ରାଜ୍ୟ

୧୦୬ ବର୍ଷ ତଳର ଡାକ୍ତରଖାନାକୁ ଅଣଦେଖା

ବେଗୁନିଆ : ବାରମ୍ବାର ପ୍ରତିଶ୍ରୁତି ମିଳିଛି। ବିଧାନସଭାରେ କଥା ଉଠିବା ପରେ ପ୍ରଶାସନିକ ସ୍ବୀକୃତି ଲାଭ କରିଛି। ହେଲେ, ବେଗୁନିଆରେ ବ୍ରିଟିସ୍ ଅମଳରୁ ଥିବା ପ୍ରାଥମିକ ସ୍ବା‌ସ୍ଥ୍ୟକେନ୍ଦ୍ର (ପିଏଚ୍‌ସି) ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରୂପାନ୍ତର ‌ହେବା ପ୍ରକ୍ରିୟା ଅଧବା‌ଟରେ ଅଟକିଯାଇଛି। ଫଳରେ ୧୦୬ ବର୍ଷ ତଳର ସ୍ବାସ୍ଥ୍ୟକେନ୍ଦ୍ରର ସ୍ଥିତି ସୁଧୁରିପାରୁନି, ବରଂ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଓ ପ୍ରଶାସନିକ ଉଦାସୀନତା ଯୋଗୁ ଦିନକୁ ଦିନ ଏହା ସ୍ଥାଣୁ ହେବାରେ ଲାଗିଛି। ଲୋକଙ୍କୁ ଉପଯୁକ୍ତ ସ୍ବାସ୍ଥ୍ୟସେବା ମିଳୁନି। ଆଉ ସେଥିପାଇଁ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷର ଦାନା ବାନ୍ଧିବାରେ ଲାଗିଛି।

ହଜାର ହଜାର ଲୋକ ନିର୍ଭର କରୁଥିବା ଏହି ସ୍ବାସ୍ଥ୍ୟକେନ୍ଦ୍ରର ରୂପାନ୍ତରୀକରଣ ଲାଗି ଜିଲ୍ଲାପାଳ, ସ୍ଥାନୀୟ ବିଧାୟକ, ସ୍ବାସ୍ଥ୍ୟ କମିସନର ଓ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଜଣାଇ ନିରାଶ ହେବା ପରେ ସ୍ଥାନୀୟ ବାସିନ୍ଦା ‘ଆଞ୍ଚଳିକ ସ୍ବାସ୍ଥ୍ୟସେବା କ୍ରିୟାକମିଟି’ ଗଠନ କରି ଲଢ଼େଇ ଜାରି ରଖିଛନ୍ତି। ଏପରିକି ଗତ ମେ ମାସ ୨୨ ତାରିଖରୁ କମିଟି ଗଣସତ୍ୟାଗ୍ରହ କରୁଛି। ହେଲେ ସତ୍ୟାଗ୍ରହ ଆରମ୍ଭ ହେବାର ୩୧ ଦିନ ପରେ ମଧ୍ୟ କୌଣସି ସୁଫଳ ମିଳିନି। ସ୍ଥାନୀୟ ବିଧାୟକ ରାଜେନ୍ଦ୍ର କୁମାର ସାହୁ ସତ୍ୟାଗ୍ରହ ସ୍ଥଳକୁ ଯାଇ ନୈତିକ ସମର୍ଥନ ଦେବାସହ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କଥା ଦେଇଥିଲେ। ତଥାପି ଅଞ୍ଚଳବାସୀଙ୍କ ନ୍ୟାଯ୍ୟ ଦାବିକୁ ପ୍ରଶାସନ ଏହାକୁ ଅଣଦେଖା କରିଚାଲିଛି। ଏଣୁ କମିଟି ଆଗାମୀ ସମୟରେ ଏହି ଆନ୍ଦୋଳନକୁ ଆହୁରି ତୀବ୍ର କରିବ ବୋଲି ଘୋଷଣା କରିବା ସହ ଆବଶ୍ୟକ ହେଲେ ବିଧାନସଭା ସମ୍ମୁଖରେ ଗଣବିକ୍ଷୋଭ କରାଯିବ ବୋଲି ପ୍ରେସ୍ ବିଜ୍ଞପ୍ତିରେ କହିଛି। ସରକାର ସ୍ବାସ୍ଥ୍ୟସେବାକୁ ସର୍ବାଧିକ ଗୁରୁତ୍ବ ଦେଉଥିବାର ଦାବି କରୁଥିଲା ବେଳେ ଶତାଧିକ ବର୍ଷ ତଳର ଏହି ସ୍ବାସ୍ଥ୍ୟକେନ୍ଦ୍ରର ସ୍ଥିତି ଦିନକୁ ଦିନ ଖରାପ ହେବା ରାଜ୍ୟରେ ସ୍ବାସ୍ଥ୍ୟସେବାର ସ୍ଥିତି ଓ ଆଭିମୁଖ୍ୟ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ପ୍ରତିଶ୍ରୁତିରେ ଅଟକିଛି ବେଗୁନିଆ ପିଏଚ୍‌ସିର ସିଏଚ୍‌ସି ରୂପାନ୍ତରଣ
ଗଣସତ୍ୟାଗ୍ରହର ୩୧ ଦିନ ପରେ ବି ଶୁଣୁନି ପ୍ରଶାସନ

