ରାଜ୍ୟ

୧୪ ପ୍ରସ୍ତାବରେ କ୍ୟାବିନେଟ୍‌ ମୋହର: କଟକରେ ଇ-ଯାନ, ଇ-ବ୍ୟାଟେରି କାରଖାନା

ଭୁବନେଶ୍ବର: କଟକର ନରାଜରେ ଉତ୍ପାଦିତ ହେବ ବୈଦ୍ୟୁତିକ ଯାନ (ଇ-ଯାନ) ଏବଂ ଏହି ଯାନ ବ୍ୟାଟେରି। ପାରାଦୀପରେ ତମ୍ବା ସ୍ମେଲଟର୍ ସହ ଲିଥିୟମ ସ୍ମେଲଟର ଏବଂ ଇ-ଯାନର ଆନୁଷଙ୍ଗିକ ଉପାଦାନ ଉତ୍ପାଦନ କମ୍ପ୍ଲେକ୍ସ ସ୍ଥାପିିତ ହେବ। ଏଥିପାଇଁ ତିନିଟି ପର୍ଯ୍ୟାୟରେ ଜେଏସ୍‌ଡବ୍ଲ୍ୟୁ ନରାଜ ଓ ପାରାଦୀପରେ ୪୦ହଜାର କୋଟି ଟଙ୍କା ନିବେଶ କରିବ। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଓଡ଼ିଶା ଇ-ଯାନ ଏବଂ ଯନ୍ତ୍ରାଂଶ ଉତ୍ପାଦନ କ୍ଷେତ୍ରରେ ହବ୍‌ ପାଲଟିଯିବ। ଏହି ପ୍ରକଳ୍ପ ପାଇଁ ଆଜି ରାଜ୍ୟ କ୍ୟାବିନେଟ ଏକ ସ୍ବତନ୍ତ୍ର ପ୍ରୋତ୍ସାହନ ପ୍ୟାକେଜ୍ ଅନୁମୋଦନ କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟ କ୍ୟାବିନେଟ୍‌ ବୈଠକ ବସିଥିଲା। ଏଥିରେ ୧୨ଟି ବିଭାଗରେ ୧୪ଟି ପ୍ରସ୍ତାବ ପାରିତ ହୋଇଥିଲା। କ୍ୟାବିନେଟ୍‌ ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ ଜେଏସ୍‌ଡବ୍ଲ୍ୟୁ ନରାଜରେ ‘୫୦ଗିଗାୱାଟ୍ ଆୱାର’ କ୍ଷମତା ବିଶିଷ୍ଟ ଏକ ଉନ୍ନତ ବୈଷୟିକ ଜ୍ଞାନ ଆଧାରିତ ବ୍ୟାଟେରି ଉତ୍ପାଦନ ପ୍ରକଳ୍ପ ପ୍ରତିଷ୍ଠା କରିବ। ଏହା ବିଶ୍ବର ସର୍ବବୃହତ ଏକକ ପ୍ରକଳ୍ପ ହେବ। ସାରାବିଶ୍ବ ଏବେ ‘୫୦ଗିଗାୱାଟ୍ ଆୱାର’ ବ୍ୟାଟେରି ଉତ୍ପାଦନ କ୍ଷେତ୍ରରେ ପୁଞ୍ଜିନିବେଶ କରୁଥିବା ବେଳେ ଓଡ଼ିଶା ବିଶ୍ବର ସବୁଠୁ ବଡ଼ ପ୍ରକଳ୍ପ ନିର୍ମାଣ

