ସରି ସରି ଆସୁଛି ୨୦୨୨ ମସିହା। ବିଭିନ୍ନ କାରଣ ପାଇଁ ଚର୍ଚ୍ଚାରେ ରହିଥିଲା ଏହି ବର୍ଷଟି। ସେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହେଉ, ଅବା ପ୍ରଳୟଙ୍କରୀ ବନ୍ୟା, ସବୁକିଛି ଢେର ଦିନ ଯାଏ ଜନମାନସକୁ ଆଚ୍ଛାଦିତ କରି ରଖିଥିଲା। ତେବେ ପୁରୀ କହିଲେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ବୁଝାଏ। ୨୦୨୨ରେ ମଧ୍ୟ ମହାପ୍ରଭୁଙ୍କୁ ନେଇ ବେଶ୍ କିଛି ରୋଚକ ଘଟଣା ଘଟିଛି। କରୋନାଜନିତ କଟକଣା ଯୋଗୁ ଦୁଇବର୍ଷ ପରେ ବର୍ଷ ଆରମ୍ଭରୁ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିଥିଲେ ଓ ଭକ୍ତଙ୍କ ମେଳରେ ହୋଇଥିଲା ଘୋଷଯାତ୍ରା। କେବଳ ସେତିକି ନୁହେଁ, ରାଜ୍ୟରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଏକ ନୂତନ ଫର୍ଦ୍ଦ ଯୋଡ଼ିଛି ଶ୍ରୀଜଗନ୍ନାଥ ମେଡିକାଲ କଲେଜ୍ ଓ ହସ୍ପିଟାଲ। ଏହି ଘଟଣାବହୁଳ ୨୦୨୨ର କିଛି ଝଲକ।
ପ୍ରସ୍ତୁତି ସହାୟତା : ସୁମନ୍ତ ପରିଡ଼ା, ଶ୍ୟାମକାହ୍ନା ପଟ୍ଟନାୟକ, ସତ୍ୟନାରାୟଣ ରାଉତରାୟ, ସନ୍ତୋଷ ବରାଳ
ବର୍ଷ ଆରମ୍ଭରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଚର୍ଚ୍ଚାରେ ରହିଛି। ଏହି ଚର୍ଚ୍ଚା ଏପର୍ଯ୍ୟନ୍ତ ଥମିନାହିଁ। ବିବାଦୀୟ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାଳିଆର ଅଗଣିତ ଭକ୍ତଙ୍କୁ ଆନ୍ଦୋଳିତ କରି ରଖିଥିଲା। ବିଶେଷତଃ ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଯେଉଁଭଳି ୨୦ରୁ ୩୦ ଫୁଟ ଗର୍ତ୍ତ ଖୋଳାଯାଉଥିଲା, ତାହା ଶ୍ରୀମନ୍ଦିର ପ୍ରତି ବିପଦ ସୃଷ୍ଟିକରିବ ବୋଲି ଆଶଙ୍କା କରି ଆନ୍ଦୋଳନ ମୁଣ୍ଡ ଟେକିଥିଲା। ସାମାଜିକ ଗଣମାଧ୍ୟମରେ ବି ଶ୍ରୀମନ୍ଦିର ବଞ୍ଚାଅ ଅଭିଯାନ ଭାଇରାଲ୍ ହେଲା। କଥା ହାଇକୋର୍ଟ ଓ ପରେ ସୁପ୍ରିମକୋର୍ଟରେ ପହଞ୍ଚିଲା। ସୁପ୍ରିମକୋର୍ଟ ପ୍ରତ୍ନତତ୍ତ୍ବ ବିଭାଗ ସହ ସମନ୍ବୟ ଭିତ୍ତିରେ କାମ କରିବାକୁ ଶ୍ରୀମନ୍ଦିର ପ୍ରଶାସନ, ରାଜ୍ୟ ସରକାରଙ୍କୁ ଆଦେଶ ଦେଇଥିଲେ। ଓଡ଼ିଶା ହାଇକୋର୍ଟ ବି ସୁପ୍ରିମକୋର୍ଟଙ୍କ ଆଦେଶ ପରେ ଦାୟର ମାମଲାରେ ପୂର୍ଣ୍ଣଛେଦ ପକାଇଥିଲେ। ପରେ ଏନ୍ଏମ୍ଏ ଶ୍ରୀମନ୍ଦିର ୧୦୦ ମିଟର ନିଷିଦ୍ଧାଞ୍ଚଳରେ କେଉଁ କେଉଁ ନିର୍ମାଣ ହେବ ଓ କେଉଁ ନିର୍ମାଣ ନିଷିଦ୍ଧାଞ୍ଚଳ ବାହାରେ ହେବ, ସେ ନେଇ ସ୍ପଷ୍ଟ କରିଛନ୍ତି। କିଛି ପ୍ରକଳ୍ପ ପାଇଁ ନୂଆ ଆବେଦନ କରିବାକୁ କହିଛନ୍ତି। ସେହି ଅନୁଯାୟୀ ଶ୍ରୀମନ୍ଦିର ପ୍ରଶାସନକୁ ବି ଚିଠି କରି ଅବଗତ କରାଯାଇଛି।
