ରାଜ୍ୟ ସ୍ପେଶାଲ ରିପୋର୍ଟ

୧୨୦ଗାଁକୁ ପାଦଚଲା ରାସ୍ତା ଭରସା: କାମରେ ଲାଗୁନି ଡିଏମ୍‌ଏଫ୍‌, ଓମ୍‌ବାଡସିରେ ଥିବା ହଜାରହଜାର କୋଟି

ସୁନ୍ଦରଗଡ଼: ଚାରିଆଡ଼େ ପାହାଡ଼, ମଝିରେ ଗାଁ ରାକସଖୋଲ। ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ବ୍ଲକ୍‌ ଡୁମାବାହାଲ ପଞ୍ଚାୟତର ଏହି ଆଦିବାସୀ ଗାଁକୁ ଯିବାକୁ ହେଲେ ପାହାଡ଼ିଆ ପାଦଚଲା ବାଟରେ ୩ କିଲୋମିଟର ଉଠିବାକୁ ପଡ଼ିବ। କେହି ସହରୀ ଲୋ‌କ ଥରେ ସେଠାକୁ ଗଲେ ଆଉ କେବେ ଯିବା କଥା ହୁଏତ ଭାବିବେ ନାହିଁ। କେବଳ ବଡ଼ମାନେ ଯେ ପାଦଚଲା କଷ୍ଟ ଭୋଗୁଛନ୍ତି ତାହା ନୁହେଁ, କୁନିକୁନି ପିଲା ମଧ୍ୟ ପାଠ ପଢ଼ିବାକୁ ୩ କିଲୋମିଟର ପାହାଡ଼ିଆ ରାସ୍ତାରେ ଯିବାଆସିବା କରୁଛନ୍ତି। ଗାଁରେ କେବେ କାହାର ଯଦି ଦେହ ଖରାପ ହେଲା ତ କଥା ସରିଲା। ଖଟ ଦୋଳା ହିଁ ଭରସା।

ସେହିପରି ଅନ୍ୟ ଏକ ଅପହଞ୍ଚ ଗାଁ ହେଲା ଭାଲୁବାହାଲ। ଜିଲ୍ଲା ସଦରମହକୁମାରୁ ମାତ୍ର ୧୫ କିଲୋମିଟର ଓ ତସଲାଡ଼ିହି ପଞ୍ଚାୟତରୁ ୮ କିଲୋମିଟର ଦୂରରେ ରହିଛି ଏହି ପାହାଡ଼ି ଗାଁ। କିଛି ଦୂର ପକ୍କା ରାସ୍ତାରେ ଗଲେ ଆଗକୁ ୫ କିଲୋମିଟର ପଥୁରିଆ ଓ ମାଟିର ସରୁବାଟଟେ ଗାଁକୁ ଉଠିଯାଇଛି। ୨୦୧୮ ଅକ୍ଟୋବର ୩୦ରେ ତତ୍କାଳୀନ ଜିଲ୍ଲାପାଳ ସୁରେନ୍ଦ୍ର କୁମାର ମୀନା ବାଇକ୍‌ରେ ବସି ଉଠାପକା ରାସ୍ତାରେ ପହଞ୍ଚିଥିଲେ ଗାଁକୁ। ସେତେବେଳେ ଜିଲ୍ଲାପାଳ ଓ ଏ ଭାଲୁବାହାଲ ଗଣମାଧ୍ୟମର ଚର୍ଚ୍ଚିତ ଶିରୋନାମା ପାଲଟିଥିଲା। ଜିଲ୍ଲାପାଳଙ୍କ ଗସ୍ତକୁ ୫ ବର୍ଷ ବିତିଥିଲେ ମଧ୍ୟ ଏହି ଗାଁର ଭାଗ୍ୟ ବଦଳି ନାହିଁ। କେବଳ ଏ ଦୁଇ ଗାଁ ନୁହେଁ, ପାଦଚଲା ବାଟର ବିଡ଼ମ୍ବନା ସହ ପିଢ଼ିପିଢ଼ି ଧରି ବାଟ ଚାଲୁଛନ୍ତି ଜିଲ୍ଲାର ୧୩ଟି ବ୍ଲକ୍‌ର ବଣମୁଲକରେ ଥିବା ୧୨୦ଟି ଗାଁ ବା ପଡ଼ା।

