ନୂଆଦିଲ୍ଲୀ, ୧୮/୦୩: କରୋନା ସଂକ୍ରମଣ ପୁଣିଥରେ ଦେଶକୁ ସଙ୍କଟରେ ପକାଇଲାଣି । ଦିନକୁ ଦିନ କିଛି ରାଜ୍ୟରେ କୋଭିଡ୍ ପଜିଟିଭ୍ ସଂଖ୍ୟା ବୃଦ୍ଧି ପାଉଥିବାରୁ ଚିନ୍ତା ବଢ଼ିବାରେ ଲାଗିଛି । ପୁଣିଥରେ ଲକ୍ଡାଉନ୍ ଫେରିବା ନେଇ ଲୋକେ ଆଶଙ୍କା କରୁଛନ୍ତି । ଚଳିତ ବର୍ଷ ୧୦୨ ଦିନ ପରେ କରୋନା ରେକର୍ଡ ସ୍ତରରେ ପହଞ୍ଚିଛି । ପ୍ରଥମ କରି ୩୫ ହଜାର ଉପରକୁ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡ଼ିଛି ।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତାଜା ରିପୋର୍ଟ ଅନୁସାରେ ପୂର୍ବ ୨୪ ଘଣ୍ଟା ଭିତରେ ୩୫,୮୭୧ଟି ନୂଆ କେସ୍ ସାମ୍ନାକୁ ଆସିଛି ଏବଂ ୧୭୨ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଏଥିସହତି ୧୭,୭୪୧ ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହା ପୂର୍ବରୁ ୫ ଡିସେମ୍ୱର ୨୦୨୦ରେ ୩୬, ୦୧୧ କରୋନା କେସ୍ ରେଜିଷ୍ଟର୍ ହୋଇଥିଲା ।
ତାଜା ସୂଚନା ଅନୁସାରେ ବର୍ତ୍ତମାନ କରୋନା ମାମଲା ବୃଦ୍ଧି ପାଇ ୧ କୋଟି ୧୪ ଲକ୍ଷ ୭୫ ହଜାର ୬୦୫ରେ ପହଞ୍ଚିଛି । ପାଖାପାଖି ୧ ଲକ୍ଷ ୫୯ ହଜାର ୨୧୬ ଲୋକଙ୍କର ଏଥିରେ ମୃତ୍ୟୁ ହୋଇଛି । ୧ କୋଟି ୧୦ ଲକ୍ଷ ୬୩ ହଜାର ଲୋକ କରୋନାରେ ସଂକ୍ରମିତ ହେବା ପରେ ସୁସ୍ଥହୋଇ ଘରକୁ ଫେରିଥିବା ଏହି ରିପୋର୍ଟରୁ ଜଣାପଡ଼ିଛି । ଦେଶରେ ଏବେ ପର୍ଯ୍ୟନ୍ତ କୋଭିଡ୍ ଆକ୍ଟିଭ୍ଙ୍କ ସଂଖ୍ୟା ବଢ଼ି ୨ ଲକ୍ଷ ୫୨ ହଜାର ୩୬୪ରେ ପହଞ୍ଚିଛି ।
ମହାରାଷ୍ଟ୍ରରେ ପ୍ରତିଦିନ ସର୍ବାଧିକ କରୋନା ମାମଲା ଦେଖିବାକୁ ମିଳୁଛି । ବୁଧବାର ଦିନ, ୨୩,୧୭୯ଟି ନୂଆ ସଂକ୍ରମଣ ମାମଲା ପଞ୍ଜିକୃତ ହୋଇଛି । ଯାହାକି ଚଳିତ ବର୍ଷ ସର୍ବାଧିକ । ଏହା ସହିତ ମହାମାରୀ ଯୋଗୁଁ ଆଉ ୮୪ ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ ମୋଟ ସଂକ୍ରମଣ ମାମଲା ୨୩,୭୦,୫୦୭କୁ ବୃଦ୍ଧି ପାଇଛି ଏବଂ ମୃତ୍ୟୁ ସଂଖ୍ୟା ୫୩,୦୮୦ରେ ପହଞ୍ଚିଛି । ବର୍ତ୍ତମାନ ପର୍ଯ୍ୟନ୍ତ, କୋଭିଡ -୧୯ରୁ ୨୧,୬୩,୩୯୧ ରୋଗୀ ଆରୋଗ୍ୟ ହୋଇଛନ୍ତି ଏବଂ ୧,୫୨,୭୬୦ ରୋଗୀ ଚିକିତ୍ସିତ ହେଉଛନ୍ତି ।
ଦେଶରେ ଜାନୁଆରୀ ୧୬ରେ କରୋନା ଟିକାକରଣ ଅଭିଯାନ ଆରମ୍ଭ ହୋଇଥିଲା । ମାର୍ଚ୍ଚ ୧୭ ସୁଦ୍ଧା, କୋଭିଡ -୧୯ ଦ୍ୱାରା ୩ କୋଟି ୭୧ ଲକ୍ଷ ୪୩ ହଜାର ୨୫୫ ସ୍ୱାସ୍ଥ୍ୟ କର୍ମୀ, ବୃଦ୍ଧ ଏବଂ କରୋନା ଯୋଦ୍ଧାଙ୍କୁ ଟିକା ଦିଆଯାଇଛି । ପୂର୍ବ ଦିନରେ୨୦ ଲକ୍ଷ ୭୮ ହଜାର ୭୧୯ ଜଣ ଲୋକଙ୍କୁ ଟିକାକରଣ କରାଯାଇଥିଲା । ଦ୍ୱିତୀୟ ଡୋଜ ଦେବା ପାଇଁ ଏହି ଅଭିଯାନ ୧୩ ଫେବୃଆରୀରୁ ପୁଣି ଆରମ୍ଭ ହୋଇଥିଲା ।
ତେବେ ଦେଶରେ କରୋନାରେ ମୃତ୍ୟୁ ହାର ୧.୩୯ ପ୍ରତିଶତ ରହିଥିବାବେଳେ ଆରୋଗ୍ୟ ହାର ପ୍ରାୟ ୯୭ ପ୍ରତିଶତ ରହିଛି । ସକ୍ରିୟ ମାମଲା ୨.୦୫ ପ୍ରତିଶତକୁ ବୃଦ୍ଧି ପାଇଛି । କରୋନା ଆକ୍ଟିଭ କେସ୍ରେ ଭାରତ ବିଶ୍ୱରେ ଏକାଦଶ ସ୍ଥାନରେ ରହିଥିବା ଜଣାପଡ଼ିଛି ।