ରାଜ୍ୟ ସ୍ପେଶାଲ ରିପୋର୍ଟ

୪ ଦିନ ହେଲା ମଣ୍ଡିରେ ପଡ଼ିଛି ଧାନ: କଟ୍‌ନି ଛଟ୍‌ନି ସମସ୍ୟା ନେଇ ଚାଷୀ ଅସନ୍ତୋଷ

ସମ୍ବଲପୁର: ଯାହା ଆଶଙ୍କା କରାଯାଉଥିଲା, ସେଇଆ ହୋଇଛି।‌ ଏଥର ବି ଧାନ ଉଠାଣକୁ ନେଇ ଉପୁଜିଲାଣି ସମସ୍ୟା। ଗୋଟିଏପଟେ ବିଳମ୍ବରେ କୁଚିଣ୍ଡା ଉପଖଣ୍ଡରେ ମଣ୍ଡି ଖୋଲିଥିବାବେଳେ ଅନ୍ୟପଟେ କଟ୍‌ନି ଛଟ୍‌ନି ଜିଦ୍‌ରେ ମିଲର୍ସ ଧାନ ଉଠାଉନାହାନ୍ତି। ଆଉ ଏହି ବ୍ୟବସ୍ଥା ମଧ୍ୟରେ ଛନ୍ଦି ହୋଇ ଚିନ୍ତାରେ ଚାଷୀ। ମଣ୍ଡି ଖୋଲିବା ଦିନଠାରୁ କୁଚିଣ୍ଡା ଉପଖଣ୍ଡର ବିଭିନ୍ନ ମଣ୍ଡିରେ ଧାନ ପଡ଼ି ରହିଛି। ଏଭଳି ସ୍ଥିତିରେ ହାତୀ ଉପଦ୍ରବ ଓ ଚୋରି ଭୟ ମଧ୍ୟ ଘାରିଛି। ଶୀତ କାକରରେ ମଣ୍ଡିରେ ଧାନ ଜଗିବାକୁ ବାଧ୍ୟ ହେଉଛନ୍ତି ଚାଷୀ।

