ଅପରାଧ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

୬ଶହ ଛାତ୍ରଛାତ୍ରୀଙ୍କ ଜୀବନ ସହ ଖେଳ, କେଶବଧାମ୍ କର୍ତ୍ତୃପକ୍ଷଙ୍କୁ ଜିଲ୍ଲାପାଳଙ୍କ ନୋଟିସ୍

କଟକ-ବିଦ୍ୟାଧରପୁର : କଟକ ସହର ଉପକଣ୍ଠ ଗତିରାଉତପାଟଣା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର କେଶବ ଧାମ୍‌ର ୬ଶହ ଛାତ୍ରଛାତ୍ରୀ ଗତକାଲି ବିଳମ୍ବିତ ରାତି ଯାଏ ପାଣିଘେରରେ ରହିବା ଘଟଣାକୁ ନେଇ ହଟଚମଟ ଆରମ୍ଭ ହୋଇଛି। ଅଗ୍ନିଶମ ବିଭାଗର ୧୦ଟି ଟିମ୍ ଗତକାଲି ରାତି ୧୨ଟା ଯାଏ ଏହି ଛାତ୍ରଛାତ୍ରୀଙ୍କୁ ଉଦ୍ଧାର ପ୍ରକ୍ରିୟାରେ ସାମିଲ୍‌ ଥିଲେ। ଏହି ଘଟଣାକୁ ନେଇ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ କ୍ଷୁବ୍ଧ ହେବାସହିତ ସ୍କୁଲ୍ କର୍ତ୍ତୃପକ୍ଷଙ୍କୁ ନୋଟିସ୍ ଜାରି କରିଛନ୍ତି। ବାରମ୍ବାର କୁହାଯିବା ସତ୍ତ୍ୱେ ବନ୍ୟାଜଳ ମାଡ଼ିବା ପୂର୍ବରୁ ପିଲାଙ୍କୁ କାହିଁକି ସେଠାରୁ ସ୍ଥାନାନ୍ତର କରାଯାଇ ନଥିଲା, ସେ ସଂପର୍କରେ ଜିଲ୍ଲାପାଳ ଜବାବ ତଲବ କରିଛନ୍ତି। କୌଣସି ଅଘଟଣ ଘଟିଥିଲେ ସେଥିପାଇଁ କିଏ ଦାୟୀ ହୋଇଥାନ୍ତା ବୋଲି ଜିଲ୍ଲାପାଳ ପ୍ରଶ୍ନ କରିଛନ୍ତି। କିନ୍ତୁ, କେଶବଧାମ୍ ପାଇଁ ଏ ସ୍ଥିତି ନୂଆ ନୁହେଁ। ପ୍ରତ୍ୟେକ ବର୍ଷ ନଈ ବଢ଼ିଲେ ସ୍କୁଲ ଜଳବନ୍ଦି ହୁଏ। ଏବଂ ଛାତ୍ରଛାତ୍ରୀଙ୍କୁ ଆଣି ମହାନଦୀବିହାର ଓ ନୂଆ ବଜାର ସରସ୍ବତୀ ଶିଶୁ ମନ୍ଦିରରେ ରଖାଯାଏ। ଚଳିତବର୍ଷ ଯେଉଁ ସ୍ଥିତି ସୃଷ୍ଟି ହୋଇଛି, ତାହା ଉଭୟ ସ୍କୁଲ କର୍ତ୍ତୃପକ୍ଷ ଏବଂ ପ୍ରଶାସନିକସ୍ତରରେ ନିଷ୍କ୍ରିୟତା ତଥା ବେପରୱା ମନୋଭାବକୁ ପଦାରେ ପକାଇ ଦେଇଛି।

