ମହିଳା ସଶକ୍ତିକରଣ ସ୍ବାବଲମ୍ବୀ ପାଇଁ ବିହାରରେ ଏନ୍ଡିଏ ସରକାର ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମହିଳା ରୋଜଗାର ଯୋଜନା । ଏହି ଯୋଜନା ଅଧୀନରେ ୭୫ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ୧୦ ହଜାର ଟଙ୍କା ଲେଖାଏଁ ମୋଟ୍ ୭୫୦୦ କୋଟି ଟଙ୍କା ଟ୍ରାନ୍ସଫର୍ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଶୁଭାରମ୍ଭ କରି ମହିଳାଙ୍କ ସଶକ୍ତ ଉପରେ ଦେଇଛନ୍ତି ଗୁରୁତ୍ବ । ବିହାର ନିର୍ବାଚନ ପାଖେଇ ଆସୁଥିବା ବେଳେ ଏଭଳି ପଦକ୍ଷେପ ଏନ୍ଡିଏ ପାଇଁ ବୁଷ୍ଟର ଡୋଜ୍ ସାବ୍ୟସ୍ତ ହୋଇଛି । ସେପେଟ ଏହାକୁ ନେଇ କଡ଼ା ସମାଲୋଚନା କରିଛନ୍ତି ବିରୋଧୀ ।
ଜମୁଛି ବିହାର ନିର୍ବାଚନୀ ମଇଦାନ । ହେଭିୱେଟ୍ଙ୍କ ପ୍ରଚାର ଭିତରେ ବିହାର ମହିଳାଙ୍କୁ ସଶକ୍ତ କରିବା ପାଇଁ ଏନ୍ଡିଏ ସରକାର ନେଇଛନ୍ତି ବଡ଼ ପଦକ୍ଷେପ । ଆରମ୍ଭ ହୋଇଛି ‘ମୁଖ୍ୟମନ୍ତ୍ରୀ ମହିଳା ରୋଜଗାର ଯୋଜନା’ । ୭୫ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ୧୦ ହଜାର ଟଙ୍କା ଲେଖାଏଁ ମୋଟ୍ ୭୫୦୦ କୋଟି ଟଙ୍କା ଟ୍ରାନ୍ସଫର୍ କରାଯାଇଛି । ଏହି ଯୋଜନା ମହିଳାଙ୍କୁ ନିଜସ୍ବ ବ୍ୟବସାୟ ଆରମ୍ଭ କରିବା ପାଇଁ ଆର୍ଥିକ ସହାୟତା ପ୍ରଦାନ କରିବା ସହ ସେମାନଙ୍କୁ ସଶକ୍ତ କରିବ । ପ୍ରଦର୍ଶନର ମୂଲ୍ୟାଙ୍କନ କରିବା ପରେ ମହିଳା ଉଦ୍ୟୋଗୀଙ୍କୁ ୬ ମାସ ପରେ ଅତିରିକ୍ତ ୨ ଲକ୍ଷ ଟଙ୍କା ଅନୁଦାନ ଦିଆଯିବ । ତେବେ ଏହି ଯୋଜନା ମହିଳାମାନେ ନିଜ ନିଜର ପସନ୍ଦର କ୍ଷେତ୍ରରେ କରିପାରିବେ । କୃଷି, ପଶୁପାଳନ, ହସ୍ତଶିଳ୍ପ, ସିଲାଇ, ବୁଣିବା ଏବଂ ଅନ୍ୟ ଲଘୁ ଉଦ୍ୟୋଗରେ ମହିଳାମାନେ ନିଜସ୍ବ ଉଦ୍ୟୋଗ ଆରମ୍ଭ କରିପାରିବେ । ଏହି ଅବସରରେ ମହିଳାଙ୍କ ସଶକ୍ତିକରଣ ଓ ସୁରକ୍ଷା ଉପରେ ଜୋର୍ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।