ନୂଆଦିଲ୍ଲୀ ୨୧/୧୦: ରେକର୍ଡ କରିଛି ଭାରତ । ୧୦୦ କୋଟି ଟିକାକରଣରେ ପୂରଣ କରିଛି ଦେଶ । ଅର୍ଥାତ ୧୦୦ କୋଟି ନାଗରିକଙ୍କୁ ଟିକାର ଡୋଜ୍ ଦିଆସରିଲାଣି । ଏହି ଐତିହାସିକ ଦିନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । ଭାରତୀୟ ବିଜ୍ଞାନର ବିଜୟ ହୋଇଥିବା ମୋଦୀ କହିଛନ୍ତି ।
ଦେଶରେ ୧୦୦ କୋଟି ଟିକାକରଣ ପରେ ପ୍ରଧାନମନ୍ତ୍ରୀ ଦିଲ୍ଲୀସ୍ଥିତ ରାମ ମନୋହରଲାଲ ଲୋହିୟା ହସ୍ପିଟାଲରେ ଏକ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ, ଭାରତ ଇତିହାସ ରଚିଛି । ଏହା ଭାରତୀୟ ବିଜ୍ଞାନ ଓ ୧୩୦ କୋଟି ଦେଶବାସୀଙ୍କ ବିଜୟ ଅଟେ । ଦେଶର ଡାକ୍ତର, ନର୍ସ ଓ ଏହି ଉପଲବ୍ଧିକୁ ହାସଲ କରିବାରେ ସାହାଯ୍ୟ କରିଥିବା ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୋଦୀ ।ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ଅକ୍ଟୋବର ୨୧ ଇତିହାସରେ ଲିପିବଦ୍ଧ ହୋଇରହିବ । ୧୦୦ ବର୍ଷରେ ଆସିଥିବା ବଡ ମହାମାରୀର ମୁକାବିଲା ପାଇଁ ଦେଶରେ ୧୦୦ କୋଟିର ମଜବୁତ ସୁରକ୍ଷାକବଚ ରହିଛି । ଏହି ଉପଲବ୍ଧି ଭାରତୀୟଙ୍କର ଅଟେ । ମିଳିତ ଭାବେ କରୋନାକୁ ହରାଇବାକୁ ହେବ । ସରକାର ପ୍ରତି ଜିଲ୍ଲାରେ ଅତିକମରେ ଗୋଟିଏ ମେଡିକାଲ କଲେଜ ପାଇଁ ପ୍ରସ୍ତୁତି କରୁଛନ୍ତି । ଏଥିରେ ଘରୋଇ କ୍ଷେତ୍ରର ଭୂମିକା ଗୁରୁତ୍ୱପୂର୍ଣ୍ଣ । ସରକାର କ୍ୟାନସରର ୪୦୦ ଔଷଧର ଦାମ୍ କମାଇଥିବା ମୋଦୀ କହିଛନ୍ତି ।