ମହାନଦୀରେ ବନ୍ୟାଜଳ ଆସିବା ସଂପର୍କରେ ଦୁଇଦିନ ପୂର୍ବରୁ ପ୍ରଚାର ଚାଲିଛି। କିନ୍ତୁ, ଛାତ୍ରଛାତ୍ରୀଙ୍କୁ ସେହି ସମୟରେ ଉଦ୍ଧାର କରାଗଲା ଯେତେବେଳେ କଟକର ମୁଣ୍ଡଳି ନିକଟରେ ଚଳିତ ବର୍ଷର ସର୍ବାଧିକ ବନ୍ୟାଜଳ ଅର୍ଥାତ ୧୨ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି। ମହାନଦୀ ଓ ତା’ର ଶାଖା ନଦୀର ସମ୍ଭାବ୍ୟ ବନ୍ୟାସ୍ଥିତିର ସମୀକ୍ଷା କରି ତାର ଯଥେଷ୍ଟ ପୂର୍ବରୁ ତଳି ଅଞ୍ଚଳରୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆସରିଥିଲା। ଏମିତିକି ମୁଖ୍ୟମନ୍ତ୍ରୀ ବି ସମୀକ୍ଷା କରି ଜଣେ ବ୍ୟକ୍ତି ବି ଯେଭଳି ବନ୍ୟାରେ ପ୍ରାଣ ନ ହରାନ୍ତି, ସେ ଦିଗରେ ପଦକ୍ଷେପ ନେବାକୁ କଡ଼ା ନିର୍ଦ୍ଦେଶ ଦେଇଥିଲେ। ଏହାର ଉଦ୍ଦେଶ୍ୟ ଥିଲା ଯେ ପ୍ରଥମେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ। ମୁଣ୍ଡଳିରେ ୬ ଲକ୍ଷ କ୍ୟୁସେକ୍ ଜଳରୁ ଅଧିକ ବନ୍ୟା ଜଳ ପ୍ରବାହିତ ହେଲେ ଗତିରାଉତପାଟଣାର ଯେଉଁଠି ସ୍କୁଲ ରହିଛି, ସେଠାକୁ ପାଣି ଛୁଇଁବା ଆରମ୍ଭ କରେ। ତେଣୁ ଦୁଇଦିନ ପୂର୍ବରୁ ସ୍କୁଲ୍ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କୁ ସେଠାରୁ ସ୍ଥାନାନ୍ତର କରିବା କଥା। କିନ୍ତୁ, କେଉଁ କାରଣରୁ ସେମାନେ ମଙ୍ଗଳବାର ଯାଏ ଅପେକ୍ଷା କଲେ? ପାଣି ସ୍କୁଲକୁ ଛୁଇଁବା ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ସ୍ଥାନାନ୍ତର ନ କରି ସଂପୂର୍ଣ୍ଣ ଜଳବନ୍ଦି ହେବା ପର୍ଯ୍ୟନ୍ତ କେଉଁ ଉଦ୍ଦେଶ୍ୟରେ ସେଠାରେ ଛାତ୍ରଛାତ୍ରୀଙ୍କୁ ରଖା ଯାଇଥିଲା? ସେହି ଅଞ୍ଚଳରେ ପାଖାପାଖି ହୋଇ କେଶବ ଧାମ୍, ବସୁନ୍ଧରା ଓ ଅନ୍ୟ ଏକ ବୃଦ୍ଧାଶ୍ରମ ବି ରହିଛି। ପ୍ରଶାସନ କେଉଁ କାରଣରୁ ସେଠାକୁ ଆଗୁଆ ଯାଇ ସ୍ଥିତି ପରଖିଲା ନାହିଁ? ଅଘଟଣ ଟଳି ଯାଇଛି ସତ, ହେଲେ ଏଭଳି ନିଷ୍କ୍ରିୟତା ପାଇଁ କାହାକୁ ଉତ୍ତରଦାୟୀ କରାଯିବ? ପ୍ରଶାସନ ଏ କ୍ଷେତ୍ରରେ କେବଳ ସ୍କୁଲ୍ କର୍ତ୍ତୃପକ୍ଷଙ୍କ ମୁଣ୍ଡରେ ଦୋଷ ଲଦି ହାତ ଝାଡ଼ି ଦେଇ ବସି ପାରିବ କି?

୧୯୮୬ରୁ ସେଠାରେ ସ୍କୁଲଟି ନିଜର କାୟା ବିସ୍ତାର କରି ଚାଲିଛି। ଯେଉଁ ଅଞ୍ଚଳରେ ସ୍କୁଲ ଏବେ ଗଢି ଉଠିଛି, ସେଠାରେ ସେଭଳି ଅଟ୍ଟାଳିକା ରହିବା ଆଇନ ଅନୁସାରେ କେତେଦୂର ଯଥାର୍ଥ, ସେଥିପାଇଁ ପ୍ରଶାସନ ଅନୁମତି ଦେଇଛି କି ନାହିଁ, ତାହା ଭିନ୍ନ ପ୍ରସଙ୍ଗ। ପ୍ରତିବର୍ଷ ମହାନଦୀରେ ପାଣି ବଢ଼ିଲେ ସ୍କୁଲରୁ ଛାତ୍ରଛାତ୍ରୀଙ୍କୁ ସ୍ଥାନାନ୍ତର କରି ଦିଆଯାଏ। କିନ୍ତୁ ଏଥର ପ୍ରଶାସନ ୬ଶହ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ କିଭଳି ନଜର ଅନ୍ଦାଜ କରି ଦେଲା ଏବଂ ସ୍କୁଲ୍ କର୍ତ୍ତୃପକ୍ଷ କିଭଳି ଏତେ ବେପରୱା ହୋଇ ପାଣି ସ୍କୁଲକୁ ଚାରି ଆଡୁ ଘେରିବା ଯାଏ ଅପେକ୍ଷା କଲେ, ତାହାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠୁଛି। କଟକ ଉପକଣ୍ଠରେ ଥିବା ଜଣାଶୁଣା ପ୍ରତିଷ୍ଠାନରୁ ଉଦ୍ଧାର କାର୍ଯ୍ୟ ଯଦି ଏଭଳି ଅତ୍ୟନ୍ତ ବିପଦସଙ୍କୁଳ ଭାବେ ରାତି ଅନ୍ଧାରରେ ହେଉଛି, ତେବେ ଅନ୍ୟ ଅଞ୍ଚଳରେ ପ୍ରଶାସନ ସ୍ଥାନାନ୍ତର କାର୍ଯ୍ୟ କିଭଳି ପରିଚାଳନା କରୁଛି, ତାହାକୁ ନେଇ ସନ୍ଦେହ ବଢୁଛି।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି