ରାଜ୍ୟ

୧୦୦ ବର୍ଷ ବୟସରେ ଦୈନିକ ୧ ଘଣ୍ଟା ଯୋଗାଭ୍ୟାସ: ନିରଞ୍ଜନ ହେଉଛନ୍ତି ସଂଗ୍ରାହକ ଦାସିଆ ଅଜାଙ୍କ ସାନଭାଇ

ନୂଆଗାଁ: ୧୦୦ ବର୍ଷ ବୟସରେ ବି ନିଜକୁ ସୁସ୍ଥ ରଖିବା ପାଇଁ ଯୋଗ କରୁଛନ୍ତି ଏବଂ ପରିଣତ ବୟସରେ ସେ ଆଜି ନିରୋଗ। କେବଳ ଯୋଗ ବଳରେ ନିଜକୁ ସମର୍ଥ ରଖିଛନ୍ତି ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍‌ ଉଦୟପୁର ଗ୍ରାମର ନିରଞ୍ଜନ ପଟ୍ଟନାୟକ। ଏସିଏଫ୍ (ଆସିଷ୍ଟାଣ୍ଟ୍ କଞ୍ଜରଭେଟର୍‌ ଅଫ୍ ଫରେଷ୍ଟ୍) ପଦରୁ ଅବସର ନେଇଥିବା ନିରଞ୍ଜନଙ୍କ ଏଭଳି ନିରୋଗ ଜୀବନ ପଛରେ ରହିଛି ଦିନକୁ ଏକ ଘଣ୍ଟାର ଯୋଗାଭ୍ୟାସ। ନିରଞ୍ଜନଙ୍କ ଦୈନିକ ଜୀବନଚର୍ଯ୍ୟା ଅନ୍ୟ ବରିଷ୍ଠ ନାଗରିକଙ୍କଠାରୁ ସ୍ବତନ୍ତ୍ର। ବର୍ଷକ ବାରମାସ ସକାଳ ୫ଟାରେ ଉଠି ଚଲାବୁଲା କରିବା ପରେ ପ୍ରାୟ ଏକ ଘଣ୍ଟା ଧରି ଯୋଗ କରନ୍ତି। ପୂର୍ବରୁ ସକାଳୁ ଘର ବାହାରକୁ ଯାଇ ମର୍ଣ୍ଣିଂୱାକ୍କ କରୁଥିଲେ। କିନ୍ତୁ କରୋନା ପରଠାରୁ ଘରେ ରହି ବ୍ୟାୟାମ କରୁଛନ୍ତି। କିଛି ସମୟ ୱାର୍ମଅପ୍ ହେବା ପରେ ଯୋଗାସନ ପ୍ରତି ଗୁରୁତ୍ବ ଦିଅନ୍ତି। ନିରଞ୍ଜନ ଆଗରୁ ପ୍ରାୟ ୫୦ଟି ଯୋଗମୁଦ୍ରା କରୁଥିବା ବେଳେ ବୟସ ଅନୁପାତରେ ବର୍ତ୍ତମାନ ୫ଟି ଯୋଗ କରିପାରୁଛନ୍ତି। ଗତ ୨୪ ବର୍ଷ ଧରି ଦୈନିକ ଯୋଗାଭ୍ୟାସ ତାଙ୍କୁ ୧୦୦ ବର୍ଷ ବୟସରେ ବି ନିରୋଗ ରଖିଛି। ନିଜେ ଯୋଗ କରିବା ସହ ପରିବାରର ଅନ୍ୟ ସଦସ୍ୟ ଏବଂ ପାଖ ପଡ଼ୋଶୀଙ୍କୁ ଯୋଗ କରିବାକୁ ପ୍ରେରଣା ଦେଉଛନ୍ତି ନିରଞ୍ଜନ। ତାଙ୍କ ସହ ଦୁଇ ବୋହୂ ପଙ୍କଜିନୀ ପଟ୍ଟନାୟକ ଓ ସସ୍ମିତା ପଟ୍ଟନାୟକ ମଧ୍ୟ ଦୈନିକ ଯୋଗାଭ୍ୟାସ କରିଆସୁଛନ୍ତି। ନିରଞ୍ଜନ ଜଙ୍ଗଲ ବିଭାଗରେ ଚାକିରି ଜୀବନ ଆରମ୍ଭ କରି ଏସିଏଫ୍ ହୋଇ ୧୯୮୩ ରେ ଅବସର ଗ୍ରହଣ କରିଥିଲେ। ଅବସରକାଳୀନ ଜୀବନରେ ନିଜକୁ ନିରୋଗ ଓ ସୁସ୍ଥ ରଖିବାକୁ ଚେଷ୍ଟା କରିଥିଲେ।