ସୂଚନା ଅନୁସାରେ, କୁଚିଣ୍ଡା ଉପଖଣ୍ଡର ଗୋବିନ୍ଦପୁର କ୍ରୟକେନ୍ଦ୍ରରେ ୪୯୫ ବସ୍ତା, ବାଉଁଶଲଗାରେ ୭୪୭ ବସ୍ତା, କୁଟାରିମାଲରେ ୧୧୯୯ ବସ୍ତା, ‌ଗଡ଼ପୋଷରେ ୩୬୦ ବସ୍ତା, ଜମନକିରା ମଣ୍ଡିରେ ୪୨୮୪ ବସ୍ତା, ଭୋଜପୁରରେ ୮୮୮୭ ବସ୍ତା, ଡିମିରିମୁଣ୍ଡାରେ ୧୮୦୨ ବସ୍ତା, ଟିକିଲିପଡ଼ାରେ ୯୬୭ ବସ୍ତା , ସିରିଡରେ ୧୪୫୦ ବସ୍ତା, ବଡ଼ମାଳରେ ୬୫୦ ବସ୍ତା, ଗୁଣ୍ଡରୁଚୁଆଁରେ ୨୯୫ ବସ୍ତା, କେନାଢ଼ିପାରେ ୩୯୦୩ ବସ୍ତା, ମହଦାରେ ୧୯୬୭ ବସ୍ତା, ବାଉରି‌ଗୁଡ଼ାରେ ୩୨୧ ବସ୍ତା, ପିଣ୍ଡାପଥରରେ ୩୬୫ ବସ୍ତା, ଧୁଡ଼ିଆପାଲିରେ ୩୪୪୦ ବସ୍ତା, ଏଭଳି ୩୧, ୨୮୮ ବସ୍ତ ଧାନ ଗତକାଲି ସୁଦ୍ଧା ଆସିଥିଲା। ଆଜି ପୁଣି ଅନ୍ୟ କେତେକ ମଣ୍ଡିକୁ ଧାନ ଆସିଛି। ତାହା ଉଠିପାରି ନାହିଁ। ପ୍ରଶାସନର ଅବହେଳା ଯୋଗୁ ମିଲ୍‌ ମାଲିକଙ୍କ ମନମୁଖି ଚାଲିଛି ବୋଲି କୃଷକ ସଂଗଠନ ପକ୍ଷରୁ କୁହାଯାଇଛି।
ସାଧାରଣତଃ ସମ୍ବଲପୁର ସଦର ଉପଖଣ୍ଡରେ ମଣ୍ଡି ଖୋଲିବା ୭ ଦିନ ପରେ କୁଚିଣ୍ଡା ଉପଖଣ୍ଡରେ ମଣ୍ଡି ଖୋଲିଥାଏ। ଏଥର ୨୨ ନଭେମ୍ବରରେ ସଦର ଉପଖଣ୍ଡରେ ମଣ୍ଡି ‌ଖୋଲିଥିବା ବେଳେ କୁଚିଣ୍ଡାରେ ୨୯ ନଭେମ୍ବର ବଦଳରେ ୨ ଡିସେମ୍ବରରେ ମଣ୍ଡି ଖୋଲିଥିଲା। କୁଚିଣ୍ଡା ବିଧାୟକ କିଶୋର ନାୟକ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ ପ୍ରସ୍ତୁତି ବୈଠକରେ ଚାଷୀମାନଙ୍କ ସୁବିଧା ଦୃଷ୍ଟିରୁ ସମ୍ବଲପୁର ସଦର ଓ କୁଚିଣ୍ଡା ଉପଖଣ୍ଡରେ ଏକ ସଂଗରେ ମଣ୍ଡି ‌‌ଖୋଲିବାକୁ ଦାବି କରିଥିବା ‌ବେଳେ ତାଙ୍କ କଥାକୁ ଗୁରୁତ୍ବ ଦିଆଯାଇନଥିଲା। ବିଧାୟକ ଶ୍ରୀ ନାୟକ ବୈଠକରେ ଯେଉଁ ଆଶଙ୍କା କରିଥିଲେ ଏବେ ତାହା ସତ ହେବାରେ ଲାଗିଛି। ୨ ତାରିଖ ଦିନ ମଣ୍ଡି ଖୋଲିଥିଲେ ହେଁ ମିଲ୍‌ ମାଲିକମାନେ କିନ୍ତୁ ମଣ୍ଡିକୁ ନଆସିବାରୁ ଧାନ ଉଠିପାରି ନାହିଁ।

