ରାଜ୍ୟ

୧ ପୁଟର କାଦୁଅ ରାସ୍ତା କହୁଛି ଗାଁର ବିକାଶ: ଗାଁକୁ ଗଡୁନି ଆମ୍ବୁଲାନ୍ସ

ଝରିଗାଁ:ଗାଁକୁ ପକ୍କା ରାସ୍ତା ଓ ନଦୀରେ ପୋଲ ନିର୍ମାଣ ପାଇଁ ବହୁବାର ପ୍ରଶାସନିକ ଅଧିକାରୀ ଓ ଜନପ୍ରତିନିଧିଙ୍କ ନିକଟରେ ଗୁହାରି କରାଯାଇଛି। କିନ୍ତୁ କେହି କର୍ଣ୍ଣପାତ କରୁନଥିବାରୁ ଜମି ହିଡ଼ ଓ ନାଳ ପାର ହୋଇ ଯାତାୟାତ କରିବାକୁ ପଡ଼ୁଛି। ବର୍ଷାଦିନେ ‌ରୋଗୀ ଓ ଗର୍ଭବତୀଙ୍କୁ ଭାରରେ ବୋହି ନେବାକୁ ପଡ଼ୁଛି। ପକ୍କା ରାସ୍ତା ନଥିବାରୁ ପ୍ରାୟ ୫୦ବର୍ଷ ହେଲା ଏଭଳି ହନ୍ତସନ୍ତ ହେଉଛନ୍ତି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକର ବାଘବେଡ଼ା ଗ୍ରାମବାସୀ। ଝରିଗାଁ ବ୍ଲକ ସଦର ମହକୁମା ଠାରୁ ପ୍ରାୟ ୩ କିଲୋମିଟର ଦୂରରେ ଥିବା ବାଘବେଡା ଗାଁରେ ପ୍ରାୟ ୫୦ବର୍ଷ ହେଲା ୩୫ଟି ସାନ୍ତା ପରିବାର ବସବାସ କରୁଛନ୍ତି। ଚାଷ କରି ସମସ୍ତେ ପରିବାର ପ୍ରତିପୋଷଣ କରନ୍ତି।

ଗାଁକୁ ଯିବା ପାଇଁ ଦୁଇଟି ରାସ୍ତା ଥିବା ବେଳେ ମାତିଲି ସାହି ପର୍ଯ୍ୟନ୍ତ ମାଟି ରାସ୍ତା ନିର୍ମାଣ ହୋଇଥିବା ବେଳେ ସେଠାରୁ ବାଘବେଡା ଗ୍ରାମ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ହୋଇନି। ମାତିଲି ସାହିରୁ ପ୍ରାୟ ୧କିଲୋମିଟର ଦୂରରେ ଥିବା ବାଘବେଡା ଗ୍ରାମକୁ ଯିବା ପାଇଁ ନାଳ ପାର ହେବା ସହିତ ଜମି ହିଡ଼ରେ ଚାଲିବାକୁ ପଡ଼ିଥାଏ। ଅନ୍ୟ ଏକ ରାସ୍ତା କୁଟ୍ରିଛାପର ପଞ୍ଚାୟତର ତହରାକାରିଆଗୁଡା ଗ୍ରାମ ଦେଇ ରହିଛି। କିନ୍ତୁ ତହରାକାରିଆଗୁଡା ଠାରୁ ପ୍ରାୟ ଅଢେ଼ଇ କିଲୋମିଟର ରାସ୍ତାରେ ଏକ ପୁଟ କାଦୁଅ ଥିବାରୁ ଯାତାୟାତ ବେଳେ ସମସ୍ୟା ଦେଖାଦେଉଛି। ବର୍ଷାଦିନେ ଉଭୟ ରାସ୍ତା ଦେଇ ଗାଡ଼ି ଯାଇପାରୁ ନଥିବାରୁ ରୋଗୀ ଏବଂ ଗର୍ଭବତୀଙ୍କୁ ଭାରରେ ବୋହି ମାତିଲି ସାହି ଗ‌ାଁ କିମ୍ବା ତହରାକାରିଆଗୁଡା ଗ୍ରାମ ପର୍ଯ୍ୟନ୍ତ ନେବା ପରେ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥାଏ।

