ରାଜ୍ୟ ସ୍ପେଶାଲ ରିପୋର୍ଟ

୧୬ରୁ ସକାଳୁ ମିଳିବ ଅବଢ଼ା: ସକାଳ ୯ରୁ ଅପରାହ୍ଣ ୨ଟା ଶ୍ରୀଲିଙ୍ଗରାଜଙ୍କ ସାହାଣମେଲା

ପୁରୁଣା ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମନ୍ଦିରରେ ଆସନ୍ତା ୧୬ ତାରିଖଠାରୁ ସକାଳ ୯ଟାରୁ ଠାକୁରଙ୍କ ଅବଢ଼ା ମିଳିବ। ଧନୁ ସଂକ୍ରାନ୍ତିଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ପୌଷ ମାସ ଉପଲକ୍ଷେ ସର୍ବସାଧାରଣ ଏହି ଭେଗ ପାଇପାରିବେ। ଏହାଦ୍ବାରା ତୀର୍ଥଯାତ୍ରୀମାନେ ଉପକୃତ ହେବେ। ସକାଳୁ ଆସୁଥିବା ପର୍ଯ୍ୟଟକ ଠାକୁରଙ୍କ ଦର୍ଶନ ପରେ ଅବଢ଼ା ଖାଇବା ସୁବିଧା ପାଇବେ। ସେହିଦିନଠୁ ଏକ ମାସ ଧରି ମନ୍ଦିରରେ ଭୋର୍‌ ୫ଟାରେ ମଙ୍ଗଳ ଆଳତି, ସାଢ଼େ ୫ଟାରେ ହୋମ, ୬ଟାରେ ମହାସ୍ନାନ କରାଯାଇ ସକାଳ ୭ଟାରେ ସକାଳ ଧୂପ ସମାପନ ହେବ। ସକାଳ ୯ଟାରେ ଭୋଗ ମଣ୍ଡପ ସମାପନ କରାଯାଇ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ସାହାଣ‌‌ମେଲା ଦର୍ଶନ ହେବ। ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ଧନୁ ସଂକ୍ରାନ୍ତି ପାଇଁ ନୀତି ନିର୍ଘଣ୍ଟ କରାଯାଇଛି।

ଏନେଇ ବିଭିନ୍ନ ନିଯୋଗକୁ ଚିଠି କରାଯାଇଛି। ସଅଳ ଧୂପ ପାଇଁ ସବୁ ସେବାୟତଙ୍କ ସହଯୋଗ ଆବଶ୍ୟକ। ତେବେ ସେବାୟତଙ୍କ ସହ କୌଣସି ଆଲୋଚନା ନ‌ହୋଇ ନୀତି ନିର୍ଘଣ୍ଟ କରାଯାଇଛି। ପୂର୍ବବର୍ଷ ନୀତିକୁ ନେଇ ଚିଠି କରାଯାଇଛି ବୋଲି ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ପତି କହିଛନ୍ତି। ଏଥିପାଇଁ ମନ୍ଦିର ପ୍ରଶାସନ ସବୁ ନିଯୋଗ ପ୍ରମୁଖଙ୍କ ସହ ଆଲୋଚନା କରିବା କଥା। ଏପଟେ ସକାଳୁ ଅବଢ଼ା ପାଇଁ ବହୁ ଭକ୍ତଙ୍କ ଭିଡ଼ ହେବା ଆଶଙ୍କା ଥିବାରୁ ମନ୍ଦିରର ରୋଷ ସେବାୟତମାନେ ପୂର୍ବ ପ୍ରସ୍ତୁତି ଚଳାଇଛନ୍ତି। ସକାଳ ଧୂପ ପରେ ଅବଢ଼ା ମିଳିବା ଦ୍ବାରା ବହୁ ପର୍ଯ୍ୟଟକ ଓ ତୀର୍ଥଯାତ୍ରୀ ସହଜରେ ମନ୍ଦିରର ଆନନ୍ଦବଜାରରେ ଅବଢ଼ା ପାଇ ପାରିବେ ବୋଲି ସେବାୟତମାନେ କହିଛନ୍ତି।

