ଚୈତ୍ର ଶୁକ୍ଳ ଚତୁର୍ଦ୍ଦଶୀରେ ତାଳଚେରରେ ଅନୁଷ୍ଠିତ ହୁଏ ‘ହିଙ୍ଗୁଳାଯାତ୍ରା’। ସେଠାର ସିଙ୍ଗଡ଼ା ନଦୀ ତଟ ଗୋପାଳ ପ୍ରସାଦ ଗ୍ରାମରେ ଅଛି ହିଙ୍ଗୁଳାଦେବୀଙ୍କର ପ୍ରସିଦ୍ଧ ପୀଠ। ଏ ଦେବୀ ଅଗ୍ନିସ୍ୱରୂପା। ଅଗ୍ନି ହିଙ୍ଗୁଳବର୍ଣ୍ଣର ହୋଇଥିବାରୁ ଏହାଙ୍କୁ ‘ହିଙ୍ଗୁଳବର୍ଣ୍ଣା’ ରୂପେ କଳ୍ପନା କରାଯାଇଛି। ସେହି ଅନୁସାରେ ନାମ ହୋଇଛି ‘ହିଙ୍ଗୁଳା’, ‘ହିଙ୍ଗୁଳେଇ’ ବା ‘ହିଙ୍ଗୁଳାକ୍ଷି’। ଆଦିକବି ସାରଳାଦାସଙ୍କ ‘ମହାଭାରତ’ର ‘ସଭାପର୍ବ’ରେ ଏହାଙ୍କୁ ‘ମହାହିଙ୍ଗୁଳା’ କୁହାଯାଇଛି। ବର୍ଣ୍ଣନା ଅଛି-
“ନିର୍ଧୂମ ଅଗ୍ନି ଜାଣି ତେଜ ଯେ ବିକାଶି
ମହାହିଙ୍ଗୁଳା ସ୍ୱରୂପେ ଯେ ବିଜୟେ ପୂର୍ଣ୍ଣମାସୀ।”
‘ସାରଳା ମହାଭାରତ’ର ଅନ୍ୟାନ୍ୟ ପର୍ବରେ ମଧ୍ୟ ଦେବୀଙ୍କ ସଂପର୍କରେ ବର୍ଣ୍ଣନା କରାଯାଇ ତାହାଙ୍କୁ ‘ଲୋହିତବର୍ଣ୍ଣ କାୟେ’, ‘ମଙ୍ଗଳରୂପୀ ପିଙ୍ଗଳରୂପା’ କୁହାଯାଇଛି। ଅନ୍ୟ ଦୁଇ ଦେବୀ ‘କୁଟେଇଶୁଣୀ’ ଓ ‘କରଡ଼େଇ’ଙ୍କ ସହ ଏ ପୂଜାପାଆନ୍ତି। ଲୋକବିଶ୍ୱାସରେ ଏ ଦୁହେଁ ହିଙ୍ଗୁଳାଙ୍କର ଦୁଇ ଭଉଣୀ।
ଓଡ଼ିଶାର ଏହି ପ୍ରସିଦ୍ଧ ଦେବୀପୀଠର ଉପାଖ୍ୟାନରେ ପୁରାଣ ଓ କିଂବଦନ୍ତି ମିଶିଯାଇଛି। ତାହା ଅନୁସାରେ, ଦକ୍ଷଯଜ୍ଞରେ ଆତ୍ମାହୁତି ଦେଇଥିବା ସତୀଙ୍କର ବିଭିନ୍ନ ଅଙ୍ଗ ପଡ଼ି ଯେଉଁ ୫୨ଟି ଶକ୍ତିପୀଠର ସୃଷ୍ଟି ହୋଇଥିଲା, ସେଥିରୁ ପାକିସ୍ତାନର ବେଲୁଚିସ୍ତାନଠାରେ ଥିବା ‘ହିଙ୍ଗଲାଜ’ ଗୋଟିଏ। ସେଠାରେ ଦେବୀ ସତୀଙ୍କର ବ୍ରହ୍ମରନ୍ଦ୍ର ପଡ଼ିଥିଲା। କାଳକ୍ରମେ ବିଦର୍ଭ (ଆଜିର ମହାରାଷ୍ଟ୍ର)ର ରାଜା ନଳ ମା’ ହିଙ୍ଗୁଳାଙ୍କର ଭକ୍ତ ହୋଇଗଲେ। ପୁରୀ ଶ୍ରୀମନ୍ଦିରରେ ଯେତେବେଳେ ମହାପ୍ରସାଦ ନୈବେଦ୍ୟର ବ୍ୟବସ୍ଥା ହେଲା, ସେତେବେଳେ ପ୍ରଭୁଙ୍କ ସ୍ୱପ୍ନାଦେଶ ପାଇ ରାଜା ବିଦର୍ଭ ଗଲେ ଏବଂ ନଳଙ୍କୁ ଭେଟି ହିଙ୍ଗୁଳାଙ୍କୁ ପୁରୀ ନେବାକୁ ଅନୁରୋଧ କଲେ। ତାଙ୍କୁ ପୁରୀ ଅଣାଯିବା ବାଟରେ, ତାଳଚେରଠାରେ, ଦେବୀ ରାଜାଙ୍କୁ ସ୍ୱପ୍ନାଦେଶରେ ଜଣାଇଲେ ଯେ ଗୋପାଳପ୍ରସାଦ ହେବ ତାଙ୍କର ପୂଜାପୀଠ ଏବଂ ଶ୍ରୀମନ୍ଦିରର ରୋଷଘର ହେବ ତାଙ୍କର କର୍ମପୀଠ। ତାହାହିଁ ହେଲା।
ଏହି କିଂବଦନ୍ତି ଆଧାରରେ ଗୋଟିଏ ଲୋକବିଶ୍ୱାସ ପ୍ରଚଳିତ ଅଛି ଯେ ଶ୍ରୀମନ୍ଦିରରେ ପ୍ରତିଦିନ ହେଉଥିବା ରୋଷହୋମ ହେଉଛି, ‘ହିଙ୍ଗୁଳା ହୋମ’। କିନ୍ତୁ ଶ୍ରୀମନ୍ଦିରର ଦୈନନ୍ଦିନ ନୀତିରେ ଏହାର କୌଣସି ପ୍ରମାଣ ନାହିଁ।
ଦେବୀ ହିଙ୍ଗୁଳାଙ୍କ ପୀଠ ଓଡ଼ିଶାର ଏକ ପ୍ରାଚୀନ ଶକ୍ତି ପୀଠ। ଏହାଙ୍କୁ ଓଡ଼ିଶାର ପ୍ରମୁଖ ଦେବୀଙ୍କ ମଧ୍ୟରେ ଗଣନା କରାଯାଏ। ଏ ଦେବୀ ଅମୂର୍ତ୍ତ ହେଲେ ମଧ୍ୟ ଅଗ୍ନିସ୍ୱରୂପା। ତେଣୁ ଦେବୀ ହିଙ୍ଗୁଳା ଅନନ୍ତ ଶକ୍ତିର ଜ୍ୟୋତିର୍ମୟୀ ପ୍ରତୀକ ଓ ମଙ୍ଗଳମୟୀ। ଏଣୁ ‘ସାରଳା ମହାଭାରତ’ରେ ଏହାଙ୍କୁ ‘ସର୍ବମଙ୍ଗଳା’ ବୋଲି କୁହାଯାଇଛି।