟ ସହିତ ଅଣ୍ଡାକୁ ମିଶାଇ ଯେଉଁ ଟଙ୍କା ମିଳୁଛି ତାହା ୬ ଏବଂ ୭ ଟଙ୍କା। ଦ୍ବିତୀୟତଃ, ହରଡ଼ ଡାଲି ଦର ୧୫୦, ବୁଟଡାଲି ୮୦ ଟଙ୍କା ହେଲାଣି। ଏଣେ କ୍ରମାଗତ ଭାବରେ ଡାଲି ଦର ବଢ଼ି ଚାଲିଛି ଏବଂ କମିବାର ନାଁ ନେଉ ନାହିଁ। ଏଥିଯୋଗୁଁ ପିଲାଙ୍କୁ ଦିଆଯାଉଥିବା ଖାଦ୍ୟର ଗୁଣାତ୍ମକମାନ ହ୍ରାସ ପାଉଛି। ଆହୁରି ମଧ୍ୟ ପରିବା ମଧ୍ୟରୁ କେବଳ ଆଳୁ ୨୦ ଟଙ୍କା ରହିଛି। କିନ୍ତୁ ଅନ୍ୟ ପରିବା ମଧ୍ୟରେ ବାଇଗଣ ୧୦୦, ପୋଟଳ ୧୨୦, କଲରା ୧୨୦, ଝୁଡ଼ୁଙ୍ଗ ୧୬୦, ବିନ୍‌ସ ୨୪୦, ଭେଣ୍ଡି ୧୦୦, ବନ୍ଧା କୋବି ୫୦, ଜହ୍ନି ୧୦୦ ଟଙ୍କା ରହିଛି। ତେଣୁ ଅଧିକାଂଶ କେନ୍ଦ୍ରରେ କେବଳ ଆଳୁ କିମ୍ବା କଖାରୁ ଦିଆଯାଇପାରୁଛି। ସମୁଦାୟ ଭାବରେ କହିବାକୁ ଗଲେ ବର୍ତ୍ତମାନ ଯେଉଁଭଳି ପରିସ୍ଥିତି ରହିଛି, ଦିଆଯାଉଥିବା ଖାଦ୍ୟର ଗୁଣାତ୍ମକମାନ ହ୍ରାସ ପାଇବାର ଆଶଙ୍କା ରହିଛି। ସେଥିରେ ପୁଣି ଅଙ୍ଗନବାଡ଼ି କର୍ମଚାରୀ ସଂଘ ପକ୍ଷରୁ ସପ୍ତାହରେ ଥରେ ଅଣ୍ଡା ବଦଳରେ କ୍ଷୀର ଜାତୀୟ ଖାଦ୍ୟ ଦେବା ପାଇଁ ଦାବି କରାଯାଉଛି।

ଓମ୍‌ଫେଡ୍‌ର ପୂର୍ବତନ ଅଧିକାରୀ ମଧ୍ୟ କହିଛନ୍ତି, ପିଲାଙ୍କୁ ଉପଯୁକ୍ତ ପୋଷଣ ପ୍ରଦାନ ସହିତ କ୍ଷୀର ବ୍ୟବସାୟ ବୃଦ୍ଧି ପାଇଁ ଅଙ୍ଗନବାଡ଼ି କେନ୍ଦ୍ରରେ କ୍ଷୀର କିମ୍ବା କ୍ଷୀର ଜାତୀୟ ଛେନା ଦିଆଯିବା ଉଚିତ। କିନ୍ତୁ ଏହାକୁ ମଧ୍ୟ ସରକାର ଗୁରୁତ୍ବ ଦେବା ଉଚିତ। ଅଙ୍ଗନବାଡ଼ି କେନ୍ଦ୍ରରେ ପରିବା ଉତ୍ପାଦନ ପାଇଁ ସରକାରଙ୍କ ପକ୍ଷରୁ ମୋ ବଗିଚା କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଉଛି। ରାଜ୍ୟରେ ୨୭ ହଜାର ଅଙ୍ଗନବାଡି କେନ୍ଦ୍ରରେ ନିଜସ୍ବ କୋଠା ନାହିଁ। ଆହୁରି ଅନେକ କେନ୍ଦ୍ରରେ ବଗିଚା ପାଇଁ ଭିତ୍ତିଭୂମି ନାହିଁ। ଆଇସିଡିଏସ୍‌ ଭଳି ସମ୍ବେଦନଶୀଳ ଯୋଜନା କାର୍ଯ୍ୟକାରୀ ବେଳେ ଏଭଳି ମହଙ୍ଗା ମାଡ଼ ଶିଶୁଙ୍କ ଉପରେ ନ ପଡ଼ୁ। ଏଥିପାଇଁ ସରକାରଙ୍କ ପକ୍ଷରୁ ଦୃଷ୍ଟି ଦେବାର ଆବଶ୍ୟକତା ଥିବା ସ୍ଥାନୀୟ ଅଧିବାସୀ ମତ ଦେଉଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।