ଭୁବନେଶ୍ବର: ଆଜି ଭୁବନେଶ୍ବର ସାଇବର ଥାନାରେ ପୃଥକ ପୃଥକ ୩ଟି ମାମଲା ରୁଜୁ ହୋଇଛି। ଲୁଟ୍ର ଶିକାର ହୋଇଥିବା ବ୍ୟକ୍ତିମାନଙ୍କଠାରୁ ସାଇବର ଲୁଟେରାମାନେ ୩୦ ଲକ୍ଷ ଟଙ୍କା ନେଇଯାଇଛନ୍ତି। ଗୋଟିଏ ମାମଲାରେ ନାର୍କୋଟିକ୍ କାରବାର ପ୍ରସଙ୍ଗରେ ବ୍ଲାକ୍ମେଲ କରି ଜଣେ ସଫ୍ଟୱେର୍ ଇଞ୍ଜିନିୟରଙ୍କୁ ଏକ ସାଇବର ଠକ ରୢାକେଟ୍ ଫସାଇଛି। ସେହିଭଳି ମଡେଲିଂର ମୋହ ଦେଖାଇ ଆଉ ଏକ ରୢାକେଟ୍ ଜଣେ ମହିଳାଙ୍କୁ ଚୁନ ଲଗାଇଛି। ତୃତୀୟ ମାମଲାରେ ଲଟେରି ଲୋଭ ଦେଖାଇ ସାଇବର ଠକ ଜଣେ ଯୁବକଙ୍କୁ ଠକିଛି।
ପ୍ରଥମ ମାମଲା ଅନୁସାରେ ସଫ୍ଟୱେର୍ ଇଂଜିନିୟରଙ୍କୁ ଜଣେ ଯୁବତୀ ଫେଡେକ୍ସ କୋରିୟର ସର୍ଭିସ୍ର କର୍ମଚାରୀ ବୋଲି ପରିଚୟ ଦେଇ ଫୋନ୍ କରିଥିଲେ। ମୁମ୍ବାଇରୁ ତାଇୱାନ୍ ଯିବାକୁ ଥିବା ତାଙ୍କର ଏକ ପାର୍ସଲରୁ ୧୧ଟି ପାର୍ସପୋର୍ଟ, ଏଟିଏମ୍ କାର୍ଡ ଓ ୯୫୦ଗ୍ରାମ୍ର ଡ୍ରଗ୍ସ ମିଳିଛି ବୋଲି କହିଥିଲେ। ତେଣୁ ସେ ତୁରନ୍ତ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍ସିବି) ସହ ଯୋଗାଯୋଗ କରନ୍ତୁ ବୋଲି ଯୁବତୀ କହିଥିଲେ। ଇଞ୍ଜିନିୟର୍ଜଣଙ୍କ କୌଣସି ପାର୍ସଲ ପଠାଇନଥିବା ସତ୍ତ୍ବେ ଡରିଯାଇଥିଲେ। ଏହି ସମୟରେ ଯୁବତୀଜଣଙ୍କ କଲ୍ ଟ୍ରାନ୍ସଫର କରି ନାର୍କୋଟିକ୍ ଅଧିକାରୀଙ୍କ ସହ କଥା ହେବାକୁ କହିଥିଲେ। ଇଞ୍ଜିନିୟର୍ଙ୍କୁ ନକଲି ଏନ୍ସିବି ଅଧିକାରୀ ଗୁଡ଼ାଇତୁଡ଼ାଇ ପ୍ରଶ୍ନ କରିବା ସହ ଚତୁରତାର ସହ ତାଙ୍କ ଆକାଉଣ୍ଟର ତଥ୍ୟ ହାତେଇ ନେଇଥିଲା। ସ୍କାଏପି ଡାଉନ୍ଲୋଡ୍ ଇଞ୍ଜିନିୟର୍ ନକଲି ଏନ୍ସିବି ଅଧିକାରୀ ସହ କଥା ହେବା ଭିତରେ ତାଙ୍କ ବ୍ୟାଙ୍କ ତଥ୍ୟ , ପାସ୍ୱାର୍ଡ ଆଦି ଚାଲିଯାଇଥିଲା। କିଛି ସମୟ ପରେ ତାଙ୍କ ଆକାଉଣ୍ଟ ନାଁରେ ୨୦ଲକ୍ଷ ଟଙ୍କାର ଋଣ ହୋଇଛି ବୋଲି ସେ ଏକ ମେସେଜ୍ ପାଇଥିଲେ। ତୁରନ୍ତ ଇଞ୍ଜିନିୟର୍ ଉକ୍ତ ବ୍ୟାଙ୍କର ଏକ ଶାଖା ଜରିଆରେ ଯୋଗାଯୋଗ କରି ଅଭିଯୋଗ କରିଥିଲେ। ଆଜି ସାଇବର ଥାନାରେ ଅଭିଯୋଗ କରିଛନ୍ତି।
ସେହିପରି ଦ୍ବିତୀୟ ମାମଲାରେ ଜଣେ ମହିଳା ଫେସ୍ବୁକ୍ରେ କିଡ୍ସ୍ ମଡେଲିଂ ଟ୍ରେନିଂ ନେଇ ଏକ ବିଜ୍ଞାପନ ଦେଖିଥିଲେ। ପୁଅକୁ ମଡେଲିଂରେ ଭର୍ତ୍ତି କରିବା ମୋହରେ ସେ ଯୋଗାଯୋଗ କରିବାରୁ ତାଙ୍କୁ ଟେଲିଗ୍ରାମରେ ଥିବା ଏକ ଗ୍ରୁପ୍ରେ ସାମିଲ ହେବାକୁ କୁହାଯାଇଥିଲା। ରେଜିଷ୍ଟ୍ରେସନ ହେବା ପରେ ତାଙ୍କୁ କିଛି ଟାସ୍କ ଦିଆଯାଇଥିଲା ଏବଂ ସେ ସେଥିରୁ ୧୦୦ପଏଣ୍ଟ ପାଇଥିଲେ। ଏହାପରେ ଠକ ରୢାକେଟ୍ ତାଙ୍କୁ କିଛି ଟଙ୍କା ନିବେଶ କରିବାକୁ କହିଥିଲେ। ତଥାପି ମହିଳା ରୢାକେଟ୍ର ଚାଲ୍ ବୁଝିନପାରି ପାଖାପାଖି ଏକ ଲକ୍ଷ ଟଙ୍କା ନିବେଶ କରିଦେଇଥିଲେ। ଏହାପରେ ତାଙ୍କ ନମ୍ବରକୁ ଠକମାନେ ବ୍ଲକ୍ କରିଦେଇଥିଲେ। ତୃତୀୟ ମାମଲା ଅନୁସାରେ ସାଇବର ଠକ ରୢାକେଟ୍ ଜଣେ ଯୁବକଙ୍କୁ ୧୨ଲକ୍ଷ ଟଙ୍କାର ଲଟେରି ଉଠିଥିବା କହିଥିଲେ ଏବଂ ଟଙ୍କା ପାଇବାର ପ୍ରକ୍ରିୟା ଦେଖାଇ ତାଙ୍କ ଆକାଉଣ୍ଟରୁ ୯ଲକ୍ଷ ଟଙ୍କା ନେଇଯାଇଥିଲେ।