ମୋରିସ୍ଭିଲ୍: ୧୦ ବର୍ଷିୟ ପୁଅକୁ ଖାଇବାକୁ ନ ଦେଇ ମାରିଥିବା କାରଣରୁ ଆମେରିକାର ଉତ୍ତର କେରୋଲିନା ଅନ୍ତର୍ଗତ ମୋରିସ୍ଭିଲ୍ ସହରରେ ରହୁଥିବା ପ୍ରିୟଙ୍କା ତିୱାରୀ ନାମ୍ନୀ ଜଣେ ଭାରତୀୟ ମହିଳାଙ୍କ ନାମରେ ନରହତ୍ୟା ମାମଲା ରୁଜୁ କରାଯାଇଛି।
ବୁଧବାର ଦିନ ମୋରିସ୍ଭିଲ୍ସ୍ଥିତ ବାସଭବନରୁ ତାଙ୍କ ପୁଅର ଗଳିତ ଶବ ଉଦ୍ଧାର କରାଯାଇଛି। ସେଦିନ ସନ୍ଧ୍ୟା ୫.୩୫ରେ ୩୩ ବର୍ଷୀୟ ତିୱାରି ୯୧୧କୁ ଫୋନ୍ କରି ଜଣାଇଲେ ଯେ, ତାଙ୍କ ପୁଅ ନିଶ୍ଚିଳ ହୋଇ ପଡ଼ିରହିଛି। ସେଠାରେ ପହଞ୍ଚି ପୁଲିସ ଓ ପାରାମେଡିକ୍ କର୍ମଚାରୀମାନେ ପୁଅର ‘ସିପିଆର୍’ କଲେ, କିନ୍ତୁ ତା’ର ଶ୍ବାସକ୍ରିୟା ଫେରିଲା ନାହିଁ।
ଶବ ପଚି ଆସିଥିବା ଦେଖି ପୁଲିସ ସୁନିଶ୍ଚିତ ହେଲା ଯେ, ପିଲାଟି କେତେ ଦିନ ତଳୁ ମରିଯାଇଛି। ସେମାନେ ଦେଖିଲେ ଘରେ ଖାଇବା ଜିନିଷ ପ୍ରାୟ କିଛି ନାହିଁ। ସେମାନେ ସୁନିଶ୍ଚିତ ହେଲେ ଯେ, ମୃତ୍ୟୁର ପ୍ରାୟ ମାସେ ଆଗରୁ ସେ ପିଲାର ଓଜନ ଖୁବ୍ ହ୍ରାସ ପାଇଥିଲା। ପିଲାଟି ନିର୍ଯାତନା ଓ ଅବହେଳା କାରଣରୁ ମରିଥିବା କଥା ତଦନ୍ତକାରୀମାନେ ସୁନିଶ୍ଚିତ ହୋଇଥିଲେ ବି ଶବ ବ୍ୟବଚ୍ଛେଦ ରିପୋର୍ଟରୁ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ସେମାନେ କହିଛନ୍ତି।
ଗୁରୁବାର ସକାଳେ ପ୍ରିୟଙ୍କା ତିୱାରୀଙ୍କୁ ଗିରଫ କରାଯାଇ ହାଜତ ନିଆଯାଇଛି। ତାଙ୍କ ନାମରେ ନରହତ୍ୟା, ଶିଶୁ ପ୍ରତି ଅବହେଳା ଓ ନିର୍ଯାତନା ମାମଲା ରୁଜୁ କରାଯାଇଛି। ଜାନୁଆରି ୧୧ ତାରିଖରେ ହେବାକୁ ଥିବା ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ତାଙ୍କୁ ଜାମିନ ମିଳିବ ନାହିଁ।
ମୋରିସ୍ଭିଲ୍ ପୁଲିସ ମୁଖ୍ୟ ପେଟେ ଆକୋଷ୍ଟା କହିଛନ୍ତି, ପିଲାଟି ବିଷୟରେ ଚିନ୍ତା ପ୍ରକଟ କରି ଭାରତରେ ଥିବା ପରିବାର ଲୋକେ ମାସ ମାସ ଧରି ପ୍ରିୟଙ୍କାଙ୍କ ଘରକୁ ଫୋନ୍ କରୁଥିଲେ। କିନ୍ତୁ, କେହି ଫୋନ୍ ରିସିଭ୍ ନ କରିବାରୁ ସେମାନେ ଅନ୍ୟୂନ ୮ଥର ପୁଲିସ ଅଧିକାରୀଙ୍କ ନିକଟକୁ ମଧ୍ୟ ଫୋନ୍ କରିଥିଲେ। ମାର୍ଚ ମାସରେ ମଧ୍ୟ ପ୍ରିୟଙ୍କାଙ୍କ ସ୍ବାମୀ ପୁଲିସ ସହିତ ଯୋଗାଯୋଗ କରି କହିଥିଲେ ଯେ, ସେ ଘରୁ କିଛି ବ୍ୟକ୍ତିଗତ ସାମଗ୍ରୀ ଆଣିବାକୁ ଯାଉଛନ୍ତି। ଦୟାକରି ସେମାନେ ଆସି ଦୃଷ୍ଟି ଦିଅନ୍ତୁ। ତାଙ୍କ ଅନୁରୋଧ ରକ୍ଷା କରି ଆମେ ଯାଇଥିଲୁ। ସେ ଘରକୁ ଯାଇ କେତୋଟି ବ୍ୟାଗ୍ ନେଇ ଫେରିଲେ। ଘରେ କୌଣସି ବାଦବିବାଦ ହେଲାନାହିଁ।
କିନ୍ତୁ, ତା’ପରେ ପ୍ରିୟଙ୍କାଙ୍କ ସ୍ବାମୀ ତାଙ୍କ ବିରୋଧରେ ଘରୋଇ ହିଂସା ମାମଲା ରୁଜୁ କରିଥିଲେ। ସେତେବେଳେ ତାଙ୍କ ପୁଅର ସ୍ବାସ୍ଥ୍ୟ ଖୁବ୍ ଭଲ ଥିଲା।