ଅପରାଧ ରାଜ୍ୟ

୩୦ ବର୍ଷ ପରେ ବି ସରୁନି ବିସ୍ଥାପିତଙ୍କ ଦୁଃଖ: ଭିଟାମାଟି ମୋହରେ ବଞ୍ଚୁଛନ୍ତି ଜଳବନ୍ଦି ଜୀବନ

ଭବାନୀପାଟଣା: ଇନ୍ଦ୍ରାବତୀ ପ୍ରକଳ୍ପ ପାଇଁ ବିସ୍ଥାପିତ ହୋଇଥିବା ୧୬ଟି ଗାଁର ଲୋକେ ୩୦ ବର୍ଷ ପରେ ବି ଅଭିଶପ୍ତ ଜୀବନ। ସବୁଠୁ ଉଦ୍‌ବେଗର ବିଷୟ ହେଲା କି, ସେମାନଙ୍କ ଗାଁକୁ ଯିବାକୁ ରାସ୍ତା ମଧ୍ୟ ନାହିଁ। ଜଳଭଣ୍ଡାରରେ ବିପଦସଂକୁଳ ଡଙ୍ଗାଯାତ୍ରା ହିଁ ସେମାନଙ୍କ ଭରସା। ବିଭିନ୍ନ ସମୟରେ ଡଂଗାବୁଡ଼ି ଯୋଗୁଁ ଅନେକଙ୍କ ଜୀବନହାନି ହୋଇଥିବା ବେଳେ ଏବେ ବି ଏମାନେ ଜଳବନ୍ଦି ଜୀବନ ବିତାଇବାକୁ ବାଧ୍ୟ ହେଉଛନ୍ତି। କଳାହାଣ୍ଡି ଜିଲ୍ଲାକୁ ସବୁଜ ସଫଳ ଓ ଆଲୋକିତ କରିବାକୁ ନିଜ ଭିଟାମାଟିକୁ ଉତ୍ସର୍ଗ କରିଥିବା ବିସ୍ଥାପିତଙ୍କ ଦୁଃଖ ଘୁଞ୍ଚିନାହିଁ।

ସୂଚନା ଅନୁସାରେ, କଳାହାଣ୍ଡି ଜିଲ୍ଲାର ଇନ୍ଦ୍ରାବତୀ ପ୍ରକଳ୍ପ ହେବା ଯୋଗୁଁ ୧୯୯୪ ମସିହାରେ ସଂପୃକ୍ତ ୧୬ଟି ଗାଁର ଲୋକେ ନିଜ ଭିଟାମାଟିକୁ ହରାଇ ବିସ୍ଥାପିତ ହୋଇଥିଲେ। ସେତେବେଳେ ଏକର ପିଛା ପ୍ରାୟ ୧୨୦୦ ଟଙ୍କା କ୍ଷତିପୂରଣ ପାଇଥିବା ଯୋଗୁଁ ସ୍ୱଳ୍ପ ଅର୍ଥରେ ଅନ୍ୟତ୍ର ଯିବା ପାଇଁ ସାହସ ଜୁଟାଇ ପାରି ନଥିଲେ। ଜଳଭଣ୍ଡାରରରେ ବୁଡ଼ିଥିବା ୧୬ଟି ଗାଁ ନାମରେ ବିସ୍ଥାପିତ ଗାଁ ବସତି ସ୍ଥାପନ କରିଥିଲେ। ନିଜ ଗାଁର ଦେବଦେବୀଙ୍କୁ ସାଙ୍ଗରେ ଆଣି ପୂର୍ବପୁରୁଷଙ୍କ ଭିଟାମାଟିକୁ ଝୁରି ହୋଇ ଜଳଭଣ୍ଡାରର ଢିପ ଅଞ୍ଚଳ ଟାପୁରେ  ରହିଥିଲେ। ୧୯୯୪ ମସିହାରେ ବିସ୍ଥାପିତ ହୋଇଥିବା ବେଳେ ୧୯୯୯ ମସିହାରେ ଜଳଭଣ୍ଡାରରେ ବିଲୀନ ହୋଇଥିଲା ନିଜ ପୂର୍ବପୁରୁଷଙ୍କ ଭିଟାମାଟି। ଥୁଆମୂଳ ରାମପୁର ବ୍ଲକ୍‌ର ତଳ ଟେମରା, ଢିପ ଟେମରା, ଭୁରଭୁରି ଟେମରା, ପୋଡ଼ାପଦର, କଲାଟି, ତେନ୍ତୁଳିପଦର, ସରାଫାସ, ଝିରି, ମୁରକା, କେ.ଚଟା ଘାଟ, ଘୁଟରୁଖାଲ, ଭିତରଡୁଙ୍ଗା, ଲିଟିମସ୍କା, ତଳ ଗୁଂଜିମାଲ, ଉପର ଗୁଂଜିମାଲ, କାରବାଡ଼ି ସମେତ ୧୬ଟି ଗାଁ ନାମରେ ନୂଆ ଗାଁ ଜଳବନ୍ଦି ଅଞ୍ଚଳରେ ସ୍ଥାପନ କରିଛନ୍ତି। ଡଙ୍ଗାରେ ବିପଦସଂକୁଳ ଯାତ୍ରା କରି ତଳନାଗିକୁ ପିଡିଏସ୍‌ ଚାଉଳ ଆଣିବାକୁ ଆସିଥାନ୍ତି।