୨୦୦୦ ମସିହାଠାରୁ ସତ୍ୟବ୍ରତ ଷ୍ଟାଡିୟମ୍ ପରିସରରେ ଥିବା ବାରବାଟୀ ଯୋଗ ସଂଘରେ ଯୋଗଦେଇ ଯୋଗାଭ୍ୟାସ ଆରମ୍ଭ କରିଥିଲେ। ଏ ଭିତରେ ପ୍ରାୟ ୨୪ ବର୍ଷ ବିତିଗଲାଣି। କେବଳ ଯୋଗରେ ନିଜକୁ ନିରୋଗ ରଖିବା ନୁହେଁ ବରଂ ବିଭିନ୍ନ ପ୍ରତିଯୋଗିତାରେ ସେ ଅଂଶଗ୍ରହଣ କରୁଛନ୍ତି। କିଛିବର୍ଷ ପୂର୍ବରୁ କଟକର ଜବାହରଲାଲ୍ ନେହରୁ ଇନ୍‌-ଡୋର୍‌ ଷ୍ଟାଡିୟମ୍‌ଠାରେ ଅନୁଷ୍ଠିତ ଅନ୍ତର୍ଜାତୀୟ ଯୋଗ ପ୍ରତିଯୋଗିତାରେ ଭାଗ ନେଇ ବରିଷ୍ଠ ବିଭାଗରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ। କେବଳ ଯୋଗ ନୁହେଁ, ଦୈନିକ ଜୀବନଚର୍ଯ୍ୟାରେ ସନ୍ତୁଳିତ ଆହାର ଉପରେ ଗୁରୁତ୍ବ ଦେଇଆସୁଛନ୍ତି ନିରଞ୍ଜନ। ଦାନ୍ତ ନଥିବାରୁ ସକାଳୁ ଦୈନିକ ଗୋଟିଏ ଅଟା ଚକୁଳି, ଦିନରେ ଭାତ ଓ ସନ୍ତୁଳା ଏବଂ ରାତିରେ ଗୋଟିଏ ଅଟା ଚକୁଳି ଖାଉଛନ୍ତି। ତେଲ ମସଲା ଜାତୀୟ ଖାଦ୍ୟରୁ ନିଜକୁ ଦୂରେଇ ରଖିଥିବାରୁ ଯୋଗର ପ୍ରଭାବ ତାଙ୍କଠାରେ ସ୍ପଷ୍ଟ ବାରି ହୋଇପଡ଼ୁଛି। ବର୍ତ୍ତମାନ ନିରଞ୍ଜନ କିଛି ଦିନ କଟକ ସହରରେ ଏବଂ ଆଉ କିଛି ଦିନ ନୟାଗଡ଼ସ୍ଥିତ ଉଦୟପୁର ବାସଭବନରେ ବିତାଉଥିବା ତାଙ୍କ ପୁଅ ଅସିତ୍ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି। ସୂଚନା ଥାଉକି, ନିରଞ୍ଜନ ହେଉଛନ୍ତି ଓଡ଼ିଶା ପାଠାଗାର ଓ ସଂଗ୍ରହାଳୟ ଆନ୍ଦୋଳନର ପ୍ରବାଦ ପୁରୁଷ ବିଖ୍ୟାତ ସଂଗ୍ରାହକ ଦାଶରଥି ପଟ୍ଟନାୟକ (ଦାସିଆ ଅଜା)ଙ୍କ ସାନ ଭାଇ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।