ରାଜ୍ୟ

୧୨ବର୍ଷରେ ବୋହୂ ସାଜୁଛି ମହ୍ଲାର ଝିଅ, ବାଲ୍ୟବିବାହ ଏଠି ପରମ୍ପରା

କେନ୍ଦୁଝର : ଯେଉଁ ବୟସରେ ଖେଳିବା, ପଢ଼ିବା କଥା; ସେଇ ବୟସରେ ଏମାନେ ବାହା ହୁଅନ୍ତି। ଜଣେ, ଦୁଇ ଜଣ ନୁହଁନ୍ତି, ବରଂ ଗାଁ ସାରା ଝିଅଙ୍କର ସେଇ ସମାନ ଅବସ୍ଥା। କିଏ ୧୨ ବର୍ଷରେ ତ କିଏ ୧୩ ବର୍ଷରେ ବାହା ହୋଇଯାଆନ୍ତି। ୧୫ ବର୍ଷ ହେଲାବେଳକୁ ଆଉକେହି ପ୍ରାୟତଃ ବାହାହେବାକୁ ନଥାନ୍ତି। ବାଲ୍ୟବିବାହ କରିଥିବା ଝିଅମାନଙ୍କ ମଧ୍ୟରୁ କେତେକ ଅଳ୍ପ ବୟସରୁ ବିଧବା ହୋଇ ଦୟନୀୟ ଜୀବନ ବିତାଉଛନ୍ତି। ବାଲ୍ୟ ବିବାହ ଏଠାକାର ପରମ୍ପରା। ଏହି ପରମ୍ପରା ପାଖରେ ସରକାରୀ ବିଧି ବ୍ୟବସ୍ଥା ପୂରା ବିଫଳ ହୋଇଛି। ବାଲ୍ୟ ବିବାହ ଆଇନ ଏମାନଙ୍କୁ ଜଣାନାହିଁ।

କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ୍ ଖୁଣ୍ଟାପଡ଼ା ପଞ୍ଚାୟତରେ ରହିଛି ମହ୍ଲାର ସାହିର ଏହି ଘଟଣା ଆଚମ୍ବିତ କରୁଥିଲେ ବି ସତ। ଏଠାରେ ପ୍ରାୟ ୨୫ରୁ ଅଧିକ ପରିବାର ବସବାସ କରନ୍ତି। ଏମାନେ ଜଙ୍ଗଲରୁ ମହୁ, ଝୁଣା ସଂଗ୍ରହ କରି ଜୀବିକା ନିର୍ବାହ କରିଥାନ୍ତି।

ମହ୍ଲାର ସଂପ୍ରଦାୟ ବାଲ୍ୟକାଳେ ବାହାଘର ହେଉଛି ପରମ୍ପରା। ଏହାକୁ ସେମାନେ ଅକ୍ଷରେ ଅକ୍ଷରେ ମାନନ୍ତି। ଏହି ଗାଁର ସବୁ ଝିଅ ପ୍ରାୟ ଖେଳିବା ପଢ଼ିବା ସମୟରେ ବିବାହ କରିଥାନ୍ତି। ଗାଁର ପୁଅ, ଝିଅମାନେ ଯଦିଓ ସ୍ଥାନୀୟ ବିଦ୍ୟାଳୟରେ ନାମ ଲେଖାଇଥାନ୍ତି; ବିଦ୍ୟାଳୟ ଯାଆନ୍ତି ନାହିଁ କି ପାଠ ପଢ଼ନ୍ତି ନାହିଁ। ଯେଉଁଥିପାଇଁ ଏମାନଙ୍କୁ ୧୦ ବର୍ଷ ଛୁଇଁବା ପରଠାରୁ ବାପା ମା’ ବିବାହ ପାଇଁ ବ୍ୟସ୍ତତା ଦେଖାନ୍ତି। ୧୨ କିମ୍ବା ୧୩ ବର୍ଷ ହେଲେ ଏମାନଙ୍କୁ ବିବାହ କରାଇ ଦେଇଥାନ୍ତି। ଅର୍ଥାତ୍ ସରକାରଙ୍କ ଶିକ୍ଷା ବ୍ୟବସ୍ଥା ଓ ନୀତି ବି ଏମାନଙ୍କ କ୍ଷେତ୍ରରେ ବିଫଳ ହୋଇଯାଇଛି। ଏମାନଙ୍କ ବିବାହ ବ୍ୟବସ୍ଥା ବି ବଡ଼ ବିଚିତ୍ର। ଗ୍ରାମର ବରିଷ୍ଠ ନାଗରିକ ଲକ୍ଷ୍ମଣ ଦେହୁରୀ(୭୦)ଙ୍କ କହିବା ଅନୁସାରେ, ପ୍ରଥମ ବର୍ଷ କନ୍ୟାକୁ ଦେଖିବାକୁ ବର ଘର ପକ୍ଷରୁ ଆସିଥାନ୍ତି। ପସନ୍ଦ ହେଲେ ବର ପକ୍ଷରୁ କନ୍ୟା ଘରକୁ କିଛି ଅଗ୍ରୀମ  ଦେଇଥାନ୍ତି। ପରବର୍ଷ କନ୍ୟା ଘରକୁ ବର ପକ୍ଷରୁ ୪ହଜାର ଟଙ୍କାର ପଣ ଦିଆଯାଏ। ଏଥିସହିତ ଗାଁ ସମାଜକୁ ୫ ଶହ ଟଙ୍କାର ପଣ ଦିଆଯିବା ପରେ ବର ନିଜ ସହିତ କନ୍ୟାକୁ ନେଇ ଯାଇଥାଏ। ଯଦି କନ୍ୟା ବୟସ ଅଧିକ ହୋଇଥାଏ, ତେବେ ତାକୁ ବୁଢ଼ୀ ଆଖ୍ୟା ମିଳିଥାଏ। କେହି ବିବାହ ପାଇଁ ରାଜି ହୋଇ ନଥାନ୍ତି। ଏହି ଭୟରେ ସବୁ ବାପାମାଆ ଝିଅକୁ ୧୨/୧୩ ବର୍ଷରୁ ବିବାହ କରି ଦେଇଥାନ୍ତି।

