ଭୁବନେଶ୍ବର : ଆସନ୍ତା ୫ ତାରିଖ ବେଳକୁ ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା କ୍ରମେ ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗରେ ଗତି କରି ପରବର୍ତ୍ତୀ ୪୮ ଘଣ୍ଟାରେ ଅବପାତ ରୂପ ନେବ। ୮ ତାରିଖ ବେଳକୁ ଏହା ଦକ୍ଷିଣରେ ତାମିଲନାଡୁ ଓ ପଣ୍ଡିଚେରୀ ଉପକୂଳରେ ପହଞ୍ଚିପାରେ। ତେବେ ଏହାର ସିଧାସଳଖ କୌଣସି ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦେଶକ ଏଚ୍ ଆର ବିଶ୍ବାସ କହିଛନ୍ତି।
ଶ୍ରୀ ବିଶ୍ବାସ ଆହୁରି ଆକଳନ କରିଛନ୍ତି ଯେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଓଡ଼ିଶାର ସମସ୍ତ ଜିଲ୍ଲାର ପାଗ ମୁଖ୍ୟତଃ ଶୁଖିଲା ରହିବ। ୩ ଦିନ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରାରେ କୌଣସି ପରିବର୍ତନ ହେବ ନାହିଁ। ମାତ୍ର ଏହାପରେ ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ପୁଣିଥରେ କମିବ। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ଅଧିକ ରହିଥିଲା। ସୁନ୍ଦରଗଡ଼ରେ ସର୍ବନିମ୍ନ ତାପମାତ୍ରା ୧୩.୫ ଡିଗ୍ରି ରହିଥିଲା। ହିଲ୍ ଷ୍ଟେସନ ଭାବେ ଜି ଉଦୟଗିରିରେ ସର୍ବନିମ୍ନ ୧୦.୪ ଡିଗ୍ରି ରହିଥିଲା। ଭୁବନେଶ୍ବରରେ ୧୯.୪ ଡିଗ୍ରି ଥିଲା, ଯାହାକି ସ୍ବାଭାବିକଠାରୁ ୨.୯ ଡିଗ୍ରି ଅଧିକ ବୋଲି ସେ କହିଛନ୍ତି।
ଅନ୍ୟପକ୍ଷରେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ ଡିସେମ୍ବରରୁ ଫେବ୍ରୁଆରି ମାସ ପର୍ଯ୍ୟନ୍ତ ଓଡ଼ିଶାର ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ସାମାନ୍ୟ କମ୍ ରହିବ।