ପ୍ରକାଶଥାଉ କି, ବିପଦସଂକୁଳ ଡଙ୍ଗାଯାତ୍ରା ଯୋଗୁଁ ୨୦୦୩ ମସିହାରେ କେନ୍ଦୁଗୁଡ଼ାର ପୀର, ବୃନ୍ଦା, ଜାନକୀ ଚାଉଳ ନେଇ ତଲଗୁଡ଼ାଠାରୁ କେନ୍ଦୁଗୁଡ଼ା ଘାଟ ଯାଉଥିବା ବେଳେ ଡଙ୍ଗା ଓଲଟି ଲୋକେ ପ୍ରାଣ ହରାଇଥିଲେ। ୨୦୧୪ ମସିହାରେ ଏକ ଘରୋଇ ପୂଜା ପାଇଁ ଅଡ୍ରିରୁ ତଲଗୁଞ୍ଜିମାଲକୁ ଯାଉଥିବା ବେଳେ ଡଙ୍ଗା ଓଲଟି ୧୭ଜଣଙ୍କ ମୃତ୍ୟୁ ହୋଇଥିଲା। ଏଭଳି ଡଙ୍ଗା ବୁଡ଼ି ଯୋଗୁଁ ବିଭିନ୍ନ ସମୟରେ ଲୋକେ ପ୍ରାଣ ହରାଉଛନ୍ତି। ୨୦୦୭ ମସିହାରେ ଏହି ବୁଡ଼ି ଅଞ୍ଚଳରେ ଡାଇରିଆରେ ଆକ୍ରାନ୍ତ ହୋଇ ୮୭ଜଣଙ୍କ ମୃତ୍ୟୁ ହୋଇଥିଲା। ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେଲେ ଡଙ୍ଗାରେ ବିପଦସଂକୁଳ ଯାତ୍ରା କରି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସିଥାନ୍ତି। ସାମାନ୍ୟ ସ୍ୱାସ୍ଥ୍ୟ ଖରାପ ହେଲେ ବୋଟ୍‌ ଆମ୍ବୁଲାନ୍ସକୁ ଆସି ଚିକିତ୍ସିତ ହୋଇଥାନ୍ତି। ବର୍ଷା ଦିନ ଆସିଲେ ସେମାନଙ୍କ ମନରେ ଛନକା ପଶେ। ୩୦ ବର୍ଷର  ଜଳବନ୍ଦି ଯାତନା ପରେ ମଧ୍ୟ ସେମାନଙ୍କ ପାଇଁ ବିକାଶ ଅପହଞ୍ଚ ପାଲଟିଛି।

ସାପ୍ତାହିକ ହାଟ ପାଇଁ ପ୍ରାୟ ୧୪ କିମି ପାହାଡ଼ିଆ ରାସ୍ତାରେ ରାୟଗଡ଼ା ଜିଲ୍ଲାର ଡଙ୍ଗାସିଲକୁ ଯାଇଥାଆନ୍ତି। ବର୍ତ୍ତମାନ ଡିଏମ୍‌ଏଫ୍‌ ପାଣ୍ଠିରୁ ୬ଟି ମଟର ଡଙ୍ଗା ଜଳଭଣ୍ଡାରରେ ଦିଆଯାଇଛି। ଭିତର ଡୁଙ୍ଗା, ପୋଡ଼ାପଦର ଓ ଭୁରଭୁରି ଟେମରାରେ ନୂଆ ସ୍କୁଲଘର ନିର୍ମାଣ ଚାଲିଛି। ସେହିଭଳି ଗାଁଗୁଡ଼ିକୁ ଯିବା ପାଇଁ ଘାଟ କଟିଂ କରାଯାଉଛି ବୋଲି ସରକାରୀ ସୂତ୍ରରୁ ପ୍ରକାଶ। ଡି. ଚେପଟାଘାଟ ନିକଟରେ ପୋଲ ନିର୍ମାଣ ବର୍ଷ ବର୍ଷ ଧରି ମରୀଚିକା ପାଲଟିଛି। ଥୁଆମୂଳ ରାମପୁର ବ୍ଲକ୍‌ର ପୋଡାପଦର ପଞ୍ଚାୟତ ଅଧୀନରେ ଆସୁଥିବା ଏହି ଗାଁଗୁଡ଼ିକ ମୌଳିକ ସୁବିଧାରୁ ବଞ୍ଚିତ ହୋଇଛି। ନିଜ ଭିଟାମାଟିର ଉତ୍ସର୍ଗ ଯୋଗୁଁ ଆଜି କଳାହାଣ୍ଡି ସବୁଜ ସଫଳ ହୋଇଥିବା ବେଳେ ବିସ୍ଥାପିତଙ୍କ ପାଇଁ ଅପହଞ୍ଚ ହୋଇଛି ବିକାଶ। ୧୬ ଖଣ୍‌ଡ ଗାଁର ପ୍ରାୟ ୧୮୦୦ ବିସ୍ଥାପିତଙ୍କ ମୌଳିକ ସୁବିଧା ପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।