ଗାଁରେ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ପାଦ ପଡ଼ୁନଥିବା ବେଳେ ଗାଁର ପ୍ରାୟ ମହିଳା ଘରେ ହିଁ ପ୍ରସବ କରୁଥିବା ଗ୍ରାମବାସୀ କହିଛନ୍ତି। ଗୁରୁତର ରୋଗୀ ଓ ପ୍ରସବରେ ସମସ୍ୟା ଦେଖାଦେଲେ ମହିଳାଙ୍କୁ ବାଧ୍ୟ ହୋଇ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନିଆଯାଉଛି। ଚଳିତ ବର୍ଷ ପ୍ରାୟ ମହିଳା ଘରେ ପ୍ରସବ କରିଛନ୍ତି। ପକ୍କା ରାସ୍ତା ପାଇଁ ବହୁବାର ଜନପ୍ରତିନିଧିଙ୍କ ସହିତ ବ୍ଲକ ଓ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ପରେ ମଧ୍ୟ କୌଣସି ସୁଫଳ ମିଳିନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।ଝରିଗାଁ ବ୍ଳକ ସଦର ମହକୁମାଠାରୁ ମାତ୍ର ତିନି କିଲୋମିଟର ଦୂରରେ ଥିବା ଏହି ଗ୍ରାମର ରାସ୍ତା କହୁଛି ବ୍ଳକର ବିକାଶର ଚିତ୍ର।ଏଥିସହ ଗ୍ରାମର ବହୁ ଯୋଗ୍ୟ ହିତାଧିକାରୀଙ୍କୁ ବାର୍ଦ୍ଧକ୍ୟ ଭତ୍ତା ଓ ଆବାସ ଯୋଜନାରେ ସାମିଲ କରାଯାଇନି।

ବହୁ ପରିବାର ଦଦରା ମାଟି ଘରେ ବିପଦପୂର୍ଣ୍ଣ ଭାବେ ମୁଣ୍ଡ ଗୁଞ୍ଜିଛନ୍ତି। ଗାଁର ପ୍ରାୟ ଘରେ ପ୍ରଶାସନ ପକ୍ଷରୁ ପାଇଖାନା ନିର୍ମାଣ କରାଯାଇଥିଲେ ହେଁ କିଛି ପାଇଖାନାର କବାଟ ନଥିବା ବେଳେ ଆଉ କିଛି ପାଇଖାନା ବ୍ୟବହାର ଉପଯୋଗୀ ନୁହେଁ। ବହୁବାର ଦାବି ପରେ ମଧ୍ୟ ଗାଁରେ ପୋଖରୀ ଖନନ କରାଯାଉନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗାଁକୁ ପକ୍କା ରାସ୍ତା ନିର୍ମାଣ ସହିତ ଅନ୍ୟ ସମସ୍ୟାର ସମାଧାନ ଦିଗରେ ତୁରନ୍ତ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଗଦା ସାନ୍ତା, ଡମ୍ବରୁ ସାନ୍ତା, ଓକିଲ ସାନ୍ତା, ଅସ୍ତୁ ସାନ୍ତା, ରାମ ସାନ୍ତା, ଜଗବନ୍ଧୁ ସାନ୍ତା, କମଳା ସାନ୍ତା, ପାର୍ବତୀ ସାନ୍ତା, ଆଲଇ ସାନ୍ତା, ବିମଳା ସାନ୍ତା, ସୁବର୍ଣ୍ଣ ସାନ୍ତା, ହୀରା ସାନ୍ତା ପ୍ରମୁଖ ଦାବି କରିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।