ଧାନ ସଂଗ୍ରହ ପ୍ରକ୍ରିୟାରେ କଷ୍ଟମ୍‌ ମିଲିଂ ବ୍ୟତୀତ ମିଲ୍‌ ମାଲିକମାନଙ୍କ ଅନ୍ୟ କୌଣସି ଭୂମିକା ନଥାଏ। କିନ୍ତୁ, ଏବେ ମିଲ୍‌ ମାଲିକମାନେ ଧାନ ସଂଗ୍ରହ ପ୍ରକ୍ରିୟାରେ ଅଘୋଷିତ ଭାବେ ମୁଖ୍ୟ ଭୂମିକା ତୁଲାଉଥିବା ଦେଖିବାକୁ ମିଳୁଛି। ଧାନ ସଂଗ୍ରହ ପାଇଁ ରାଜ୍ୟ ସରକାର ଅର୍ଥ ଯୋଗାଇଥାନ୍ତି। ପାକ୍ସ, ଲ୍ୟାମ୍ପସ ଭଳି ସରକାରୀ ସଂସ୍ଥା ଜରିଆରେ ଧାନ ସଂଗ୍ରହ କରାଯାଇଥାଏ। ଚାଷୀମାନେ ଧାନ ମଣ୍ଡି/କ୍ରୟକେନ୍ଦ୍ରକୁ ଆଣିଥାନ୍ତି। ମଣ୍ଡି/କ୍ରୟକେନ୍ଦ୍ରରେ ଚାଷୀମାନଙ୍କ ଧାନର ମାନ ନିର୍ଣ୍ଣୟ ତଥା ମାପ କରାଯିବାର ନିୟମ ରହିଛି। ସେଠାରୁ ଟ୍ରାନ୍ସପୋର୍ଟ ଏଜେଣ୍ଟଙ୍କ ଜରିଆରେ ଧାନ କଷ୍ଟମ୍ ମିଲିଂ ପାଇଁ ରାଇସ୍‌ ମିଲ୍‌କୁ ଯିବା କଥା। ଜିଲ୍ଲାରେ ମଣ୍ଡି/କ୍ରୟକେନ୍ଦ୍ରଗୁଡ଼ିକରେ ଭିତ୍ତିଭୂମିର ଅଭାବ ରହିଛି। ଧାନର ମାନ ନିର୍ଣ୍ଣୟ ଓ ମାପ କରିବା ଦାୟିତ୍ବ ଆର୍‌ଏମ୍‌ସିକୁ ନ୍ୟସ୍ତ କରାଯାଇଛି। ଆର୍‌ଏମ୍‌ସି ଏହି ଗୁରୁଦାୟିତ୍ବ ତୁଲାଇବାରେ ଫେଲ୍‌ ମାରୁଛି।

ଏପ‌ଟେ ଟ୍ରାନ୍‌ସପୋର୍ଟ ଏଜେଣ୍ଟ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯାଉନଥିବାରୁ ମିଲ୍‌ ମାଲିକଙ୍କ ଉପରେ ପ୍ରଶାସନ ନିର୍ଭର କରୁଛି। ଗତକାଲି ଜମନକିରା ମଣ୍ଡିରେ କଟ୍‌ନି ଛଟ୍‌ନିକୁ ନେଇ ତ୍ରିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଥିଲା। ଚାଷୀ, ମିଲ୍‌ ମାଲିକଙ୍କ ସହିତ କୁଚିଣ୍ଡା ଆର‌୍ଏମ୍‌ସି ସଂପାଦକ, ଏଆର୍‌ସିଏସ୍‌ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ। ‌ମିଲ୍‌ ମାଲିକମାନେ କଟ୍‌ନି ଛଟ୍‌ନି ବାବଦକୁ ବସ୍ତା ପିଛା ୫ କିଲୋଗ୍ରାମ କାଟିବାକୁ ଦାବି କରିଥିଲେ। ମାତ୍ର ଚାଷୀମାନେ ଏଥିରେ ରାଜି ହୋଇନଥିଲେ। ଫଳରେ ଦୀର୍ଘ ୪ ଘଣ୍ଟା ପର୍ଯ୍ୟନ୍ତ ଚାଲିଥିବା ଏହି ବୈଠକ ପରିଶେ‌ଷରେ ବିଫଳ ହୋଇଥିଲା। ଏ ସଂକ୍ରାନ୍ତରେ ମୁଖ୍ୟ ସିଏସ୍‌ଓ ରାମଚନ୍ଦ୍ର ଟୁଡୁଙ୍କୁ ପଚାରିବାରୁ ସେ କହିଲେ, ଆଜି କିଛି ଜାଗାରୁ ଧାନ ଉଠିଛି। ଆସନ୍ତାକାଲିଠାରୁ ସ୍ବାଭାବିକ ହୋଇଯିବ। କଟ୍‌ନି ଛଟ୍‌ନି ସମସ୍ୟା ନାହିଁ। ଯେଉଁମାନଙ୍କର ଧାନ ଓଦା ଅଧିକ ରହୁଛି, ସେମାନଙ୍କୁ ନିର୍ଦ୍ଧାରିତ ମାନର ଧାନ ଆଣିବା ପାଇଁ ପରାମର୍ଶ ଦିଆଯାଉଛି ବୋଲି ଶ୍ରୀ ଟୁଡୁ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।