ଲକ୍ଷ୍ନୌ : ଶୁକ୍ରବାରର ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଦିନିକିଆ ଅବସରରେ ଘରୋଇ ଦଳ ଅଧିନାୟିକା ମିତାଲି ରାଜ ପ୍ରଥମ ଭାରତୀୟ ଭାବେ ଅନ୍ତର୍ଜାତୀୟ କ୍ରିକେଟ୍ରେ ୧୦,୦୦୦ ରନ୍ ପୂର୍ଣ୍ଣ କରିଛନ୍ତି। ବିଶ୍ବ କ୍ରିକେଟରେ ମିତାଲି ମଧ୍ୟ ଦ୍ବିତୀୟ ମହିଳା କ୍ରିକେଟର୍ ଭାବେ ଏହି ଗୌରବ ଅର୍ଜନ କରିଛନ୍ତି। ପୂର୍ବରୁ ଏକମାତ୍ର ଖେଳାଳି ଭାବେ ଇଂଲଣ୍ଡର ଚାର୍ଲୋଟ୍ ଏଡୱାର୍ଡସ ଏହି କ୍ଲବ୍ର ସଦସ୍ୟା ଥିଲେ। ଶୁକ୍ରବାର ମ୍ୟାଚ୍ର ୨୮ତମ ଓଭରରେ ଆନେ ବଶ୍ଚଙ୍କୁ ଚୌକା ମାରି ଏହି ମାଇଲଖୁଣ୍ଟ ଛୁଇଁଥିଲେ। କିନ୍ତୁ ଏହି ମାଇଲଖୁଣ୍ଟ୍ ଅର୍ଜନର ପରବର୍ତୀ ବଲ୍ରେ ସେ ଆଉଟ୍ ହୋଇଯାଇଥିଲେ। ୫୦ ବଲ୍ ଖେଳି ୫ ଚୌକା ସହ ୩୬ ରନ୍ କରିଥିଲେ ଏବଂ ପୁନମ ରାଉତଙ୍କ ସହ ମିଶି ତୃତୀୟ ୱିକେଟ୍ ଲାଗି ୭୭ ରନ୍ ଯୋଡ଼ିଥିଲେ।
ଏହି ମାଇଲଖୁଣ୍ଟ ଛୁଇଁବା ପରେ ମିତାଲିଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି। ବ୍ୟାଟିଂ କିଂବଦନ୍ତି ସଚିନ ତେନ୍ଦୁଲକର, ଭିଭିଏସ୍ ଲକ୍ଷ୍ମଣ, ଘରୋଇ କ୍ରିକେଟର୍ ମହାନ ବ୍ୟାଟ୍ସମ୍ୟାନ୍ ୱାସିମ ଜାଫର ମିତାଲିଙ୍କୁ ଅଭିନନ୍ଦନ ଓ ଶୁଭକାମନା ଜଣାଇଥିଲେ। ଆଇପିଏଲ୍ ଫ୍ରାଞ୍ଚାଇଜ୍ ଦଳଗୁଡ଼ିକ ମଧ୍ୟ ମିତାଲିଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ବିସିସିଆଇ ସମ୍ପାଦକ ଜୟ ଶାହ ମଧ୍ୟ ମିତାଲିଙ୍କୁ ଟ୍ବିଟ୍ କରି ଅଭିନନ୍ଦନ ଜଣାଇଛନ୍ତି।
୧୯୯୯ ମସିହାରେ ଆୟର୍ଲାଣ୍ଡ୍ ବିପକ୍ଷରେ ଦିନିକିଆ ପଦାର୍ପଣ କରିଥିବା ମିତାଲି ୧୦ ଟେଷ୍ଟ୍, ୨୧୨ ଦିନିକିଆ, ୮୯ ଟ୍ବେଣ୍ଟି-୨୦ ଖେଳି ଯଥାକ୍ରମେ ୬୭୩, ୬୯୭୪, ୨୩୬୪ ରନ୍ ସଂଗ୍ରହ କରିଛନ୍ତି। ଏହି ୩ ଫର୍ମାଟରେ ବ୍ୟକ୍ତିଗତ ସର୍ବୋଚ୍ଚ ସ୍କୋର୍ ଯଥାକ୍ରମେ ୨୧୪, ୧୨୫*, ୯୭* ରନ୍ ରହିଛି।
ତୃତୀୟ ମହିଳା ଦିନିକିଆରେ ଭାରତ ପରାସ୍ତ
