ବାଙ୍କୀ : ଧାରଣା ଦେଲେ, ପ୍ରଶାସନକୁ ଗୁହାରି କଲେ। ହେଲେ କେହି ଶୁଣିଲେନି। ଲୋ-ଭୋଲ୍ଟେଜ୍ ଆଉ ବିଦ୍ୟୁତ୍ କାଟ ସମସ୍ୟାର ସମାଧାନ ହେଲାନି। ଶେଷରେ ହାତରେ ଲଣ୍ଠନ ଓ ବିଞ୍ଚଣା ଧରି ମା ଚର୍ଚ୍ଚିକାଙ୍କ ପୀଠ ବାଙ୍କୀରୁ ଭୁବନେଶ୍ବର ଯାତ୍ରା କରିଛନ୍ତି ଯୁବ ସମାଜସେବୀ ଅଜୟ କୁମାର ପଣ୍ଡା ଓ ସାଥୀ। ସେମାନଙ୍କର ଏହି ଅଭିନବ ପ୍ରତିବାଦ ଏବେ ଚର୍ଚ୍ଚାର ବିଷୟ ହୋଇଛି।
ସୂଚନା ଅନୁସାରେ ବାଙ୍କୀ ଉପଖଣ୍ତରେ ବାରମ୍ବାର ଲୋ-ଭୋଲଟେଜ୍ ଓ ଅଘୋଷିତ ବିଦ୍ୟୁତ୍ କାଟରେ ଲୋକମାନେ ଅତିଷ୍ଠ ହୋଇପଡ଼ିଲେଣି। ଏହାର ପ୍ରତିବାଦରେ କିଛି ଦିନ ତଳେ ଶ୍ରୀ ପଣ୍ତା ବାଙ୍କୀ ବିଦ୍ୟୁତ୍ କାର୍ଯ୍ୟାଳୟ ସମ୍ମୁଖରେ ୩ ଦିନ ଧରି ଧାରଣା ଦେଇଥିଲେ। ସମସ୍ୟାର ସମାଧାନ ପାଇଁ ଉପଜିଲ୍ଲାପାଳଙ୍କୁ ଗୁହାରି ମଧ୍ୟ କରିଥିଲେ। ବାଙ୍କୀ ବିଜେପି ନେତା ଶୁଭ୍ରାଂଶୁ ମୋହନ ପାଢ଼ୀ, ରାଜ୍ୟ ଯୁବ କଂଗ୍ରେସ ସଭାପତି ସ୍ମୃତିରଞ୍ଜନ ଲେଙ୍କା ପ୍ରମୁଖଙ୍କ ସମେତ ବହୁ ରାଜନୈତିକ ବ୍ୟକ୍ତି ତାଙ୍କୁ ସମର୍ଥନ ଜଣାଇ ଧାରଣାରେ ବସିଥିଲେ। ମାତ୍ର ସମସ୍ୟାର ସମାଧାନ ନହେବାରୁ ପ୍ରତିବାଦ ଜଣାଇବା ପାଇଁ ଶ୍ରୀ ପଣ୍ଡା କିଛି ସାଥୀଙ୍କ ସହ ଶକ୍ତି ମନ୍ତ୍ରୀଙ୍କୁ ଅଭିଯୋଗ କରିବା ପାଇଁ ଲଣ୍ଠନ ଓ ବିଞ୍ଚଣା ଧରି ସାଇକଲରେ ମାଚର୍ଚ୍ଚିକାଙ୍କ ପୀଠରୁ ଭୁବନେଶ୍ବର ଯାତ୍ରା କରିଛନ୍ତି।