ମୁମ୍ବାଇ ୧୨/୦୪ : ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଛି। ସୋମବାର ଦିନ ତାଙ୍କୁ ହସ୍ପିଟାଲରୁ ଡିସ୍ଚାର୍ଜ କରାଯାଇଛି। ସେ ସମ୍ପୂର୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଅକ୍ଷୟ କୁମାରଙ୍କ ପତ୍ନୀ ଟ୍ୱିଙ୍କଲ ଖାନ୍ନା ସୋସିଆଲ ମିଡ଼ିଆରେ ସୂଚନା ଦେଇଛନ୍ତି। ଟ୍ୱିଙ୍କଲ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରିଛନ୍ତି। ପୋଷ୍ଟରେ ସେ କହିଛନ୍ତି ଯେ ସବୁକିଛି ଠିକ ଅଛି ଏବଂ ଅକ୍ଷୟ କୁମାରଙ୍କୁ ଘରେ ଦେଖି ସମସ୍ତେ ଖୁସି।
ଅକ୍ଷୟ କୁମାର ଗତ ରବିବାର ଦିନ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେ ଟ୍ୱିଟ୍ ଜରିଆରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ଦେଇଥିଲେ। ଟ୍ୱିଟରରେ ସେ ଲେଖିଥିଲେ, ‘ଆପଣମାନଙ୍କ ଆଶୀର୍ବାଦର ପ୍ରଭାବ। ମୁଁ ଭଲ ଅଛି କିନ୍ତୁ ସତର୍କତା ଦୃଷ୍ଟିରୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପରାମର୍ଶ ଦିଆଯାଇଛି। ସେଥିପାଇଁ ମୁଁ ହସ୍ପିଟାଲରେ ଭର୍ତ୍ତି ହୋଇଛି। ଖୁବ ଶୀଘ୍ର ସୁସ୍ଥ ହୋଇ ଫେରିବି। ଆପଣମାନେ ବି ନିଜ ଧ୍ୟାନ ଦିଅନ୍ତୁ।’ ଅକ୍ଷୟ କୁମାର ଡ.ଏଚ.ଏଲ.ହିରାନନ୍ଦାନୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।