ଗାଁରେ ଏ ବର୍ଷ ତିନୋଟି ବିବାହ ହୋଇଛି। ଗାଁର ନୀଳ ଦେହୁରୀଙ୍କ ଝିଅ ହିମାନୀ। ସରକାରୀ ତଥ୍ୟ ଅନୁସାରେ ହିମାନୀଙ୍କ  ଜନ୍ମ ହେଉଛି ୨୮.୯.୨୦୧୦‌। ଅର୍ଥାତ ହିମାନୀଙ୍କୁ ୧୨ ବର୍ଷ। ଗତ ଦୁଇ ମାସ ତଳେ ସେ କାଳିଆପାଣିର ଟାଟା ମାଇନ୍ସ ନିକଟ ବାଲି ସାହିରେ ବାହା ହେଇଛି।

ସେମିତି ଅରୁଆ ଦେହୁରୀଙ୍କ ଝିଅ ହେଉଛି ମାନସୀ ଦେହୁରୀ। ଗତ ମାସକ ତଳେ ମାନସୀଙ୍କ ବିବାହ ହୋଇଛି। ତାଙ୍କ ବୟସ ପ୍ରାୟ ୧୪ ବର୍ଷ । ତାଙ୍କର ଅନୁଗୁଳ ଜିଲ୍ଲା ଖମାର ବ୍ଲକ ଅର୍କିଳି ଗାଁରେ ବିବାହ ହୋଇଛି। ସେହି ଗାଁର ସୁମିତ୍ରା ଦେହୁରୀଙ୍କ  ଦୁଇ ମାସ ତଳେ ବିବାହ ହୋଇଛି। ଗାଁର ପରମା ଦେହୁରୀଙ୍କ ଝିଅ ସୁମିତ୍ରାଙ୍କ ଜନ୍ମ ତାରିଖ ହେଉଛି ୫.୮.୨୦୦୭। ଏବେ ତାଙ୍କୁ ୧୫ ବର୍ଷ। ଏହା ଗୋଟିଏ ଗୋଟିଏ ଉଦାହରଣ।ପ୍ରତିବର୍ଷ ଏମିତି ଅନେକ ଝିଅଙ୍କର ବାହାଘର ହେଉଛି।

ବଡ଼ କଥା ହେଉଛି, ଅଧିକାଂଶ କମ୍‌ ବୟସରେ ବିଧବା କିମ୍ବା ସ୍ବାମୀ ପରିତ୍ୟକ୍ତା ହୋଇ ଦୟନୀୟ ଜୀବନ ବିତାଉଛନ୍ତି। ରିଙ୍କି ଦେହୁରୀ ସେହି ଗ୍ରାମର ଲିଲି ଦେହୁରୀଙ୍କୁ ପ୍ରାୟ ୮ ବର୍ଷ ତଳେ ବିବାହ କରିଥିଲେ। ତାଙ୍କର ଏବେ ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ଅଛନ୍ତି। ୧୨ ବର୍ଷରେ ବିବାହ କରିଥିବା ରିଙ୍କିର ବୟସ ଏବେ ପାଖାପାଖି ୨୦ ବର୍ଷ। କିନ୍ତୁ ଗତ ଦୁଇ ବର୍ଷ ହେବ ତାଙ୍କ ସ୍ବାମୀ ଲିଲିଙ୍କର ମୃତ୍ୟୁ ପରେ ସେ ବିଧବା ଜୀବନ ବିତାଉଛନ୍ତି। ଜଙ୍ଗଲର ମହୁ ଏବଂ ଝୁଣା ସଂଗ୍ରହ କରି ଚାରୋଟି ପିଲାର ମୁହଁରେ ଆହାର ଦେଉଛନ୍ତି।
ପ୍ରଶାସନ ଏକଥା ଜାଣିଛି ନା ଜାଣି ବି ନିରବ ରହିଛି ?

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।