କରିବାକୁ ଆଗେଇ ଆ‌ସିଛି। ଦୁଇଟି ପର୍ଯ୍ୟ‌ାୟରେ ସମାନ ସୁବିଧାରେ ବୈଦ୍ୟୁତିକ ଯାନ ଓ ଉପାଦାନଗୁଡ଼ିକ ଉତ୍ପାଦନ ପାଇଁ ଏକ ଓଇଏମ୍‌ (ଓରିଜିନାଲ ଇକ୍ୟୁପମେଣ୍ଟ ମ୍ୟାନୁଫ୍ୟାକଚରର) କାରଖାନା ସ୍ଥାପନ କରିବାକୁ କମ୍ପାନି ଯୋଜନା କରୁଛି। ଏହି ଦୁଇଟି ପର୍ଯ୍ୟାୟରେ ଜେଏସ୍‌ଡବ୍ଲ୍ୟୁ ରାଜ୍ୟରେ ୨୫ହଜାର କୋଟି ଟଙ୍କା ବିନିଯୋଗ କରିବାକୁ ଯୋଜନା କରିଛି, ଯାହା ୪ହଜାରରୁ ଅଧିକ ଲୋକଙ୍କ ପାଇଁ ରୋଜଗାର ସୃଷ୍ଟି କରିବ। ସେହିପରି ତୃତୀୟ ପର୍ଯ୍ୟାୟରେ ପାରାଦୀପରେ ତମ୍ବା ସ୍ମେଲଟର୍ ସହ ଲିଥିୟମ ସ୍ମେଲଟର ଏବଂ ଇ-ଯାନର ଆନୁଷଙ୍ଗିକ ଉପାଦାନ ଉତ୍ପାଦନ କମ୍ପ୍ଲେକ୍ସ ସ୍ଥାପନ କରିବାକୁ ଯୋଜନା କରିଛି। ଏହି ପର୍ଯ୍ୟାୟରେ ୭ହଜାରରୁ ଅଧିକ ଲୋକଙ୍କ ପାଇଁ ରୋଜଗାର ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ଏଥିରେ ୧୫ହଜାର କୋଟି ଟଙ୍କା ବିନିଯୋଗ କରିବ। ଏହିପରି ମୋଟ୍ ୪୦ହଜାର କୋଟିର ପୁଞ୍ଜି ନିବେଶରେ ୧୧ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ଯୋଜନା କରିଛି।
ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଡିଲର୍‌ମାନଙ୍କ ଲାଇସେନ୍ସ ଅବଧି ଆଉ ୬ ମାସ ବଢ଼ାଇବା ସଂକ୍ରାନ୍ତ ପ୍ରସ୍ତାବ କ୍ୟାବିନେଟ୍‌ର ଅନୁମୋଦିତ ହୋଇଛି। ବର୍ତ୍ତମାନ ଡିଲର୍‌ମାନଙ୍କ ଲାଇସେନ୍ସ ଅବଧି ୨୦୨୪ ମାର୍ଚ୍ଚ ୩୧ ତାରିଖରେ ଶେଷ ହେଉଛି। ସେମାନଙ୍କର ଏହି ଲାଇସେନ୍ସର ନବୀକରଣ କରାଯାଇ ଏହାର ଅବଧି ସେପ୍ଟେମ୍ବର ୩୦ ତାରିଖ ଯାଏ ବଢ଼ାଯିବ। ବର୍ତ୍ତମାନ ରାଜ୍ୟରେ ୧୩,୨୯୬ ସୁଲଭ ମୁଲ୍ୟ ଦୋକାନ ରହିଛି। ଏହା ମଧ୍ୟରୁ ୬୬୨୧ଟି ଆନୁଷ୍ଠାନିକ ଡିଲର୍‌ ଓ ଅବଶିଷ୍ଟ ୬୬୭୫ ଜଣ ବେସରକାରୀ ଡିଲର୍‌ ଅଛନ୍ତି। ଯେଉଁ ଡିଲର୍‌ମାନଙ୍କ ବିରୋଧରେ ଖାଉଟିମାନଙ୍କ ଅଭିଯୋଗ ନାହିଁ କିମ୍ବା ତାଙ୍କ ବିରୋଧରେ ଜରୁରୀ ଦ୍ରବ୍ୟ ଆଇନ୍ ଅନୁଯାୟୀ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ, ସେହିମାନଙ୍କ ଲାଇସେନ୍ସ ନବୀକରଣ ହେବ।

ଜେଏସ୍‌ଡବ୍ଲ୍ୟୁ ନି‌ବେଶ କରିବ ୪୦ହଜାର କୋଟି
‘୫୦ ଗିଗାୱାଟ୍ ଆୱାର’ ବ୍ୟାଟେରି ଉତ୍ପାଦନରେ ବିଶ୍ବର ସବୁଠୁ ବଡ଼ ପ୍ରକଳ୍ପ
ଡିଲର୍‌ଙ୍କ ଲାଇସେନ୍ସ ୬ ମାସ ‌ବଢ଼ିଲା