ଦୁଇବର୍ଷ ପରେ ଭକ୍ତ ଦେଖିଲେ ଘୋଷଯାତ୍ରା, ଶ୍ରୀମନ୍ଦିରରେ ଦର୍ଶନ କଲେ ମହାପ୍ରଭୁ

କୋଭିଡ୍ଜନିତ କଟକଣା ପାଇଁ ୨୦୨୦ ମସିହାଠାରୁ ଭକ୍ତଙ୍କ ଅନୁପସ୍ଥିତିରେ ବଡ଼ଦାଣ୍ଡରେ ଗଡ଼ିଥିଲା ଭକ୍ତବତ୍ସଳଙ୍କ ରଥ। ଭକ୍ତଙ୍କ ବଦଳରେ ସେବାୟତ ରଥ ଟାଣିଥିଲେ। କିନ୍ତୁ ଚଳିତବର୍ଷ କୋଭିଡ୍ କଟକଣା ହଟିବା ପରେ ପୁଣିଥରେ ଦୁଇବର୍ଷ ତଳର ଭକ୍ତିମୟ ପରିବେଶ ବଡ଼ଦାଣ୍ଡରେ ଦେଖିବାକୁ ମିଳିଥିଲା। ରଥ-ପଥ-ଭକ୍ତଙ୍କ ମହାମିଳନ ଘଟିଥିଲା। ପୁଣିଥରେ ବଡ଼ଦାଣ୍ଡ ହରିବୋଲ ହୁଳହୁଳି, ଘଣ୍ଟଘଣ୍ଟାରେ ପ୍ରକମ୍ପିତ ହୋଇ ଉଠିଥିଲା। କୁହାଯାଉଛି, ଚଳିତବର୍ଷ ବି ସର୍ବାଧିକ ଭକ୍ତ ମହାପ୍ରଭୁଙ୍କ ରଥଯାତ୍ରାରେ ସାମିଲ୍ ହୋଇଥିଲେ। ସେହିପରି ଦୁଇବର୍ଷ ପରେ ଚଳିତବର୍ଷ ଜାନୁଆରିରୁ ମହାପ୍ରଭୁଙ୍କ ଦର୍ଶନ ଅନୁମତି ମିଳିଥିଲେ ବି ଭକ୍ତମାନେ କୋଭିଡ୍ କଟକଣା ଅନୁପାଳନ ପୂର୍ବକ ଦର୍ଶନ କରିଥିଲେ। କିନ୍ତୁ ଫେବ୍ରୁଆରି ୨୧ରୁ ଶ୍ରୀମନ୍ଦିରରେ ଦର୍ଶନ ପାଇଁ ଲାଗୁ କୋଭିଡ୍ କଟକଣା ହଟାଇ ଦିଆଯାଇଥିଲା। ବିନା କଟକଣାରେ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନ କରିଥିଲେ।
ବଡ଼ଦେଉଳରେ ବଡ଼ ବିଶୃଙ୍ଖଳା

ରୋଷଘରର ୪୩ ଚୁଲି ତାଡ଼ିଦେଲେ
ବିଶ୍ବନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବଡ଼ଦେଉଳରେ ଚଳିତବର୍ଷ ସବୁଠୁ ବଡ଼ ବିଶୃଙ୍ଖଳା ଲୋକଲୋଚନକୁ ଆସିଥିଲା। ଶ୍ରୀମନ୍ଦିର ରୋଷଘରେ ପଶି ଜଣେ ଦୁର୍ବୃତ୍ତ ୪୩ଟି ଚୁଲିକୁ ଶାବଳ, ଲୁହା ରଡ୍ରେ ତାଡ଼ି ଦେଇଥିଲେ। ପିଠାଆଡ଼ର ୧୫ଟି, ଥାଳିଆଡ଼ର ୧୨ଟି, ସାତପୁରୀର ୧୨ଟି, ଅହିଆ(ଡାଲି, ତରକାରୀ ରନ୍ଧା ପାଇଁ ବଡ଼ ଚୁଲି) ୨ଟି ଓ କୋଠଭୋଗ ଚୁଲି ୨ଟି ଭାଙ୍ଗି ଦିଆଯାଇଥିଲା। ଚୁଲି ଭାଙ୍ଗିଯିବାରୁ ରନ୍ଧା କାର୍ଯ୍ୟ ବିଳମ୍ବ ହୋଇଥିଲା। ଯେଉଁଥିପାଇଁ ମହାପ୍ରଭୁଙ୍କ ନୀତିକାନ୍ତି ବି ବିଳମ୍ବ ହୋଇଛି। ରୋଷଘରେ ଏଭଳି ଚୁଲା ଭଙ୍ଗା ଘଟଣା ଶ୍ରୀମନ୍ଦିର ଇତିହାସରେ ବି ପ୍ରଥମ ଘଟଣା ଥିଲା। ଏହି ମାମଲାରେ ପୁଲିସ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଦେଉଳି ଗାଁର ଜଗନ ମହାପାତ୍ରଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା।