ଲକ୍ଷ୍ନୌ : ଲିଜେଲ୍ ଲି’ଙ୍କ ଅପରାଜିତ ଶତକ (୧୩୨*, ୧୩୧ ବଲ୍, ୧୬ ଚୌକା, ୨ ଛକା) ବଳରେ ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ମହିଳା ଦିନିକିଆରେ ଭାରତ ୬ ରନ୍ (ଡିଏଲ୍)ରେ ହାରିଯାଇଛି। ଏଥି ସହ ଭ୍ରମଣକାରୀ ଦଳ ୫ ମ୍ୟାଚ୍ ଶୃଙ୍ଖଳାରେ ୨-୧ରେ ଆଗୁଆ ହୋଇଛି।
ଭାରତରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ ଏକାନ କ୍ରିକେଟ୍ ଷ୍ଟାଡିୟମ୍ରେ ଶୁକ୍ରବାର ଟସ୍ ହାରି ପ୍ରଥମେ ବ୍ୟାଟିଂ ପାଇଥିବା ଭାରତୀୟ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୫ ୱିକେଟ୍ ହରାଇ ୨୪୮ ରନ୍ କରିଥିଲା। ଭାରତୀୟ ଦଳ ପକ୍ଷରୁ ପୁନମ ରାଉତ୍ (୭୭, ୧୦୮ ବଲ୍) ଧୈର୍ଯ୍ୟପୂର୍ଣ୍ଣ ଅର୍ଦ୍ଧଶତକ ହାସଲ କରିଥିବାବେଳେ ଅଧିନାୟିକା ମିତାଲି ରାଜ, ହରମନପ୍ରୀତ୍ କଉର୍ ଏବଂ ଦୀପ୍ତି ଶର୍ମା ପ୍ରତ୍ୟେକ ୩୬ ରନ୍ ଲେଖାଏଁ ସଂଗ୍ରହ କରିଥିଲେ। ପ୍ରାରମ୍ଭିକ ଯୋଡ଼ି ମଧ୍ୟରୁ ଜେମିମା ରଡ୍ରିଗ୍ବେଜ୍ ଖାତା ଖୋଲି ପାରିନଥିବାବେଳେ ସ୍ମୃତି ମନ୍ଧାନା ୨୫ ରନ୍ କରିପାରିଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ସବନିମ୍ ଇସମାଇଲ୍ ସର୍ବାଧିକ ୨ ୱିକେଟ୍ ନେଇଥିଲେ। ଜବାବରେ ଦକ୍ଷିଣ ଆଫ୍ରିକା ୪୬.୩ ଓଭରରେ ୪ ୱିକେଟ୍ ହରାଇ ୨୨୩ ରନ୍ କରିଥିବା ବେଳେ ବର୍ଷା ହେବାରୁ ମ୍ୟାଚ୍ ଆଉ ସମ୍ଭବ ହୋଇନଥିଲା। ଡିଏଲ୍ ନିୟମ ଅନୁସାରେ ଦକ୍ଷିଣ ଆଫ୍ରିକାକୁ ୬ ରନ୍ରେ ବିଜୟୀ ଘୋଷଣା କରାଯାଇଥିଲା। ପ୍ରାରମ୍ଭିକ ବ୍ୟାଟର୍ ଲିଜେଲ୍ ଲି’ଙ୍କ ବ୍ୟକ୍ତିଗତ ଶ୍ରେଷ୍ଠ ପାଳି (୧୩୨*) ଭାରତ ହାତରୁ ମ୍ୟାଚ୍ ଛଡ଼ାଇ ନେବାରେ ପ୍ରମୁଖ ଭୂମିକା ତୁଲାଇଥିଲା। ସେ ମଧ୍ୟ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଭାରତ ପକ୍ଷରୁ ଅଭିଜ୍ଞା ଝୁଲଣ ଗୋସ୍ବାମୀ ୨ ଏବଂ ଏବଂ ଦୀପ୍ତି ଶର୍ମା ଓ ରାଜେଶ୍ବରୀ ଗାଏକ୍ବାଡ ୧ ଲେଖାଏଁ ୱିକେଟ୍ ନେଇଥିଲେ।