୭୮୨ ଜଣ ଅବସରପ୍ରାପ୍ତ ଭିଏଲ୍‌ଡବ୍ଲ୍ୟୁଙ୍କୁ ସର୍ବନିମ୍ନ ପେନ୍‌ସନ ପ୍ରଦାନ ପାଇଁ କ୍ୟାବିନେଟ୍‌ ନିଷ୍ପତ୍ତି ନେଇଛନ୍ତି। ଗ୍ରାମ ପଞ୍ଚାୟତ ସମ୍ପାଦକଙ୍କ ମଧ୍ୟରୁ ଚୟନ ପ୍ରକ୍ରିୟାରେ ଭିଏଲ୍‌ଡବ୍ଲ୍ୟୁ ପଦବିରେ ନିଯୁକ୍ତ ହୋଇଥିବା କିଛି ନିର୍ଦ୍ଦିଷ୍ଟ କର୍ମଚାରୀ ଅବସର ପରେ ତାଙ୍କ ଗ୍ରାମ ପଞ୍ଚାୟତ ସମ୍ପାଦକ ପଦବି କାର୍ଯ୍ୟକାଳରୁ ତାଙ୍କର ନିୟମିତ ଭିଏଲ୍‌ଡବ୍ଲ୍ୟୁ ପଦବିରେ ସମ୍ପାଦନା କରିଥିବା କାର୍ଯ୍ୟକାଳ ସହ ମିଶାଇ ସର୍ବନିମ୍ନ ପେନ୍‌ସନ ପ୍ରଦାନ କରିବାକୁ ‌ଦାବି ହେଉଥିଲା। ଏହି ମାମଲାରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ଭିତ୍ତି କରି ସରକାର ସର୍ବନିମ୍ନ ପେନ୍‌ସନ ପ୍ରଦାନ ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହା କେବଳ ସେହି ୭୮୨ ଜଣ ଅବସରପ୍ରାପ୍ତ ଭିଏଲ୍‌ଡବ୍ଲ୍ୟୁଙ୍କ ପାଇଁ ଲାଗୁ ହେବ। ଭବିଷ୍ୟତରେ ଅନ୍ୟ ଭିଏଲ୍‌ଡବ୍ଲ୍ୟୁଙ୍କ ପାଇଁ ଲାଗୁ କରାଯାଇପାରିବ ନାହିଁ। ହାଉସିଂବୋର୍ଡ ଓ ବିଭିନ୍ନ ଉନ୍ନୟନ କର୍ତ୍ତୃପକ୍ଷଙ୍କୁ ବାସଗୃହ ନିର୍ମାଣ ନିମନ୍ତେ ଲିଜ୍ ସୂତ୍ରରେ ଯୋଗାଇ ଦିଆଯାଇଥିବା ସରକାରୀ ଜମିକୁ ସ୍ଥିତିବାନ ସତ୍ତ୍ବରେ ପରିବର୍ତ୍ତନ କରିବା ‌ଦେୟକୁ ଜମିର ବଜାର ମୂଲ୍ୟର ୧୦% ଦେବାକୁ ପଡ଼ିବ ନାହିଁ। ସେହି ଜମି ନିକଟରେ ଥିବା ସ୍ଥିତିବାନ ଜମିର ବେଞ୍ଚ୍‌ ମାର୍କ ଭାଲ୍ୟୁର ୩% ଦେୟକୁ ହ୍ରାସ କରିବା ପ୍ରସ୍ତାବ କ୍ୟାବିନେଟ୍‌ରେ ପାରିତ ହୋଇଛି। ଏଣିକି ହାଉସିଂବୋର୍ଡ ଓ ଉନ୍ନୟନ କର୍ତ୍ତୃପକ୍ଷଙ୍କଠାରୁ ମିଳିଥିବା ଜମିକୁ ସ୍ଥିତିବାନ କରିବା ପାଇଁ ପୂର୍ବ ନିର୍ଦ୍ଧାରିତ ଦେୟଠାରୁ କମ୍ ଦେବାକୁ ପଡ଼ିବ।

ଓଡ଼ିଶା ପ୍ରାଣୀ ଚିକିତ୍ସା ବୈଷୟିକ ସେବା(ନିଯୁକ୍ତି ସର୍ତ୍ତାବଳୀ) ନିୟମ- ୧୯୮୩, ଓଡ଼ିଶା ସରକାରୀ ପ୍ରେସ୍ ଶିଳ୍ପ କର୍ମଚାରୀଙ୍କ ବର୍ଗୀକରଣ, ନିଯୁକ୍ତି, ପଦୋନ୍ନତି, ସେବା ସର୍ତ୍ତ ଓ ଆବେଦନ ନିୟମାବଳୀ-୧୯୭୮ରେ ସଂଶୋଧନ ପ୍ରସ୍ତାବରେ କ୍ୟାବିନେଟ୍‌ ମୋହର ବାଜିଛି। ଓଡ଼ିଶା ଅଗ୍ନିଶମ ସେବା (କ ଓ ଖ ବର୍ଗ ଅଧିକାରୀଙ୍କ ନିଯୁକ୍ତି ଓ ଚାକିରି ସର୍ତ୍ତ) ନିୟମାବଳୀ- ୨୦୨୧ରେ ମଧ୍ୟ ସଂଶୋଧନ କରାଯାଇଛି। ଏଣିକି ଲିଖିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ପ୍ରାର୍ଥୀମାନଙ୍କ ମଧ୍ୟରୁ ବର୍ଗ ଭିତ୍ତିକ ସ୍ତରରେ ଖାଲି ଥିବା ପଦବି ସଂଖ୍ୟାର ୩ ଗୁଣ ବଦଳରେ ୭ ଗୁଣ ପ୍ରାର୍ଥୀଙ୍କୁ ଶାରୀରିକ ମାନଦଣ୍ଡ ଓ ଦକ୍ଷତା ପରୀକ୍ଷା ନିମନ୍ତେ ଡକାଯିବା ପାଇଁ ସ୍ଥିର ହୋଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।