ନୂଆଦିଲ୍ଲୀ ୧୯/୦୬: ଦକ୍ଷିଣ ଆଫ୍ରିକା ବିପକ୍ଷ ଚତୁର୍ଥ ଟି୨୦ରେ ଭାରତ ଦମଦାର୍ ପ୍ରଦର୍ଶନ କରିଥିଲା । ଏହି ମ୍ୟାଚ୍ ଜିତି ଦଳ ସିରିଜକୁ ୨-୨ ସ୍ତରକୁ ଆଣିଥିଲା । ମ୍ୟାଚରେ ଅଭେଶ ଖାନ୍, ଦିନେଶ କାର୍ତ୍ତିକ ଓ ହାର୍ଦ୍ଦିକ ପାଣ୍ଡ୍ୟା ଜବରଦସ୍ତ ଖେଳ ଦେଖାଇଥିଲେ ଓ ଦଳକୁ ଜିତାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଦିନେଶ କାର୍ତ୍ତିକଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଆଓ୍ୱାର୍ଡ ମିଳିଥିଲା । ପାଣ୍ଡ୍ୟା ମଧ୍ୟ ୩୧ ବଲରୁ ୪୬ ରନର ପାଳି ଖେଳିଥିଲେ ।
ତେବେ ପାଣ୍ଡ୍ୟା କେଉଁ ସ୍ଥାନରେ ଖେଳିଲେ ଦଳକୁ ଭଲ ହେବ ସେନେଇ ମତ ରକିଛନ୍ତି ପୂର୍ବତନ ଦ୍ରୁତ ବୋଲର ଜାହିର ଖାନ୍ । ଜାହିର କହିଛନ୍ତି ଯେ, ପାଣ୍ଡ୍ୟା ୪ ନମ୍ବର ପୋଜିସନରେ ବ୍ୟାଟିଂ କରିବା ଦରକାର । ସେ ଆଇପିଏଲରେ ପାଣ୍ଡ୍ୟାଙ୍କ ଖେଳକୁ ଦେଖିଛନ୍ତି । ପାଣ୍ଡ୍ୟାଙ୍କୁ ମଧ୍ୟ ୪ ନମ୍ବର ପୋଜିସନ୍ ପସନ୍ଦ ଆସିବ ।
ଜାହିର ଆହୁରି କହିଛନ୍ତି ଯେ, ଦଳକୁ କଣ ଦରକାର ଓ କିପରି ଖେଳ ବଦଳାଯାଏ ତାହା ପାଣ୍ଡ୍ୟା ଜାଣନ୍ତି । ତାଙ୍କୁ ଚ୍ୟାଲେଞ୍ଜ୍ ପସନ୍ଦ । ସେ ତରବରିଆ ଭାବେ ବ୍ୟାଟିଂ କରନ୍ତି ନାହିଁ । ଥରେ ନିୟନ୍ତ୍ରଣକୁ ଆସିଲେ ସେ କେତେବେଳେ ବି ଗିଅର ବଦଳାଇପାରିବେ । ଏପରି କରିବା ଦ୍ୱାରା ଆତ୍ମବିଶ୍ୱାସ ମଧ୍ୟ ବଢିଥାଏ । ପାଣ୍ଡ୍ୟା ୪ ନମ୍ବରରେ ଖେଳିଲେ ରାହୁଲ ଦ୍ରାବିଡ ମଧ୍ୟ ଖୁସି ହେବେ ।
ସୂଚନାଯୋଗ୍ୟ, ଆୟାରଲାଣ୍ଡ ବିପକ୍ଷ ଟି୨୦ ସିରିଜ୍ ପାଇଁ ପାଣ୍ଡ୍ୟାଙ୍କୁ ଅଧିନାୟକ ଦାୟିତ୍ୱ ମିଳିଛି । ଏହି ସିରିଜରେ ଭାରତ ଦୁଇଟି ମୁକାବିଲା ଖେଳିବ । ସିରିଜରେ ଅନେକ ଯୁବ ଖେଳାଳିଙ୍କୁ ମଧ୍ୟ ସୁଯୋଗ ମିଳିଛି । ଏହି ସମୟରେ ଦଳର ସିନିୟର ଖେଳାଳି ଇଂଲଣ୍ଡ ବିପକ୍ଷରେ ଟେଷ୍ଟ୍ ସିରିଜ ଖେଳିବେ । ତେଣୁ ରୋହିତ ଶର୍ମା, ବିରାଟ କୋହଲି, ଜସପ୍ରିତ ବୁମରାହଙ୍କ ଭଳି ଖେଳାଳିଙ୍କୁ ଏହି ସିରିଜରେ ଦେଖିବାକୁ ମିଳିବନି ।