ସୂଚନାଯୋଗ୍ୟ ଯେ ୧୯୧୭ ମସିହାରେ ସ୍ଥାପିତ ହୋଇଥିବା ବେଗୁନିଆ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପ୍ରଥମେ ଦଶ ଶଯ୍ୟା ବିଶିଷ୍ଟ ଥିଲା। ପରବର୍ତ୍ତୀ ସମୟରେ ଏହା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ପରିଣତ ହୋଇଥିଲା। ଜନସଂଖ୍ୟା ବଢ଼ିବା ସହ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ଚାପ ବଢ଼ିବାରୁ ଅଞ୍ଚଳବାସୀ ୨୦୦୮ ମସିହାରୁ ଏହାକୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପରିଣତ କରିବାକୁ ନିରନ୍ତର ଭାବେ ଦାବି କରି ଆସୁଛନ୍ତି। ବେଗୁନିଆ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରୂପାନ୍ତର କରିବା ଦାବି ସରକାରଙ୍କ ବିଚାରଧୀନ ରହିଛି ବୋଲି ୨୦୧୪ ମସିହାରେ ତତ୍କାଳୀନ ସ୍ବାସ୍ଥ୍ୟମନ୍ତ୍ରୀ ବିଧାନସଭାରେ ଉତ୍ତର ରଖିଥିଲେ। ସେହିଭଳି ଏହାର ଦୁଇବର୍ଷ ପରେ ଅର୍ଥାତ୍ ୨୦୧୬ ମସିହାରେ ତତ୍କାଳୀନ ବିରୋଧୀ ଦଳ ନେତା, ସ୍ବାସ୍ଥ୍ୟମନ୍ତ୍ରୀ, ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସୁପାରିସ କ୍ରମେ ସ୍ବାସ୍ଥ୍ୟବିଭାଗ କମିସନର ବେଗୁନିଆ ପିଏଚ୍‌ସିକୁ ସିଏଚ୍‌ସିରେ ରୂପାନ୍ତର କରିବା ଲାଗି ଲଖିତ ପ୍ରତିଶ୍ରୁତି ଦେଇଥିଲେ। ଏହାର ୮ବର୍ଷ ପରେ ମଧ୍ୟ ଏହି ପ୍ରତିଶ୍ରୁତି କେବଳ ପ୍ରତିଶ୍ରୁତିରେ ଅଟକି ରହିଛି।

ଏଣୁ ବେଗୁନିଆବାସୀଙ୍କ ଦାବିକୁ ସମ୍ମାନ ଜଣାଇ ଖୁବ୍‌ଶୀଘ୍ର ଏଥିନେଇ ଠୋସ୍ ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ ଆଞ୍ଚଳିକ ସ୍ବାସ୍ଥ୍ୟସେବା କ୍ରିୟାନୁଷ୍ଠାନ କମିଟିର ସଭାପତି ଲାଲା ଦିଲୀପ କୁମାର ରାୟ, ସଂପାଦକ ଭାଗୀରଥି ପରିଡ଼ା, ସହସମ୍ପାଦକ ସୁଶାନ୍ତ କୁମାର ରାୟ, କାର୍ଯ୍ୟକାରୀ ସଭାପତି ପ୍ରକାଶ କୁମାର ବଳିୟାରସିଂହ, ଉପସଭାପତି ଉପେନ୍ଦ୍ର ନାଥ ସାହୁ, ଉମାକାନ୍ତ ମହାପାତ୍ର, ଯୁଗ୍ମସଂପାଦକ ଦେବାଶିଷ ସାହୁ, କୋଷାଧ୍ୟକ୍ଷ ଶିବ କୁମାର ମୁନି ଓ ଅନ୍ୟ ସଦସ୍ୟମାନେ ଅନୁରୋଧ କରିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।