ବୃଦ୍ଧି ପାଇବେ ପର୍ଯ୍ୟଟକ
ଶ୍ରୀଲିଙ୍ଗରାଜ ମନ୍ଦିରରେ ପ୍ରଭୁଙ୍କ ଦର୍ଶନ ଲାଭ କରିବାକୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏକାମ୍ର କ୍ଷେତ୍ରର ସୌନ୍ଦର୍ଯ୍ୟୀକରଣ ପର୍ଯ୍ୟଟକଙ୍କୁ ଅଧିକ ମାତ୍ରାରେ ଆ‌କର୍ଷିତ କରୁଛି। ଗତ୨ମାସ ପୂର୍ବରୁ ସାଢ଼େ ୩ ହଜାର ପର୍ଯ୍ୟଟକ ଏଠାକୁ ଆସୁଥିବା ବେଳେ ଚଳିତ ମାସରେ ପର୍ଯ୍ୟଟକଙ୍କ ସଂଖ୍ୟା ୮ ହଜାରକୁ ଛୁଇଁଲାଣି। ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଟୁରିଷ୍ଟ ବସ୍‌ ଅଧିକ ଆସୁଥିବା ଏହାର ପ୍ରମାଣ। ଶ୍ରୀଲିଙ୍ଗରାଜ ମନ୍ଦିରର ସୌନ୍ଦର୍ଯ୍ୟୀକରଣ ଓ ଗମନାଗମନ ବ୍ୟବସ୍ଥାରେ ସୁଧାର ଆସିଥିବାରୁ ପର୍ଯ୍ୟଟକମାନଙ୍କ ସଂଖ୍ୟା ବଢ଼ୁଛି ବୋଲି କୁହାଯାଉଛି। ଖାଲଖମା ରାସ୍ତାଗୁଡ଼ିକ ମରାମତି ପରେ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ପାଇଁ ଶ୍ରୀଲିଙ୍ଗରାଜ ମନ୍ଦିର ଯିବାକୁ ସୁବିଧା ହୋଇଛି। ତେଣୁ ସ୍ବତଃ ଦେବଦର୍ଶନ ପାଇଁ ସାଧାରଣ ଲୋକେ ମନ୍ଦିରକୁ ଆସୁଛନ୍ତି।

ଫଳରେ ଏବେ ସର୍ବସାଧାରଣଙ୍କ ଭିଡ଼ ବଢ଼ିଛି। ବଡ଼ କଥା ହେଉଛି ଏବେ ରାଜ୍ୟ ବାହାରର ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ୁଛି। ପର୍ଯ୍ୟଟକମାନେ ଲିଙ୍ଗରାଜ ମନ୍ଦିର ନିକଟ ସୌନ୍ଦର୍ଯ୍ୟ, ବିଭିନ୍ନ ଛୋଟ ମନ୍ଦିର ଓ ବିନ୍ଦୁସାଗର ମ୍ୟୁଜିକାଲ୍‌ ଫାଉଣ୍ଟେନ୍‌ର ମଜା ନେଉଛନ୍ତି। ଆଗକୁ ଏହା ଆହୁରି ବଢ଼ିବ ବୋଲି ଆକଳନ କରାଯାଉଛି। ଆସନ୍ତା ୧୬ତାରିଖରୁ ସକାଳ ୯ରୁ ୨ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ ବେଳେ ଗର୍ଭଗୃହକୁ ଯିବାକୁ ସୁବିଧା ମିଳିବ। ସେବାୟତ ଗୋପାଳ ମକଦ୍ଦମଙ୍କ କହିବା କଥା ଏବେ ପର୍ଯ୍ୟଟନ ଋତୁ ‌ସହ ଅଧିକ ସମୟ ସାହାଣମେଲା ଦର୍ଶନ ସୁବିଧା ମିଳିବ। ଏଣୁ ଅଧିକ ପର୍ଯ୍ୟଟକ ଆସିବେ ବୋଲି ଆଶା କରାଯାଉଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।