ତଥ୍ୟ ଅନୁସାରେ, ବାଲିଶଙ୍କରା ବ୍ଲକ୍‌ର ୭ଟି ପଡ଼ା, ବଡ଼ଗାଁ ବ୍ଲକ୍‌ର ୨ଟି ପଡ଼ା, ବିଶ୍ରା ବ୍ଲକ୍‌ର ୪ଟି ପଡ଼ା, ବଣାଇ ବ୍ଲକ୍‌ର ୫ଟି ପଡ଼ା, କୋଇଡ଼ା ବ୍ଲକ୍‌ର ୯ଟି ପଡ଼ା, ଲହୁଣିପଡ଼ା ବ୍ଲକ୍‌ର ୩ଟି ପଡ଼ା, ଲାଠିକଟା ବ୍ଲକ୍‌ର ୫ଟି ପଡ଼ା, ଲେଫ୍ରିପଡ଼ା ବ୍ଲକ୍‌ର ୭ଟି ପଡ଼ା, ରାଜଗାଙ୍ଗପୁର ବ୍ଲକ୍‌ର ୩୦ଟି ପଡ଼ା, ସବଡେଗା ବ୍ଲକର ୪ଟି ପଡ଼ା, ଟାଙ୍ଗରପାଲି ବ୍ଲକ୍‌ର ୨ଟି ପଡ଼ା, କୁଆରମୁଣ୍ଡା ବ୍ଲକ୍‌ର ୧୯ ପଡ଼ା ଓ ନୂଆଗାଁ ବ୍ଲକ୍‌ର ୧୨ଟି ପଡ଼ାକୁ ସବୁଦିନିଆ ରାସ୍ତା ନାହିଁ। ଫଳରେ ଲୋକଙ୍କ ପାଇଁ ଯାତାୟତ ଦୁର୍ବିସହ ହୋଇପଡ଼ିଛି। ଗୁରୁତର ରୋଗୀ ଓ ପ୍ରସବ ବେଦନାରେ ଛଟପଟ ଗର୍ଭବତୀଙ୍କୁ ଦୋଳାରେ ବୋହି ପାହାଡ଼ ଉପରୁ ଉତାରି ଝରଣା,‌ ନାଳ ଡେଇଁ ଦୂର ବାଟରେ ଅଟକିଥିବା ଆମ୍ବୁଲାନ୍ସ ପାଖକୁ ପହଞ୍ଚାଉଛନ୍ତି। ରାସ୍ତା ନଥିବାରୁ ଏହି ଗାଁ କୁନି ପିଲା ମଧ୍ୟ ଦୂର ସ୍କୁଲକୁ ଯାଇ ପାଠ ପଢ଼ିବା ସମ୍ଭବ ହେଉ ନାହିଁ।
ରାସ୍ତା ନଥିବାରୁ ବିକାଶ ପହଞ୍ଚିପାରୁ ନଥିବା ଏସବୁ ଗାଁ ଲୋକେ ଅନ୍ଧାରି ଜୀବନ ଜିଉଁଛନ୍ତି ବୋଲି କୁହାଯାଇପାରେ। ଗାଁକୁ ସଂଯୋଗ ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ, ବିଜୁ ପକ୍କା ସଡ଼କଠାରୁ ଆରମ୍ଭ କରି ପଞ୍ଚାୟତ ଓ ଜିଲ୍ଲାସ୍ତରରେ ଅନେକ ଯୋଜନା ରହିଛି। ଏହା ବ୍ୟତୀତ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଓ ଓଡ଼ିଶା ଖଣି କ୍ଷେତ୍ରାଞ୍ଚଳ ଉନ୍ନୟନ ନିଗମରେ ରହିଛି ହଜାରହଜାର କୋଟି। ଏହା ସତ୍ତ୍ବେ ପାହାଡ଼, ଜଙ୍ଗଲ ଘେରା ଗାଁ ସବୁ ସେମିତି ପାଦଚଲା ବାଟର ଦୁର୍ଭାଗ୍ୟକୁ ଆଦରି ପଡ଼ିରହିଛନ୍ତି। ସ୍ବାଧୀନତାର ୭୬ ବର୍ଷ ବିତାଇଥିବା ଏସବୁ ଗାଁ ପାଇଁ ଏହାଠୁ ବଳି ବିଡ଼ମ୍ବନା ଆଉ କ’ଣ ଥାଇପାରେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।