ଶ୍ରୀମନ୍ଦିର ଗର୍ଭଗୃହ ଫଟୋ ଓ ଭିଡିଓ ଭାଇରାଲ୍
ଚଳିତବର୍ଷର ଅନ୍ୟତମ ଚର୍ଚ୍ଚିତ ଘଟଣା ଥିଲା ଶ୍ରୀମନ୍ଦିରର ସବୁଠୁ ସମ୍ବେଦନଶୀଳ ଅଞ୍ଚଳ କୁହାଯାଉଥିବା ଗର୍ଭଗୃହ ଭିଡିଓ ଓ ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା। ଆକାଶ ଚୌଧୁରୀ ନାମକ ଯୁବକ ଗର୍ଭଗୃହର ଫଟୋ ଓ ଭିଡିଓ ଉତ୍ତୋଳନ କରି ଏହାକୁ ନିଜ ଫେସ୍ବୁକ ଆକାଉଣ୍ଟରେ ପୋଷ୍ଟ କରିଥିଲେ। ଆକାଶ ଜଣେ ୟୁ-ଟ୍ୟୁବର ଓ ଇସ୍କନ ଭକ୍ତ। ଏହି ଘଟଣାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପୁଲିସ ନିନ୍ଦିତ ହେବା ପରେ ଘଟଣାର ତଦନ୍ତକୁ ଜୋରଦାର କରାଯାଇଥିଲା। ପରେ ଆକାଶଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି।
ସିଂହଦ୍ବାର ଗୁମୁଟରୁ ପଡ଼ି କିନ୍ନରଙ୍କ ମୃତ୍ୟୁ
ଚଳିତବର୍ଷ ପ୍ରଥମ ଥର ପାଇଁ ଶ୍ରୀମନ୍ଦିରରୁ ଡେଇଁ ଆତ୍ମହତ୍ୟା ଘଟଣା ନଜରକୁ ଆସିଥିଲା। ଶ୍ରୀମନ୍ଦିର ସିଂହଦ୍ବାର ଗୁମୁଟରୁ ଡେଇଁ ପୁରୀ ଜିଲ୍ଲା ନିମାପଡ଼ା ଥାନା କଳାପାଞ୍ଚଣ ପଞ୍ଚାୟତ ଗଡ଼ଇଟାପୋଖରୀ କୋଠା ସାହିର ଅରକ୍ଷିତ ରାଉତଙ୍କ ପୁଅ ବଳରାମ ଆତ୍ମହତ୍ୟା କରିଥିଲେ। ବଳରାମ ଜଣେ କିନ୍ନର ଥିଲେ। ଶ୍ରୀମନ୍ଦିର ଇତିହାସରେ ଏଭଳି ମୃତ୍ୟୁ ପ୍ରଥମ ଘଟଣା ହୋଇଥିବାବେଳେ ରାଜ୍ୟବ୍ୟାପୀ ଏହାକୁ ଆଲୋଡ଼ନ ସୃଷ୍ଟି ହୋଇଥିଲା।
ଚିତ୍ତାକର୍ଷକ ଏୟାର ସୋ’

ସ୍ବର୍ଣ୍ଣାଭ ବେଳାଭୂମିରେ ପ୍ରଥମଥର ପାଇଁ ଆୟୋଜିତ ହୋଇଥିଲା ଚିତ୍ତାକର୍ଷକ ଏୟାର ସୋ’। ସୂର୍ଯ୍ୟକିରଣ ଟିମ୍ର ବାୟୁ ସେନା ୯ଟି ଏମ୍-୧୩୨ ଲଢ଼ୁଆ ହକ୍ ବିମାନ ଉଡ଼ାଣ କୌଶଳ ପ୍ରଦର୍ଶନ କରି ମନ ଜିଣିଥିଲେ।
ଓଡ଼ିଶା ଗସ୍ତରେ ଆସିଥିବା ପ୍ରଥମ ଓଡ଼ିଆ ମହିଳା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବଡ଼ଦାଣ୍ଡରେ ଦୁଇ କିଲୋମିଟର ଚାଲିଚାଲିଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ଓ ଯିବା ବାଟରେ ଲୋକଙ୍କୁ ଅଭିବାଦନ ଜଣାଇବା ବେଶ୍ ଚର୍ଚ୍ଚାର ବିଷୟ ହୋଇଥିଲା।